ଶେଷ ସନ୍ଧ୍ୟା

 

 

 

 

 

 

 

 

 

 

ଶେଷ ସନ୍ଧ୍ୟା

ଶ୍ରୀ ପ୍ରହ୍ଲାଦ ନାଥ

 

କୃତଜ୍ଞତା ଜ୍ଞାପନ

 

ମୁଁ ପ୍ରଥମେ ଏ ସମାଜ ପାଖରେ କୃତଜ୍ଞ ଯେ ଏହି ସମାଜର ଅନନ୍ତ ଜ୍ଞାନ ଭଣ୍ଡାରର କ୍ଷୁଦ୍ରାତିକ୍ଷୁଦ୍ର କଣିକା ମାତ୍ର ଆହରଣ କରି ନିଜସ୍ୱ ଭାଷାରେ ବ୍ୟକ୍ତ କରିବାର ସାମର୍ଥ୍ୟ ଲାଭ କରିଛି ।

 

ଦ୍ୱିତୀୟରେ ମୁଁ ସେହି ଦାର୍ଶନିକ, କବି ଓ ଲେଖକମାନଙ୍କ ପାଖରେ କୃତଜ୍ଞ, ଯେଉଁମାନଙ୍କର ଚିନ୍ତାଧାରା ମୋତେ ପ୍ରଭାବିତ କରିଛି ଏବଂ ସ୍ଥଳ ବିଶେଷରେ ସେମାନଙ୍କର ବାକ୍ୟାଂଶ, କବିତାଂଶକୁ ଏଥିରେ ସ୍ଥାନ ଦେବାର ଲୋଭ ସମ୍ବରଣ କରିପାରି ନାହିଁ ।

 

ତୃତୀୟରେ ମୋର ଲେଖନୀ ଚାଳନା ଦିଗରେ ବହୁ ଜ୍ୟେଷ୍ଠ, କନିଷ୍ଠ ଶୁଭେଚ୍ଛୁ ବନ୍ଧୁଙ୍କର ଉତ୍ସାହ, ପ୍ରେରଣା, ସାହାଯ୍ୟ ଓ ସହଯୋଗ ଲାଭ କରିଛି, ଫଳରେ ଏହା ଆତ୍ମପ୍ରକାଶ କରିବା ସମ୍ଭବ ହେଲା । ସେମାନଙ୍କ ନିକଟରେ ମୁଁ କୃତଜ୍ଞ ।

 

ପରିଶେଷରେ ସହୃଦୟ ପାଠକ ପୁସ୍ତକଟି ପାଠକରି ଯଥା ସମ୍ଭବ ସେମାନଙ୍କର ସୁଚିନ୍ତିତ ମତାମତ ଜଣାଇବାକୁ ଅନୁରୋଧ କରୁଛି ।

 

ଲେଖକ

 

କୈଫିୟତ୍‌

 

ଉପନ୍ୟାସ ଯଦି ଏ ଉପବନ, ଏ ଉପବନଟିର ପରିସୀମା ଅତ୍ୟନ୍ତ ସୀମିତ ଓ ପରିସର ଅତି କ୍ଷୁଦ୍ର, ତଥାପି ଏହାକୁ ବହୁ ପୁଷ୍ପ ସୁଶୋଭିତ ବୃକ୍ଷ-ଲତା ବିମଣ୍ଡିତ କରିବାର ମୋହ ଏଡ଼ାଇ ପାରିନାହିଁ ।

 

ଅପରନ୍ତୁ ଏହି ଉପନ୍ୟାସଟି ମୋର ପୂର୍ବବର୍ତ୍ତୀ ଉପନ୍ୟାସ ‘‘ମରୁ ଝରଣା’’ର ପରବର୍ତ୍ତୀ ଖଣ୍ଡ ରୂପେ ସ୍ୱୀକୃତ ହେଲେ ମଧ୍ୟ ଏହାକୁ ପାଠ କଲାବେଳେ ‘‘ମରୁ ଝରଣା’’ର ଅଭାବ ଯେପରି ଅନୁଭୂତ ନ ହୁଏ ସେଥିପ୍ରତି ଯଥା ସମ୍ଭବ ସାବଧାନତା ଅବଲମ୍ୱନ କରିଛି, କେତେଦୂର ସଫଳ ହୋଇଛି ତାହା ପାଠକମାନେ ହିଁ ଅନୁଭବ କରିବେ ।

 

ଲେଖକ

 

ଏକ

 

ପଶ୍ଚିମ ଆକାଶରେ ନାଲି ଅବିର ବିଞ୍ଚିଦେଇ ସଞ୍ଜ ନଇଁ ଆସିଲା । ପରେ ପରେ ଅଧାଜହ୍ନ ହସି ଉଠିଲା ମୁଣ୍ଡ ଉପରେ, ଗୋଟି ଗୋଟି ହୋଇ ଝଟକି ଉଠୁଥିଲା ତାରା ଫୁଲର ପଟୁଆର ସାରା ଆକାଶ ବଗିଚାରେ ।

 

ଗାଁ ଦାଣ୍ଡରେ ପିଲାଙ୍କର ଧୂଳିଖେଳ, ପାଟିତୁଣ୍ଡ, ଧାଁ ଧପଡ଼, ହସ କାନ୍ଦର ମିଳନ ସଂଗୀତ । ପୁଅଝିଅ ଏକାଠେଇଁ ମିଶି କେଉଁଠି କଣ୍ଢେଇ ବାହାଘର କରୁଛନ୍ତି । ବାଲି, ଧୂଳି, ନଡ଼ିଆ ସଢ଼େଇରେ ଭାତ ତୁ’ଣ, କାନ୍ଧରେ ଡାଙ୍ଗ ଖଣ୍ଡେ ପାଲିଙ୍କି ସବାରି; ବାଉଁଶ ନଳିରେ ବାଜା । କେଉଁଠୁ ଶୁଭୁଛି—ଧେଇକି ତାକ, ତାକ ଧିନାକ, କେଉଁଠୁ—ବାଉଁଶ ପତର କେରି କେରିକା, ବୋଝିଆ ଗଲା ଛେରି ଛେରିକା, ଆଉ କେଉଁଠୁ—ହୁକୁମ ଦାପଲୋ ଭାଇ ଗଉଡ଼, ଆଗକୁମାଡ଼ି ବାଆଁକୁ ଛାଡ଼ି, ଏଇଠି ଖାଲ ।

 

ଗାଆଁ ଦାଣ୍ଡରେ ଖର ବେଗର ଏକମୁହାଁ ଚାଲିଛି ଶ୍ରୀକାନ୍ତ । ଆଗରେ ଧନୀ ମଉସାଙ୍କ ଘର । ଆଜି ଶୁଣିବାକୁ ପାଇଛି, ସମବାୟ ବିଭାଗର ନୋଟିସ୍‌ ଲାଗିଛି, ଋଣ ଗ୍ରହୀତାମାନେ ଦୁଇ ଦିନ ଭିତରେ ଟଙ୍କା ପରିଶୋଧ ନକଲେ ସ୍ଥାବର ଅସ୍ଥାବର ସମ୍ପତ୍ତି କୋରଖ ନିଲାମ ହେବ ।

 

ଧନୀ ମଉସା ଯଦି ଘରେ ଥିବେ ପହଞ୍ଚୁ ନ ପହଞ୍ଚୁଣୁ ଡାକ ଛାଡ଼ିବେ—ଆରେ, ଶ୍ରୀକାନ୍ତ ଅଇଲାଣି, ବିଛଣା ଖଣ୍ଡେ ଆଣ । ପଚାରିବେ—ଭଲ ମନ୍ଦ କଥା; କହିବେ—ଚାକିରିଆ ଜୀବନ, ସମସ୍ତଙ୍କ ମନ ନେଇ ଚଳୁଥିବୁ ବାପ !

 

ହାତରେ ଆସନ ଖଣ୍ଡେ ଧରି ପହଞ୍ଚିବ ପ୍ରିୟମ୍ୱଦା । ତୋଫା ଗୋରୀ ନ ହେଲେ ବି ଗଢ଼ଣଟି ବେଶ୍‌ ଭଲ । ପାନ ପତିରିଆ ମୁହଁଟିରେ ଢଳ ଢଳ ମାଦକ ଭରା ଆଖି ଯୋଡ଼ିକ, ନର୍ତ୍ତକୀ ଭଙ୍ଗୀରେ ଚାଲି, କଥାରେ ଝରେ ମହୁ । ପହଞ୍ଚୁ ପହଞ୍ଚୁ କହିବ—କାନ୍ତ ଭାଇଙ୍କ ଆଖିତ ଆଜିକାଲି ବଡ଼ ହେଇ ଗଲାଣି ।

 

କଥାରୁ କଥା ଲମ୍ୱିବ । ମାଉସୀ ଆସି ପହଞ୍ଚିବେ । ବାହୁନି ବସିବେ ତାଙ୍କ ପୁଅ ରମେଶ କଥା । ଚାହୁଁ ଚାହୁଁ ତିନି ବର୍ଷ ଗଡ଼ିଗଲା ଆସି । ବେଉରା ମିଳିଲା ନାହିଁ । ଅନ୍ଧ ଅନ୍ଧୁଣୀ ହୋଇ ପଡ଼ି ରହିଛୁ ଆମେ, ଆଖି ଫୁଟି ଯାଇଛି ।

 

ସେଇକଥା ବାରମ୍ୱାର ଶୁଣି ଆସିଛି, ଶୁଣୁଛି, ଯେତେ ଶୁଣିଲେ ବି ବିରକ୍ତ ଲାଗେ ନାହିଁ । ସେମାନଙ୍କୁ ଆଶାର ବାଣୀ; ଆଶ୍ୱାସନା ବାଣୀ ଶୁଣାଇବାକୁ ତା’ର ଭାରି ଇଚ୍ଛାହୁଏ । ତା’ର ଆଗ୍ରହ ମୂଳରେ ସେଇ ପ୍ରିୟମ୍ୱଦା ଯାହା ମୁହଁରୁ ପଦେ କଥା ଶୁଣିବା ପାଇିଁ, ଟିକେ ପାଖରେ ତାକୁ ପାଇବା ପାଇଁ ମନଟା କେମିତି ଛଟପଟ ହୁଏ । ବେଳ କାଳ ଉଣ୍ଡି ଥରେ ମୁହଁ ମାରିଯାଏ ସେ ।

 

ଦୁଆଣେ ପହଞ୍ଚିଲା । ଧନୀ ମଉସା ନଥିଲେ ଦାଣ୍ଡପିଣ୍ଡାରେ । ଗଲା ଖଞ୍ଜା ଭିତରକୁ । ଅଗଣାରେ ଲଣ୍ଠନଟି ଜଳୁଛି । ଅଳ୍ପ ଦୂରରେ ଗାଲରେ ହାତଦେଇ ପ୍ରିୟମ୍ୱଦା ସେହି ଲଣ୍ଠନ ଆଡ଼କୁ ଚାହିଁ ବସିଛି । ଶ୍ରୀକାନ୍ତ ଯାଇ ଠିଆ ହୋଇଗଲା ଆଗରେ । ପ୍ରିୟମ୍ୱଦା ନିଜକୁ ସଜାଡ଼ି ନେଇ ଉଠିଯାଇ ଆସନ ଖଣ୍ଡେ ଆଣି ପକେଇ ଦେଇ କହିଲା—ବସ କାନ୍ତ ଭାଇ । ତା’ର କଥାରୁ ଶ୍ରୀକାନ୍ତ ବୁଝିଲା ମନ ତା’ର ଭରି ଉଠିଛି ଦୁଃଖରେ । ବସୁ ବସୁ ପଚାରିଲା—କ’ଣ ହେଇଚି କି ? ଏମିତି ଗାଲରେ ହାତଦେଇ ବସିଥିଲୁ କାହିଁକି ?

 

ମାଉସୀ ବାରିପଟରୁ ଭିତରକୁ ପଶି ଆସୁ ଆସୁ କହିଲେ—ମଉସାଙ୍କ ନାଆଁରେ ନୋଟିସ୍‌ ନାଗିଚି । ଦେଢ଼ହଜାର ଟଙ୍କା ଦି’ ଦିନ ଭିତରେ ନଦେଲେ ଘର କୋରଖ ହବ ।

 

ଆଶ୍ଚର୍ଯ୍ୟ ହେଲା ଭଳି କହିଲା ଶ୍ରୀକାନ୍ତ—ସବୁ ଟଙ୍କା ପରା ଦେଇଥିଲେ ବୋଲି କହୁଥିଲେ ?

 

—ହଁ । ସେ ପୋଡ଼ାମୁହାଁ ଟଙ୍କା ନେଇଚି ଯେ କ’ଣ କାଗଜ ଖଣ୍ଡେ ଦେଇ ନ ଥିଲା ।

 

—ରସିଦ ? ରସିଦ ଆଜିଯାକେ ନ ଆଣିଲେ କେମିତି ? ଏମିତି ସରଳ ବିଶ୍ୱାସରେ....କଥା ଛଡ଼ାଇ ନେଇ ମାଉସୀ କହିଲେ—ଖାଲି ବ୍ରହ୍ମାନନ୍ଦ ବ୍ରହ୍ମାନନ୍ଦ ବୋଲି ପାଣି ପିଉନଥିଲେ । ଦେଖିଲୁଟି !! ତାଆରି ଯୋଗୁଁ ପୁଅ ମୋର କୁଆଡ଼େ ଗଲା । ସୁନା ପ୍ରତିମା ପରି ଝୁଅଟା; ବୋହୂ କରି ଏ ଘରକୁ ଆଣିଥାନ୍ତି । ମୋ କଥା କ’ଣ ଶୁଣିଲେ ସେତେବେଳେ ! ସେଇ ବ୍ରହ୍ମାନନ୍ଦ । ଦେଖିଲୁତ ବାପ ତାଆରି ବୁଦ୍ଧିରେ ଭାସିଯାଇ କଲେ କ’ଣ ? ତଥାପି କ’ଣ ତାଙ୍କର ଚେତା ପଶିଲା ?

 

ଶ୍ରୀକାନ୍ତ କ’ଣ କହିବ ବୋଲି ଯାଉଥିଲା ଏତିକି ବେଳେ ଦାଣ୍ଡରୁ ପାଟି ଶୁଭିଲା—ହେଇରେ, ମଟର ଗାଡ଼ି....ମଟର....ରମେଶ ଭାଇ....ରମେଶ....ରମେଶ.... । ସମସ୍ତେ କାନ ପାରିଲେ ସେଆଡ଼େ ।

 

ଗାଆଁକୁ ଗାଡ଼ି ଆସିଛି, ନେଲିଆ ରଙ୍ଗର । ଆଗରେ ତୋଫା ଆଲୁଅ, ପଛରେ ନାଲି ଆଲୁଅ ବିଛାଡ଼ି ହୋଇ ପଡ଼ିଛି ।

 

ଦିନେ ଦିନେ ଗାଆଁକୁ ଗାଡ଼ି ଆସେ, ଜିପ୍‌ ଗାଡ଼ି । ବ୍ଲକ୍‌, ବାବୁଙ୍କ ସାଙ୍ଗରେ ଆଉ କେତେ ବାବୁଙ୍କୁ ବୋହିଆଣେ । ରାସ୍ତା କଡ଼ିଆ ଜମିକୁ ବୁଲି ବୁଲି ଦେଖନ୍ତି । ସରପଞ୍ଚ ବାବୁ, ଲକ୍ଷ୍ମୀଧର ବାବୁ, ବ୍ରହ୍ମାନନ୍ଦ ବାବୁ ପ୍ରଭୃତି ସାଙ୍ଗରେ ଯାଆନ୍ତି । ସେ ସବୁ ଜମି ସେଇମାନଙ୍କର । ଦିନେ ଦିନେ କୁକୁଡ଼ା ମରାହୋଇ ଲାଇବ୍ରେରୀ ଘରେ ରନ୍ଧାବଢ଼ା ହୁଏ, ବାବୁମାନେ ଖିଆପିଆ କରି ଯାଆନ୍ତି ।

 

ତା’ର କିଛିଦିନ ପରେ ମାଗା, ଲଛମନ, ପହଲା, ନରିଆ ହେରିକା ଯାଆନ୍ତି ବ୍ଲକ୍‌ ଅଫିସକୁ । ବୋହି ଆଣନ୍ତି ଭାର ଭାର ସାର, ସେଗୁଡ଼ାକ କୁଆଡ଼େ ମାଗଣାରେ ମିଳେ, ଆଉ ଆଣନ୍ତି ଧାନକେଣ୍ଡା ଛବିଥିବା ନାଲି ନେଳି ଅକ୍ଷରରେ ‘‘ସଘନ କୃଷି ଯୋଜନା,’’ ‘‘ସାର ସଂପ୍ରସାରଣ କ୍ଷେତ୍ର’’ ଆଦି ଲେଖାଥିବା ବଡ଼ ବଡ଼ ଟିଣ ଫର୍ଦ୍ଦ । ପିଲାଏ ଦେଖନ୍ତି ସେହି ସବୁ ସାର ସେହି ବାବୁମାନଙ୍କ ବିଲରେ ପଡ଼େ । କାଠ ଖୁଣ୍ଟ ପୋତାହୋଇ ଟିଣ ଫର୍ଦ୍ଦ ସବୁ ହିଡ଼ କଡ଼ରେ ମରାଯାଏ ।

 

ଚିନି ଭଳି ଦିଶେ ସାର । ପିଲାଏ ହାତ ପୂରାନ୍ତି ବସ୍ତାରେ, ଗାଳି ଶୁଣନ୍ତି, ଧମକ ଚମକ ଶୁଣନ୍ତି; ପଳାନ୍ତି । ଟିଣ ଫର୍ଦ୍ଦରେ ହାତ ମାରିଲେ ବି ସେଇ ଦଶା । ଛପି ଛପି ଥାଆନ୍ତି । ବେଳକାଳ ଉଣ୍ଡି କାଦୁଅ ଫୋପାଡ଼ି କଦର୍ଯ୍ୟ କରି ଦିଅନ୍ତି ସେ ଟିଣ ଫର୍ଦ୍ଦକୁ ।

 

ଥରେ ଥରେ ଆଗରେ ପତାକା ଉଡ଼ାଇ ଜିପ୍‌ ଗାଡ଼ି ଆସେ । ଭୋଟ ନେବା ପାଇଁ ନେତା ଆସି ସଭା କରନ୍ତି । ଗାଁ ମୁଣ୍ଡ ଠାକୁରାଣୀ ଘର ଆଗରେ ଚାନ୍ଦୁଆ ଟଣା ହୁଏ, ପାଲ ପଡ଼େ । ଆଖ ପାଖ ଗାଆଁମାନଙ୍କରୁ ଲୋକ ଆସନ୍ତି, ସଭାହୁଏ । ସରପଞ୍ଚ ବାବୁ, ବ୍ରହ୍ମାନନ୍ଦ ବାବୁ ଚିହ୍ନେଇ ଦିଅନ୍ତି—ବଡ଼ ନେତା–ବଡ଼ ଦଳର । ନେତା କହନ୍ତି–ଆମକୁ ଜିତେଇ ଦିଅ । ଆମ ଦଳ ଜିତିଲେ ଗରିବ ଆଉ ରହିବେ ନାହିଁ, ଦୁଃଖ ହଟିଯିବ । ରାସ୍ତାଘାଟ ହବ, ଡାକ୍ତରଖାନା ହବ, ସ୍କୁଲ ହବ, ରୋଗ ବଇରାଗ କମିଯିବ; ଦେଶର ଉନ୍ନତି ହବ ।

 

ପିଲାଏ ସେ ସବୁ କିଛି ବୁଝନ୍ତିନି । ଉନ୍ନତି କ’ଣ ଜାଣନ୍ତିନି । ଜାଣନ୍ତି ସାର ମାଗଣାରେ ଆସି ପଡ଼ିବ ବାବୁମାନଙ୍କ ବିଲରେ, ଗରିବ ଗୁରୁବା କିଣି ଆଣିବେ । ବାବୁମାନଙ୍କର ବେଶି ଜମି, ବେଶି ଧାନ ହବ, କିଣିଖିଆମାନେ ତାଙ୍କରି ବିଲରେ କାମ କରିବେ, ତାଙ୍କରିଠୁଁ ଧାନ କିଣି ଖାଇବେ-। ସଭା ଶୁଣୁ ଶୁଣୁ ପିଲାମାନେ ତାଳିମାରି ଧାଇଁ ପଳାନ୍ତି, କହନ୍ତି—ନୋଟ ଦିଅ ଭୋଟ ନିଅ ।

 

ଗାଆଁକୁ ଆସିଛି ଗାଡ଼ି । ପିଲାଏ ଧାଇଁଛନ୍ତି ପଛେ ପଛେ । ମନରେ ତାଙ୍କର କୌତୂହଳ ଓ ଆନନ୍ଦ ମିଶା ମିଶି । ତାଙ୍କରି ଗାଆଁର ରମେଶ ବସିଚି ଗାଡ଼ିରେ, ମୁଣ୍ଡ କାଢ଼ି ଚାହୁଁଛି, ହାତ ଯୋଡ଼ି ବଡ଼ ମଣିଷଙ୍କୁ ନମସ୍କାର ଜଣାଉଛି । ଆଉ ଦି’ଜଣ ସ୍ତ୍ରୀଲୋକ, ଜଣେ ଯୁବତୀ ଆର ଜଣଙ୍କର ବୟସ ଟିକେ ବେଶି । ପିଲାଏ ପଛେ ପଛେ ଚିତ୍କାର କରି କରି ଧାଇଁଛନ୍ତି—ହେଇରେ ଆମ ରମେଶ ଭାଇ, ରମେଶ....ରମେଶ.....

 

ଦୁଇ

 

ଗୋଧୂଳି ଯାଇଛି, ଆସିଛି ସନ୍ଧ୍ୟା । ଶୀତ ଯାଇ ଆସିଛି ବସନ୍ତ । ବସନ୍ତର ସ୍ପର୍ଶରେ ପ୍ରଫୁଲ୍ଲିତ ହୋଇଛି ପ୍ରକୃତି । ମଣିଷ ଦେଖୁଛି ତା’ର ସେଇ ପରିବର୍ତ୍ତିତ ଶୋଭା ସମ୍ପଦକୁ । ବସନ୍ତର ପ୍ରଭାବରେ ତା’ର ଦେହ ମନ ଉଲ୍ଲସିତ । କିନ୍ତୁ ଯୋଗିଆ ଯେମିତି ସମ୍ପୂର୍ଣ୍ଣ ଉଦାସୀନ । ପ୍ରକୃତିର ଏଇ ପରିବର୍ତ୍ତନରେ ତା’ମନରେ କୌଣସି ପ୍ରଭାବ ନାହିଁ ।

 

ପଥରଟି ଉପରେ ବସିଛି ଯୋଗିଆ । ସବୁଦିନେ ସେ ସେଇଠି ବସେ ଆଉ ଆଗର ସେଇ ଶିମିଳି ଗଛଟା ଆଡ଼କୁ ଚାହିଁ କେତେ କ’ଣ ଭାବେ । ବଳଦ ସାଙ୍ଗରେ ମିଶି ସେ କାମ କରେ-। ବଳଦ ହଳ ଟାଣେ, ସେ ହଳଧରେ । ଆହୁରି ବେଶି କାମକରେ ସେ । କିନ୍ତୁ ବଳଦ ପାଇଁ ମାଲିକ ସବୁ ବ୍ୟବସ୍ଥା କରିଛି, ତା’ର ରହିବା ଖାଇବ, ସବୁର ନିଘାନାମା ନିଏ ସେ । କିନ୍ତୁ ସେ ଯେ ମଣିଷ-। ଯୋଗିଆ ଭାବେ ଯେତେ କିଛି ଅବ୍ୟବସ୍ଥା ସବୁ ଏକା ତାଆରି ପାଇଁ ।

 

ଯୋଗିଆ ଚାହିଁଛି ଅନ୍ଧାରୁଆ ଦିଶୁଥିବା ସେଇ ଶିମିଳି ଗଛ ଆଡ଼େ । ଏତେ ବକଟେ କାଳୁ ଦେଖି ଆସୁଛି ତାକୁ । ବଢ଼ିଚି, ଶାଖା ମେଲିଛି, ଫୁଲ ଧରିଛି, ସବଜା ଫଳ କଳା ପଡ଼ି ଫାଟିଛି, ଉଡ଼ି ବୁଲୁଛି ଧଳା ଧଳା ଶିମୁଳି ତୁଳା ଗୋଟାଏ ଗଛ, କେତେ ରଙ୍ଗ ?

 

ନିଜ ବଂଶର ଭାଇ ସେ; ବ୍ରହ୍ମାନନ୍ଦ । ବୟସରେ ଆଠବର୍ଷ ବଡ଼ । ଦେଖି ଆସୁଛି ତାକୁ । ଏକ ଶିମିଳି ଗଛପରି ସେ ବଦଳି ଚାଲିଛି । ତା’ର କୋଠା ପ୍ରତିବର୍ଷ ରଙ୍ଗ ବଦଳଉଛି । ଯୋଗିଆ ଭାବୁଛି ସେ’ବି ବଦଳି ଯାଇଛି ବହୁତ । ପିଲାରୁ ଯୁବକ ହେଇଚି । କିନ୍ତୁ ନିଜର ବୋଲି ଯାହାଥିଲା ସବୁ ଯାଇଛି, ଆଉ ତା’ ସଙ୍ଗେ ସଙ୍ଗେ ଦେହର ବଳ ମଧ୍ୟ । ହାଡ଼ ଉପରୁ ମାଂସ ଯାଇଛି, ବାକି ଅଛି ପଞ୍ଜରା କେତେଖଣ୍ଡ, ଚେର ଆବରଣ ତଳେ ।

 

ମା’ କହନ୍ତି—ବାଇଆଟାକୁ ବାପ ତା’ର ନିଆଶ୍ରା କରି ଛାଡ଼ିଗଲା । ଭୂଇଁରେ ଗାର ସୁଦ୍ଧା ରଖି ଗଲା ନାହିଁ । ସତେ, ମଣିଷ ହବ ଏ ବାଇଆଟା !!

 

ଯୋଗିଆ ନିଆଶ୍ରା । ବେକରେ ଭଉଣୀ ଦୁଇଟି ବନ୍ଧା; ପର ଘରକୁ ପଠେଇ ପାରୁନି, ସଂସାରର ଧର୍ମ ରକ୍ଷା କରି ପାରୁନି; ଖଟୁଚି, ଲାଗିଚି, ଚାରୋଟି ପେଟ, ଯାହା ଅର୍ଜ୍ଜୁଚି ଅଣ୍ଟୁନି । ମୂଲ ମିଳିଲେ ଖଟେ ନଇଲେ ସେଇ ଶିମିଳି ଗଛକୁ ଚାହିଁ ଏମିତି ଭାବୁଥାଏ ଖାଲି ।

 

ଏଇ ପଥର, ଏଇ ଗଛ ତା’ର ଅତି ଆପଣାର । ମନ କଥା ତାଙ୍କରି ପାଖରେ କହେ, ଉତ୍ତର ପାଏ ନାହିଁ । ଲୋକଙ୍କ ଜମିରେ ଚାଷ କାମ ଲାଗିଲେ ତାକୁ ଖୋଜନ୍ତି ବର୍ଷକ ଭିତରେ ମୋଟେ ମାସ ଚାରି ପାଞ୍ଚଟା । ତା’ପରେ ମଦ ଘଡ଼ା, କାମ ସରିଲେ ଗଡ଼ ଗଡ଼ା ।

 

ଯୋଗିଆ ଭାବେ, ତା’ର ମାଲିକ ବୋଲି କେହିନାହିଁ । କିଏ କହେ ଭଗବାନ ମାଲିକ, ତାଙ୍କର ଇଚ୍ଛାରେ ସବୁ । କିନ୍ତୁ କାହିଁ ? ତା’ ବୁକୁ ଫଟେଇ ସେ କେତେ ଗୁହାରି କରେ ରାଧାକୃଷ୍ଣ, ଜଗନ୍ନାଥ, ରାମ ସୀତା ଏମିତି କେତେ ଭଗବାନଙ୍କ ପାଖରେ । କେହି ଶୁଣନ୍ତିନି । ସେ ଖାଲି ଗେଟାଏ ଆଶ୍ୱାସନା, ସାନ୍ତ୍ୱନା । ଲୋକଙ୍କ ମୁହଁରୁ ଶୁଣୁଚି ଆମଦେଶର ମାଲିକ ସରକାର । କାହିଁ ? କେଉଁ ସରକାର ? ଦିନେତ ସରକାର ବୋଲି କେହି ଆସି କହୁନାହିଁ—ମୁଁ ତୋର ମାଲିକ ବୋଲି ।

 

ପଛରୁ କାହାର କଥାଶୁଭୁଛି । ଭାବନା ଭାଙ୍ଗି କାନପାରିଲା । ବାରି ପାରିଲା, ଆର ଗାଁର ଧନୀ ଯିଏକି ବ୍ରହ୍ମାନନ୍ଦର ଡାହାଣ ହାତ । କାନ ପାରି ଶୁଣିଲା; ଗୁଣୁ ଗୁଣୁ ହୋଇ ଧନୀ ବର୍ଷି ଚାଲିଛି ବ୍ରହ୍ମାନନ୍ଦ ଉପରେ ଗାଳି । ଯୋଗିଆ ଭାବିଲା—ଏତେ ଦିନ ପରେ ଧନୀ ଚିହ୍ନିଲା ବ୍ରହ୍ମାନନ୍ଦକୁ, ଜାଣିପାରିଲା ତା’ର ସ୍ୱରୂପକୁ । ହେଲେ ବ୍ରହ୍ମାନନ୍ଦ ବହୁତ ଉପରେ, ପର୍ବତ ସେ । କେତେ ଟେକା ମାଡ଼ ବାଜୁଛି, ସେଥିକି ତା’ର ଖାତିରି ନାହିଁ ।

 

ଯୋଗିଆର ମନେପଡ଼ୁଥିଲା ନବୀନ କଥା । ଆସିଥିଲା ଚାରିମାସ ତଳେ ଗାଁକୁ । କୋଉ କଥାରେ ବ୍ରହ୍ମାନନ୍ଦ ତା’ ସାଙ୍ଗରେ ବଢ଼ିଲାରୁ ଏମିତି ଝଡ଼ାଏ ଦେଲାଯେ ଆଉ ପାଟିରୁ କଥା ବାହାରିଲା ନାହିଁ । ସେଇମିତି ଆଉ କିଏ କରି ପାରୁଛି ?

 

ଧନୀ ଗପି ଗପି ଚାଲିଛି । ଯୋଗିଆ ଧୀରେ ଉଠି ତା’ ପଛରେ ଚାଲିଲା । ଗାଁ ପାର ହୋଇ ଆରମୁଣ୍ଡକୁ ଯାଇ ସେ ତୋଟା ଭିତରେ କୁଆଡ଼େ ରହିଲା । ଯୋଗିଆ ଗାଁ ମୁଣ୍ଡ ପୋଖରୀ ତଳକୁ ଗଡ଼ିଲା ପୋଖରୀ ପାଣି ଯିବା ବାହାନାରେ ।

 

ଭାତଖିଆ ପ୍ରହର । ଲୋକେ ଯେ ଯାହା ଘରେ ଖାଇ ବସିଛନ୍ତି । ଧନୀ ଫେରି ଆସୁଥିବାର ଲକ୍ଷ୍ୟ କରି ଯୋଗିଆ ତା’ ପିଛା ଧଇଲା । ଧନୀ ଆସି ଅଟକିଲା ବ୍ରହ୍ମାନନ୍ଦ ଘର ଦୁଆର ମୁହଁରେ ।

 

ଡକିଲା—ବାବୁ, ଘରେ ଅଛ ?

 

ଜବାବ ଆସିଲା—ହଁ, ହଁ, କିଏ ଧନୀ ?

 

—ହଁ ବାବୁ, ଟିକେ ଦୁଆର ଆଡ଼େ ଆସ, ଶୁଣିଯିବ ।

 

ଦୁଆର ମୁହଁକୁ ଆସିଲା ବ୍ରହ୍ମାନନ୍ଦ । କହିଲା—କ’ଣ କିହୋ ? କାଳିଜହ୍ନର ଛାଇ ଆଲୁଅରେ ଧନୀ ତାକୁ ତାଳୁରୁ ତଳିପାଯାଏ ଚାହିଁଗଲା । କହିଲା—ବାବୁ !! ଧନୀର ଏ ଡାକରେ ଭରି ରହିଥିଲା ହିଂସ୍ରତା । ତା’ର ଏ ଡାକରେ ବ୍ରହ୍ମାନନ୍ଦର ମନଭିତରେ ଗୋଟାଏ ଭୟାତୁର ଭାବ ଖେଳିଗଲା । ଧନୀ କାଳବିଳମ୍ୱ ନକରି ଗାମୁଛାଟା ତା’ ଉପରେ ଏମିତି ଗୁଡ଼େଇ ଦେଲା ଯେ ଅଣ୍ଟା ସହିତେ ଦି’ ହାତ ଜାକି ହୋଇଗଲା । ଆଗ ଖୁବ୍‌ ଜୋରରେ ଭିଡ଼ି ଦେଇ ବାନ୍ଧିପକେଇ ବାଁ ହାତରେ ଧରି ଡାହଣ ହାତରେ ଅଣ୍ଟାରୁ ଗୋଟାଏ ଲମ୍ୱା ଧାରୁଆ ଛୁରି କାଢ଼ିଲା । ଟେକି ଧରିଲା ବ୍ରହ୍ମାନନ୍ଦର ଛାତି ସିଧା ।

 

ମୁହୂର୍ତ୍ତକେ ଘଟିଗଲା ସବୁ । ଉପାୟ ନାହିଁ । ପାଟି ଖନି ବାଜିଯାଉଛି, ଖାଲି ଶୁଭିଲା...ଏଁ.....ଏଁ......ଏଁ । ପାଖରେ କେହି ନାହାନ୍ତି । ଘରେ ସ୍ତ୍ରୀ, ପିଲା ତିନୋଟ ଆଉ ବିଧବା ଭଉଣୀଟିର ଝିଅ ଲତା । କୋଠିଆ ଟୋକା ସଞ୍ଜବେଳୁ ଘରକୁ ଚାଲିଯାଏ । ଚାକିରିଆ ଟୋକାଟା ସବୁଦିନେ ରାତି ଦି’ଘଡ଼ି ବେଳୁ ମଠକୁ ଯାଏ । ଗଞ୍ଜେଇ ଟାଣି, ଖଞ୍ଜଣି ମାଡ଼ କରି ଅଧରାତିରେ ଫେରେ । ବାହାର ଘରେ ତା’ପାଇଁ ଥୁଆ ହୋଇଥିବା ଶୁଖିଲା ଭାତ ଖାଇ ଶୁଏ । କାହାକୁ ଡାକିବ-? କ’ଣ କରିବ ? ହଠାତ୍‌ ଚାଲି ଆସିଲା ବେଳେ ତା’ର ମନେ ପକାଇବା ଉଚିତ ଥିଲା ଯେ ଧନୀକି ଆଜି ଖୁବ୍‍ ବାଧିଥିବ । ମଣିଷ ରାଗିଲେ କ’ଣ କରେ ସେ ନିଜେ ଜାଣେନା । ତଥାପି ତା’ର ବିଶ୍ୱାସ ଥିଲା, ଧନୀ ଏପରି ହୋଇ ନପାରେ । କିନ୍ତୁ ବର୍ତ୍ତମାନ ଉପାୟ ? କ’ଣ କରିବ ?

 

ଜୀବନ ମରଣର ସନ୍ଧିକ୍ଷଣରେ ବ୍ରହ୍ମାନନ୍ଦ । ଅନୁତାପ କରିବାକୁ ବେଳ ନାହିଁ । ଜୀବନଟା ବଞ୍ଚେଇବା ପାଇଁ କ୍ଷମା ମାଗନ୍ତା ହେଲେ ପାଟିରୁ କଥା ବାହାରୁନାହିଁ ।

 

ଧନୀର ବାଡ଼ିତଳ ଜମି ମାଣଟାକୁ ଆଖିଆଗରେ ରଖି ସେ ତାକୁ ନାନାପ୍ରକାର ଋଣ ଜାଲରେ ଛନ୍ଦି ରଖିବାକୁ ଏଯାଏ ଚେଷ୍ଟା କରି ଆସିଛି ହେଲେ ସେ ଜାଲ ଛିଣ୍ଡେଇ ସବୁବେଳେ ବାହାରିଯାଇଛି । ଟଙ୍କା ନେଇଥିଲା, ଦେଇ ଦେଇଛି, ବେଇମାନୀ କରିଛି ସେ ନିଜେ । ତା’ପ୍ରତି ଏତେ ଏତେ ଅନ୍ୟାୟ ସେ କରିଗଲା । ସରଳ ବିଶ୍ୱାସରେ ସବୁ ସହି ଆସିଛି ଆଜିଯାଏ । ତାହାରି ଭଳି ସରଳ ବିଶ୍ୱାସୀ ଗ୍ରାମବାସୀଙ୍କର ସରଳତା ଓ ଅଜ୍ଞତାର ସୁଯୋଗ ନେଇ ସେମାନଙ୍କୁ ସର୍ବସ୍ୱାନ୍ତ କରି ବଢ଼େଇ ଚାଲିଛି ନିଜର ଦଉଲତ । ଧନୀର ହାତମୁଠା ଭିତରେ ନିଃସହାୟ ଅବସ୍ଥାରେ ରହି ସେ ଯେମିତି ଅନୁଭବ କରୁଥିଲା ସବୁ ଅତ୍ୟାଚାର ପ୍ରପୀଡ଼ିତ ଲୋକଙ୍କର ସମସ୍ତ ଶକ୍ତି ନେଇ ଧନୀ ଆସିଛି ଯମ ରୂପରେ ତାକୁ ଶେଷ କରି ଦେବାପାଇଁ ।

 

‘‘ବଦ୍‍ମାସ୍‍, ଶଇତାନ୍‍, କୁତ୍ତା ବେଇମାନ୍‍, ପକା ମୋ ଦି’ ହଜାର ଟଙ୍କା । ଏଇଆ କରି ଆମୁକୁ କୋଠା ଦେଖଉଚୁ ? ଆଜି ସବୁ ଶେଷ, ତତେ ମାରିବି, ମୁଁ ମରିବି ।’’ କହି ଧନୀ ଛୁରିଟାକୁ ଉଞ୍ଚେଇ ଆହୁରି ଛାତି ପାଖକୁ ଲଗେଇ ଧରିଲା । ଏଥର ବ୍ରହ୍ମାନନ୍ଦର ତଣ୍ଟି ଶୁଖିଗଲା ଭଳି ଲାଗିଲା-। ପାଟିରୁ ବାହାରିଲା... ଆଁ.... ଆଁ... ଆଁ...

 

ସ୍ତ୍ରୀ ସୁଲୋଚନାର କାନରେ ବାଜିଲା । ଛାତିରୁ ତା’ର ଅତଡ଼ା ଖସିପଡ଼ିଲା । ଦି’ ଖେପାରେ ଯାଇ ଦୁଆରେ ପହଞ୍ଚିଲା ସେତେବେଳକୁ ଧନୀ କହି ଲାଗିଛି—ଦି’ ହଜାର ଟଙ୍କା......ବଦ୍‌ମାସ୍‌.... ହୁଁ... ତୋତେ ମାରିବି, ମଲେ ମରିବି । ହୁଁ... ହୁଁ.... ।

 

ସୁଲୋଚନା ଛାଇ ଆଲୁଅରେ ଦେଖିଲା ଧନୀ ହାତରେ କ’ଣ ଗୋଟାଏ ଚକ୍‌ଚକ୍‌ କରୁଛି-। ଏଣେ ସ୍ୱାମୀ ତା’ର ବନ୍ଧା ହୋଇଛନ୍ତି । କଥା ସରିଗଲା । ସୁଖର ସଂସାର ତା’ର ସରିଯିବ-। ସାହସ ବାନ୍ଧି କହିଲା—ଦଉଚି, ଦଉଚି ଆଣି ଦି’ ହଜାର ଟଙ୍କା, ରହ ।

 

ଏତେବେଳେ ବ୍ରହ୍ମାନନ୍ଦର ପାଟିଖୋଲିଲା—ହଁ ଆଣିଦେ ।

 

ତିନି

 

ଗାଆଁର ସମସ୍ତେ ଦେଖୁଛନ୍ତି । କେତୁଟା ଦିନହେଲା ଗାଁ ଛାଡ଼ି ଯାଇଥିଲା, ବର୍ଷ ଦି’ ତିନିଟା ହବକି ନାହିଁ । ବୋଧହୁଏ ସହରର କୋଉ ବାବୁଭୂୟାଁ ଘରେ ବାହାଘରଟା ହେଇଯାଇଛି । କେହି ଭାବୁଛି ହୁଏତ ଗାଡ଼ିଟା ଯୌତୁକ ମିଳିଛି, ଆଉ କେହି ଭାବୁଛି, ହୁଏତ ଗାଆଁ ଲୋକଙ୍କୁ ଦେଖେଇବା ପାଇଁ ଭଡ଼ା କରି ଗାଡ଼ି ଆଣିଛି । ହେଲେ ଯୁବତୀଟି ହୁଏତ ତା’ ସ୍ତ୍ରୀ ହୋଇପାରେ । ଆର ଜଣକ କ’ଣ ତା’ ମା ? ଏମିତି ଗ୍ରାମ ଲୋକଙ୍କ ମନରେ ନାନା ପ୍ରକାର ସନ୍ଦେହ ସୃଷ୍ଟିକରି ଗାଡ଼ି ଆସି ଅଟକିଲା ଧନୀ ଘର ଦୁଆର ଆଗରେ ।

 

ଦରଜା ଖୋଲି ବାହାରି ପଡ଼ିଲା ରମେଶ ଆଉ ତା’ ପଛରେ ଅପା ଓ ଶେଷରେ ଜୟନ୍ତୀ ଆସିଲେ । ଜୟନ୍ତୀକୁ ଦେଖି ଲୋକେ ଚିହ୍ନିଲେ—ଆରଗାଁ ନକୁଳିର ଝିଅ । କୋଉ ସହରରେ ଯାଇ ନର୍ସକାମ କରୁଥିଲା । ତା’ ନାଆଁରେ କେତେ ବଦନାମ ଶୁଣିଥିଲେ ସେମାନେ । ଏଇ ରମେଶ ସାଙ୍ଗରେ ତା’ର ବିବାହ ପ୍ରସ୍ତାବ ପଡ଼ି ଭାଙ୍ଗି ଯାଇଥିଲା ।

 

ରମେଶ ବୋଉ ଦୁଆରବନ୍ଧକୁ ଆଉଜି ଠିଆ ହୋଇଥିଲେ । ଆଖିରେ ତାଙ୍କର ଛଳ ଛଳ ହେଉଥିଲା ଆନନ୍ଦାଶ୍ରୁ । ପ୍ରିୟମ୍ୱଦା ବୋଉପାଖରେ ଠିଆହୋଇ ଚାହିଁ ରହିଥିଲା କୌତୂହଳରେ । ଶ୍ରୀକାନ୍ତ ଗାଡ଼ି ପାଖକୁ ଆଗେଇ ଯାଇଥିଲା । ରମେଶ ଓହ୍ଲାଉ ଓହ୍ଲାଉ ହାତ ମିଳେଇ ନେଲା ଶ୍ରୀକାନ୍ତ ହାତରେ । ଦୁହେଁ ହାତ ଧରାଧରି ହୋଇ ଉଠି ଆସିଲେ ଦୁଆର ମୁହଁକୁ । ରମେଶ ଶ୍ରୀକାନ୍ତର ହାତ ଛାଡ଼ିଦେଇ ବୋଉକୁ ତା’ର ପ୍ରଣାମକଲା । ହାତ ବଢ଼େଇ ଆଦରରେ ଆଉଜେଇ ନେଲେ କୋଳକୁ । ଆଖିରୁ ତାଙ୍କର ଝରିପଡ଼ିଲା ଅବାରିତ ଲୁହର ଝରଣା, ପଡ଼ିଲା ଟପ ଟପ ହୋଇ ରମେଶ ମୁଣ୍ଡଉପରେ ।

 

‘‘ଆଖି ମୋର ଫୁଟିଯାଇଥିଲା ବାପ !!’’ ଆଉ କିଛି କହି ପାରିଲେ ନାହିଁ । ପ୍ରିୟମ୍ୱଦା ଓହ୍ଲେଇ ଯାଇଥିଲା ତଳକୁ । ଅପା ଆଉ ଜୟନ୍ତୀଙ୍କ ଆଗରେ ଠିଆହୋଇ ପଡ଼ିଲା, କହିଲା— ଆସ-। ଜୟନ୍ତୀ ବେକରେ ହାତ ଗୁଡ଼େଇ ଦେଇ କହିଲା—କି ଖୁସି ଆଜି !!! ଆସ । ସମସ୍ତେ ଗଲେ ଘରକୁ ।

 

କିଛି ସମୟ ପରେ ରମେଶ ଓ ଶ୍ରୀକାନ୍ତ ଗାଁ ମୁଣ୍ଡକୁ ଗଲେ । ଶ୍ରୀକାନ୍ତ ସେଇଠୁ ବିଦାୟ ନେଇ ଗଲା । ଦୁଇବନ୍ଧୁଙ୍କ ମନରେ ଅନେକ କଥା ରହିଗଲା ଅକୁହା । ରମେଶ ପୋଖରୀ ପାଖ ବରଗଛ ତଳେ ଠିଆହୋଇ ଚାହିଁ ରହିଥିଲା ଶ୍ରୀକାନ୍ତର ଯିବା ବାଟକୁ । ଅତୀତର କେତେ ସ୍ମୃତି ମନ ତଳେ ତଳେ ଚକାଭଉଁରୀ ଖେଳୁଥିଲା । ଏଇ ଶ୍ରୀକାନ୍ତ ସବୁଦିନେ ତା’ର ସାଥୀ । ଏଇ ବରଗଛ ଡାଳରେ ଡାଳିମାଙ୍କୁଡ଼ି ଖେଳଠୁଁ ପୋଖରୀରେ କଇଁଫୁଲ ତୋଳା, ସାଥୀ ପିଲା ଗହଣରେ ଖେଳ, ଗାଁରେ ଡ୍ରାମା ଯୋଜନା; ସବୁର ମୂକସାକ୍ଷୀ ଏଇ ଗଛ, ଏଇ ପୋଖରୀ । ଏଇ ଗଛତଳେ ଜୟନ୍ତୀ ସହିତ ନିରୋଳାରେ ମନଖୋଲା କଥା, ଜୀବନ ସାଥୀ ରୂପେ ଦୁହେଁ ଦୁହିଁଙ୍କୁ ପାଇବାର ସ୍ୱପ୍ନ; ବିଭୋର ଯୁବକ ଯୁବତୀଙ୍କର ହୃଦୟର ଆଲୋଡ଼ନ ଶପଥର ରୂପନିଏ । ତା’ପରେ ଚକ ଘୂରିଯାଏ-

 

ରମେଶ ଉଦାସ ହୋଇ ଠିଆ ହୋଇ ଚାହିଁଥିଲା । ଟିକେଦୂରରୁ ଦି’ଜଣ ଆସୁଥିବାର ଦେଖାଗଲା । ପାଖେଇ ଆସୁଥିଲେ ସେମାନେ । କଥାବାର୍ତ୍ତାରୁ ଜାଣିପାରିଲା ସେ ଦୁହିଁଙ୍କ ଭିତରୁ ଜଣେ ଆରଗାଁ ଯୋଗିଆ ଆଉ ଆର ଜଣକ ତା’ର ବାପା । ରାସ୍ତା ଉପରେ ଯାଇ ଠିଆହେଲା ରମେଶ ।

 

ସେମାନେ ରମେଶକୁ ଦେଖିପାରିଲେକି କ’ଣ, କଥାବାର୍ତ୍ତା ବନ୍ଦ କରିଦେଲେ । ତେବେ ତା’ ବାପାଙ୍କର ଶେଷ କେଇପଦ କଥା ସ୍ପଷ୍ଟ ଶୁଣି ପାରିଥିଲା ରମେଶ; ‘‘ବଞ୍ଚିବାକୁ ହେଲେ ମରଣକୁ ଡରିଲେ ଚଳେନି ।’’ ବୁଝିପାରୁ ନଥିଲା ତା’ ବାପା, କାହିଁକି ଏ ପ୍ରକାର କଥା କହୁଥିଲେ ।

 

ସେମାନେ ପାଖେଇ ଆସିବାରୁ ରମେଶ ଆଗେଇ ଯାଇ ପ୍ରଣାମ କଲା ତା’ ବାପାଙ୍କୁ । ‘‘........ବାପା !’’ ଧନୀ ହୃଦୟରେ ଆନନ୍ଦର ଢେଉ ଖେଳିଗଲା ମୁହୂର୍ତ୍ତକେ । ଯାହା କଥା ଭାବି ଭାବି ଦିନ ସରୁନଥିଲା ସେଇ, ତା’ରି ପୁଅ; ଫେରି ଆସିଛି । ଏ ଡାକ ତାଆରି । ହଠାତ୍‍ କେତେ କଥା ଖେଳିଗଲା ମନ ଭିତରେ । ଯାହା ବୁଦ୍ଧିରେ ପଡ଼ି ପୁଅ କଥାରେ କାନ ଦେଇ ନଥିଲା ସେଇ ବ୍ରହ୍ମାନନ୍ଦକୁ ଚିହ୍ନିଲା ବହୁତ ଡେରିରେ । ଆଜି ତା’ ଆଖିରୁ ଅନ୍ଧପୁଟୁଳି ଖୋଲି ଯାଇଛି । ଜୀବନକୁ ପାଣି ଛଡ଼େଇ ସେ ଆଜି ଫେରିଛି ବିଜୟର ଗୌରବ ନେଇ ଆଉ ବାଟରେ ଦେଖୁଛି ତା’ର ପୁଅକୁ, ଫେରି ଆସିଛି ସେ ।

 

ତେଣେ ଲଣ୍ଠନ ନେଇ ବାରିପଟକୁ ଯାଇଥିଲେ ଜୟନ୍ତୀ, ପ୍ରିୟମ୍ୱଦା ଆଉ ଅପା । ପ୍ରିୟମ୍ୱଦା ଅପାଙ୍କ ପରିଚୟ ଜୟନ୍ତୀକୁ ପଚାରିଲାରୁ ସେ କହି ବସିଲା ସବୁ କଥା ।

 

‘‘ଦିନେ ରମେଶ ବାବୁ ଟ୍ରେନରେ ଯାଉଥିଲେ । ଓହ୍ଲାଇ ପଡ଼ିଥିଲେ ବ୍ରହ୍ମପୁର ଷ୍ଟେସନରେ ଜଳଖିଆ ଖାଇବାକୁ । ସେତିକି ବେଳେ ତାଙ୍କର ଟଙ୍କା ପଇସା ସବୁ ପକେଟମାର୍‌ ହେଲା । ହତାଶ ହୋଇପଡ଼ିଲେ ସେ । ଟ୍ରେନ୍‌ ଚାଲିଗଲା । ନିରାଶ ଭାବେ ବୁଲୁଥିବା ବେଳେ ଏଇ ଅପା ତାଙ୍କୁ ସାହାଯ୍ୟ କରିଥିଲେ । ଭାରି ଭଲଲୋକ ଆମ ଅପା । ତାଙ୍କର ଆଗରେ ନାଁଥିଲା—ଫୁଲରାଣୀ । ତାଙ୍କ ସ୍ୱାମୀଥିଲେ ଭାରି ଧନୀ । ଏଇ ଅପା ବହୁତ ଲୋକଙ୍କୁ ସାହାଯ୍ୟ କରନ୍ତି ।

ରମେଶ ବାବୁଙ୍କ କାର୍ଯ୍ୟକଳାପରେ ସେ ଭାରି ଖୁସି ହେଲେ । ଖାଲି କ’ଣ ସେତିକି, ତାଙ୍କ ସ୍ୱାମୀ ମରିଗଲା ପରେ ଗୋଟାଏ ଟ୍ରଷ୍ଟିବୋର୍ଡ଼ କରି ଲକ୍ଷ ଲକ୍ଷ ଟଙ୍କା ଜମା କରି ଦେଇଛନ୍ତି । ଦେଶରେ ଭଲ କାମ କରିବାକୁ ସେ ଟଙ୍କା ଖର୍ଚ୍ଚ ହବ ।’’

ପ୍ରିୟମ୍ୱଦା କହିଲା—ଭାରି ଭଲତ !!

—ହଁ, ଖାଲି କ’ଣ ସେତିକି; ତାଙ୍କର ବଡ଼ କୋଠାଘର ଆଉ ଏ ଗାଡ଼ି ସବୁ ସେଇ ଟ୍ରଷ୍ଟିବୋର୍ଡ଼ର ।

—ଏଁ ! ଟ୍ରଷ୍ଟିବୋର୍ଡ଼ ଫେର୍‌ କ’ଣ ?

ଜୟନ୍ତୀ ଭାବୁଥିଲା ସେ ଶବ୍ଦର ଅର୍ଥ ସେ ନିଜେ ମଧ୍ୟ ବୁଝି ନାହିଁ ତେଣୁ ପ୍ରିୟମ୍ୱଦାକୁ ବୁଝାଇବାକୁ ସେ ଅସମର୍ଥ । ନୀରବ ରହିଲା । ପ୍ରିୟମ୍ୱଦା ମନରେ ରହିଗଲା—ଟ୍ରଷ୍ଟିବୋର୍ଡ଼ କ’ଣ ?

ଘରକୁ ସେମାନେ ଫେରି ଆସିଲା ବେଳକୁ ରମେଶ ଓ ତା’ ବାପା ଯାଇ ଘରେ ପହଞ୍ଚି ଥିଲେ । ପ୍ରିୟମ୍ୱଦା ଖଞ୍ଜା ଭିତରେ ବାପାଙ୍କୁ ଦେଖି ଆନନ୍ଦରେ ଗପି ଗଲା ଜୟନ୍ତୀଠୁଁ ଶୁଣିଥିବା କଥା ତାଙ୍କ ଆଗରେ ।

ଜୟନ୍ତୀ ଓ ଅପା ଧନୀକୁ ପ୍ରଣାମ କଲେ ।

 

ଚାରି

 

ରାଗରେ ବ୍ରହ୍ମାନନ୍ଦ ରକ୍ତ ଚାଉଳ ଚୋବଉଛି । ଏମିତି ଧକ୍‌କାଟାଏ ଖାଇବ ବୋଲି କେଭେଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା । ସେ ଅନୁମାନ କରୁଥିଲା—ନକୁଳିକୁ ଏ କାମରେ ହୁଏତ ଅନ୍ୟ କେହି ପ୍ରବର୍ତ୍ତେଇଛନ୍ତି, ନହେଲେ ଏମିତି ସାହାସ କରିବା ଲୋକ ସେ ନୁହେଁ । କିଏ, କିଏ ସେମାନେ ??

ନିଦ ଆସୁନାହିଁ ଆଖିକୁ । ବିଛଣାରେ ଏପଟେ ସେପଟ ହେଉଛି । ଚାକର ଟୋକା ଫେରିଆସି କବାଟ ଖୋଲିଲା । ଶବ୍ଦ କାନରେ ବାଜିବାରୁ ଡାକିଲା ତାକୁ । ତା’ଠୁ ଖବର ପାଇଲା–ଧନୀ ସାଙ୍ଗରେ ଯୋଗିଆ ଯାଉଥିବାର ସେ ଦେଖିଛି ।

ନିଜର ହେଲେବି ଯୋଗିଆକୁ ସେ କରି ଦେଇଛି ପର । ଧନ, ସମ୍ପତ୍ତି ଲୋଭରେ ନା ନା ଅପକୌଶଳ କରି ସେ ତାକୁ ସର୍ବହରା କରି ଦେଇଛି । ସବୁ ହରେଇଛି ଯୋଗିଆ, ବାକିରହିଛି ତା’ ଦେହର ବଳ । ତାକୁ ବିକିବ ପେଟ ପୋଷିବା ପାଇଁ । ତାକୁବା କିଣୁଛି କିଏ ? ଥରଟିଏ ପାଇଁ ଯୋଗିଆ ପ୍ରତି ସମବେଦନା ଜାଗି ନାହିଁ ବ୍ରହ୍ମାନନ୍ଦ ମନରେ । ଯୋଗିଆ ଆଜି ଶତ୍ରୁ ଶିବିରରେ ଜାଣି ପ୍ରତିଶୋଧ ନେବାର ବାସନା ତା’ର ଆହୁରି ବଳବତ୍ତର ହୋଇ ଉଠିଲା ।

ଯୋଗିଆ ରହୁଥିବା ଘର ଓ ଡିହ ତା’ର ନୁହେଁ । କରିନେଇଥିବା କବଲା ଅନୁସାରେ ଅଧିକାରୀ ବ୍ରହ୍ମାନନ୍ଦ । ସେ ସ୍ଥିରକଲା—ରାତି ପାହିଲେ ତାକୁ ସେ ଘରୁ ଆଗ ବେଦଖଲ କରିବ । ତା’ପରେ ଧନୀ କଥା ବୁଝାଯିବ ।

ଧନୀ ଋଣ କରିଥିଲା ବଳଦ କିଣିବାକୁ ପାଞ୍ଚଶହ ଟଙ୍କା । ସୁଧ ମୂଳ ମିଶାଇ ଚାରିମାସ ଭିତରେ ସୁଝିଦେଇଥିଲା ସେ ସବୁ । ହେଲେ ତା’ ନାଆଁରେ ପନ୍ଦରଶହ ଟଙ୍କାର ଋଣ ଗଡ଼ୁଛି । ସୁଧ ଗଡ଼ିଚାଲିଛି । ସରକାରୀ ଆଇନ, ଆଦାୟ ନଦେଲେ କୋରଖ ନିଲାମ । ନିଜର ଅପକର୍ମ ପାଇଁ ନିଜକୁ ଦାୟୀ କରୁଥିଲା ବ୍ରହ୍ମାନନ୍ଦ । ଧନୀ ତାକୁ ଆକ୍ରମଣ କରିଛି, ଅନ୍ୟାୟ କରିଛି; ସେଥିପାଇଁ ଶିକ୍ଷାପାଇବ ସେ । ଗାଁ ଦାଣ୍ଡରେ ହାତରେ ବଡ଼ି ପକାଇ ତାକୁ ନ ଚଳାଇଲାଯାଏ ମନରେ ଶାନ୍ତିନାହିଁ ।

ସାରାରାତି ଏମିତି ଭାବୁ ଭାବୁ ରାତି ପାହାନ୍ତା ହେଲା । ସେତିକି ବେଳକୁ ଘୋଟି ଆସିଲା ନିଦ । ରାତି ପାହିଗଲା । ରବି କରସ୍ପର୍ଶରେ ମୁକୁଳିତ ହେଲା କମଳ । ଜଗତ ହୋଇଉଠିଲା କର୍ମ ମୁଖର । କେତେ ମନରେ କେତେ ନୂଆଆଶା ସଞ୍ଚାର କରାଇଆସିଲା ଗୋଟିଏଦିନ, ଅତୀତ ସହିତ ଭବିଷ୍ୟତକୁ ଯୋଗ କରିବାର ଯୋଗସୂତ୍ରଟିଏ ଭଳି । ଜାଗ୍ରତ ଜଗତର ଜୀବଗଣ ନିଜ ନିଜକୁ ନିୟୋଜିତ କଲେ ଆଗାମୀର ଯାତ୍ରା ପଥରେ ।

ସାନ ଝିଅ ଝୁମୁରୀ ଖନ ଖନ ହୋଇ ଡାକ ଛାଡ଼ିଲା ବାପା ! ବାପାମ ! ଏ ବାପା ! ଉଥ, ଉଥମ । ବ୍ରହ୍ମାନନ୍ଦର ନିଦ ପାତଳ ହୋଇ ଆସିଲା । ଦରନିଦୁଆ ହୋଇ ସେ ଶୁଣିଲା—ବାପାମ, ଗୋତାଏ ନେଲିଆ ମତଲଗାଲି ନକୁଲି ବଲବାପା ଘଲ ଆଗଲେ ଆଥି ଥିଆ ହେଇତି । କେତେ ଲୋକ ଘେଲିତତି । ତାଲ ଦିବା । ବାପା ! ଏତେବେଲ ହେଲାନି ଉଥମ ।

ବ୍ରହ୍ମାନନ୍ଦ କିଛି ବୁଝିପାରିଲା ନାହିଁ । ସାକାଳୁ ଆସି ନକୁଳି ଘର ଦୁଆର ଆଗରେ ଠିଆ ହୋଇଛି ମଟରଗାଡ଼ି ? ମନେପଡ଼ିଲା ତା’ ଝିଅ ଜୟନ୍ତୀ କଥା । ଧନୀରପୁଅ ରମେଶ ସାଙ୍ଗରେ ତା’ର ବିବାହ ହେବାର ଥିଲା । ସେ ଚାହିଁଥିଲା ନକୁଳାକୁ ଏଇ ସୁଯୋଗରେ ଅଧିକ ଖର୍ଚ୍ଚାନ୍ତ କରାଇ ଋଣଗ୍ରସ୍ତ କରାଇ ପାରିଲେ ତା’ର ଜମି ଆସିଥାନ୍ତା ହାତକୁ । ଏ ବିବାହ ପ୍ରସ୍ତାବରେ ନିଜେ ଭଦ୍ରଲୋକ ସାଜି ଯୌତୁକ ଦାବି କରିଥିଲା । କିନ୍ତୁ ଗରିବହେଲେ ମଧ୍ୟ ନକୁଳି ତା’ ପାଲରେ ପଡ଼ି ନଥିଲା । ସ୍ପଷ୍ଟ ମନାକରି ଦେଇଥିଲା—ଯୌତୁକ ଦେଇ ପାରିବ ନାହିଁ ।

ବିବାହ ପ୍ରସ୍ତାବ ଭାଙ୍ଗିଗଲା । ସେତେବେଳକୁ ମରୁଡ଼ି ପରିସ୍ଥିତ ଯୋଗୁ ଗରିବ ଗୁରୁବା ରୋଜଗାର ପାଇଁ ଗାଁ ଛାଡ଼ି ଚାଲି ଯାଇଥିଲେ । ନକୁଳି ଚାଲିଯାଇଥିଲା ଗାଁରୁ । ଦୁର୍ଗତ ପରିବାରର ଏକମାତ୍ର ରୋଜଗାରୀ ନକୁଳିର ଅନୁପସ୍ଥିତିରେ ସହାନୁଭୂତି ଦେଖାଇବା ଛଳନା କରି ସେ ଚାହିଁଥିଲା ଜୟନ୍ତୀକୁ ଶଯ୍ୟାସଙ୍ଗିନୀ ରୂପେ ପାଇବା ପାଇଁ । ହେଲେ ପାରିଲା ନାହିଁ । ଜୟନ୍ତୀ ତାକୁ ଆଘାତ କଲା, ଅପମାନ ଦେଲା । କିନ୍ତୁ ସେ ତା’ ନାଆଁରେ ଏଭଳି କଳଙ୍କ ରଟାଇଲା ଯେ ଥୟହୋଇ ରହିପାରିଲା ନାହିଁ, ଲୁଚି ପଳାଇଲା ଗାଁ ଛାଡ଼ି । ଜୟନ୍ତୀ ସହରର କୌଣସି ଡାକ୍ତରାଣୀଙ୍କ ସାହାଯ୍ୟ ପାଇ ନିଜକୁ ଠିଆ କରାଇ ପାରିଛି ।

ବ୍ରହ୍ମାନନ୍ଦ ଭାବୁଥିଲା—ହାରିରଯାଇଛି ସେ ନିଜେ ଆଉ ଜୟନ୍ତୀ ଆଜି ବିଜୟ ବାନା ଉଡ଼ାଇ କାର୍‍ଚଢ଼ି ଗାଆଁକୁ ଆସିଛି ।

ସେତିକି ବେଳେ ବଡ଼ପୁଅ ଦାଣ୍ଡରୁ ଫେରି ତା’ ମାଆକୁ କହୁଥିଲା—ବୋଉମ ! ରମେଶ ଆଉ ଜୟନ୍ତୀଙ୍କର ବା’ଘର ହବ । ସେ ଦୁହେଁ କାର୍‌ଚଢ଼ି ଆସିଛନ୍ତି ।

ବ୍ରହ୍ମାନନ୍ଦ ଭାବୁଥିଲା—ସେମାନେ ସମସ୍ତେ ଜିତି ଯାଇଛନ୍ତି, ହାରିଛି ସେ ନିଜେ । ପୁଣି ମନଭିତରେ ଜାଗିଉଠିଲା ହିଂସ୍ରତା—ଯୋଗିଆ ଆଉ ଧନୀକୁ ଉପଯୁକ୍ତ ଶିକ୍ଷାଦେବ । ପ୍ରଥମ ଆକ୍ରମଣ ଯୋଗିଆ ଉପରେ, ବେଦଖଲ କରିବ ତାକୁ । ଉଠି ଆସିଲା ବିଛଣାରୁ ବ୍ରହ୍ମାନନ୍ଦ ।

 

ପାଞ୍ଚ

 

‘‘ନା–ନା, ଏ ଘର ମୋର; ଏଇଠି ମୋତେ ମାରିଦେ ବର୍ହମା, ନିଆଁ ଟିକେ ଲଗେଇ ପୋଡ଼ିଦେ । ଏଠୁଛାଡ଼ି କୁଆଡ଼େ ଯିବିରେ ବର୍ହମା ? ଆରେ, ତୁଇପରା ମୋ ପୁଅ ! କୋଳରେ କାଖରେ ପୂରେଇ ମଣିଷ କରିଥିଲି, ଏଇଆ ଦେଲୁ ମୋତେ ? ଦେ, ଦେ ତଣ୍ଟି ଚିପି ମାରିଦେ, ଆଉ ହୀନସ୍ତା କରନା ।’’

 

ବଡ଼ମା’ ଆଖିର ଧାର ଧାର ଲୁହ ଆଉ କାତର ଚିତ୍କାର ତରଳାଇ ପାରିଲା ନାହିଁ ବ୍ରହ୍ମାନନ୍ଦକୁ । ଧନ ସମ୍ପତ୍ତି, କ୍ଷମତା ହାସଲ ଯାହାର ଆଭିମୁଖ୍ୟ ତା’ ପାଖରେ ସ୍ନେହ, ପ୍ରେମ, ମାନବିକତାର ମୂଲ୍ୟ ନାହିଁ । ବରଂ ସେ ହୋଇ ଉଠିଥିଲା ଆହୁରି ନିଷ୍ଠୁର । ଟେକି ଆଣି ଦାଣ୍ଡରେ କଚାଡ଼ି ଦେଲା ବୁଢ଼ୀକୁ । ବୁଢ଼ୀ ଚେତାଶୂନ୍ୟ ହୋଇଗଲା । ଝିଅ ଦୁହେଁ ସେହି ଚେତାଶୂନ୍ୟ ଶରୀରଟାକୁ ଟେକିନେଇ ଗାଁ ମୁଣ୍ଡ ତୋଟା ଭିତରକୁ ଗଲେ । ଆଖିରେ ତାଙ୍କର ଅଶ୍ରୁର ଝରଣା ପ୍ରତିବାଦର ଚିହ୍ନ ସ୍ୱରୂପ ବହି ଚାଲିଥିଲା ।

 

ଯୁଗଯୁଗ ଧରି ଦୁର୍ବଳ ମଣିଷ ଉପରେ ହୋଇ ଆସିଛି ସବଳ ମଣିଷର ଅକଥନୀୟ ଅତ୍ୟାଚାର, ଅତ୍ୟାଚାରୀ ରାଜା, ସମ୍ରାଟ୍‍, ମନ୍ତ୍ରୀ କଟୁଆଳଠୁ ଆଜିର ସାହୁକାର, ମାଲିକ ପର୍ଯ୍ୟନ୍ତ । ପୋଥି ପୁରାଣ, ଇତିହାସ ପୃଷ୍ଠାରେ ଅତ୍ୟାଚାରୀର ମହନୀୟତାର ବନ୍ଦନା କରାଯାଇଛି ହେଲେ ସାଧାରଣ ମଣିଷର ଦୁଃଖଦୁର୍ଦ୍ଦଶା ନିପୀଡ଼ନ ବ୍ୟଥା ବେଦନାର କାହାଣୀର ସ୍ୱର ଅତି କ୍ଷୀଣ । ଅତ୍ୟାଚାରୀ ଅଭିହିତ ହୋଇଛି ଈଶ୍ୱରଙ୍କ ବରପୁତ୍ର ରୂପେ । ଯୁଗ ଯୁଗରୁ ଏଇ ନିପୀଡ଼ିତ ସାଧାରଣ ମଣିଷର ଦୁର୍ବଳ ମନ ମାନି ଆସିଛି ତାକୁ ଏବଂ ଅଦୃଷ୍ଟକୁ ନିନ୍ଦା କରି, ନଦେଖି ପାରୁଥିବା ଈଶ୍ୱରଙ୍କୁ ଡାକି ଡାକି କହି ଆସିଛି–ବଡ଼ ଲୋକଙ୍କୁ ଉତ୍ତର ନାହିଁ ।

 

ଗାଁ ଲୋକେ ଦେଖୁଥିଲେ । ପ୍ରତିବାଦ କରିବାର ସାହସ କାହାରି ନାହିଁ । ପାଟି ଫିଟେଇଲେ କୋପଦୃଷ୍ଟି ପଡ଼ିବ । ସମସ୍ତଙ୍କ ମନରେ ଗୋଟିଏ ଭୟାତୁର ଭାବ, ଜାବୁଡ଼ି ଧରିଥିବା ସଂସାରର ଗଣ୍ଡ ଭିତରୁ ବାହାରି ଆସିବାର ଶକ୍ତି ନଥିଲା କାହାରି ।

 

କଅଁଳ ଗାଧୁଆ ବେଳ । ଯୋଗିଆ ଯାଇଛି କାମକୁ । ମୂଲ ଆଣିବ, ମା ଭଉଣୀଙ୍କ ତୁଣ୍ଡରେ ଆହାର ଦେବ; ଫେରି ନାହିଁ ସେ ।

 

ଝିଅ ଦିହେଁ ମୁଣ୍ଡରେ ପାଣି ଢାଳିଲେ ଗୋଡ଼ରେ ହାତ ମାରି ଘସିଲେ; ଡାକ ହାକ କଲେ-। ବୁଢ଼ୀ ଆସ୍ତେ ଆସ୍ତେ ଆଖି ଫିଟାଇଲା । ତା’ ଆଖି ଆଗେ ନାଚିଗଲା ସେହି ଦିନଟି ଯେଉଁଦିନ ଯୋଗିଆ ଚାଲିଯାଇଥିଲା କେଉଁ ସହରକୁ, କାମ କରିବ; ଟଙ୍କା ପଠେଇବ, ବାପା’ ମା’ ସୁଖରେ ରହିବେ । ଅଳ୍ପ କିଛି ଟଙ୍କା ପଠାଇଥିଲା, ଚିଠି ଦେଇଥିଲା—ରୋଜଗାର ଭଲ ହେଉନାହିଁ, ଚେଷ୍ଟା କରୁଛି ।

 

ବାପା ଚାଲିଗଲେ ଯୋଗିଆକୁ ଅରକ୍ଷିତ କରି । ବର୍ହମା ଭୋଗକଲା ସମ୍ପତ୍ତି । ହଉ, ଧର୍ମ ଯଦି ଥାଏ ସେଇ ଏକା ବୁଝିବ ।

 

ଗାଆଁର ମାଇପେ, ଝିଅ ବୋହୂ ଚାଲ ଚାଲ ହୋଇ ସେମାନଙ୍କ ପାଖକୁ ଗଲେ । କେତେକ ତାଙ୍କ ଦୁଃଖରେ ସମବେଦନା ଜଣାଇ ସାନ୍ତ୍ୱନା ବାଣୀ ଶୁଣାଇଲେ, ଆଉ କେତେଜଣ ଦୂରରୁ ଥାଇ ସେମାନଙ୍କ ଅବସ୍ଥା ଦେଖି ମନେ ମନେ ଖୁସି ହୋଇ କହୁଥିଲେ—ଆପଣା ଅର୍ଜିଲା କର୍ମ ଫଳ, କୋଉ ଜନମରେ କାହାକୁ ହନ୍ତସନ୍ତ ନକରିଥିଲେ ଏ ଜନ୍ମରେ ଏ ଫଳ ଭୋଗନ୍ତେ କାହିଁକି ? ଅଦୃଷ୍ଟକୁ ବଳ କାହାର ?

 

ତେଣେ ବାରିପାଖ ଦୁଆର ମୁହଁରେ ଠିଆହୋଇ ବ୍ରହ୍ମାନନ୍ଦ ଚାହିଁରହିଥିଲା ବାରିଆଡ଼କୁ । ସେଇଠି ସେ ଅଶୋକ, ପଳାଶ, କାମିନୀ, ନିଆଳି, ଗୋଲାପ ଆଉ ଜାତି ଜାତିକା ଗଛଲତା, ଫୁଲରେ ଭର୍ତ୍ତି । ଆମ୍ୱ ବଉଳର ବାସ୍ନା ସାଙ୍ଗକୁ ନାନା ଜାତି ଫୁଲର ବାସନା ନାକରେ ବାଜୁଛି । ସେଇ ଗଛ ଲଟାର ଫାଙ୍କେ ଫାଙ୍କେ ହଳଦୀବସନ୍ତ, କାପତା, କଜଳପାତି, ଆଉକେତେ ଚଢ଼େଇଙ୍କର କଳରବ, ଡିଆଁ ଡେଇଁ ଖେଳ । ବ୍ରହ୍ମାନନ୍ଦ ସେ ସବୁ ଦେଖି ଅନ୍ୟମନସ୍କ ହେବାକୁ ଚେଷ୍ଟା କରୁଥିଲା ।

 

କିନ୍ତୁ ମନଟା ଟାଣିହୋଇ ଯାଉଥାଏ ସେଇ ବଡ଼ବୋଉ ପାଖକୁ । ଗାଧେଇ ନଥିଲେ ଗାଧେଇ ଦିଏ, କୋଡ଼ରେ ବସେଇ ଖୁଆଇ ଦିଏ; ‘‘ରାଜା-ରାଣୀ’’, ‘‘ପରିରାଇଜ’’ କାହାଣୀ କହି ଶୁଆଇ ଦେଉ ଦେଉ କହେ—ମୋ ବର୍ହମା ହବ ରାଇଜ ରଜା, ସୁଖରେ ପାଳିବ ଜନ ପରଜା... । ମନ ଅସ୍ଥିର ହୋଇ ଉଠିଲା, ମୁଣ୍ଡ ହେଲା ଭାରାକ୍ରାନ୍ତ; ଅନୁଭବ କଲା ଦୁର୍ବଳତା । ସେ ଦୁର୍ଭାବନାକୁ ଦୂରେଇ ଦେବାକୁ ଯେତେ ଚେଷ୍ଟାକଲା ସେତେ ଅଧିକ ଅଧିକ ସେ ଅତୀତର ସ୍ମୃତି ତାକୁ ବିବ୍ରତ କଲା । ସେ ଅନୁଭବ କରୁଥିଲା ତାହାର ଆକ୍ରମଣ ଅତିଭୟଙ୍କର, ଗ୍ରାସକରି ଯାଉଛି ତା’ର ସମସ୍ତ ଅବୟବ, ସମସ୍ତ ମାନସିକତାକୁ । ସେ ହୋଇ ପଡ଼ୁଛି ଦୁର୍ବଳ, ପଙ୍ଗୁ; ଅଥର୍ବ ।

 

ଘର ଭିତରକୁ ପଶିଆସି ଲଥ୍‌କରି ଖଟ ଉପରେ ପଡ଼ି ଭାରାକ୍ରାନ୍ତ ମୁଣ୍ଡକୁ ଚାପିଧରି ଅନ୍ୟମନସ୍କ ହେବାକୁ ଚେଷ୍ଟା କଲା, ହେଲାନାହିଁ । ଚାରିଆଡ଼ୁ ଖାଲି ହତାଶା ଓ ନିଷ୍ଫଳତାର ପ୍ରତିଧ୍ୱନି । ଯାହା ଚାଲିଗଲା ଆଉ ଆସିବ ନାହିଁ । ଯାହା ହଜିଗଲା ଆଉ ମିଳିବ ନାହିଁ । ଫେରି ଆସିବ ନାହିଁ ତା’ପାଖକୁ ଆଉ ସେ ବଡ଼ବୋଉ, ଶୁଭିବନାହିଁ ଆଉ ତା’ର ସ୍ନେହପୂର୍ଣ୍ଣ ଡାକ । ରହିଯିବ ଖାଲି ସ୍ମୃତି । ତା’ ବଦଳରେ ବଡ଼ବାପାର ଜମି, ଡିହ ଆଉ ଘର ହବ ତା’ର; ରହିବ ସେହି ସୋହାଗ ପ୍ରତିଦାନର ସ୍ମାରକୀ ହୋଇ ।

 

ଦିନ ସରିଗଲା । ଦୂର ଦୂରାନ୍ତରୁ ଉଡ଼ି ଉଡ଼ି ନିଜ ନିଜ ବସାକୁ ବାହୁଡ଼ି ଆସିଲେ ଜାତି ଜାତିକା ଚଢ଼େଇ ସ୍ନେହ ମମତାର ଡୋରିରେ ଟାଣି ହୋଇ । ଯୋଗିଆ ଫେରି ଆସିଛି ବହୁ ଆଗରୁ ହେଲେ ଭାଙ୍ଗି ଯାଇଛି ତା’ ବସା, ଦୁର୍ବଳ ହୋଇ ପଡ଼ିଛି ତା’ ସ୍ନେହ ମମତାର ଡୋରି, ଅନ୍ୟମନସ୍କ ହୋଇ ବସିଛି ସେହି ପଥରଟି ଉପରେ; ଚାହିଁ ରହିଛି ସାମ୍ନାର ସେହି ଶିମିଳି ଗଛକୁ । ସେଇଠୁ ଆରମ୍ଭ ହୋଇଛି ବଡ଼ ଆମ୍ୱତୋଟା, ଡାକନାଁ—ଆଖଡ଼ା ତୋଟା ।

 

କୁଆଡ଼େ ଆଗକାଳରେ ବର୍ଗୀମାନେ ଗାଆଁରେ ପଶି ଲୁଣ୍ଠନ କରୁଥିଲେ । ସେଇମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଗାଆଁର ଭେଣ୍ଡିଆମାନେ ଏଇ ତୋଟାରେ ମାଲକୁସ୍ତି ସାଧନା କରୁଥିଲେ, ଢାଲ ତଲୱାର ଖେଳ ଶିଖୁଥିଲେ ।

 

ଆଖଡ଼ା ତୋଟାର ଗୋଟିଏ କୋଣରେ ଝାମ୍ପୁଲା ଗଛ ମୂଳେ ଅହିଆଟିଏ ଖୋଳା ହୋଇଛି । ପାଖ ଗାଡ଼ିଆରୁ ପାଣି ଆଣି ସାନ ଭଉଣୀ ରୀନା ବସେଇଛି ଭାତ । ହେନା, କତରା ଉପରେ ଛିଣ୍ଡାକନା ପାରିଦେଇ ଶୁଆଇ ଦେଇଛି ମା’ ବୁଢ଼ୀକୁ; ଗୋଡ଼ି ଆଉଁସୁଛି । ଗୋଟିଏ ଆଟିକାରେ ଥୁଆ ହୋଇଛି ଗରମ ଲୁଣପକା ନାଲି ଚା’, ବାମ୍ଫ ବାହାରୁଛି ।

 

‘‘ବୋଉ ! ବୋଉମ ! ଚା’ ଟିକେ ପିଇବୁ ?’’ ଟିକେ ପିଇବୁ ?’’ ହେନାର ଡାକରେ ବୁଢ଼ୀ ତା’ଆଡ଼କୁ କଟମଟ କରି ଚାହିଁଲା । ପାଟିରେ କଥା ନାଇଁ । ଯୋଗିଆ କାନରେ ହେନାର କଥା ପଡ଼ିବାରୁ ତା’ ମନେପଡ଼ିଲା, ସେ ଚା’ ପିଇବ ।

 

ଦିନଟା ଯାକର ହାଡ଼ଭଙ୍ଗା ଖଟଣି, ପେଟକୁ ଏଯାଏ ପାଣି ପର୍ଯ୍ୟନ୍ତ ଯାଇନାହିଁ; ପ୍ରତିହିଂସାର ନିଆଁରେ ଦପ୍‌ଦପ୍‌ ହୋଇ ଜଳୁଛି ସାରା ଦେହଟା । ଧନିଆ ଦାଦାର ସେଇ କଥା ମନେପଡ଼ିଯାଉଛି—ମରଣ ମୁହଁକୁ ଡେଇଁପଡ଼ ଦେଖିବ; ଠିକ୍‌ ତୁମେ ବଞ୍ଚିଯାଇଚ । ମନେ ମନେ ଉପାୟ ଚିନ୍ତା କରୁଥିଲା—ନିଶ୍ଚୟ ସେ ପ୍ରତିଶୋଧ ନେବ । ଚିନ୍ତାଛାଡ଼ି ଉଠିଲା ଚା’ ପିଇବ ।

 

ଅନ୍ଧାରିଆ ହୋଇଗଲାଣି । ଛୋଟ ଲଣ୍ଠନଟି ଜାଳି ମା’ ପାଖରେ ରଖିଲା । ଆଲ୍‍ମୁନିୟମ ବାସନରେ ଚା’ ଢାଳି ମା’କୁ ଉଠେଇ ତା’ ପାଟିରେ ଲଗେଇଲା । ଦି’ଢୋକ ପିଇ ବୁଢ଼ୀ ମୁହଁ ବୁଲେଇ ଦେଲା । ତାକୁ ଶୁଆଇ ଦେଇ ନିଜେ ଚା’ ପିଇଲା ଯୋଗିଆ ।

 

ତୋଟା ଗହଳିରୁ ଚମକିଲା ପରି କୋଇଲିଟା ଆରମ୍ଭ କରି ଦେଲା କୁହୁତାନ । ସେହି କୁହୁତାନ ମନରେ ଖେଳାଇ ଦେଲା ଏକ ବିଷାଦ ସୁରର ଝଙ୍କାର, ହରାଇବାର ଏକ ନିରବଚ୍ଛିନ୍ନ ବେଦନା; ଝୁରି ହେବାର ଗୋଟାଏ ଅସ୍ପଷ୍ଟ ଗୁଞ୍ଜରଣ ।

 

କ’ଣ ଭାବି ଯୋଗିଆ ବୁଢ଼ୀ ଗୋଡ଼ରେ ହାତ ମାରିଲା, ହେମାଳ ଲାଗୁଛି । ସାନ ଭଉଣୀକୁ ଡାକିଲା—ରୀନା, ଛେଲୁଆରେ ନିଆଁ ଆଣ ସେକିବା । ବ୍ୟସ୍ତ ହୋଇ ପଡ଼ିଲେ, ସେକିଲେ ।

 

ଆଗରେ ଜଣେ ଧୋବଧାଉଳିଆ ଲୋକ କିଏ ଠିଆ ହୋଇ ଥିବାର ଦେଖି ହଠାତ୍‌ ଠିଆ ହୋଇ ପଡ଼ିଲା ଯୋଗିଆ । ଶଙ୍କି ଯାଇଥିଲା ସେ ।

 

—ଏ କ’ଣ ? ଏଠି ଏମିତି..... ।

 

ଏ କଥାରୁ ସ୍ପଷ୍ଟ ବାରି ପାରିଲା ଯୋଗିଆ । କହିଲା ନବୀନ !

 

—ହଁ । ଯୋଗିଆ ସାହସ ପାଇଲା । ଗପି ଚାଲିଲା ନବୀନ ଆଗରେ ସବୁକଥା ।

 

ଏଇ ନବୀନ ଯୋଗିଆ ସାଙ୍ଗରେ ପାଠ ପଢ଼ୁଥିଲା । ଚତୁର୍ଥ ଶ୍ରେଣୀଯାଏ ଦୁହେଁ ଏକା ସାଙ୍ଗର ପଢ଼ୁଥିଲେ । ଯୋଗିଆ ସବୁବେଳେ ଶ୍ରେଣୀରେ ପ୍ରଥମ ହୁଏ । ଯେତେ ଚେଷ୍ଟା କରିମଧ୍ୟ ନବୀନ ରହିଯାଏ ଅନେକ ପଛରେ । ସେଇ ଚତୁର୍ଥ ଶ୍ରେଣୀ ପରେ ଯୋଗିଆର ପୋଥିରେ ଡୋର ବନ୍ଧାହେଲା । ନବୀନ ପଢ଼ିଚାଲିଲା । ନିଜ ଗାଆଁରୁ ପଞ୍ଚମ ପାସ୍‍କରି ଦୁଇ ମାଇଲ ଦୂର ମାଇନର ସ୍କୁଲରେ ପଢ଼ିଲା । ସେଇଠୁ ହାଇସ୍କୁଲ, ସହରର କଲେଜ । ସେଆଡ଼େ କୁଆଡ଼େ ଓକିଲାତି ପଢ଼ୁଥିଲା । କ’ଣ ହେଲା କେଜାଣି କେତେ ବର୍ଷ ଯାଏ ତା’ର ଖବର କିଛି ମିଳିଲା ନାହିଁ । ଅଳ୍ପ କେତେଦିନ ତଳେ ଗାଆଁକୁ ଆସିଥିଲା । ପନ୍ଦରଦିନ ରହି ଚାଲି ଯାଇଥିଲା, ପୁଣି ଆସିଛି । ତା’ର ସେଇ ପନ୍ଦରଦିନ ରହଣୀ ଭିତରେ ସେ ବୁଲି ବୁଲି ଅନେକ ନୂଆ କଥା କହୁଥିଲା, ଲୋକଙ୍କ ମନରେ ନୂଆ ସାହସ ଭରିଥିଲା । ଆଜି ପୁଣି ଆସିଛି, ଯୋଗିଆ ତା’ ଆଗରେ ଗପି ଚାଲିଛି ତା’ର ଦୁର୍ଦ୍ଦଶାର କାହାଣୀ ।

 

ଛଅ

 

ବଡ଼ବୋଉକୁ ଘରୁ ବାହାର କରିଦେବା ପରେ ନିଜଭିତରେ ଖୁବ୍‍ ଦୁର୍ବଳତା ଅନୁଭବ କରିଥିଲା ବ୍ରହ୍ମାନନ୍ଦ, ଗାଆଁ ଛାଡ଼ି ସେଇଦିନ ଉପରବେଳା, ଯାଇଥିଲା ସହରକୁ । କେତେଦିନ ରହି ଧନିଆଁ ନାଆଁରେ ମୋକଦ୍ଦମା କରିବା ବିଷୟରେ ଓକିଲ ପରାମର୍ଶ କରି ଫେରି ଆସିଛି ।

 

ବେଇମାନି କରିଛି ଧନିଆଁ, ଗାଁ ଦାଣ୍ଡରେ ହାତକଡ଼ା ପକେଇ ତାକୁ ନ ଚଳାଇଲା ଯାଏ ମନରେ ଶାନ୍ତି ନାହିଁ ।

 

ଘରେ ପାଦ ଦଉ ନ ଦଉଣୁ ଆସି ପହଞ୍ଚିଗଲେ ମଦନ ଆଉ ଜୟୀ । ଏମାନେ ତା’ର ଦୁଇ ବାହୁ । ସବୁକାମରେ ଆଗୁସାର । ଗାଁଠୁ ତିନିଗାଁଯାଏ ଯିଏ ଯୋଉଠି ବ୍ରହ୍ମାନନ୍ଦ ବିପକ୍ଷରେ କହିଲା ସେସବୁକୁ ସଂଗ୍ରହ କରି ଆଣନ୍ତି ସେମାନେ । ସବୁକଥାରେ ପରାମର୍ଶଦାତା ।

 

ବ୍ରହ୍ମାନନ୍ଦ ଗାଆଁରେ ପଶୁ ପଶୁ ତାକୁ କେମିତି ଅଡ଼ୁଆ ଲାଗୁଥିଲା । ସାରା ଗାଆଁରେ ଗୋଟାଏ ଗମ୍ଭୀର ବାତାବରଣ ସେ ଉପଲବ୍ଧି କରିପାରୁଥିଲା, ହେଲେ ସ୍ପଷ୍ଟ ବୁଝିପାରୁନଥିଲା କିଛି ।

 

‘‘କ’ଣ କିହୋ ମଦନ, ଖବର କ’ଣ ?’’ ବ୍ରହ୍ମାନନ୍ଦ ଆଡ଼କୁ ଚାହିଁ ମଦନ କହିଲା—ଆଲୋ ହେ, ବାଆତେ ଭାତ ତତେ ନଗେଇଲେ ହୋଇବ ସାତ ।

 

ଜୟୀ ପଦ ଯୋଡ଼ିଦେଲା—ଏଁ ଏଇକଥା ? ହେଲା ଏବେ, ପକାପତର, ତତେ ମିଶେଇଲେ ହବ ସତର । ସେ ଦୁଇଜଣଙ୍କର କଥାକୁ ହଠାତ୍‌ ବୁଝିପାରିଲା ନାହିଁ ବ୍ରହ୍ମାନନ୍ଦ । ମଦନ ବୁଝେଇଦେଲା ଯେ ଧନିଆପୁଅ ରମେଶ ଆଉ ଜୟନ୍ତୀଙ୍କର ଆଦର୍ଶ ବାହାଘର ହୋଇଯାଇଛି । ଫୁଲମାଳ ଅଦଳ ବଦଳରେ କାମଶେଷ । ଦେବତା, ବ୍ରାହ୍ମଣ, ଧର୍ମ-କର୍ମ ସବୁକୁ ଆଖିଠାର ମାରି ଚାଲିଗଲେ । —ଗଲେ କୁଆଡ଼େ ?

 

—ଯୁଆଡ଼ୁ ଆସିଥିଲେ ସେଆଡ଼େ । ଆଉ କ’ଣ ଗାଆଁରେ ରହନ୍ତେ ସେ ଛତରା ଛତରୀ-। ଏଠି ରହିଲେ ସମ୍ଭଳା ପଡ଼ିବେତ ? ଆଉ ସେ ନବୀନ ହଉଚି ସବୁର ମୂଳ ।

 

ନବୀନ ନାଁ ଶୁଣି ବ୍ରହ୍ମାନନ୍ଦର କୌତୂହଳ ଆହୁରି ବଢ଼ିଗଲା । କହିଲା—ସେ କ’ଣ ଆସିଥିଲା ?

 

ଖାଲିତ ଆସିନଥିଲା ତା’ ପଛେ ପଛେ ସହରରୁ ଆହୁରି ଗୋଟାଏ ଗାଡ଼ି ଆସିଥିଲା । ହେଇଟି ବାବୁ ତମେ ଗାଁରୁ ଯିବା ପଛେ ପଛେ ସଞ୍ଜସୁଦ୍ଧା ଆସି ହାଜର ହେଇଗଲା । ଯୋଗିଆକୁ ରାତାରାତି ଆଣି ତା’ଘରେ ରଖିଲା ।

 

—କେହି କିଛି କହିଲେ ନାହିଁ ?

 

—ଆମେ କ’ଣ ଛାଡ଼ିଚୁ ? ଜୟୀ କହିଲା ।

 

—କ’ଣ କଲ ତୁମେ ?

 

—ବାଧାଦେଲୁ । ଆହୁରିବି ଲୋକେ ଆମସାଙ୍ଗରେ...... ।

 

—ଥାଉ । ବାଧାଦେଲ ଆଉ ସେ ଆଣି ତାଙ୍କୁ ଘରେ ରଖିଲା ? ମାଇଚିଆ ଗୁଡ଼ା, ଭଡ଼ଙ୍ଗ କଥା ଆଉ କାହାଆଗରେ କହିବ ।

 

ମଦନ କହିଲା—ବେଶି ଲୋକତ ନବୀନ ପଟନେଲେ, ଆମେ ଆଉ କରିଥାନ୍ତୁ କ’ଣ ? ତୁମେ ଥିଲେ କ’ଣ ଏୟା ହୋଇଥାନ୍ତା ?

 

—ହଉ ଛାଡ଼, ଆଉସବୁ କ’ଣହେଲା ?

 

—ବୁଢ଼ୀଟି ଚାଲିଗଲା ଏଇ ଦି’ଦିନ ହବ । ତମରି ସେଇ ଘୋଷରାରେତ ଅଚେତ ହୋଇ ପଡ଼ିଥିଲା । ଆଉ କ’ଣ ସେ ଭଲହେଲା ?

 

ୟେ ସମ୍ୱାଦରେ ବ୍ରହ୍ମାନନ୍ଦ ହୃଦୟ ଭିତରେ ପୁଣି ଗୋଟାଏ ଦୁର୍ବଳତା ଅନୁଭବ କଲା । ହେଲେ ତାକୁ ସହିଯିବାର ଶକ୍ତି ନିଜଭିତରେ ସଂଗ୍ରହ କରି ମୁହଁରେ କୃତ୍ରିମ ହସ ଫୁଟେଇ କହିଲା–ଛାଡ଼, ଯାହା ହବାର ଥିଲା ହେଇଗଲା । ଭାବିଲେ କିଛି ଲାଭନାହିଁ ।

 

—ହଉ ହେଲା, ହେଇଟି ବାବୁ ! ଯାଇଥିଲ ଯେଉଁ ବରାଦରେ କ’ଣ କଲ ? ମଦନ ପଚାରିଲା । ଜୟୀ କହିଲା—ଧନିଆ ହାତକଡ଼ା ପିନ୍ଧି ଯିବତ ? ଆରେ ହଁ, ଅଲ୍‌ବତ୍‌ ଯିବ । ବ୍ରହ୍ମାନନ୍ଦ ଉତ୍ତର ଦେଲା ।

 

ଏମିତି କଥାବାର୍ତ୍ତା ହୋଇ ସେମାନେ ଗାଁମୁଣ୍ଡ ଆଡ଼େ ମୁହାଁଇଲେ । ଏ ପାଖରେ କଦମ୍ୱ ଗଛ ସେ ପାଖରେ କୃଷ୍ଣଚୂଡ଼ା, ମଝିରେ ଚଉପାଢ଼ି । ଚଉପାଢ଼ି ଉପରେ ବସି କଥାବାର୍ତ୍ତାରେ ଲାଗିଲେ ତିନିହେଁ । ତାଙ୍କ ଦେଖାଦେଖି ଆଉ ଦି’ଜଣ ଆସି ଠିଆ ହେଲେ । କଥାବାର୍ତ୍ତା ବଦଳେଇ ସେମାନେ ରାଜନୀତି ଆଲୋଚନା କରିବାକୁ ଆରମ୍ଭ କଲେ ।

 

—ଆଜ୍ଞ, ଆପଣମାନେ ଏସବୁ ଏପାଖ ସେପାଖ କଲାବାଲା । ଆପଣ ପରା ସେଥର କହିଲେ ଏ ଦଳକୁ ଭୋଅଟ ଦିଅ, ପୁଣି କ’ଣ ହେଲା କହିଲେ ସେ ଦଳକୁ ଜିତାଅ । ତାଙ୍କ ଭିତରେ ଫଟାଫଟି ହେଲା ସରକାର ଭାଙ୍ଗିଲା । ପୁଣି କହିଲେ ନାଇଁ ସେଇ ଆଗ ଦଳକୁ ଦିଅ । ତୁମରି କଥାରୁ ଆମେ କ’ଣ କେବେ ବାହରି ଯାଇଛୁ । ଠିଆ ହୋଇଥିବା ଲୋକଙ୍କ ଭିତରୁ ଜଣେ ଆରମ୍ଭ କଲା ।

 

—ନାଇଁ ସେ କଥା ନୁହେଁ ଯେ.... ।

 

—ବୁଝିଲ ବାବୁ, ଏଗୁଡ଼ାକ ଫାଉମରା କଥା ।

 

—କ’ଣ ଫାଉମରା ? ବ୍ରହ୍ମାନନ୍ଦ ରାଗିଗଲା ଏ ପଦକରେ ।

 

—ଆଉ ନୁହେଁ କ’ଣ ? ତୁମେ ପରା କହୁଥିଲ ଦରଦାମ୍‍ କମିଯିବ । କୋଉ ଦର କମିଲା ଟିକେ କହିଲ ?

 

—ମୁହଁ ସମ୍ଭାଳି କଥା କୁହ । କ’ଣ ଫାଉମରା ? କ’ଣ ତମର ମୁଁ କରିଛି ? କ’ଣ ଫାଉ ମାରିଛି ?

 

—କ’ଣ ନକରିଛି କହୁନା । ଯାବତ ହାଲତ କରି ସାରିଲଣି । କଥାରୁ କଥା ବଢ଼ିଲା । ପାଟି ଶୁଣି ଗାଆଁରୁ ଲୋକ ଧାଡ଼ି ଛୁଟିଲେ । ବ୍ରହ୍ମାନନ୍ଦ କିଛି ବୁଝିପାରିଲା ନାହିଁ ଏ ଘଟଣାରୁ । ସେ ଜାଣେ ତା’ ସାଙ୍ଗରେ କେହି ବଢ଼ନ୍ତିନି । ବଢ଼ିଲେ ଅନ୍ୟମାନେ ବାରଣ କରନ୍ତି । କିନ୍ତୁ ବର୍ତ୍ତମାନ ଲୋକ ଚାରିପାଖ ଯାକ ବେଢ଼ି ଗଲେଣି ହେଲେ କେହି କିଛି କହୁନାହାନ୍ତି । ବରଂ ଜଣେ ଅଧେ ତା’ ସାଙ୍ଗରେ ଯୋଗ ଦେଉଛନ୍ତି ।

 

ଜଣେ ପ୍ରୌଢ଼ ଆଗେଇ ଆସି ସେ ଯୁକ୍ତି କରୁଥିବା ଯୁବକ ଜଣକୁ ନିର୍ଦ୍ଦେଶ ଦେଲେ । ସ୍କୁଲରେ ପିଲା ପାଟି କରୁଥିବା ବେଳେ ଶିକ୍ଷକ ବାରଣକଲେ ଯେମିତି ଚୁପ୍‌ ହୋଇଯାନ୍ତି ସେମିତି ସବୁ ଚୁପ୍‌ଚାପ୍‍ । ବ୍ରହ୍ମାନନ୍ଦ ଏତେବେଳେ ଆହୁରି ତେଜିଉଠିବାକୁ ଆରମ୍ଭ କରି ଦେବାରୁ ପ୍ରୌଢ଼ ଜଣକ କହିଲେ—ରୁହ ବାବୁ, ଏ ବାଜେ କଥାରେ ଆମର କି’ ଯାଏ; ଆମେ ଯୋଉଥି ପାଇଁ ଆସିଚୁ ସେ କଥା ବୁଝ ।

 

—କ’ଣ ହେଲା ? ତମର କି ଯାଏ ? ହଇହୋ କଥା ଯାଇ କେତେ ବାଟରେ ହେଲାଣି.... ।

 

—ଯେତେ ବାଟ ଗଲା ସେତିକି ବାଟରେ ଥାଉ । ଦର୍ପର ସହିତ କହିଲେ ପ୍ରୌଢ଼ ଜଣକ ତେରେଛେଇ ଚାହିଁ । ‘‘କୁହ, ଯୋଗିଆର ଘରଡିହ ସହିତେ ଜମି କୋଉଦିନ କିଣିଲ ?’’

 

‘‘ସେ ଜବାବ ତମକୁ ଦବାକୁ ମୁଁ ବାଧ୍ୟ ନୁହେଁ ।’’ ଯୋଗିଆ ବାହାରି ଆସିଲା ଆଗକୁ । କହିଲା—କାହିଁକି ବାଧ୍ୟନୁହେଁ ?

 

ତାକୁ ସାମ୍ନାରେ ଦେଖି ବ୍ରହ୍ମାନନ୍ଦ ମନରେ ଆହୁରି ବଳିୟାନ୍‌ ହୋଇ ଉଠିଲା ହିଂସ୍ରତା । ଆହୁରି ନିଷ୍ଠୁର ହେବାକୁ ଚେଷ୍ଟା କରୁଥିଲା ସେ ।

 

ନିଷ୍ଠୁରତା ଏକ ଚିତ୍ତବୃତ୍ତି । କ୍ଷମତା, ଧନପାଇଁ ରାଜା ମହାରାଜାମାନେ ଆତ୍ମୀୟ ସ୍ୱଜନଙ୍କୁ ହତ୍ୟା କରିବାଠୁଁ ନାନା ଭାବରେ ଦଣ୍ଡିତ କରିବା; ମଉଜ ପାଇଁ ବାଘ ମୁହଁକୁ ମଣିଷକୁ ଠେଲିଦେଇ ବାଘ ଓ ମଣିଷର ଲଢ଼େଇକୁ ଉପଭୋଗ କରିବା; ରାଜନୈତିକ ଶତ୍ରୁଙ୍କୁ ଦମନ କରିବା, କାରାଗାରରେ ବନ୍ଦୀ କରିବା, ଏ ସବୁ ସେହି ନିଷ୍ଠୁରତାର ନିଦର୍ଶନ; ଯାହା ମଣିଷ ଭିତରେ ଥାଏ ଅଥଚ ଅନେକ ସମୟରେ ସେ ତାକୁ ଭୟକରେ କିନ୍ତୁ ତାକୁ ପ୍ରୟୋଗ କରେ ସ୍ୱାର୍ଥ ପାଇଁ କ୍ଷମତାର ପରାକାଷ୍ଠା ଦେଖାଇବା ପାଇଁ । ବ୍ରହ୍ମାନନ୍ଦ ନିଷ୍ଠୁର ହୋଇଛି । ନିଜ ବଡ଼ବାପାଙ୍କ ସମ୍ପତ୍ତି ଜାଲ୍‌ କବଲା କରି ନେଇ ଯୋଗିଆକୁ ଦାଣ୍ଡର ଭିକାରି କରି ଛାଡ଼ିଛି ଆଉ ଅନୁଭବ କରିଛି ଗୌରବ-

 

—ଜବାବ ନଦେଇ ଏଠି ପାଦେ ଆଗେଇ ପାରିବନି । ଯୋଗିଆ କହିଲା ।

 

—କ’ଣ ମୋତେ ମାରିବୁ ? ଭାରିତ ଧମକ !

 

ସେତେବେଳକୁ ଲୋକମାନେ ତାଲିମ ପାଇଥିବା ଭଳି ଚାରିପାଖରେ ଘେରି ଗଲେଣି । ମଝିରେ ବ୍ରହ୍ମାନନ୍ଦ ଆଉ ତା’ର ତୋଷାମଦିଆ ଦି’ଜଣ ।

 

‘‘ତୁମକୁ ଘେରାଉ କରାଗଲା । ଜବାବ ନଦେଇ ଏଠୁ ଯାଇପାରିବ ନାହିଁ’’, କେହିଜଣେ ବଡ଼ପାଟିରେ କହିଲା । ବ୍ରହ୍ମାନନ୍ଦ ବିଶ୍ୱାସ କରିପାରୁନଥିଲା ଯେ ତାହାରି ଗାଆଁଲୋକେ, ଯେଉଁମାନେ ତାଙ୍କୁ ଭୟ କରନ୍ତି; ସେମାନେ ଏକଯୁଟ ହୋଇଛନ୍ତି । କାହା ବଳରେ ? ୟା ପଛରେ ହୁଏତ କାହାରି ଅଦୃଶ୍ୟ ହାତ କାମ କରୁଛି, ସେ ହାତ ଆଉ କାହାରି ନୁହେଁ ନବୀନର । ଛତରାଟା । କୁଆଡ଼େ ବୁଲୁଥିଲା । ଏବେ ଆସି ନେତା ସାଜିଛି । ମନେ ମନେ ଆଣ୍ଟ ବାନ୍ଧିଥିଲା ବ୍ରହ୍ମାନନ୍ଦ; ଆଜି ପୋଲିସ୍‌ ଆସିବ ଧନିଆକୁ ଆରେଷ୍ଟ କରି ନେବାକୁ । ନାହିରେ ତେଲଦେଇ ବୁଲୁଛି ସେ । ସବୁ ବନ୍ଦୋବସ୍ତ ସରିଛି, ହୁଏତ ଆସୁଥିବେ ପୋଲିସ୍‌ ସବ୍‌ଇନ୍‌ସପେକ୍ଟର । ଗାଁରେ ପହଁଞ୍ଚିଗଲେ ୟାଙ୍କ ଘେରଉ ଫେରଉ ସବୁ କୁଆଡ଼େ ଫସର ଫାଟିଯିବ ।

 

ଆଉ ବାଦାନୁବାଦ ନକରି ଚୁପହୋଇ ବସିରହିଲା ସେ । କ୍ରମେ ଗାଧୁଆବେଳ ହେଲା । କିନ୍ତୁ କେହି ଛାଡ଼ି ଗଲେ ନାହିଁ । ଏତିକି ବେଳେ ଅଦାଲତ ପିଆଦା ସାଙ୍ଗରେ ଶ୍ରୀକାନ୍ତ ଆସି ପହଞ୍ଚିଲା ସେଠି । ପିଆଦା ଲୋକଙ୍କୁ ଆଡ଼େଇ ଭିତରକୁ ପଶିଲା । ‘‘ସଲାମ୍‌ ବାବୁ’’, ବୋଲି କହି ବ୍ରହ୍ମାନନ୍ଦ ଆଡ଼କୁ ବଢ଼େଇଦେଲା ଏକ ପରୱାନା । ତାକୁ ପଢ଼ି ବ୍ରହ୍ମାନନ୍ଦ ଜଳିଉଠିଲା ରାଗରେ । କହିଲା—ନେଇଯା, ମୁଁ ରଖିବିନି ।

 

—କ’ଣ ହେଲା ? ହଉ ମୁଁ ଟଙ୍ଗା ନୋଟିସ୍‌ ଦେଇ ଚାଲିଯାଉଛି । ପଛେ ବୁଝିବ ।

 

—କ’ଣ ? ସାମାନ୍ୟ ପିଆଦା ହେଇତ ଭାରି ଦିମାକରେ କଥାବାର୍ତ୍ତା କରୁଛ ?

 

—ମୋ ଦିମାକ୍‌ ଛଡ଼େଇଦେବେ ଆପଣ ? ହଉ ହେଲା । ଲୋକମାନଙ୍କ ଆଡ଼କୁ ଦୃଷ୍ଟି ଫେରେଇ କହିଲା—ଦେଖନ୍ତୁ ବାବୁମାନେ ଆପଣ ଏତେ ଲୋକଙ୍କ ଆଗରେ କ’ଣ ସେ କହୁଛନ୍ତି । ମୁଁ ଟଙ୍ଗା ନୋଟିସ ଦେଇ ଚାଲି ଯାଉଛି ।

 

ବ୍ରହ୍ମାନନ୍ଦ ଦେଖିଲା ଉପାୟ ନାହିଁ । ପରୱାନା ଧରିବାକୁ ପଡ଼ିବ । ସହଜଭାବରେ କହିଲା—ହଉଦିଅ । ପିଆଦା ଖାତାରେ ଦସ୍ତଖତ କରାଇ ପରୱାନା ଦେଇ ଚାଲିଗଲା ।

 

ପିଆଦା ଚାଲିଗଲାପରେ ଶ୍ରୀକାନ୍ତ କହିଲା—ଯୋଗିଆର ସମ୍ପତ୍ତି ଏବାବୁ କେମିତି ନେଇଛନ୍ତି ସେକଥା ଅଦାଲତ କହିବ । ହେଲେ ଅଦାଲତର ନିଷ୍ପତ୍ତି ପର୍ଯ୍ୟନ୍ତ ଯୋଗିଆ ତା’ର ସବୁ ସମ୍ପତ୍ତିର ଅଧିକାରରେ ରହିବ, କ’ଣ କହୁଛନ୍ତି ଭାଇମାନେ ?

 

—ଆମେ ସେଇକଥା କହୁଛୁ । ସମସ୍ତେ କହିଲେ ଏକ ସ୍ୱରରେ । ଆଉ କେହି ଜଣେ କହିଲା କ’ଣ ବ୍ରହ୍ମାନନ୍ଦବାବୁ ଏକଥାରେ ରାଜିତ ? କୁହନ୍ତୁ ସେ ନିଜେ ।

 

‘‘କ’ଣ ହେଲା ? ସମ୍ପତ୍ତି ମୋର । ଯୋଗିଆ କିଏ ? ଆଇନ୍‌ ପଡ଼ିଛି ଲଢ଼ୁସେ ।’’

 

‘‘ଅଦାଲତ କେଭେଁ ବେଆଇନ୍‍ କଥା କହିବନାହିଁ । ତା’ର ନିଷ୍ପତ୍ତି ପର୍ଯ୍ୟନ୍ତ ତୁମକୁ ସେ ସମ୍ପତ୍ତି ଛାଡ଼ିବାକୁ ହବ ।’’ ‘‘ପାରିବିନାହିଁ ।’’

 

ଚାରିପଟେ ଘେରି ରହିଛନ୍ତି ଲୋକ । ଦମ୍ଭ ଧରି ବ୍ରହ୍ମାନନ୍ଦ ବସିରହିଛି ମଝିରେ । ଅପେକ୍ଷା କରିଛି, ପୋଲିସ୍‌ ଆସିବ; ୟାଙ୍କ ମେଳି ଭାଙ୍ଗିବ, ଛିନ୍‌ଛତ୍ର ହୋଇଯିବେ ସମସ୍ତେ । ସମୟ ଗଡ଼ିବାରେ ଲାଗିଛି କିନ୍ତୁ କାହିଁ ?

 

ବେଳ ଗଡ଼ିଗଲାଣି । ସମୟ ପ୍ରାୟ ଚାରିଟା ସରିକି ଜୟୀ, ମଦନ ଆଉ ଦମ୍ଭଧରି ପାରିଲେ ନାହିଁ । ଗାଁ ଲୋକଙ୍କୁ ବୁଝେଇବାରେ ଲାଗିଲେ । ଭୋକରେ ପେଟ ଜଳିଲାଣି । କ’ଣ କରିବେ ? ଲୋକେ ତାଙ୍କ କଥାରେ ଅଟଳ । ପୋଲିସ୍‌ ନ ଆସିବାରୁ ବ୍ରହ୍ମାନନ୍ଦ ମନ ଗୋଳେଇ ଘାଣ୍ଟି ହେଉଛି ।

 

ରାତି ହେଲା । ଆଉ ଉପାୟ ନାହିଁ । ସେମାନଙ୍କ ପ୍ରସ୍ତାବରେ ରାଜିହେଲା ବ୍ରହ୍ମାନନ୍ଦ । ଲେଖିଦେଲା ଅଦାଲତର ରାୟ ପର୍ଯ୍ୟନ୍ତ ଯୋଗିଆ ମୋ ସମ୍ପତ୍ତି ଦଖଲରେ ରହିବ ।

 

ପୁଣି ପ୍ରତିବାଦ ହେଲା । ସମ୍ପତ୍ତି ଯୋଗିଆର, ତେଣୁ ଆଉ ଥରେ ବଦଳାଇ ‘‘ମୋ’’ ଜାଗାରେ ‘‘ତୋ’’ କର । ସେଇଆ ହେଲା ।

 

ସାତ

 

ମନେ ମନେ ଅତୀତ ଇତିହାସର ପୃଷ୍ଠାଓଲଟାଇ ଚାଲିଛି ନବୀନ । ସମୟରେ ଗତି ସଙ୍ଗେ ସଙ୍ଗେ ବଦଳି ଚାଲିଛି ମଣିଷର ଚିନ୍ତା, କଳ୍ପନା, ଆଶା-ଆକାଙ୍‍କ୍ଷା । ସେ ଯୁଗର ମଣିଷ, ବଣଜଙ୍ଗଲରେ ଖୋଜିବୁଲେ ଖାଦ୍ୟ, ନଥାଏ ଜାତି ଅଜାତି, ଉଚ୍ଚନୀଚ । ସମସ୍ତେ ମଣିଷ, ଖାଇବା ପାଇଁ, ବଞ୍ଚିବାପାଇଁ ଚେଷ୍ଟା ସମସ୍ତଙ୍କର । ଫଳ ମୂଳ, ପଶୁପକ୍ଷୀ, ସରିଆସେ, ଜଙ୍ଗଲରୁ । ଘୋଟିଆସେ ଅଭାବ, ଅଭାବରୁ ଉଦ୍‌ଭାବନ ।

 

ଫଳ ସଂଗ୍ରହରୁ ଚାଷ, ଶିକାରରୁ ପଶୁପାଳନ ବଞ୍ଚିବାର ନୂଆ ସଂଭାବନା, ନୂଆ ଉପାୟ ଆଗେଇନିଏ ତାକୁ । ସମସ୍ତଙ୍କର ଶକ୍ତି ସମାନ ନଥାଏ । ପାଞ୍ଚ ଆଙ୍ଗୁଠିପରି ତାରତମ୍ୟ । ସେମାନଙ୍କ ଭିତରୁ କେତେକ ଅଧିକ ଦକ୍ଷତା ହାସଲ କରନ୍ତି, ଆଗୁଆହୋଇ ବାହାରି ପଡ଼ନ୍ତି । ଗୋଟିଏ ଦଳକୁ ଅନ୍ୟଦଳର ଆକ୍ରମଣରୁ ରକ୍ଷା କରିବା ଫଳରେ ସେହି ଆଗୁଆ ମଣିଷଙ୍କୁ ଅନ୍ୟମାନେ ସମ୍ମାନ ଦେଖାନ୍ତି, ଅଧିକ ସୁବିଧାଦିଅନ୍ତି, କୃତଜ୍ଞ ହୁଅନ୍ତି ତାଙ୍କ ପାଖରେ ।

 

ସେହି କୃତଜ୍ଞତା, ସେହି ସୁବିଧା ଭୋଗ ତାଙ୍କୁ ଗଢ଼ିତୋଳେ ଅଧିକରୁ ଅଧିକ ଶକ୍ତିଶାଳୀ କରି । ସେମାନେ ଅନ୍ୟମାନଙ୍କୁ ତାଙ୍କ ନିର୍ଦ୍ଦେଶରେ ଚଳାଇବାକୁ ଆରମ୍ଭ କରନ୍ତି । ସେହି କ୍ରମରେ ଜଣେ ଦକ୍ଷଲୋକ ଅଧୀନରେ ଅନ୍ୟମାନେ ଦାସ ହୋଇ ରହନ୍ତି । ପୁଣି ସେହି ଦକ୍ଷଲୋକମାନଙ୍କ ଭିତରେ ଚାଲେ ପ୍ରତିଯୋଗିତା । ନିର୍ଦ୍ଦିଷ୍ଟ ଭୂଖଣ୍ଡ ଉପରେ କ୍ଷମତା ବିସ୍ତାର କରିବାର ମୋହରୁ ହୁଏ ଯୁଦ୍ଧର ସୂତ୍ରପାତ । ଯୁଦ୍ଧରେ ବିଜେତା ହୁଅନ୍ତି ଅଧିପତି, ରାଜା, ପୁଣି ସେହି ରାଜାମାନଙ୍କୁ ପରାସ୍ତ କରି ଯିଏ ଅଧୀନରେ ରଖେ ସେ ବୋଲାଏ ସମ୍ରାଟ ।

 

ଗତିଶୀଳ ସମୟର ଚକତଳେ ସେଦିନର ସମ୍ରାଟ ଆଜି ନାହାନ୍ତି । ନବୀନ ଚାହିଁ ରହିଛି-। ଟିକେ ଆଗରେ ରାସ୍ତାକଡ଼ରେ ଲୋକେ ଚାରିପାଖେ ଘେରି ଠିଆ ହୋଇଛନ୍ତି । ମଝିରେ ମାଙ୍କଡ଼ ନାଚ ହେଉଛି । ମାଙ୍କଡ଼ର ମାଲିକ ତାକୁ ଡାକୁଛି ‘‘ସମ୍ରାଟ’’ ବୋଲି । ‘‘ସମ୍ରାଟ’’ ତା’ ମାଲିକର କଥା ମାନି ମୁଣ୍ଡରେ ଟୋପି ପିନ୍ଧି ଲୋକଙ୍କୁ ସଲାମ କରୁଛି । ତିନିଚକିଆ ସାଇକେଲ୍‌ ଚଲାଉଛି; ଡେଇଁ କୁଦି ନାଚ ଦେଖାଉଛି ।

 

ଦିନପରେ ରାତି, ରାତିପରେ ଦିନ । ବେଙ୍ଗ କହେ—ବେଙ୍ଗୁଲୀଲୋ, ପୃଥ୍ୱୀ କ୍ଷଣ କ୍ଷଣକେ ଆନ ।

 

ସହରର ଆଜବେଷ୍ଟସ୍‍ ଛପର ଘରଟିଏ । ସାଧାରଣ ଆସବାବ ପତ୍ର । ସାମ୍ନାରେ ଚଉଡ଼ା ବାରଣ୍ଡା । ଅଧକରେ ଅଧାକାନ୍ଥି ଉଠିଛି, ରୋଷେଇ ହୁଏ ସେଠି । ଆଉ ଅଧକ ଫାଙ୍କା । ସେଇଠି ଚେୟାର ଖଣ୍ଡକରେ ବସି ନବୀନ ଦେଖିଛି ମାଙ୍କଡ଼ ନାଚଦେଖୁଥିବା ଲୋକଙ୍କ ଭିଡ଼କୁ । ଏତିକି ବେଳେ ପୋଷ୍ଟପିଅନ ଆଣି କେତେଖଣ୍ଡ ଚିଠି ଦେଇଗଲା ।

 

ଗାଁରୁ ଚିଠି ଦି’ଖଣ୍ଡ ଦେଇଛନ୍ତି ଯୋଗିଆ ଓ ଶ୍ରୀକାନ୍ତ । ଦୁହିଁଙ୍କ ଚିଚିରେ ସେଇ ଗୋଟିଏ କଥା ଯେ ସେମାନେ ତା’ ପରାମର୍ଶ ପ୍ରକାରେ କାମ ଠିକ୍‍ କରିଛନ୍ତି । ଫଳରେ ଯୋଜିଆ ତା’ ଜମିର ଦଖଲଦାର ହୋଇଛି । ଯେଉଁଦିନ ଗ୍ରାମର ଆଗୁଆ ବାହିନୀ ବ୍ରଦ୍ମାନନ୍ଦକୁ ଘେରାଉ କରିଥିଲେ ତା’ ପରଦିନ ସେ ଯାଇ ପୋଲିସ୍ ନେଇ ଗାଆଁକୁ ଗଲା । ଖୁବ୍ ଝୁଙ୍କେ ହୋ ହାଲ୍ଲାହେଲା । ହେଲେ ପୋଲିସ୍ ଶେଷରେ କିଛି କରିପାରିଲା ନାହିଁ ।

 

ଅନ୍ୟମନସ୍କ ଭାବେ ନବୀନ ଭାବୁଥିଲା–ପରମ୍ପରା, ଧରାବନ୍ଧା ନୀତି ନିୟମକୁ ବଦଳାଇ ଜୀବନର ସ୍ୱାଦ ଚାଖିବା ପାଇଁ ସବୁ ଯୁଗରେ ମଣିଷ ଉଦ୍ୟମ କରି ଆସିଛି । ପରିବର୍ତ୍ତନହିଁ ଜୀବନର ସ୍ୱାଦ, ବିପ୍ଳବହିଁ ଜୀବନର ସ୍ୱାକ୍ଷର ।

 

ପୁଣି ଚିଠି ପଢ଼ିବାରେ ଲାଗିଲା । ଅଟକିଗଲା ସେଇ ଚିଠିଟିରେ ଯେଉଁଟିରେ ଲେଖାଥିଲା–

 

ମହାଶୟ,

 

ଅପରିଚିତାର ପ୍ରଣାମ ନେବେ । ସୌଭାଗ୍ୟର କଥାଯେ ପତ୍ରିକାରୁ ଆପଣଙ୍କ ଲେଖା “ଅଗ୍ରଗାମୀ” ପାଠକରି ମୋ ମନରେ ବସାବାନ୍ଧିଥିବା କେତେଗୁଡ଼ିଏ ପ୍ରଶ୍ନର ଉତ୍ତର ପାଇଗଲି । ମୋର ବିଶ୍ୱାସ, ଆଉ କେତେକ ପ୍ରଶ୍ନର ଉତ୍ତର ଆପଣଙ୍କ ଠାରୁହିଁ ମିଳିପାରିବ । ତେଣୁ ଠିକଣା ସଂଗ୍ରହ କରି ଚିଠି ଦେଲି । ଜାଣେନା ଏହା ଆପାଣଙ୍କ ହସ୍ତଗତ ହେବ କି ନାହିଁ । ଯଦି ଏ ଚିଠି ପାଆନ୍ତି ଦୟାକରି ଜଣାଇଲେ ଏବଂ ଅନୁମତି ଦେଲେ ମୁଁ ମୋର ପ୍ରଶ୍ନଗୁଡ଼ିକ ପଚାରି ହୁଏତ ଆପଣଙ୍କୁ ହଇରାଣ କରିପାରେ । କ୍ଷମା ଦେବେ ବିରକ୍ତ ହେବେ ନାହିଁ । ପ୍ରତିକ୍ଷାରେ–

 

ଆପଣଙ୍କର ଅପରିଚିତା

ମାଳିନୀ ।

ଏ ଚିଠି ଖଣ୍ଡିକ ନବୀନ ମନରେ ଅତୀତର ପୃଷ୍ଠା ଖୋଲି ଦେଲା । ଅନ୍ୟମନସ୍କ ଭାବେ ସେ ଅଣ୍ଡର୍‍ ଲାଇନ୍ କରିଦେଲା–କ୍ଷମାଦେବେ, ବିରକ୍ତ ହେବେନାହିଁ ।

କଲେଜ ଜୀବନର ସେ ଏକ ମଧୁମୟ ସନ୍ଧ୍ୟା । ଛାତ୍ର ଜୀବନ, ଆଗାମୀର ସ୍ୱପ୍ନ ବିଭୋର; ସରଳ, ତରଳ, ବନ୍ଧନନୀନ; ବାସ୍ତବ ଜୀବନର କୁଟ କପଟରୁ ବହୁ ଊର୍ଦ୍ଧ୍ୱରେ ।

କୁମାରୀ ସାଗରିକା ସହ ପାଠିନୀ, ରୂପସୀ, ମେଧାବିନୀ, ମିଷ୍ଟ ଭାଷିଣୀ; ସୁହାସିନୀ; ସୁଗାୟିକା ଓ ମେଳାପୀ ।

ସାଥି ସୁବୋଧ ଓ ନବୀନ, ଦୁହେଁ କଲେଜ ଇଉନିୟନ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ ଯଥାକ୍ରମେ ସଭାପତି ଓ ସାଧାରଣ ସମ୍ପାଦକ ପ୍ରାର୍ଥୀ ରୂପେ । ବ୍ୟକ୍ତିଗତ ଭାବରେ ଛାତ୍ର-ଛାତ୍ରୀମାନଙ୍କୁ ସାକ୍ଷାତ କରି ନିଜ ନିଜ ସପକ୍ଷରେ ଭୋଟ ସଂଗ୍ରହ କାର୍ଯ୍ୟରେ ବ୍ୟାପୃତ ଥାନ୍ତି ସେ ଦୁହେଁ ।

ସେହି ଅବସରରେ ଦିନେ ସନ୍ଧ୍ୟା ଆଗମନରେ ଛାତ୍ରୀ ନିବାସର ପ୍ରକୋଷ୍ଠ ମଧ୍ୟରେ କୁମାରୀ ସାଗରିକାଙ୍କୁ ଭେଟି ନବୀନ ଅନୁରୋଧ ଜଣାଇଲା–ସିଷ୍ଟର ! ମୋର ବ୍ୟକ୍ତିଗତ ଭାବେ ଆପଣଙ୍କୁ ତ ନିଶ୍ଚୟ ଏ ଅନୁରୋଧ; ତା’ଛଡା ମୋର ଦୃଢ଼ ବିଶ୍ୱାସ ଛାତ୍ରୀ ନିବାସର ଅଧିକାଂଶ ଭଉଣୀ ଆପଣଙ୍କୁ ମାନନ୍ତି; ତେଣୁ ସେମାନଙ୍କ ଭୋଟ ଯେପରି ମୋ ଆଡ଼କୁ ଆସେ ସେ ଦିଗରେ ଆପଣ ନିଶ୍ଚୟ ଯତ୍ନନେବେ । ଏ ଭରସାନେଇ ମୁଁ ଆସିଛି । ଇଉ ଅଲସୋ ନୋ ଆଇ ଆମ୍ ଦି ଓନ୍‍ଲି କ୍ୟାଣ୍ଡିଡ଼େଟ୍‍ ଫ୍ରମ୍ ହାୟର କ୍ଲାସ୍‍ ଆଣ୍ଡ୍‍ ଟୁ ଉଇନ୍ ଇଜ୍ ଆୱାର ପ୍ରେଷ୍ଟିଜ୍ ।

ମନୋଯୋଗ ଦେଇ ସାଗରିକା ଶୁଣୁଥିଲେ ନବୀନର କଥା । ଚାହିଁ ରହିଥିଲେ ତା’ ଆଡ଼କୁ । କହିଲେ–ମୁଁ ନିଶ୍ଚୟ ଆପଣଙ୍କୁ ସାହଯ୍ୟ କରିବି ବ୍ରଦର ! ବିଲିଭ୍ ମି, ଆଇ ଆସିଓର୍ ଟୁ ହେଲପ୍ ଇଉ ଟୁ ମାଇ ଲେବଲ ବେଷ୍ଟ ।

 

–ଥ୍ୟାଙ୍କ ୟୁ ସିଷ୍ଟର ! ମୁଁ ଆସୁଛି.... ।

 

ନୋ, ନୋ, ପ୍ଲିଜ୍, ପ୍ଲିଜ୍ ସିଟ୍‍ଡାଉନ ।

 

ସାଗରିକା ଏଥର ନବୀନ ମୁହଁକୁ ଚାହିଁଥିଲେ । ଚାରିଆଖି କ୍ଷଣକ ପାଇଁ ମିଶିଗଲା । ତାଙ୍କ ଢଳଢଳ ଚାହାଣିରେ ଥିଲା ଅନୁରୋଧ, କଥାରେ ଧିଲା ମାଦକତା ଯାହା ଅତି ନିଜର ମନେହେଉଥିଲା ନବୀନର ।

 

—କ’ଣ ନ ବସିଲେ ହୁଅନ୍ତାନି ?

 

—ଆପଣ ଏମିତି କାହିଁକି ଭାବୁଛନ୍ତି ? ପରହାପ୍‍ସ ୟୁ ଫିଲ୍, ଆଇମିନ୍, ୟୁ ଫିଲ୍ ସାଏ-

 

ସାଗରିକା କଟାକ୍ଷ ହାଣି କହିଲେ । ନବୀନ ଯେମିତି ନିଜର ଭାରସାମ୍ୟ ରଖିବା ପାଇଁ ଅସମର୍ଥ ହୋଇପଡ଼ୁଥିଲା ।

 

କହିଲା–ନୋ, ନୋ ସିଷ୍ଟର ସାଗରିକା ! ରାଦର୍...ରାଦର୍‍ ଆଇଥିଙ୍କ..... ।

 

–ନଥିଂ । ଆପଣ ବର୍ତ୍ତମାନ ପାଇଁ ଏ ରୁମ୍‍ର ଅତିଥି । ନୁହେଁ ?

 

–ବସନ୍ତୁନା ! କହି ସାଗରିକା ଆଉଟିକେ ପାଖକୁ ଲାଗିଆସିଲେ । ତାଙ୍କ ଆଖି ଯେମିତି ଅନେକ କଥା କହୁଥିଲା ଏବଂ ନବୀନକୁ ଛନ୍ଦିପକାଉଥିଲା ତା’ର କୁହୁକ ଭରା ପରିସର ଭିତରେ । ନବୀନର ଆଖି ଦୁଇଟି ବହୁ କଷ୍ଟରେ ସେହି ଆଖି ଦୁଇଟିର ପରିସର ଭିତରୁ ମୁକୁଳି ଆସି ବୁଲିଗଲା ତାଙ୍କର ସାରା ଶରୀର ଉପରେ ଏବଂ ନିବଦ୍ଧ ହେଲା ତାଙ୍କର ବକ୍ଷୋଜ ଉପରେ ।

 

ସେତିକି ବେଳେ ଅଳ୍ପ ଦୂରରୁ ଲାଉଡ୍‍ସ୍ପିକରରେ ଶୁଭୁଥିଲା କୌଣସି ପାଲା ଗାୟକ କଣ୍ଠରୁ–

 

କ୍ଷୋପାବରରେ, ଯଥାର୍ଥରେ ଜାଣ ମୁଁ ତୋହରରେ,

ଯାମଳ ଭୂଧର ନିଭ ପୟୋଧର

ମରଦନିଆ ଚାକରରେ ।

 

ନବୀନର ଦେହ ଥରି ଉଠି ମୁହଁରେ ଝାଳ ବିନ୍ଦୁ ବିନ୍ଦୁ ଫୁଟି ଉଠିଲା । ସେମିତି ଚାହିଁରହି ସେ ବସି ପଡ଼ିଥିଲା ଚେୟାରଟି ଉପରେ । ସାଗରିକା ଏଥର କହିଲା–ଟିକେ ଥାନ୍ତୁ, ମୁଁ ଆସୁଛି । ଚାଲିଗଲେ ସେ ପରଦା ଆଢ଼ୁଆଳକୁ ।

 

ପରଦା ଆରପାଖରୁ ଶୁଭୁଥିଲା ସାଗରିକାଙ୍କ କଣ୍ଠରୁ ଗୁଣୁ ଗୁଞ୍ଜନ ସହିତ ଷ୍ଟୋଭ ଜଳିବାର ସାଇଁ ସାଇଁ ଶବ୍ଦ । ହର୍ଷୋତ୍‍ଫୁଲ୍ଲ ସେହି ଗୁଣୁ ଗୁଣୁ ଗୁଞ୍ଜନ ନବୀନର ହୃଦୟରେ ସଞ୍ଚାର କରିଥିଲା ପୁଲକ । ପୁଲକିତ ହୋଇ ସେ ଚାହିଁଦେଲା ସାମ୍ନାକୁ । ସାମ୍ନା କାନ୍ଥରେ ଝୁଲୁଥିଲା କ୍ୟାଲଣ୍ଡର୍‍ ଫଟୋଟିଏ । ଦୂର ପର୍ବତ ଭେଦକରି ଡେଇଁ ଆସୁଥିବା ନଦୀ ବକ୍ଷ ହୋଇଛି ପ୍ରଶସ୍ତ । ପ୍ରଶସ୍ତ ନଦୀରେ ନୌକା । ନୌକାରେ ସୁଠାମ ଯୁବକ, ମସ୍ତକରେ ମୟୂର ଚନ୍ଦ୍ରିକା ଆଉ ତାଙ୍କ ଆଗରେ ରୂପସୀ ଯୁବତୀ ଅଧରରେ ହାସ୍ୟ ରେଖା । ଦୁହେଁ ଦୁହିଁଙ୍କୁ ବିମୁଗ୍ଧ ହୋଇ ଚାହିଁ ରହିଛନ୍ତି ।

 

ବିଭୋର ହୋଇ ଚାହିଁ ରହିଥିଲା ସେହି ଫଟୋ ଆଡ଼େ ନବୀନ । ଆସିଲେ ସାକରିକା । ଲକ୍ଷ୍ୟକଲେ ନବୀନକୁ । କହିଲେ କ’ଣ ଦେଖୁଛନ୍ତି ? ନବୀନର ଦୃଷ୍ଟି ତଥାପି ଫେରିଲା ନାହିଁ । ସେହିଆଡ଼କୁ ଚାହିଁ ଉତ୍ତର ଦେଲା–ମୁଁ ?

 

–ହଁ, ଯେ ।

 

–ମୁଁ ଦେଖୁଛି.....ମାନେ....ଏଇ ପ୍ରାକୃତିକ ପରିବେଶ ଭିତରେ.... । ସହାସ୍ୟ ମୁଖ ମଣ୍ଡଳଟି ଏକ ଅର୍ଥଭରା ଚାହାଣି ନେଇ ବୁଲିଗଲା ସାଗରିକାଙ୍କ ଆଡ଼େ । “ସୁନ୍ଦର ଛବିଟିଏ କିନ୍ତୁ” ସାଗରିକା ଆଗେଇଗଲେ ନବୀନର ଅତି ନିକଟକୁ । ହାତରେ ଧରିଥିବା କ୍ଷୀର ଗ୍ଲାସ୍‍ଟି ନବୀନ ଆଡ଼କୁ ବଢ଼ାଇ କହିଲେ–ପ୍ଲିଜ୍ ।

 

–ଥ୍ୟାଙ୍କ୍‍ ୟୁ ଫର୍‍ ଇୟୋର କାଇଣ୍ଡ୍‍ ଅଫର୍‍ ସିଷ୍ଟର୍‍ ସାଗରିକା, କିନ୍ତୁ ଆପଣଙ୍କୁ ଏତେଟା କଷ୍ଟଦେଇ..... । କହୁ କହୁ ନବୀନ ହାତବଢ଼େଇଲା ଗ୍ଲାସ୍‍ଟି ଆଣିବାକୁ । ହାତରେ ବଜିଲା ହାତ । ଚଡ଼ିତ୍ ଖେଳିଗଲା କ୍ଷଣକ ପାଇଁ ଦୁଇଟି ତନୁରେ । ଧୂସର ରଙ୍ଗର ମଖମଲିଆ ମଥ୍‍ ଯୋଡ଼ିଏ ଉଡ଼ିଆସି ଗ୍ଲାସ୍‍ ଚାରିପାଖେ ଘେରାଟିଏ ମାରି ଉଡ଼ିଯାଉଥିଲେ ସେହି କ୍ୟାଲେଣ୍ଡର୍‍ ଫଟୋ ଆଡ଼େ । ଚାରୋଟି ଆକି ଚାହିଁ ରହିଥିଲେ ସେଆଡ଼େ । ଦୁଇଟି ଅଧରରେ ସ୍ମିତ ହସରଧାର କ୍ଷଣକ ପାଇଁ ଭାସିଉଠି ଲିଭିଗଲା ।

 

ଉଠିଆସିଲା ବେଳେ ନବୀନ ଅନୁଭବ କରିଥିଲା ଯେମିତି ତା’ର ସର୍ବାଙ୍ଗ ଥରିଉଠୁଛି, ପାଟି ଅଠା ଅଠା, ତାଳୁ ଶୁଖିଯାଉଛି ।

 

ସମ୍ପର୍କ ନିବିଡ଼ରୁ ନିବିଡ଼ତର ହେବାକୁ ଲାଗିଲା ସେହିଦିନୁ । ପଢ଼ା ବି ସରିଲା । ଦୁଇଟି ମନ ଚାହୁଁଥିଲା ଯାହା ସମ୍ଭବ ହେଲାନାହିଁ । ଦୂରେଇ ଗଲେ ।

 

ସମ୍ପର୍କ ରହିଲା ଚିଠି ପତ୍ରରେ । ଥରେ, ବୋଧହୁଏ ସେଇଟା ତାଙ୍କର ଶେଷ ଚିଠି । ସେଥିରେ ସେ ଜଣାଇ ଥିଲେ ତାଙ୍କର ଚାକିରି ସ୍ଥିରହୋଇଛି । ଶେଷଧାଡ଼ି–କ୍ଷମାଦେବେ, ବିରକ୍ତ ହେବେ ନାହିଁ ।

 

ଅତୀତର ସ୍ମୃତି ଖାଲି ଝୁରିହେବା ପାଇଁ, ତା’ର ପ୍ରତିଦାନ; ବେଦନାର ଚେନାଏ ଝଲକ ।

 

ନବୀନ ପୁଣି ଚାହିଁଲା ରାସ୍ତାକୁ । ଲୋକ ଗହଳି ଭାଙ୍ଗିଗଲାଣି । ସେ ଉଠିଲା ଚେୟାରରୁ-

 

ଆଠ

 

ରେଳ ଷ୍ଟେସନ୍‍ର ତୃତୀୟ ଶ୍ରେଣୀ ବିଶ୍ରାମାଗାର । ଚିନାବାଦାମ ଚୋପା, ବିସ୍କୁଟ୍‍ ଖୋଳ କାଗଜ, ଖଣ୍ଡିଆବିଡ଼ି, ସିଗାରେଟ୍, ମକାଭଣ୍ଡି, ଆଖୁଛଦା, ଏମିତି ଅନେକ ଆବର୍ଜନା ଏଠି ସେଠି ପଡ଼ିଛି । ଜୋତା ପାଲିସ୍ କରୁଥିବା ଟୋକାଟା ଯାତ୍ରୀମାନଙ୍କ ଗୋଡ଼ର ଜୋତାକୁ ଲକ୍ଷ୍ୟ କରୁ କରୁ ଗୀତ ପଦେ ଗାଇ ଦେଇଛି–ଝୁମୁକା ଟିକିଏ ତୁତ ବଜେଇ ଦେ....

 

ଆଲୋ, ତୁତ ମୋର ପରୀ...ଇତ୍ୟାଦି । ସାମ୍ନାପଟରେ ଚାଲିଯାଉଥିଲା ଛାତ୍ରୀ ଜଣକ ତା’ଆଡ଼େ କଟମଟ କରି ଚାହିଁ ମୁହଁ ଫେରେଇ ନେଇଛି । ଅପେକ୍ଷା କରିଥିବା ଲୋକମାନେ ଏଠି ସେଠି ବସିଛନ୍ତି । ଥୋକେ ତାସ୍‍ ଖେଳରେ ମାତିଛନ୍ତି । ଦି’ଜଣ ଠିଆ ହୋଇ ଖବରକାଗଜ ପଢ଼ୁଛନ୍ତ । କୁଲି ଚାରିଜଣ ଏପାଖ ସେପାଖ ଟହଲ ମାରୁଛନ୍ତି । କେଟ୍‍ଲିଟା ହାତରେ ଧରି ଚା’ ବାଲା ଡାକି ଯାଉଚି–ଚାଏ.. ଗ୍ରେଏଏମ୍, ଗ୍ରେମ୍‍ ଚାଏ ।

 

ଯୋଗିଆ ଧୋତି କାମିଜ୍‍ ପିନ୍ଧି କାନ୍ଧରେ ବ୍ୟାଗଟି ଝୁଲେଇ ସିମେଣ୍ଟ ବେଞ୍ଚର ଗୋଟିଏ କଡ଼ରେ ବସିଛି । ଅପେକ୍ଷା କରିଛି ଗାଡ଼ିଆସିବ ।

 

ଦିନ ଗଡ଼ିଚାଲିଛିୟ । ୟା ଭିତରେ ଚାଲିଗଲାଣି ପାଖାପାଖି ବର୍ଷ ଗୋଟିଏ । ଯୋଗିଆ ତା’ ଜମି ଚାଷ କରିଛି, ଅନ୍ୟମାନଙ୍କ ଜମିରେ ଭାଗିଦାରୀ ହୋଇ କାମ କରିଛି, ଫୁରୁସତ୍‍ ପାଇଲେ ମୂଲ ଲାଗିଛି, ଯାହା ରୋଜଗାର କରିଛି, ଟାଣଟୁଣ ନାହିଁ । ଏକରକମ ଚଳି ପାରୁଛି । ୟା ଭିତରେ ମୋକଦ୍ଦମାର ବାଇଦା ପଡ଼ିଛି ଦି’ଥର । ନିଜେ ଯାଇଛି, ସାକ୍ଷୀ ବି ଯାଇଛନ୍ତି, ବୟାନ ଦେଇଛନ୍ତି । ଜାଣିବା ଶୁଣିବା ଲୋକେ କହନ୍ତି ଏଥିରେ ତା’ର ଡିକ୍ରୀ ହବ । ମନରେ ଅନେକ ଆଶାର ଢେଉ ଭାଙ୍ଗୁଛି । ନବୀନ ସହତ ଚିଠିପତ୍ର କାରବାର ବରାବର ହୁଏ । ଆଠଦିନ ତଳେ ନବୀନ ଘରପାଖକୁ ଯାଇଥିଲା, ଯୋଗିଆ ଯାଉଛି ଆଜି ତା’ ପାଖକୁ । କାନ୍ଧରେ ପଡ଼ିଥିଲା ବ୍ୟାଗରେ ଅଧକିଲୋ ଚୁଡ଼ା, କିଛି ଚିନି, ଖଣ୍ଡେ ଳୁଗା, ଖଣ୍ଡେ ଗାମୁଛା ଆଉଟଙ୍କା କେତୋଟି ।

 

ଯୋଗିଆ ଟିକେଟ୍‍ କିଣି ସାରିଛି । ଅପେକ୍ଷାରେ ଅଛି । ଘଣ୍ଟି ବାଜିବ ଗାଡ଼ିଆସିବ । ବାରମ୍ବାର ଚାହୁଁଛି ପ୍ଲାଟ୍‍ଫର୍ମ ଆଡ଼େ । ଏତିକିବେଳେ ଯୁମତୀ ଜଣେ ତା’ ଆଗଦେଇ ଚାଲିଗଲା । ତାକୁ ତାଳୁରୁ ତିଳପାଯାଏ ଚାହିଁଗଲା ଯୋଗିଆ । ସେ ଚାଲିଯାଉଛି ତା’ ମନରେ “ହେନା”ର ଭ୍ରମ ସୃଷ୍ଟିକରି । ଠିକ୍‍ ସେଇରୂପ, ସେଇଚାଲି “ହେନା” ଆଉ ଆଗରସେହି ଯୁବତୀ ଭିତରେ ଯେମିତି କିଛି ତଫାତ୍‍ ସେ ଦେଖିପାରୁ ନଥିଲା । ମନ ତା’ର ବିଳପି ଉଠିଲା । ଆଖିଆଗରେ ଭାସିଗଲା ହେନାର ସେ ଗାଁମୁଣ୍ଡ ପୋଖରୀରୁ କଢ଼ା ଯାଇଥିବା, ଫୁଲିଲା ଶବ ।

 

କଳଙ୍କର ବୋଝ ସମ୍ଭାଳି ପାରିବ ନାହିଁ ବୋଲି ହେନା ଆତ୍ମହତ୍ୟ କଲା । ଲୋକେ କହିଲେ–ପାପ ଗର୍ଭ । ଚାଲିଗଲା ସେ ତା’ ବାଟରେ । ତା’ର ମରଣ ପାଇଁ ନିଜକୁ କେତେ ବାର ଦାୟୀ କହିଛି ଯୋଗିଆ । ହେନାକୁ ବିବାହ ଦେଇ ପାରିଲା ନାହିଁ । ସାମାଜିକ ରୀତିରେ ଝିଅଟିକୁ ବାହା କରିବାର ଖର୍ଚ୍ଚ ସେ ତୁଲାଇବାକୁ ଅକ୍ଷମ ଥିଲା । ନିଜକୁ ବାରମ୍ବାର ଧିକ୍କାରେ ସେଥିପାଇଁ, ହେଲେ ନାରୀ ସେ, ମାତୃତ୍ୱ ପାଇଁ ଅନ୍ତର ତା’ର ଚିତ୍କାର କରି ଉଠିଥିବ, ହୁଏତ ସେଥିପାଇଁ ଗୋପନରେ କାହାର ବାହୁ ବନ୍ଧନରେ ନିଜକୁ ଭୁଲି କଳଙ୍କର ବୋଝ ବୋହି ନପାରି ବାଛି ନେଇଥିବ ଆତ୍ମହତ୍ୟାର ବାଟ । କିନ୍ତୁ କାହିଁକ ? ସେ କାହିଁକି କଳଙ୍କିନୀ ? କ’ଣ ପାଇଁ ସମାଜର ଲୋକେ ତାକୁ ବାଛନ୍ଦ କରିବେ ? ସେ କାହିଁକ ଅପରାଧିନୀ ।

ଏମିତ ଅନ୍ୟମନସ୍କ ଭାବେ ଭାବୁଥିବା ବେଳେ ଘଣ୍ଟି ବାଜି ଉଠିଲା । ଲୋକେ ଉଠିଲେ-। ସେ ଉଠିଲା, ଗାଡ଼ି ଚଢ଼ିବ ।

ଲୋକାଲ ଟ୍ରେନ୍‍ର ଭିଡ଼ଠେଲି ଭିତରକୁ ପଶିଯାଇ ଶୁଣିଲା–ପକେଟ୍‍ମାର୍‍ । ଭିଡ଼ ଭିତରୁ ଉହୁଙ୍କି ଚାହିଁଲା । ଦେଖିଲା ଜଣେ ତରୁଣ ହାତ ମୁଠା ଭିତରେ ଜଣେ ଯୁବତୀର ହାତ । ଯୁବତୀ ହାତ ମୁଠା ଭିତରେ ମନିପର୍ସଟିଏ । ପାଖ ଲୋକ ଚିତ୍କାର କରି ଉଠୁଥ‌ିଲେ–ପୁଲିସ୍‍, ପୁଲିସ୍‍କୁ ଦିଅ ଏ ଚୋରଣୀ କି ।

ଏତିକିବେଳେ ସାମ୍ନା ସିଟ୍‍ରୁ ଭିଡ଼ ଠେଲି ଆଉଜଣେ ଯୁବତୀ ଆଗେଇ ଅସିଲା । ବିଶ୍ଵାସ କରିପାରିଲା ନାହିଁ ସେ ନିଜ ଆଖିକୁ । ଏ କ’ଣ ସେହି ନିଳୀମା? ନିଳୀମା ଥିଲା ତା’ର ପଢ଼ାସାଥୀ । ଦସମ ଶ୍ରେଣୀ ବାର୍ଷିକ ପରୀକ୍ଷା ପରେ ବିଭାଘର ହୋଇଯାଇଥିଲା ତା’ର । ସେ ତା’ ସ୍ୱାମୀ ସାଙ୍ଗରେ ଚାଲି ଯାଇଥିଲା ଶିଳ୍ପ ସହର ଅହମଦାବାଦକୁ । ଏହା ଭିତରେ ଗଡ଼ି ଗଲାଣି କେତୋଟି ବର୍ଷ । ସେ କିନ୍ତୁ ନଳୀମାକୁ ମନରୁ ଭୁଲିପାରି ନାହିଁ । ବେଳେ ବେଳେ ତା’ କଥା ମନେପଡ଼େ । କ୍ଲାସ୍‍ ପିଲା କହନ୍ତି ନିଳୀମା “ରୂପ ରାଇଜର ରାଣୀ” । ସେ ଦୁହେଁ ଥିଲେ ଏକାନ୍ତ ଅନ୍ତରଙ୍ଗ ।

ମାଳିନୀ ଆଗେଇ ଆସି ଠିଆ ହୋଇଗଲା ନିଳୀମାର ଆଗରେ । ଚାହିଁଛି ତା’ ଆଡ଼େ । ଭାବୁଛି କି ପରିସ୍ଥିତିରେ ପଡ଼ି ନିଳୀମା ଏତେ ତଳକୁ ଖସିଗଲା ? ମନ ଭିତରେ ଖାଲି ପ୍ରଶ୍ନ ଆଉ ପ୍ରଶ୍ନ । ସେ ଭୁଲି ଯାଇଛି ଯେ ତା’ ଭାଇ ବିଜୟ ପାଇଖାନାରୁ ଫେରିବା ବାଟରେ ଭିଡ଼ ଭିତରେ ନଳୀମା କରିଛି ପକେଟ୍‍ ମାର୍‍ । ନିଳୀମା ଚୋରଣୀ । ଚାରିଆଡ଼ୁ ଚତ୍କାର ଉଠୁଛି–ଚୋରଣୀକୁ ପୁଲସରେ ଦିଅ ।

ନିଳୀମାର ଦୃଷ୍ଟି ପଡ଼ିଗଲା ମାଳିନୀ ଉପରେ । ଦୁହେଁ ଦୁହିଁଙ୍କୁ ଚାହିଁ ରହିଛନ୍ତି, କାହାରି ମୁହଁରେ ଭାଷାନାହିଁ । ନିଳୀମାର ସର୍ବାଙ୍ଗ ଯେପରି କମ୍ପିଉଠିଲା, ତ୍ରସ୍ତା ହରିଣୀ ପରି ଚାହିଁ ରହିଛି କେବଳ । ହାତ ମୁଠା ଶିଥିଳ ହୋଇଯାଇଛି ତା’ ଅଜଣାରେ । ଆଖି କୋଣରେ ଅମାନିଆ ଅଶ୍ରୁ ଛଳ ଛଳ ହୋଇ ଉଠିଛି ।

ସେହି ଅଶ୍ରୁର ଅନ୍ତରାଳରେ ପ୍ରତିବିମ୍ବିତ ହେଉଛି ତା’ର ଗଲା ଦିନର ଜୀବନ କାହାଣୀ, ଯେଉଁ କାହାଣୀର ଆରମ୍ଭ କେମିତି ସେ କିଛି ବୁଝି ପାରିନାହିଁ । ଯାହାବା ବୁଝିଛି, ତା’ର ପ୍ରତିଶୋଧ; ପ୍ରବଳ ପରିସ୍ଥିତି ସୁଅରେ ଶୁଖିଲା ପତ୍ର ପରି ଭାସି ଯାଇଛି । ସୁଖମୟ ଜୀବନର ଆଶା ନେଇ ସ୍ୱାମୀ ସାଙ୍ଗରେ ସେ ଛାଡ଼ିଥିଲା ଘର । ବିଦେଶରେ ସେ ହେଲା ସ୍ଵାମୀ ହରା । ତା’ପରେ ସାଜିଛି ବେଶ୍ୟା, ପୁଣି ହୋଇଛି ଡକାୟତ ରହେମତ୍‍ ଖାଁର ବିବି, ଆଜି ପୁଣି ଚୋରଣୀ । କାହିଁକି ? କାହିଁକି ତାକୁ ଏମିତ ହେବାକୁ ପଡ଼ିଛି ? କିଏ ଦବ ତା’ର ଉତ୍ତର ? ଆଗରେ ମାଳିନୀ, ପିଲା ଦିନର ପଢ଼ାସାଥୀ, ଅନ୍ତରଙ୍ଗ, ତାଆରି ଆଗରେ ସେ ଚୋରଣୀ, ଧରା ପଡ଼ିଛି । ବୁକୁ ତା’ର ଯେମିତ ଫାଟି ଯିବ ।

ମାଳିନୀକୁ ଦେଖି ବିଜୟ ଡାକିଲା–ଅପା !

ଛାଡ଼ିଦେ ବିଜୟ । କଣ୍ଠ ଥରି ଉଠୁଥିଲା ମାଳିନୀର । ନିଳୀମାର ଶିଥିଳ ହାତ ଭିତରୁ ବିଜୟ ମନିପର୍ସଟା କାଢ଼ିନେଇ ସାରିଥିଲା । ହାତ ଛାଡ଼ିଦେବା ସଙ୍ଗେ ସଙ୍ଗେ ନିଳୀମା ଧରିନେଲା ତା’ ହାତକୁ ।

ନିଳୀମା !!! ତା’ର ସେଇ ସକରୁଣ ଡାକ ତଳେ ସମବେଦନାର ମଧୁର ସ୍ପର୍ଶ ଯେମିତି ନିଳୀମାର ସର୍ବାଙ୍ଗ ଆହୁରି ଥରାଇ ଦେଲା ।

ଏ କ’ଣ ? ଚୋରଣୀ କି ପୁଲିସରେ ଦିଅ, ପୁଲିସ୍‍ ପୁଲସ୍‍ ଏ ଚିତ୍କାର ଆହୁରି ପ୍ରବଳ ହେବାକୁ ଲାଗିଲା । ମାଳିନୀ ତା’ର ଭାବ ରାଜ୍ୟରୁ ଫେରିଆସିଲା, ଦୃଢ଼ ସ୍ୱରରେ ଜବାବ ଦେଲା—ନିଶ୍ଚୟ, ନିଶ୍ଚୟ ଏ ଚୋରଣୀକୁ ପୁଲିସରେ ଦେବି । କେହି ଜଣେ ପ୍ରତିବାଦ ସ୍ୱରରେ କହିଲା–ତୁମର ୟା ସାଙ୍ଗରେ ଗୁପ୍ତ ସମ୍ପର୍କ ଅଛି, ନହେଲେ ପୁଲସରେ ଦଉନା କାହିଁକି ? ଦେବି, ଦେବି କ’ଣ-? ଦେବୀ ତ ଆଶ୍ଵିନ ମାସରେ ।

–ଥୟ ଧରନ୍ତୁ । ମୁଁ ତାକୁ ପୁଲିସରେ ଦେବି କି ନାହିଁ ଆପଣ କେମିତି ଜାଣିଲେ ?

ଟ୍ରେନ୍‍ ଛାଡ଼ି ଦେଲା । ଆଉଜଣେ କହିଲା ଟାଣ ଚେନ୍‍, ଡାକ ପୁଲିସ୍ । ଆରେ, ଏଠି ଗୋଟା ତାମସା ଲାଗିଚି ? ଏ କଥାକୁ ସମର୍ଥନ କରି ବିଜୟ କହିଲା—ଅପା, ସେ ଠିକ୍‍ କହୁଚନ୍ତି । ମୁଁ ଚେନ୍‍ ଟାଣିବି ।

–ମୁଁ କହୁଚି ତାକୁ ପୁଲିସରେ ଦେବି । ଅପେକ୍ଷା କର । ସେତିକି ବେଳେ ଗୁଞ୍ଜରଣ ଶୁଣା ଯାଉଥିଲା–ଭାରି ଅଣ୍ଡିରାଚଣ୍ଡୀ ଅଛି ଏ ।

ଟ୍ରେନ୍‍ ଚାଲିଲା । ଏ ନାଟକୀୟ ଘଟଣା ସହଯାତ୍ରୀଙ୍କ ମନରେ ଖେଳାଇ ଦେଇଥିଲା ଅନେକ କୌତୂହଳ ।

 

ନଅ

 

ପାଞ୍ଚଟି ଷ୍ଟେସନ୍‍ ପରେ ଯୋଗିଆ ଓହ୍ଲାଇ ଗଲା । ଗେଟରେ ଟିକେଟ୍‍ ଦେଇ ଫାଟକ ଆରପାଖକୁ ଯାଇ ପୁଣିଥରେ ଗାଡ଼ି ଆଡ଼କୁ ଚାହିଁଲା । ଦେଖିଲା ସେ ଯୁବତୀ ଦି’ଜଣ ଗାଡ଼ିରୁ ଓହ୍ଲେଇ ଠିଆ ହୋଇଛନ୍ତି । ସେ ତରୁଣ ଜଣକ କେମିତି ବିରକ୍ତ ଭାବ ଦେଖାଇ ଚାଲି ଆସିବାକୁ ଆଗଭର ହେଉଛି । ଯୋଗିଆ ଭାବିଲା–ବୋଧହୁଏ ସେ ଚୋରଣୀକୁ ଆର ଜଣକ ସାଙ୍ଗରେ ଆଣିବାକୁ ଚାହୁଁଛି ? ହୁଏତ ତା’ର ଟିକେଟ୍‍ ନଥିବା ଯୋଗୁ ଭାବିଚିନ୍ତି କିଛି ବ୍ୟବସ୍ଥା କରି ଆସିବାକୁ ଅପେକ୍ଷା କରିଛନ୍ତି । ଯୋଗିଆର ମନେପଡ଼େ, ଏମିତି କିଛି ଅସୁବିଧା ହେଲେ ନିରୋଳିଆ ହୋଇଗଲେ ଗେଟରେ ଥିବା ବାବୁଙ୍କ ହାତରେ କିଛି ଧରାଇ ଦେଲେ କାମ ଚଳିଯାଏ । ସେ ଏମିତି କେତେଥର କରିଛି ।

 

ଯୋଗିଆ ଉଠି ଆସିଲା ଫୁଟ୍‍ପାଥ୍‍ ଉପରକୁ । କାହିଁକି କେଜାଣି ପାଦ ଆଗକୁ ବଢ଼ିଲା ନାହିଁ । ସେଇଠି ଗୋଟିଏ କଡ଼କୁ ଠିଆହୋଇ ୟାଡ଼ୁକୁ ସ୍ୟାଡ଼ୁକୁ ଅନଉ ଥାଏ । ଯାଉଥିବା ଗାଡ଼ି ମଟରକୁ ଚାହିଁ ଆଖି ଫେରାଇ ଆଣି ପୁଣି ଚାହେଁ ପଛକୁ, ପ୍ଲାଟଫର୍ମ ଆଡ଼କୁ ସେମାନେ ଆସନ୍ତେ କି-! ମନ ତା’ର ଚାହୁଁଥାଏ ସେଇ ଚୋରଣୀକୁ ମନ ପୂରେଇ ଦେଖନ୍ତା । ତା’ ରୂପର କୁହୁକ ଭିତରେ ନିଜକୁ ବୁଡ଼ାଇ ଦେଇ ଭାବେ ପଚାରି ବସନ୍ତା ସେ କାହିଁକି ସେ ଚୋରୀ କରୁଚି ।

 

କେତେବେଳ ଯାଏ ସେ ସେଠି ସେମିତି ଠିଆହୋଇ ରହିଲା ଜାଣେନା । ଯେତେବେଳେ ସେ ତିନିଜଣ ରାସ୍ତା ଉପରକୁ ଉଠି ଆସିଲେ ଯୋଗିଆ ଚାହିଁ ରହିଲା ସେଇ ଚୋରଣୀ ଆଡ଼କୁ । ପାଖେଇ ଆସିବାରୁ ପକେଟରୁ ନବୀନର ଠିକଣାଥିବା କାଗଜ ଖଣ୍ଡେ କାଢ଼ି ପାଖ ଦେଇ ଅତିକ୍ରମ କରି ଯିବାକୁ ବିଜୟ ଆଡ଼କୁ ବଢ଼ାଇ ଦେଇ କହିଲା–ବାବୁ, ଏଇ ଜାଗା କୋଉଠି, କଉଁବାଟେ ଯିବାକୁ ହବ ? ବିଜୟ କାଗଜଟାକୁ ନେଇ ପଢ଼ୁ ପଢ଼ୁ ପଛରେ ଥିବା ମାଳିନୀର ଆଖି ତା’ ଉପରେ ପଡ଼ିଲା । ସେ କାଗଜଟାକୁ ଚାହିଁ ଥରେ ଯୋଗିଆ ଆଡ଼କୁ ଚାହିଁଲା । ବିଜୟ କିଛି ଉୂତ୍ତର ଦେବା ପୂର୍ବରୁ ମାଳିନୀ କହିଲା ତୁମେ ନବୀନ ବାବୁଙ୍କର କ’ଣ ହୁଅ ?

 

ନାଇଁ ଏକା ଗାଁରେ ଘର ।

 

କାହିଁକି ତାଙ୍କ ପାଖୁ ଯାଉଚ ?

 

କାମ ଅଛି । ଆପଣ କ’ଣ ନବୀନକୁ ଜାଣନ୍ତି ?

 

ଏମିତି ପ୍ରଶ୍ନରେ ମାଳିନୀ ନିଜକୁ ଅପ୍ରତିଭ ମନେକଲା । ସେ ନିଜେ ମଧ୍ୟ ରାସ୍ତା ଜାଣେନା । କଥାଟାକୁ ଏମିତି ଆଗେଇ ନେବା ଉଚିତ ନଥିଲା । ଘରୁ ବାହାରିଲା ବେଳେ କେମିତି ତା’ର ମନେହେଉଥିଲା ନବୀନ ବାବୁଙ୍କ ସାଙ୍ଗରେ ଥରେ ଦେଖା ହୁଅନ୍ତାକି ? ହୁଏତ ସେଇ ଆବେଗରେ ସେ ଫାଙ୍କିଦେଇ ପାରି ନଥିଲା ନିଜକୁ ।

 

ମାଳିନୀର ମାମୁ ବାରିକ ମିସ୍ତ୍ରୀ ବିଭାଗର ଓଭର୍‍ସିଅର୍ । ମାସେ ହେଲା ବଦଳି ହୋଇ ଆସିଛନ୍ତି ଏ ସହରକୁ । ମାମୁ ଝିଅ ଭଉଣୀ, ମାମୁ ପୁଅ ଭାଇ ଯାଇଥିଲେ ତାଙ୍କ ଘରକୁ ଦୁଇ ଦିନ ତଳେ । କହି ଆସିଥିଲେ ଆସିବାକୁ । ମାମୁ ତା’ର ଏ ସହରକୁ ବଦଳି ହୋଇ ଆସିବା ଖବର ପାଇବା ଦିନଠାରୁ ସେ କେମିତି ମନେକରି ଆସିଛି ହୁଏତ ମାମୁଘରେ କିଛିଦିନ ରହନ୍ତା, ସୁବିଧା ସୁଯୋଗ ଆସିଲେ ନବୀନ ବାବୁଙ୍କ ସାଙ୍ଗରେ ସାକ୍ଷାତ କରନ୍ତା । ପତ୍ରିକାରେ ପ୍ରକାଶିତ ସେହି ଲେଖା, ପରେ ତାଙ୍କ ଚିଠିଗୁଡ଼ିକ ମାନିଳୀ ମନରେ ବିଶେଷ ପ୍ରଭାବ ପକାଇଛି । ତା’ର ମନେହୁଏ ସେ ଜଣେ ବୟସ୍କ ଲୋକ ହୋଇଥିବେ । ତେବେ ମାମୁଘରେ ପହଞ୍ଚିଲେ ଧୀରେ ଧୀରେ ତଥ୍ୟ ମିଳିଯିବ ।

 

ଠିକ୍‌ ସେତିକି ବେଳେ ଗୋଟାଏ ଅଟୋରିକ୍ସା ଲାଉଡ୍‍ସ୍ପିକରରେ ପ୍ରଚାର କରି କରି ଆସୁଥିଲା—ଆଉ ମାତ୍ର ଅଧ ଘଣ୍ଟା ପରେ ଆପଣମାନେ ପାର୍କଠାରେ ନବୀନ ବାବୁଙ୍କର ଭାଷଣ ଶୁଣି ପାରିବେ । ବହୁ ସଂଖ୍ୟାରେ ଯୋଗ ଦିଅନ୍ତୁ । ‘‘ଆଜିର ଦୁନିଆ’’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ନବୀନ ବାବୁ ।

 

ସେଆଡ଼କୁ ଚାହିଁରହିଲା ଯୋଗିଆ । ପଛଆଡ଼ୁ ନବୀନ ରିକ୍ସାରେ ବସି ଆସୁଥିଲା । ଲକ୍ଷ୍ୟ କରୁଥିଲା ଯୋଗିଆକୁ ଦୂରରୁ ଥାଇ । ତା’ର ମନେ ହେଉଥିଲା ବୋଧହୁଏ ତା’ରି ଠିକଣାରେ ପହଞ୍ଚିବାକୁ ରାସ୍ତା ପଚାରୁଥିଲା ସେମାନଙ୍କୁ । ରିକ୍ସା ପାଖେଇ ଆସିବାରୁ ଦୃଷ୍ଟି ତା’ର ପଡ଼ିଲା ମାଳିନୀ ଓ ନିଳୀମା ଉପରେ । ନିଳୀମା ଉପରେ ଆଖି ପଡ଼ୁ ପଡ଼ୁ ମନେପଡ଼ିଗଲା ଅତୀତର ଗୋଟିଏ ରାତ୍ରୀ । ସେହି ସ୍ମରଣୀୟ ରାତ୍ରୀଟିର ପ୍ରଭାବ ତା’ ଜୀବନର ଗତି ଧାରାକୁ ଯେ ବହୁ ପରିମାଣରେ ପ୍ରଭାବିତ କରିଛି ଏ କଥା ଅସ୍ୱୀକାର କରିବାର ଉପାୟ ନଥିଲା ତା’ର । ସ୍ମୃତିର କେଉଁ କୋଣରୁ ଝଂକୃତ ହୋଇ ଉଠିଲା—ମେରୀ ନାଓଁ ଇମୃଦ ଯହାଁ ସୁଲ୍‍ତାନା ହୈଁ । ହିନ୍ଦୁ ହୋ ୟା ମୁସଲମାନ, ବଉଦ ହୋ ୟା ଇସାଇ ସବ୍‌-ଲୋଗ ମେରେ ୟହାଁ ଆତେହୈଁ, ମେରୀ ୟେ ବିସ୍ତରା ପର୍‌ ଲେଟ୍‌ ଜାତେ ହୈ ବାବୁ ! ସଚ୍‍ମୁଚ୍‍ ମୁଝେ ପ୍ୟାର୍‍ କରତେ ୟା ନହିଁ ମୁଝେ କ୍ୟା ମାଲୁମ୍‌ ? ତବ୍‌ଭୀ ୟେ ତନ୍‌ ସବ୍‌ ଧରମକା ତୀରଥ୍‌ ହୈ ବାବୁ, ସୋଚିଏ, ବଚନେକେ ଲିଏ ସିର୍‌ଫ୍‌ ପୈସାହି ଚାହିଏ । ସିର୍‌ଫ୍‍ ପୈସେକେ ଲିଏ ୟେ ତନକୋ ସବ୍‌ ଧରମକା ତୀରଥ୍‌ ବନା ରଖି ହୁଁ ।

 

ଅଟୋରିକ୍ସା ଚାଲିଗଲା । ଯୋଗିଆ ଫେରି ଚାହିଲା ସେମାନେ ଯାଇ ନାହାନ୍ତି । ସେଇ ଯେଉଁ ଝିଅଟି ତାକୁ ପଚାରୁଥିଲା ସେ କେମିତି ଅନ୍ୟମନସ୍କା ହୋଇ ଉଠିଛି ।

 

ଏତିକିବେଳେ ରିକ୍ସା ଆସି ପାଖରେ ଅଟକିଲା । ଯୋଗିଆ ଚାହିଁଦେଲା ରିକ୍ସାରେ ନବୀନ । ତାକୁ ଦେଖି କହିଲା—ତମୁକୁ ନବାକୁ ଆସିଚି ଯୋଗି ଭାଇ, ଆସ । ହାତଯୋଡ଼ି ବସିଥିବା ସେହି ଟ୍ରାଉଜର୍‌ ପଞ୍ଜାବି ପିନ୍ଧା ଯୁବକ ଯେ ନବୀନ ଏ ପ୍ରଶ୍ନ ଲହଡ଼ି ଭାଙ୍ଗୁଥିଲା ମାଳିନୀର ମନରେ । ଚାହିଁ ରହିଥିଲା ସେ ନବୀନ ଆଡ଼େ । ଯୋଗିଆ ଓହ୍ଲେଇ ଗଲା ରାସ୍ତା ଉପରକୁ । ନବୀନ ଚାହଁଲା ସେ ଯୁବତୀ ଦୁହିଙ୍କୁ ଆଉଥରେ । କେମିତି ପଚାରିବା ପଚାରିବା ଭାବ ଦେଖିଲା ମାଳିନୀ ମୁହଁରେ । ଏତିକିବେଳେ ଯୋଗିଆ କହିଲା—ତୁମେ ମୋତେ ନବାକୁ ଆସିବ ନବୀନ ବାବୁ, ମୁଁ ଜମା ଭାବି ନଥିଲି । ଏ କଥା ଶୁଣୁ ଶୁଣୁ ମାଳିନୀର ମୁଖମଣ୍ଡଳ କେମିତି ଉଜ୍ୱଳ ହୋଇ ଉଠିଲା । ଦୁଇ ହାତ ମୋଡ଼ି କହିଲା—ନମସ୍କାର ।

 

ପ୍ରତି ନମସ୍କାର ଜଣାଇ ନବୀନ ଆଗ୍ରହରେ ପଚାରିଲା—ଆପଣଙ୍କୁ ଜାଣିପାରିଲି ନାହିଁ ଯେ ।

 

—ମୁଁ ମାଳିନୀ ।

 

—ଆଚ୍ଛା ଆଚ୍ଛା, ଏମିତି ଅଚାନକ ଦେଖା ହବ.... ଚିଠିରୁ ତ ଆପଣଙ୍କୁ.... ଆଚ୍ଛା ।

 

ଏତିକିବେଳେ କାର୍‍ଟିଏ ଆସି ରିକ୍ସା ପଛରେ ଠିଆ ହେଲା । ଜଣେ ଭଦ୍ରଲୋକ ଓହ୍ଲେଇ ଆସି ନବୀନ ଆଗରେ ଠିଆ ହୋଇ କହିଲେ ଆପଣଙ୍କୁ ଆମେ ଖୋଜି ଖୋଜି ନୟାନ୍ତ ହେଲୁଣି । ବହୁତ ପରେ ଖବର ମିଳିଲା ରିକ୍ସାରେ ଆପଣ ଷ୍ଟେସନ୍‌ ଆସିଛନ୍ତି । ଆସନ୍ତୁ, ଆଉ ଅଧଘଣ୍ଟା ମାତ୍ର । ମିଟିଂ ପୂର୍ବରୁ ପ୍ରତିନିଧିମାନେ ଆପଣଙ୍କ ସାଙ୍ଗରେ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି-

 

ନବୀନର ସମସ୍ତ ଭାବନା ବାଧା ପାଇଲା । ସେ ନାଚାର ହୋଇ କହିଲା—ଆଚ୍ଛା ମାଳିନୀ ଭଉଣୀ, ପରେ ହୁଏତ..... । ଆସ ଯୋଗୀ ଭାଇ । ଯୋଗିଆ ଓ ନବୀନ କାର୍‌ ଭିତରେ ବସିଲେ ।

 

କାର୍‌ ଚାଳିଗଲା । ଫୁଟ୍‌ପାଥ୍‌ ଉପରେ କାର୍‌ ଅଦୃଶ୍ୟ ହେବା ଯାଏ ମାଳିନୀ ଆଉ ନିଳୀମା ଚାହିଁ ରହିଲେ । ବିଜୟ ବିରକ୍ତି ଭରା କଣ୍ଠରେ କହିଲା—ତୁ ଯିବୁକି ନାହିଁ କହିଲୁ ?

 

ମାଳିନୀ କହିଲା—ଏ ଚୋରଣୀକି ପୁଲିସରେ ଦେବି ପରା । ରହ । ଚଲ୍‌ ଟିକେ ଚା’ ଖାଇନବା । —ଅପା ତୋ ଚା’ ଖିଆ ଏତେ ବଳେଇ ଗଲା ? –ଚୁପ୍‌ ବେ, ମୁଁ ଚା’ ଖାଇଲେ ତୋର କ’ଣ ଗଲା ? ସାମ୍ନା ରେସ୍ତୋରାଁ ଆଡ଼େ ଚାଲିଲା ମାଳିନୀ, ପଛେ ପଛେ ନିଳୀମା ଆଉ ବିଜୟ । ରେସ୍ତୋରାଁରେ ‘‘ଲେଡିଜ୍‌’’ ଲେଖାଥିବା କ୍ୟାବିନ୍‌ଟି ଭିତରେ ବସିଲେ ମାଳିନୀ ଆଉ ନିଳୀମା ସାମନା ସାମନି । ବିଜୟକୁ ଭିତରକୁ ଡାକିଲା ମାଳିନୀ । କହିଲା—ମୁଁ ଭାବୁଛି ପାର୍କ ଦେଇ ଯିବି । ହୁଏତ ମିଟିଂ ପାଖରେ ଟିକେ ଡେରିକରି ପହଁଞ୍ଚିବି । ମୋର ଜଣେ ସାଙ୍ଗ ଅଛି, କହିବୁଟି ? ‘‘ହଉ’’ । କେମିତି ଦ୍ୱିଧା ଭାବରେ କହିଲା ବିଜୟ । ମାଳିନୀ ବୟକୁ ନିର୍ଦ୍ଦେଶ ଦେଲା ଜଳଖିଆ ପାଇଁ, ତିନିଜଣ ସେଇ କ୍ୟାବିନ୍‌ ଭିତରେ ଜଳଖିଆ ଖାଉଥିଲେ ।

 

—ତୋର ଏ କ’ଣ ହେଲା ନିଳୀମା ?

 

ଏ ଧନ୍ଦା କାହିଁକି ଧଇଲୁ ? ଉତ୍ତର ଦେବାକୁ ନିଳୀମାର ଭାଷା ନ ଥିଲା । କେମିତି ଭାବରେ ସେ କହିବ ତା’ ଜୀବନରେ ଘଟି ଯାଇଥିବା ଯାବତୀୟ ନାରକୀୟ ଘଟଣାର କାହାଣୀ ? କେବଳ ଆଖିରୁ ଦୁଇଧାର ବହି ଆସିଲା ମାଳିନୀ ପ୍ରଶ୍ନର ଉତ୍ତର ଦେବାକୁ ।

 

—ଛି କାନ୍ଦନା ନିଳୀମା । ଯଦି ପାରୁଛୁ କହ ।

 

—ବହୁତ କଥା ସେ ମାଳିନୀ । କାମ କରି ଏ ପୋଡ଼ାପେଟ ଚାଖଣ୍ଡକ ପୋଷି ପାରିବାର କିଛି ବାଟ ପାଇଲିନି ।

 

ନିଳୀମାର ଦରଦଭରା କଣ୍ଠର ଏଇ କେତେ ପଦ କଥାରୁ ମାଳିନୀ କ’ଣ ବୁଝିଲା କେଜାଣି କହିଲା—ଥାଉ ।

 

—ମୁଁ କରିବି କ’ଣ ? ମୋର ଆଗରେ ବାଟ କ’ଣ ଅଛି ? ପୁଲିସ, ଜେଲ୍‍ଖାନା, ଏସବୁକୁ ମୋର ଖାତିର ନାହିଁ । ତୋ ହାତରେ ଧରା ପଡ଼ିଚି, ସାଙ୍ଗରେ ଆଣିଚୁ । କାହିକଁ ତୋର ଏ ମାୟା ? ଶୁଣ୍‌ ମାଳିନୀ, ଥରେ ଧରା ପଡ଼ିଥିଲା । ପୋଲିସ୍‌ ହାତକଡ଼ା ପକେଇ ନେଲା । ଟଙ୍କା ଦେଇ ଖସିଲା । ଟଙ୍କା ଥିଲେ, ରୂପଥିଲେ ଜେଲ୍‌ ପର୍ଯ୍ୟନ୍ତ ଯାଇ ହବ ନାହିଁ । ଏ ସାମାନ୍ୟ ଚୋରୀରେ ମୁଁ ଧରାପଡ଼ି ନ ଥାନ୍ତି । ବିଜୟର ପକେଟରୁ ହାତ କାଢ଼ି ଆଣୁଥିଲା ବେଳେ ତୋ ଉପରେ ମୋ ଦୃଷ୍ଟି ପଡ଼ିଗଲା । ସାମାନ୍ୟ ଅନ୍ୟମନସ୍କ ହୋଇଗଲି । ଜନ୍ମମାଟି ଓଡ଼ିଶାକୁ ଏଇ ପ୍ରଥମଥର ମୋର ଆସିବ ।

 

—ଥାଉ ନିଳୀମା । ତୁ କ’ଣ ଚାହୁଁଚୁ କହିଲୁ ?

 

—କହି ସାରିଚିତ ।

 

—ଓ..... । ନିଳୀମା, ତୁ ଯଦି କାମକରି ପେଟ ପୋଷିବାର ସୁବିଧା ପାଆନ୍ତୁ..... ।

 

—ସେ ସୁଯୋଗ ମୋତେ ଦବ କିଏ ? ତୁ ମୋତେ ଅଟକାନା । ଯଦି ପାରୁଛୁ ପୁଲିସରେ ଦେ ।

 

କିଛି ସମୟ ନିରବରେ କଟିଲା । ଚା’ପିଆ ସରିଲା ପରେ ମାଳିନୀ କହିଲା, ‘‘ନିଳୀମା, ମୁଁ ପୁଲିସ୍‌ । ମୋ ହାତରେ ଧରା ପଡ଼ିଚୁ । ଯାହା ଦଣ୍ଡ ଦେବି..... ।’’

 

‘‘ମୁଣ୍ଡ ପାତି ସହିନେବି ।’’

 

—ଚାଲ୍‌ ମିଟିଂକୁ ଯିବା ।

 

ନିଳୀମାର ମନ ଭିତରେ ଜାଗି ଉଠିଲା ସେହି ରୂପଟି ସେହି ନବୀନ ବାବୁଙ୍କର । ଠିକ୍‌ ସେହି ରୂପ ସେହି କଣ୍ଠ ସ୍ୱର । ତାଙ୍କ ନାଁ କହିଥିଲେ ରାମଶଙ୍କର । ସୁଦୂର ସହରର ସେହି ବେଶ୍ୟାଳୟ ଭିତରେ ପଚାରି ବସିଥିଲେ ତାଆର ନାଁ, ଏ ବୃତ୍ତି କରୁଥିବାର କାରଣ । ନିଳୀମା ତା’ର ବାରନାରୀ ଜୀବନରେ ଏମିତି କାହାରିକୁ ଭେଟି ନଥିଲା, ଯିଏକି ଏମିତି ପ୍ରଶ୍ନ କରି ପାରନ୍ତି । ଅତି ମାତ୍ରାରେ ଉତ୍ସାହିତା ହୋଇ କହି ପକାଇଥିଲା—ମେରୀ ନାମ୍‌ ଇମୃଦ ଯହାଁ ସୁଲ୍‌ତାନା ହୈ । ଆପ୍‌ ଲୋଗ୍ ହିନ୍ଦୁ ହୈ.....ପୈସେକେ ଲିଏ ୟେ ତନ୍‌ କୋ ସବ୍‌ ଧରମକା ତୀରଥ ବନା ରଖିହୁଁ ।

 

ନୀରବରେ ପକେଟରୁ ଶହେ ଟଙ୍କା କାଢ଼ି ଥୋଇଦେଇ ଫେରି ଆସିଥିଲେ ସେଦିନ ରାମଶଙ୍କର ।

 

ଅତୀତର ସ୍ମୃତି ତାକୁ ଯେମିତି ବିଚଳିତ କରୁଥିଲା । ସେମିତି ଠିଆହୋଇ ରହିଲା ନିଳୀମା । —ଚାଲ୍‌ ନିଳୀମା, ଟାଇମ ହୋଇଯିବ । ନିଳୀମା ଚାହିଁ ରହିଲା ମାଳିନୀ ଆଡ଼େ ।

 

ଦଶ

 

ସେଦିନ ସେତିକି ବେଳେ ତେଣେ ବ୍ରହ୍ମାନନ୍ଦ ଚାଲିଛି ସାଇକେଲରେ, ମନେ ମନେ ନବୀନ ଉପରେ ରକ୍ତ ଚାଉଳ ଚୋବଉଛି । ଭାବୁଛି–ଏକୁଟିଆ ସାମନାରେ ପଡ଼ିଲେ ତା’ ରକ୍ତ ଚିତା ଘିନନ୍ତା । ଲୋକଙ୍କ ମନରେ ଗୋଟିଏ ନୂଆ ଚେତନା ଜଗେଇ ଦେଇଛି ସେ । ବୁଝି ନପାରୁଥିବା କଥାକୁ କି ସଜରେ ତାଙ୍କୁ ବୁଝେଇ ଦେଇଛି ଯେ ସାହୁ ମାହାଜନ ଆଉ ମାଲିକମାନଙ୍କୁ ତାଙ୍କର ଶତ୍ରୁ ବୋଲି ମନେ କରୁଛନ୍ତି ।

 

ବଡ଼ବୋଉର ସେଦିନର ଆଖି ଲୁହ, ଅତୀତର ସ୍ନେହ ସହାନୁଭୂତି, ମମତାର ମଧୁର ସ୍ମୃତି ସଙ୍ଗେ ଫେଣ୍ଟି ହୋଇ ମନକୁ ତା’ର ଏକାନ୍ତ ଭାବେ ଦୁର୍ବଳ କରି ପକାଇଥିଲା । ସେଇ କେତେଦିନ ମନକୁ ହାଲୁକା କରିବା ପାଇଁ ଚାଲି ଯାଇଥିଲା ସହରକୁ । କୌଣସି କଥାକୁ ଗୁରୁତ୍ୱ ଦେଇ ଭାବିବା ତା’ ପକ୍ଷେ ସମ୍ଭବ ହେଲା ନାହିଁ ।

 

ଘଟଣା ପରେ ଘଟଣା ଘଟିଗଲା । ସମବାୟ ବିଭାଗର ଅଡ଼ିଟର ଆସି ଅଡ଼ିଟ କରି ଖାତାପତ୍ର ସବୁ ସିଜ୍‌କରି ଚାଲିଗଲା । ସମିତିରୁ ଋଣ ନେଇ ନଥିବା ଲୋକଙ୍କ ନାଆଁରେ ଋଣ ଗଡ଼ିବା କଥା, ଦସ୍ତଖତ ଜାଲ୍‌ଥିବା କଥାକୁ ଗୁରୁତ୍ୱ ଦେଇ ସମିତିର କାମକୁ ବନ୍ଦ କରି ଦିଆଯାଇଛି । ଶୁଣା ଯାଉଛି, ଆତ୍ମସାତ ଅଭିଯୋଗରେ ମୋକଦ୍ଦମା ରୁଜୁ ହୋଇ ଗଲାଣି ବୋଲି ।

 

ଭାବନା ଲହରୀରେ ଭାସି ଭାସି ଚାଲିଛି ସେ । ମନେପଡ଼ିଲା ବଡ଼ବାପା ବେମାରରେ ପଡ଼ିଥିଲା ବେଳେ ସାଦା କାଗଜରେ ନେଇ ଯାଇଥିଲା ଟିପଚିହ୍ନ ଗୋଟାପଣ ଆପଣାର ହୋଇ । ତେଣେ ରେଜେଷ୍ଟ୍ରି ଖାନାରେ ହୋଇଥିବା ଦଲିଲରେ ଅନ୍ୟଜଣେ ବୁଢ଼ାକୁ ଟଙ୍କା କେତୁଟା ଦିଆଯାଇ ତା’ ଟିପଚିହ୍ନ ଆଉ ବଡ଼ବାପାଙ୍କର ନାଆଁକୁ ଲେଖାଇ ନିଆଯାଇଥିଲା ।

 

ଯୋଗିଆ ଯେଉଁ ମୋକଦ୍ଦମା କରିଛି ସେଥିରେ ସେଇ କଥା ଦର୍ଶାଯାଇଛି । ଦସ୍ତଖତ, ଟିପଚିହ୍ନ କୁଆଡ଼େ ଏକ୍‌ସ୍‌ପାର୍ଟିଂ ହବ । ସେଥିପାଇଁ ଯଥେଷ୍ଟ ପ୍ରମାଣ ପାଇଁ ବଡ଼ବାପାଙ୍କ ଟିପଚିହ୍ନ ଦସ୍ତଖତ ଥିବା କାଗଜପତ୍ର ଦାଖଲ ହୋଇଛି । ଏ ସବୁର ସନ୍ଧାନ କୁଆଡ଼େ ସେ ବଦମାସ ଶ୍ରୀକାନ୍ତ ଯୋଗାଇ ଦେଇଛି ନବୀନକୁ । ସାମାନ୍ୟ ଚାକିରି ଖଣ୍ଡେ କରି ଦିମାକ ତା’ର ଭାରି ବଢ଼ି ଯାଇଚି । ଏଥର ସମ୍ଭାଳୁ ତ ଦେଖି ! ରାଜନୀତି କାହାକୁ କହନ୍ତି ତାକୁ ବୁଝେଇ ଦବାକୁ ହବ ।

 

ବ୍ରହ୍ମାନନ୍ଦ ଜାଣେ ଏ ଯୁଗ ଟଙ୍କାର ଯୁଗ । ଟଙ୍କାଥିଲେ ଅସମ୍ଭବକୁ ସମ୍ଭବ କରିହୁଏ । ସେଥିପାଇଁ ତା’ ବାଟରେ ସେ ଚାଲିବ । ନୂଆକରି ହାତ ଦେଇଥିବା ଯୋଜନା ବିଷୟରେ ଭାବିବାକୁ ଲାଗିଲା । ଟଙ୍କା ରୋଜଗାରର ପ୍ରସସ୍ଥ ରାଜ ପଥରେ ମନ ରଥରେ ଚଢ଼ି ଆଶ୍ୱସ୍ତ ହୋଇ ଆଗେଇ ଗଲା ସେ ।

 

ଯୁବନେତା କହୁଛନ୍ତି ସବୁ କରିଦେବେ । ସରକାରଙ୍କର ଟଙ୍କା ଅଛି, ଯୋଜନା ଟଙ୍କା, ଚଳେଇ ନେଲେ ନିଜର ଲାଭ ଦେଶର ବି କାମ । ଅଏଲ୍‌ମିଲ୍‌, ଟ୍ରାକ୍ଟର । ହାତକୁ ଆସିଯାଉ । ଏଥିରୁ ଆସିବ ମୁନାଫା । ତା’ପରେ ନୂଆ ଇଣ୍ଡଷ୍ଟ୍ରି, ବଢ଼େଇ ପାରିଲେ ନିଶ୍ଚୟ ବଢ଼ିବ । ସବୁ ସମ୍ଭବ କେବଳ ବୁଦ୍ଧିଥିଲେ । ଇଣ୍ଡଷ୍ଟ୍ରିଜ୍‌, ଶିଳ୍ପ, ଶିଳ୍ପନେଇ ଦେଶର ଅଗ୍ରଗତି । ଶିଳ୍ପପତିମାନଙ୍କର ମୁନାଫା, ସେମାନଙ୍କର ପ୍ରତିପତ୍ତି ସାରା ଦେଶରେ, ନିୟନ୍ତ୍ରକ ସେମାନେ । ସରକାରର ସବୁ ନିୟମ ଶିଳ୍ପର ସୁରକ୍ଷା, ଶିଳ୍ପପତିର ସୁରକ୍ଷା । ସେ ହବ ଶିଳ୍ପପତି । ଦେଶରେ ନାଁ ଡାକ ହବ ।

 

ବ୍ରହ୍ମାନନ୍ଦ ଚାହିଁଥିଲା ଧନୀ ହେବାକୁ । ଦଶଖଣ୍ଡ ଗ୍ରାମରେ ଧନ ତା’ର ବେଶି ହୋଇଛି । ଜମି ବି ସମସ୍ତଙ୍କ ଠାରୁ ବେଶି । ସରପଞ୍ଚ, ପଞ୍ଚାୟତ ସମିତି ଚେୟାରମ୍ୟାନ୍‌ ପର୍ଯ୍ୟନ୍ତ କଥାରୁ ବାହାରି ଯାଆନ୍ତି ନାହିଁ । ଭୋଟବେଳେ ହାତ ପତାନ୍ତି, ସାହାଯ୍ୟ ଲୋଡ଼ନ୍ତି । ଯାହା କିଛି ସୁବିଧା ସୁଯୋଗ ଆସେ ପ୍ରଥମେ ପାଏ ସେ । ସବୁଜବିପ୍ଳବ ପାଇଁ ଆସେ ସାର, ପୋକମରା ଔଷଧ, ରିହାତି ହାରରେ କୃଷି ଯନ୍ତ୍ରପାତି । ତାଆରି ଜମିର ଏକର ଦି’ ଏକରରେ ମାଗଣା ସାର, ଔଷଧ ପଡ଼େ ପ୍ରତିବର୍ଷ । ବ୍ଲକ୍‍ ଜରିଆରେ କୂଅ ପୋଖରୀ ଖୋଳା କାମ, ରାସ୍ତା ମରାମତି, ତିଆରିର ଠିକା ତାକୁ ମିଳେ ଆଗ । ବେଳେ ବେଳେ କାଗଜପତ୍ରରେ କାମ ହୋଇଯାଏ । ସେଆଡ଼େ ସେଆଡ଼େ ପାସ୍‍ ହୋଇଯାଏ ବିଲ୍‌ । ଟଙ୍କା ଆସେ, ହାତକୁ, ବ୍ୟାଙ୍କ ବାଲାନ୍‌ସ ବଢ଼େ । ସଂସଦୀୟ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଭିତରେ ଏ ହଟଚମଟ ବିଦ୍ୟା ଜାଣିବା ପାଇଁ ଖଟିଖଆ, ଦିନ ରାତି ଖଟି ଖଟି କୋଉବାଟେ ତାଙ୍କ ଉତ୍ପାଦନର ବିପୁଳ ଅଂଶ ଚାଲିଯାଏ ଜାଣି ନ ପାରି ଅଦୃଶ୍ୟ ଭଗବାନଙ୍କ ଉପରେ ଦୋଷ ଢାଳିଦେଇ କର୍ମକୁ, ଭାଗ୍ୟକୁ ନିନ୍ଦୁଥିବା ଲୋକର ଫୁରୁସତ ନଥାଏ । ସେମିତି ଶିଳ୍ପକ୍ଷତ୍ର, ଆହୁରି ଆହୁରି ପ୍ରଶସ୍ତ, ଆହୁରି ଅନୁକୂଳ ।

 

ବ୍ରହ୍ମାନନ୍ଦ ଚାଲିଛି । ଆଖି ଆଗରେ ତା’ର ଶିଳ୍ପ, କାରଖାନା, ଶ୍ରମିକ, କଞ୍ଚାମାଲ୍‌, ମୁନାଫା, ଟଙ୍କା, ଟଙ୍କାର ପିରାମିଡ଼୍‍, ହାତ ମୁଠାରେ ଶାସନର ଡୋରି ।

 

ଭବିଷ୍ୟତ ଅନ୍ଧକାର, ଅତୀତ ହାତଛଡ଼ା, ବର୍ତ୍ତମାନ ସର୍ବସ୍ୱ ମଣିଷ ଭବିଷ୍ୟତ ସୁଖ ଆଶାରେ ସବୁକିଛି କରିବାକୁ ପ୍ରସ୍ତୁତ । ହେଲେ ଅତୀତର ଅନୁଭୂତି, ଭୁଲ୍‌ ଠିକ୍‌କୁ ତଉଲି ଅଭିଜ୍ଞତା କଷଟିରେ କଷି ଆଗକୁ ଚାଲିବାକୁ ତତ୍ପର ଏଇ ମଣିଷ ।

 

ଗ୍ଳାନି ରହିଯାଇଛି ମନରେ । ଧନିଆଁକୁ ହାତକଡ଼ା ପକେଇ ଗାଁ ଦାଣ୍ଡରେ ଚଲେଇ ନେଇ ପାରିନାହିଁ । ଗୋଟାଏ ମୁହୂର୍ତ୍ତର ଦୁର୍ବଳତା ପଛେଇ ଦେଇଛି ତାକୁ । ଅପେକ୍ଷା କରିଛି ଆଉ ଗୋଟାଏ ସୁଯୋଗକୁ । କାରଖାନା ଚାଲୁ, ଟ୍ରକ ଆସୁ, ତା’ପରେ ଭାବିଚିନ୍ତି କିଛି ଗୋଟାଏ ମିଥ୍ୟା ଅଭିଯୋଗକରି ତାକୁ ବେଡ଼ି ପିନ୍ଧାଇବାକୁ ହବ ।

 

ଏଗାର

 

ମାଳିନୀ ଆଖି ଆଗରେ ନାଚିଉଠେ ଗୋଟିଏ ରୂପ । ସ୍ମୃତିର କେଉଁ ଅଜଣା କୋଣରେ ରହି ଯାଇଛି, ଦୂରେଇ ଦେବାର ସବୁ ଚେଷ୍ଟା ତା’ର ବିଫଳ ହୋଇଛି । ଗୋଟାଏ ଆବେଗରେ ନିଜକୁ ଫାଙ୍କି ଦେବାର ଗୋଟାଏ ଅଜଣା ମୋହ ଗ୍ରାସ କରିଛି ତାକୁ । ସେ ଫାଙ୍କି ଚାଲିଛି ନିଜକୁ, ନିଜ ପରିବାରକୁ ।

 

ସେଦିନ ପାର୍କରେ ଦେଖା ହୋଇଥିଲା ଜୟନ୍ତୀ । ମୁଣ୍ଡରେ ସିନ୍ଦୂର । ଚିହ୍ନିପାରି ଧାଇଁ ଆସିଲା । ଜୟନ୍ତୀ ସାଙ୍ଗରେ ପ୍ରଥମ ଦେଖା ଅନେକ ଦିନ ତଳେ । କଲେଜରେ ପଢ଼ୁଥିବା ସମୟରେ ଏସ୍‍କର୍‌ସନରେ ଗଲାବେଳେ ଟ୍ରେନରେ ଡକାୟତ ଦ୍ୱାରା ଆହାତ ହୋଇ ମାଳିନୀ ଚିକିତ୍ସିତା ହେଉଥିଲା ବ୍ରହ୍ମପୁରର ‘‘ଗଣ ସେବା ସଦନରେ’’ । ସେଠାକାର ନର୍ସ ଜୟନ୍ତୀ । ଜୟନ୍ତୀ ଖାଲି ତା’ର ସେବା କରି ନଥିଲା, ବାନ୍ଧି ଦେଇଥିଲା ତା’ର ମମତା ଡୋରିରେ । ଆତ୍ମୀୟତାର ଡୋରି ସେଇଦିନୁ ଦୁହିଁଙ୍କୁ ବାନ୍ଧି ରଖିଛି । କେହି ତାକୁ ଦେଖିପାରେ ନା, ଖାଲି ଅନ୍ତର ଭିତରେ ଖେଳିବୁଲେ ଆକର୍ଷଣର ଗୋଟାଏ ପ୍ରଚ୍ଛନ୍ନ ମାୟା ।

 

ପାର୍କରେ ସଭା ସରିବା ପରେ ପରେ ‘‘ମାଳିନୀ ଅପା’’ ବୋଲି ଡାକି ଡାକି ଧାଇଁ ଆସିଥିଲା ପାଖକୁ । ଦୁହେଁ ଦୁହଁଙ୍କୁ ଦେଖି ଅନେକ ବେଳ ଯାଏ ଏଣୁ ତେଣୁ ଗପକଲେ ।

 

—ତୁମେ ୟା ଭିତରେ.....ହୁଁ ରୀତିମତ ଘରଣୀ ବନିଗଲାଣି ଜୟନ୍ତୀ । ମାଳିନୀର ୟେ କଥାରେ ଜୟନ୍ତୀ କହିଥିଲା—ତମେ ଆଉ କେତେଦିନ ରହିବ ଦେଖିବା ଯେ !

 

—ହଉ ଛାଡ଼ । ଏଠିକ କିମିତି ଚାଲିଆସିଲା ମ ?

 

—ମୁଁ ତା ତମକୁ ସେଇଆ ପଚାରିଥାନ୍ତି ।

 

—ମଲାମର, ମୋରି ଉପରେ କୋଡ଼ି ପୂରିଲା ? ହଉ, ମାମୁଙ୍କ ଘରକୁ, ମାନେ ମାମୁ ଏଠିକି ବଦଳି ହେଇ ଆସିଚନ୍ତି । ଯାଉଥିଲି, ଠିଆ ହୋଇଗଲି, ଟିକେ ଭଲ ଲାଗିଲା । ଏଥର ତମ ପାଳି । ଏବେ ସେଇଠି ନା ଆଉ କୋଉଠିକି ବଦଳି ହେଲଣି?

 

—ନାଇଁ ସେଇଠି ଯେ, କାମଟା ବଦଳି ଯାଉଚି ।

 

—ମାନେ ।

 

—ସେଠାକାର ଜଣେ ମହୀୟସୀ ମହିଳା ତାଙ୍କର ମହତ୍‍ ଦାନ ଦ୍ୱାରା ଗୋଟିଏ ଟ୍ରଷ୍ଟବୋର୍ଡ଼ ଗଢ଼ିଛନ୍ତି ।

 

—ତୁମେ ତ ବେଶ୍‌ ସାହିତ୍ୟିକ ଭଳି କଥା କହିବା ଅଭ୍ୟାସ କରି ନେଲଣି । ହଉ, କ’ଣ ସେ ଟ୍ରଷ୍ଟବୋର୍ଡ଼ ?

 

—ବହୁମୁଖୀ ତା’ର କାମ । ମୁଁ ସେ ଭିତରୁ ଗୋଟିକରେ ସମ୍ପାଦିକା ।

 

—ଆଲୋ, ମାଆଲୋ, ଆରେ ତମେ ସମ୍ପାଦିକା ? ମାନନୀୟା ସମ୍ପାଦିକା ମହୋଦୟା..... । ନିବେଦନ ଏହକି.... ।

 

—ଥାଉ ସେତିକିରୁ ।

 

—ମୋତେ ସାରିବାକୁ ଦିଅନା ! ହଉ ହେଲା, ଥାଉ । କୋଉ ଗୋଟିକରେ ସମ୍ପାଦିକା-?

 

—ଗଣ ଚେତନା ପରିଷଦର ।

 

—ଓ.....ସେ ପୁଣି କ’ଣ ? ଗ.....ଣ.....ଚେ.....ତ.....ନା.....ମାନେ—ମାନେ....

 

ଏମିତି ଅନେକ ଗପସପ ପରେ ମାଳିନୀ ଜାଣିଲା ଯେ ନବୀନ ବାବୁ, ହେଉଛନ୍ତି ଜୟନ୍ତୀର ଖୁଡ଼ୁତା । କିଛି ସମୟ ପର ନବୀନ ବାବୁଙ୍କ ସାଙ୍ଗରେ ଦ୍ୱିତୀୟବାର ସାକ୍ଷାତ ହେଲା । ମାଳିନୀ ଆଉ ଜୟନ୍ତୀଙ୍କର ପୂର୍ବର ସମ୍ପର୍କ କଥା ଜାଣି ଖୁସିହେଲେ ସେ । ମାଳିନୀର ଅନୁରୋଧରେ ଜୟନ୍ତୀ ମାଳିନୀ ସାଙ୍ଗରେ ଯାଇଥିଲା ତା’ ମାମୁ ଘରକୁ । ତା’ ପରଦିନ ସକାଳେ ଜୟନ୍ତୀ ସାଙ୍ଗରେ ମାଳିନୀ ଓ ନିଳୀମା ଯାଇଥିଲେ ନବୀନର ବସାକୁ । ସେଠି କଥାବାର୍ତ୍ତା ଭିତରେ ଥରେ ଅଧେ ରମେଶର ନାଁ ଶୁଣିଲା ମାଳିନୀ । ସେଇ ନାଁ ତା’ ଅନ୍ତର ଭିତରଟାକୁ ଯେମିତି ଖିନ୍‌ଭିନ୍‌ କରିଦେଲା-। ଦେହ ଓ ମନରେ ଖାଲି ଜ୍ୱାଳା ।

 

‘‘ରମେଶ, ରମେଶ ବାବୁ’’, ମାଳିନୀ ଭାବୁଥିଲା, ‘‘ଥିଲେ ତା’ ବାପାଙ୍କର ପ୍ରେସର ଜଣେ କର୍ମଚାରୀ । ତାଙ୍କର ମଧୁର ବ୍ୟବହାର, ଯେତେ କିଛି ସୁଗୁଣ ଆଉ ମନଭୁଲା ରୂପ, କେବଳ ସ୍ମୃତି ପଟରେ ଭାସିଉଠି ଦଂଶନ କରେ ।’’ ଭାବୁଥିଲା ତାଙ୍କ କଥା ଆଉ ଭାବିବ ନାହିଁ । କିନ୍ତୁ ତାଙ୍କର ସ୍ମୃତି ଆହୁରି ଆହୁରି ବ୍ୟଥିତ କରେ ।

 

ତାଙ୍କରିଠୁଁ ପ୍ରେରଣା ପାଇ ମାଳିନୀ ନିଜକୁ ଗଢ଼ିବାକୁ ଚେଷ୍ଟା କରିଥିଲା । ଛାତ୍ରୀ ଜୀବନରେ ତାଙ୍କରିଠୁଁ ଶିଖିଥିବା ଗୀତ ଗାଇ ସଙ୍ଗୀତ ପ୍ରତିଯୋଗିତାରେ କଲେଜରେ ପ୍ରଥମ ସ୍ଥାନ, ଭାଷଣ ଦେବାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ତାଙ୍କର ପ୍ରେରଣା—ବହୁତ ପଢ଼, ବହୁତ ଜାଣ, କିଛି କର ଯାହାକି ତୁମକୁ ସମ୍ମାନ ଦବ । ଧନୀ ଲୋକର ଅଲିଅଳୀ ଝିଅ, ତା’ ଭିତରେ ଥିବା ଅହମିକା; ଦୂର ହୋଇ ଯାଇଥିଲା ରମେଶର ପ୍ରେରଣାରେ । ସେ ସ୍ପଷ୍ଟ ବୁଝି ପାରୁଥିଲା ଯେ କେବଳ ଧନକୁ ଛାଡ଼ିଦେଲେ ଆଉ ସବୁ କଥାରେ ରମେଶ ତା’ଠାରୁ ବହୁ ଉଚ୍ଚରେ । ତାଙ୍କର ସାନ୍ନିଧ୍ୟ ଛାଡ଼ିବାକୁ ଅନ୍ତର ଚାହୁଁନଥିଲା ।

 

ସମୟ ସୁଯୋଗ ଦେଖି ଇସାରାରେ ମାଳିନୀ ତା’ ଅନ୍ତରର ଆବେଗ ଜଣେଇ ଦେବାକୁ ଚେଷ୍ଟା କରିଥିଲା । କିନ୍ତୁ ତା’ର ସମସ୍ତ ଆଗ୍ରହକୁ ପାଦରେ ଦଳିଦେଇ ତା’ ଅଜଣାରେ ଚାକିରି ଛାଡ଼ି ଚାଲିଗଲେ । ଗଲେ ଯେ ଗଲେ, ତାଙ୍କ ବିଷୟରେ କେବଳ ଭାବିବାଛଡ଼ା କିଛି କରିପାରି ନାହିଁ ସେ-। ବହୁତ ଚେଷ୍ଟା ସେ କରିଛି, ଅନେକ ଖୋଜିଛି, କିନ୍ତୁ ସନ୍ଧାନ ପାଉନାହିଁ । ଆଜି ସେ ନାଁଟି ଶୁଣି ମନ କପୋତୀ ତା’ର ଝୁରି ହେଉଛି । ରମେଶ ଚାଲିଯବା ପରେ ସେ ଭାବିଛି ଯେ ଗରିବ ହୋଇଥିବା ଯୋଗୁଁ ସେ ତା’ ଅନ୍ତରର ଆବେଗକୁ ବୁଝି ମଧ୍ୟ ଛାଡ଼ି ଚାଲିଗଲେ-। ମନରେ ପ୍ରଶ୍ନଉଠିଛି—କାମ କରିବାର ସମସ୍ତ ସାମର୍ଥ୍ୟ ଥାଇମଧ୍ୟ ଲୋକ ଦରିଦ୍ର କାହିଁକି ? ସେହି ପ୍ରଶ୍ନ ତାକୁ ବିବ୍ରତ କରିଥିଲା । ନବୀନ ବାବୁଙ୍କ ଲେଖାରୁ ସେହି ପ୍ରଶ୍ନର କିଛିଟା ଉତ୍ତର ପାଇଥିଲା-। ତେଣୁ ଆଗ୍ରହରେ ସେ ତାଙ୍କୁ ଆହୁରି ପ୍ରଶ୍ନ ପଚାରି ଥିଲା, କ୍ରମେ ସମ୍ପର୍କ ବଢ଼ି ଉଠିଛି-। କିନ୍ତୁ ମନଚୋର ରମେଶଠିଁ ତା’ର ସର୍ବସ୍ୱ ଯେମିତି ବନ୍ଧାପଡ଼ି ଯାଇଛି ।

 

ଦୁଇମାସ ତଳର ଘଟଣା ସେ । ପୁଣି କେତେଥର ଖାଲି ସେଇ କଥା ଭାବିଲାଣି । ନିଳୀମ ପାଇଁ ବି ଚିନ୍ତା ଯାଇଛି । ଏତେ ସହଜରେ ଯେ ନିଳୀମାର ପରିବର୍ତ୍ତନ ହବ ସେ କଥା ସେ ବିଶ୍ୱାସ କରି ନଥିଲା ସେ ଦିନ । ‘‘ଗଣ ଚେତନା ପରିଷଦ’’ର ସମ୍ପାଦିକା ଜୟନ୍ତୀ ତାକୁ ସାଙ୍ଗରେ ନେଇଛି, କାମ ଯୋଗାଇ ଦେଇଛି, ଆନନ୍ଦରେ ଅଛି ସେ ।

 

ନିଳୀମା କଥା ଭାବି ବସେ ମାଳିନୀ । ଆହା ହତଭାଗିନୀ ! ସ୍ୱାମୀଙ୍କୁ ହରାଇଲା ପରେ ତା’ ଜୀବନ ଆକାଶରେ ନଇଁ ଆସିଛି ଯେତେ କିଛି ଦୁର୍ଦ୍ଦିନ । ସେ ଦିନ କହିବାକୁ ଚେଷ୍ଟା କରି ବିଚାରୀ ସବୁ କହି ପାରିଲାନି । ତା’ ସ୍ୱାମୀଙ୍କ ଜୀବନର ସେ ଥିଲା ଶେଷ ସନ୍ଧ୍ୟା । ସେ କଥା ମନେପକାଇ ମାଳିନୀ ଭାବେ, କାରଖାନାରେ ଯେଉଁମାନେ କାମ କରନ୍ତି ସେମାନେ ଧର୍ମଘଟ କରନ୍ତି କାହିଁକି ? ଚାଷୀ ପୁଣି ଆନ୍ଦୋଳନ କରନ୍ତି କାହିଁକି ? ଆଇନ ଅମାନ୍ୟ ଆନ୍ଦୋଳନ ଆଦି କଥା ଖବରକାଗଜରେ ବାହାରେ, ସେସବୁ କାହିଁକି ? ଗୋଟାଏ ପାଖରୁ ଧର୍ମଘଟ, ଆନ୍ଦୋଳନ, ଆଇନ ଅମାନ୍ୟ ଆଉ ଆରପାଖରୁ ଟିଅର ଗ୍ୟାସ୍‌, ଲାଠି ଚଳାନା, ଗୁଳିକାଣ୍ଡ, ଆରେଷ୍ଟ; ଏସବୁ ଏମିତି ଚାଲିଛି କାହିଁକି ?

 

ଲୋକେ କାରଖାନା ମାଲିକ ପାଖରେ ଦାବି ଜଣାଇବାକୁ ଗଲାବେଳେ ସରକାର ସେଠିକି ପୁଲିସ ପଠାନ୍ତି କାହିଁକି ? ସରକାରଙ୍କ ପୁଲିସ୍‌ ମାଲିକ ପକ୍ଷ ଛାଡ଼େନା କାହିଁକି ? ସରକାରତ ଲୋକଙ୍କର, ଲୋକେ ଭୋଟ ଦେଇ ସରକାର ଗଢ଼ିବାକୁ ପ୍ରତିନିଧି ପଠାନ୍ତି; ସେହି ଲୋକଙ୍କ ପକ୍ଷ ସରକାରୀ ପୁଲିସ୍‌ ନିଏ ନାହିଁ କାହିଁକି ?

 

ନିଳୀମା କହୁଥିଲା, ଦରଦାମ୍‍ ବଢ଼ିଯିବା ହେତୁ ମହଙ୍ଗାଭତ୍ତା, ପିଲାମାନଙ୍କ ପାଠ ପଢ଼ାର ସୁବ୍ୟବସ୍ଥା, ଅସ୍ୱାସ୍ଥ୍ୟକର ଶ୍ରମିକ ବସ୍ତିକୁ ଉନ୍ନତ କରିବା, ନୂଆକରି ଧାର୍ଯ୍ୟ ହୋଇଥିବା ଅଧିକ ଘରଭଡ଼ା ବାତିଲା କରିବା ଆଦି ଦାବିକୁ ମାଲିକ ଗ୍ରହଣ କଲେନାହିଁ । ସେଥିପାଇଁ ଧର୍ମଘଟ ହେଲା-। କାରଖାନା ସାମନା ପଡ଼ିଆରେ ହେଉଥିବା ସଭାକୁ ବେଆଇନ୍‌ ଘୋଷଣା କରାଗଲା । ତଥାପି ଶ୍ରମିକମାନେ ସଭାକଲେ । ତା’ପରେ ଟିଅର ଗ୍ୟାସ୍‍, ଲାଠି, ଗୁଳି ଚାଲିଲା । ସେହି ଆନ୍ଦୋଳନକାରୀଙ୍କ ଭିତରେ ଥିଲେ ନିଳୀମାର ସ୍ୱାମୀ ।

 

ଗୁଳିଚୋଟରେ ଆହତ ସ୍ୱାମୀଙ୍କୁ କୋଳରେ ଧରି ସେ କେବଳ କାନ୍ଦିଥିଲା । ବୁଡ଼ି ଯାଉଥିବା ସୂର୍ଯ୍ୟଙ୍କର ଶେଷ କିରଣ ସାଙ୍ଗରେ ମିଶିଯାଇଥିଲା ତାଙ୍କ ଜୀବନର ଆଲୋକ ଶିଖା । କି ଦାରୁଣ ସତେ !!!

 

ମାଳିନୀ ଅପେକ୍ଷା କରିଛି, ଆଜି ନିଳୀମା ଆସିବ ସାଙ୍ଗରେ ଆଣିବ ତା’ ଟିକି ପୁଅଟିକୁ । ସତେ କେମିତି ହେଇଚି ସେ ପୁଅଟି ? ମାସକର ପୁଅକୁ ଛାଡ଼ି ବାପା ତା’ର ଚାଲିଗଲେ । ଚାରି ବର୍ଷର ହେଲାଣି । ଦରୋଟି ତୁଣ୍ଡର କଥା, କି ସୁନ୍ଦର !!

 

ମନ କପୋତୀ ତା’ର ବିଳପି ଉଠେ । ସାଙ୍ଗ ସାଥିଙ୍କ ଟିକି ଟିକି ପିଲାଙ୍କୁ ଦେଖି କୋଳକରି ପକାଏ । ଅପେକ୍ଷା କରିଛି ମାଳିନୀ, ନିଳୀମା ଆସିବ ଆଉ ସାଙ୍ଗରେ ଆଣିବ ତା’ ପୁଅକୁ । ଜୟନ୍ତୀ ମଧ୍ୟ ଆସିବ ।

 

ଉପର ତାଲାରେ ବସି ଚାହଁରହିଛି ବାହାରକୁ । ରାସ୍ତାରେ ଗାଡ଼ିଗୁଡ଼ାକ ଘର ଘର ହୋଇ ଚାଲିଯାଉଛନ୍ତି । ଆରପାଖ ଫୁଟ୍‌ପାଥରେ ଫୁଙ୍ଗୁଳା ମଣିଷ କେତେଜଣ ଚାଲିଛନ୍ତି, କାନ୍ଧରେ ପଡ଼ିଛି ଗଇନ୍ତି, ମୁଣ୍ଡରେ ଗଣ୍ଠିଳୀ । ପଛରେ ସ୍ତ୍ରୀଲୋକଗୁଡ଼ିଏ । କିଏ ମୁଣ୍ଡେଇଛି ଗାଣ୍ଡୁଆ, କାହା କାଖରେ ପିଲା । ଦେହରେ କାମ କରିବାର ଅମାପ ଶକ୍ତି । କୁଲି ସେମାନେ । ବଣ ମୁଲକରୁ ଆସିଛନ୍ତି । ରାସ୍ତାଘାଟ, କୋଠାବାଡ଼ି ତିଆରି କରିବେ । ପେଟ ପାଇଁ ବଣ ମୁଲକର ସୁନ୍ଦର ପ୍ରକୃତି କୋଳ ଛାଡ଼ି ଧାଇଁ ଆସିଛନ୍ତି ସହରକୁ ।

 

ନିଳୀମା କହୁଥିଲା—ପେଟ ଚାଖଣ୍ଡକ ପାଇଁ ଅନେକ କିଛି ଖରାପ କାମ କରିବାକୁ ବାଧ୍ୟ ହୋଇଥିଲା । କ’ଣ ସେ ଖରାପ କାମ ? ନରହତ୍ୟା ?ବେଶ୍ୟାବୃତ୍ତି ? ଚୋରୀ ? ହଁ ନିଳୀମା ଚୋରୀ କରୁଥିଲା । ସେ ଚୋରୀ କରୁଥିଲା ପେଟ ପାଇଁ । ସେଇ ପେଟ ପାଇଁ ରମେଶ ବାବୁ ଆସି ତା’ ବାପାଙ୍କ ପାଖରେ କାମ କରୁଥିଲେ । ପେଟ ପାଇଁ ଯେତେ ସବୁ ଅଡ଼ୁଆ ତଡ଼ୁଆ କାହିଁକି ? ଏତେ ଧନ ସମ୍ପତ୍ତି ଯାଉଛି କୁଆଡ଼େ ? ମଣିଷ ଏ ଜୀବନକୁ ଏତେ ଭଲପାଏ କାହିଁକି ? ଅନ୍ୟ ପାଇଁ ମନରେ ସହାନୁଭୂତି ଜାଗେ କ’ଣ ପାଇଁ ? ପୁରୁଷର ସ୍ତ୍ରୀ ପ୍ରତି, ସ୍ତ୍ରୀର ପୁରୁଷ ପ୍ରତି ଏତେ ଆକର୍ଷଣ କେଉଁଥି ପାଇଁ ?

 

ଏମିତି ଏଣୁ ତେଣୁ ପ୍ରଶ୍ନ କୁହେଳି ଭିତରେ ନିଜକୁ ବୁଡ଼େଇ ବସି ରହିଥିଲା ମାଳିନୀ । ମନେ ମନେ ଉତ୍ତର ପାଇବାକୁ ଚେଷ୍ଟା କରୁଥିଲା । ଏତିକିବେଳେ ବିଜୟ ପଶି ଆସିଲା ।

 

—ଦେଇ ! କ’ଣ କରୁଛୁ ?

 

—କାହିଁକି ? ଯା’ ଯା । ତତେ କିଏ କହିଲା ଏଠିକି ଆସିବାକୁ ?

 

—ତୋ ସାଙ୍ଗ ନିଳୀମା ପରା ଆସିଲାଣି ।

 

ମାଳିନୀ ତା’ ଭାବ ରାଜ୍ୟରୁ ଫେରିଆସି ତର ତର ହୋଇ ଉଠିପଡ଼ିଲା ।

 

—କୋଉଠି ?

 

—ଡ୍ରଇଂରୁମରେ ।

 

ମାଳିନୀ ଓହ୍ଲେଇ ଆସିଲା ।

 

ବାର

 

ଯୋଗିଆ ଓ ନବୀନ ଟ୍ରେନ୍‌ରୁ ଓହ୍ଲେଇଲେ, ଗାଆଁକୁ ଯିବେ । ଷ୍ଟେସନ ପାଖ ରେସ୍ତୋରାଁରେ ଜଳଖିଆ ଖାଇଲାବେଳେ ଲୋକଙ୍କ କଥାବାର୍ତ୍ତାରୁ ଯୋଗିଆ ଜାଣିବାକୁ ପାଇଲା ଯେ ପ୍ଲାଟଫର୍ମର ଜୋତା ପାଲିସ୍‌ କରୁଥିବା ମୋଚି ଟୋକା ସାଙ୍ଗରେ ସହରର ଜଣେ ଓକିଲଙ୍କ ଝିଅ ରାତାରାତି କୁଆଡ଼େ ବାହାରି ଯାଇଚି । ଝିଅଟା ନଗଦ ପାଞ୍ଚ ହଜାର ଟଙ୍କା ଆଉ ସୁନା ଗହଣା ପ୍ରାୟ ଦଶ ହଜାର ଟଙ୍କାର ନେଇ ଯାଇଛି । ଟୋକାଟା ଭଲ ଗୀତ ଗାଏ । ସିନେମା ଗୀତ ଥରେ ଶୁଣିଦେଲେ ଠିକ୍‌ ସେଇମିତି ଉଠେଇ ଦିଏ ତା’ କଣ୍ଠରେ । ଟୋକୀଟା କଲେଜକୁ ଗଲାବେଳେ ତା’ ଆଡ଼କୁ ଫେରି ଚାହେଁ । ତା’ ପାଖରେ ଜୋତା ପାଲିସ୍‌ କରାଏ ।

ଯୋଗିଆ ଆଖି ଆଗରେ ନାଚିଗଲା ସେଇ ଜୋତା ପାଲିସ୍‌ କରୁଥିବା ଟୋକା ଆଉ ତାକୁ ଚାହିଁ ଆଖି ଫେରାଇ ଚାଲି ଯାଉଥିବା ଝିଅଟିର ଦୃଶ୍ୟ । ବୋଧହୁଏ ସେଇ ଦି’ଜଣ ହେବେ କି କ’ଣ ? ସେ ଝିଅଟିର ରୂପ କେତେକ ପରିମାଣରେ ଟ୍ରେନରେ ଚୋରୀ କରିଥିବ ସେଇ ନଳୀମାର ରୂପ ସାଙ୍ଗରେ ମିଶିଯାଏ । ନିଳୀମାର ରୂପରେ ତା’ ମନ କେମିତି ବାନ୍ଧିହୋଇ ଯାଇଛି । ତା’ ରୂପରେ ଭରି ରହିଛି ମାଦକତା । ତାକୁ ଚାହିଁବାକୁ ମନ ଡାକେ । କାହିଁକି କେଜାଣି ସେଇ ଦେଉଳିଆ ମୁହଁଟିରେ ସାମାନ୍ୟ ଉଚ୍ଚା ନାକ, ଦୁଇ ଆଖିର ଢଳ ଢଳ ତ୍ରସ୍ତା ହରିଣୀର ଚାହାଣି, ଚଳ ଚଞ୍ଚଳ ଝରଣା ଭଳି ଉନ୍ମାଦ ଭରା ତନୁଟିକୁ ଯେତେ ଇଚ୍ଛା କଲେ ବି ଭୁଲି ହୁଏନା । ଆର ଜଣକ ମାଳିନୀ । ପ୍ରଶାନ୍ତ ତା’ର ମୁଖମଣ୍ଡଳ ଆୟତ୍ତ ତା’ର ଚାହାଣି, ଗମ୍ଭୀର ତା’ଣ ବାଣୀ, ନମନୀୟ ତା’ର ଠାଣି । ତାକୁ ଦେଖିଲେ ଗମ୍ଭୀର ହେବାକୁ ଇଚ୍ଛା ହୁଏ । ମାଳିନୀ ଆଉ ନିଳୀମା ଯେମିତି ଦୁଇଟି ବିପରୀତ ଉପାଦାନରେ ଗଢ଼ା ।

ଯୋଗିଆ ଚାଲିଛି ସଡ଼କରେ । ଆଗରେ ଦିଶୁଛି ଗାଁ । ଆଗରେ ପଛରେ ହାଟ ଫେରନ୍ତି ଲୋକ । ପଛରୁ ଦି’ଜଣ ଗାଁ ଲୋକ ଆସି ତା’ ସାଙ୍ଗ ଧରିଲେ । ବୟସ୍କ, ମାନ୍ୟଗଣ୍ୟ । ଯୋଗିଆ ତାଙ୍କୁ ନମସ୍କାର କଲା । ପଚାରିଲେ—ଯୋଗୀ, ସବୁ ଭଲତ ବାପା ?

 

ଯୋଗିଆ ସଂକ୍ଷିପ୍ତ ଉତ୍ତରଟି ଦେଲା ହଁ । ଜଣେ ଆରମ୍ଭ କଲା–ସବୁ ଭାଗ୍ୟ ଦୋଷ ବାପ, କପାଳ ଦୋଷ । ତା’ ନ ହାଇଥିଲେ ହେନା ଭଳିଆ ଝୁଅ.... । ଛାଡ଼ ସେ କଥା । ହେଇଟି ସେ ସାନୁଟିକି ଏଥର ଉଠେଇ ଦବା ବେବସ୍ତା କରୁଚୁଟି ? ମକଦ୍ଦମା ଖବର କ’ଣ ?

 

—କାଲି ତାରିଖ ଅଛିବୋଲି ଆସିଚି । ଯୋଗିଆ କହିଲା । —ହଉ, ସରୁ ସେ କାମ । ବସିବା । କଥାବାର୍ତ୍ତା ହବା । ବା’ଘର କଥା କିଛି ଛୋଟିଆ ? ଆମଭଳିଆ ଗରିବ ଗୁରୁବା, ଯାହା ବେକରେ ଝିଅଟିଏ ବନ୍ଧା ତା’ ହୀନସ୍ତା କହିଲେ ସରୁନାହିଁ । ଦେଇ ନେଇ ପାରିଲା ଯିଏ....ହେଇଟି ବାପ, ଆଜିକାଲି ଗାଈ ବଳଦ ଭଳି ଜୋଇଁ କିଣା ଚାଲିଚି । କ’ଣ ହେଲା ଆସି ଏ ବେଳ ! ହଉ, ମାଟି କାମୁଡ଼ି ସିମିତି ତ ପଡ଼ି ରହିଚେ । ଠାକୁରଙ୍କ ଇଚ୍ଛା ।

 

ଯୋଗିଆ ଶୁଣି ଯାଉଥିଲା, କିଛି ଉତ୍ତର ଦେଲାନାହିଁ । ସେ କେବଳ ଭାବି ଯାଉଥିଲା । ବେଳ କାଳର କଥା, ଠାକୁରଙ୍କ ଇଚ୍ଛା, ଏ ସବୁ କଥାରେ ତା’ର ବିଶ୍ୱାସ ନାହିଁ । ସେ ବୁଝିଛି, ସେଗୁଡ଼ାକ ମଣିଷ ଗଢ଼ା ଅଲେଖ ନିୟମ, ଯାହା କୌଣସି ଆଇନ ସିଦ୍ଧ ନୁହେଁ, ଖାଲି ଗୋଟାଏ ଚଳଣି । ଯାହାକୁ ସାଧାରଣଲୋକେ, ନଥିବାର ଲୋକେ ନିର୍ବିବାଦରେ ମାନିନେଇଥାନ୍ତି, ଅଥଚ ତାହା ସଂକ୍ରମିତ ହୋଇଥାଏ ଅଳ୍ପ କେତେକଙ୍କ ଠାରୁ; ଯେଉଁମାନେ ଧର୍ମଦ୍ୱାହି ଦେଇ, ଆଇନର ମାୟାଜାଲ ମେଲେଇ ସାଧାରଣ ମଣିଷର ଲୁହ ଲହୁ ବିନିମୟରେ ତିଆରି ହେଉଥିବା ସବୁ ଜିନିଷ ଲୁଟ୍‌ କରନ୍ତି ।

 

ମାସ କେତେଟା ନବୀନ ସାଙ୍ଗେ ସାଙ୍ଗେ ରହି କେତେ ସଭା ଶୁଣିଛି, କେତେ ବହିପଢ଼ିଛି, ଆଜି ଫେରୁଛି ଗାଆଁକୁ । ତାକୁ ଲାଗୁଛି ସେ ଯେମିତି ଅନ୍ଧକାର ଭିତରକୁ ଠେଲିହୋଇ ଚାଲିଛି । ଯେଉଁଠି ପଡ଼ି ରହିଛି ଗାଁ ମାଟି, ତା’ର ଅତି ଆପଣାର, ଅତି ଚିହ୍ନା, ଯାହାଉପରେ ଲହୁ ଲୁହ ଢାଳି ସେ ଖଟିଛି ବର୍ଷ ବର୍ଷ ଧରି; ପ୍ରତିଦାନରେ ପାଇଛି ଢୋକେ ପିଇ ଦଣ୍ଡେ ଜିଇ ଜୀବନକୁ ତିଳ ତିଳ କରି ଜାଳିବାର ସୌଭାଗ୍ୟ ଆଉ ନିଜ ମା’ ପେଟରୁ ଜନ୍ମ ସାନ ଭଉଣୀଟା ରୀନା ।

 

ଯୋଗିଆ ମନେକରୁଛି ସେ ଯେମିତି ଆଲୋକର ଆଭାସ ପାଇଛି । ସେହି ଆଲୋକ ଆଡ଼କୁ ଆଗେଇ ଯିବା ପାଇଁ ତା’ ଅନ୍ତର ଭିତରେ ତୋଫାନ ଉଠିଛି । କ’ଣ ସେ ଆଲୋକ ଜଣେନା, କେବଳ ଗୋଟାଏ ଆଶା, ଅତି ପ୍ରବଳ ସେ । ସେ ବୁଝିଛି, ତାହାରି ଭଳି ଅଜସ୍ର ଲୋକଙ୍କ ହାତର କରାମତି ଆଉ, ଦେହର ଝାଳ ନିଗାଡ଼ି ବଳ ଖଟାଇବାଯୋଗୁଁ ଜମିରେ ହସି ଉଠେ ସୁନାର ଫସଲ, କାରଖାନାରୁ ବାହାରେ ଭଳିକି ଭଳି ଦରକାରୀ ଜିନିଷ, ଖଣିଖାଦାନରୁ ଆସେ କେତେ କେତେ ଧାତୁ, ପଥର; ସଡ଼କ ହୁଏ, କୋଠାବାଡ଼ି ହୁଏ, କେନାଲ, ପୋଖରୀ ଏମିତି ଅନେକ କଥାହୁଏ । କିନ୍ତୁ ସୂର୍ଯ୍ୟ ଆଲୋକ, ପାଣି, ପବନ ଯେମିତି ତାଙ୍କୁ ସହଜରେ ମିଳି ଯାଉଛି, ସେମିତି ତାକୁ ମିଳୁନାହିଁ ଖାଇବାକୁ, ପିନ୍ଧିବାକୁ ଆଉ ଅନ୍ୟ ବ୍ୟବହାର୍ଯ୍ୟ ଜିନିଷ । ୟେ ଏକ ସମାଜ ବ୍ୟବସ୍ଥା, ଯାହାକୁ ଆଇନ୍‌ ସମର୍ଥନ କରେ । ସେ ଆଇନ୍‌ ଆଉ ଧର୍ମର ବାହୁଛାୟା ତଳେ ହାତ ଗଣତି କେତେଜଣ ମହା ସୁଖରେ ରହନ୍ତି । ସେମାନେ ମାଲିକ, ଧନର ମାଲିକ । ସେମାନଙ୍କୁ ସାଧାରଣ ମଣିଷ, ଖଟିଖିଆ କୋକୁଆ ଭୟ କରନ୍ତି । ଆଇନ୍‌ ମାଲିକମାନଙ୍କର ରକ୍ଷା କବଚ । ମାଲିକମାନେ କୋଟି ଜନତାର ଭାଗ୍ୟ ନିୟନ୍ତ୍ରକ । ଏ ସମାଜ ନାଁ ପୁଞ୍ଜିବାଦ ସମାଜ ।

 

ଯୋଗିଆ ଆଉ ଗୋଟାଏ ସମାଜ ବ୍ୟବସ୍ଥା ବିଷୟର କେତେକ ବହି, ପତ୍ର ପତ୍ରିକା ଆଉ କଥାବାର୍ତ୍ତାରୁ ବୁଝି ପାରିଛି । ସେଠି ସମସ୍ତଙ୍କୁ କାମ ଯୋଗାଇବା, ଖାଇବା, ପିନ୍ଧିବା ଓ ଅନ୍ୟ ବ୍ୟବହାର୍ଯ୍ୟ ଜିନିଷ, ରହିବାକୁ ଘର, ଶିକ୍ଷା, ସ୍ୱାସ୍ଥ୍ୟର ବ୍ୟବସ୍ଥା କରିବା ଆଇନ୍‌ ସଙ୍ଗତ । ସେଠି ସବୁ ସମ୍ପତ୍ତିର ମାଲିକ ସରକାର । ସରକାର ସବୁ ମଣିଷର ରକ୍ଷା କବଚ । ସେହି ସମାଜ ବ୍ୟବସ୍ଥାର ନାଆଁକୁ ନେତାମାନେ ଭୋଟ ନେବାକୁ ଆସି ସଭା କଲାବେଳେ ରେଡ଼ିଓରେ ପ୍ରଚାର କରିଥାନ୍ତି । ସେ ବ୍ୟବସ୍ଥାର ନାଁ—ସମାଜବାଦ ।

 

କଳ୍ପନା ରଥରେ ଚଢ଼ି ଯୋଗିଆ ଗାଆଁକୁ ଚାଲିଛି । ମନେ କରୁଛି ସେ ଆଭାସ ପାଇଥିବା ଆଲୋକ ଆଡ଼କୁ ଗ୍ରାମ ଲୋକଙ୍କର ଦୃଷ୍ଟି ଫେରେଇବ । ଗାଆଁ ପାଖଇ ଆସୁଛି । ମନରେ ତା’ର ଆନନ୍ଦର ଢେଉ । ସେଇ ଗାଁ ଜନ୍ମମାଟି ତାକୁ ଟାଣୁଛି । ପାଦ ପଡ଼ୁଛି ଆଗକୁ ଜୋରରେ ।

 

ତେର

 

ଜୟନ୍ତୀ, ନିଳୀମା ଓ ମାଳିନୀ ଡ୍ରଇଂରୁମରେ ବସି ଗପ କରୁଥିଲେ । ଏକ ବୟସୀ ହୋଇଥିବାରୁ କଥାରେ କୌଣସି ନିର୍ଦ୍ଦିଷ୍ଟ ଦିଗ ନଥିଲା । ହଠାତ୍‌ ଜୟନ୍ତୀର ମନେପଡ଼ିଲା ଗୀତ ଗାଇବାକୁ । ପ୍ରସ୍ତାବ କଲା—ନିଳୀମା ଗୋଟିଏ ଗୀତ ଗାଇ ଶୁଣାଉ । ମାଳିନୀ ସମର୍ଥନ କଲା । ହେଲେ ନିଳୀମା କହିଲା—ଆଗ ମାଳିନୀ ଗାଉ । କାରଣ ସେ ପଢ଼ିଲା ବେଳେ ଭଲ ଗୀତ ଗାଉଥିଲା । ମାଳିନୀ କହିଳା –ନାଇଁ ଜୟନ୍ତୀ ଗାଆନ୍ତୁ । ଏମିତି ଧରା ପରା ହୋଇ ଶେଷରେ ସେ କଥା ସେତିକିରୁ ରହିଲା । ତା’ପରେ ପୁଣି ଗପ କୁହାଯିବା ପାଇଁ ପ୍ରସ୍ତାବ ହେଲା । ସେ ପ୍ରସ୍ତାବବି ସେମିତି ଭଣ୍ଡୁର ହୋଇଗଲା । ନିଳୀମା ଗୀତଟିଏ ଆରମ୍ଭ କଲା । ସମସ୍ତ ଚୁପ୍‌ରହି ଶୁଣୁଥିଲେ । ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ । ମଧ୍ୟ ଲୟରେ ହାତରେ ତାଳଦେି ଗାଉଥିଲା ସେ । ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶୁଣୁଥିଲେ । ଗୀତ ସରିଲା । ଜୟନ୍ତୀ ତା’ର ଉଦ୍ଦେଶ୍ୟ ବିଷୟରେ କହିବାକୁ ଆରମ୍ଭ କଲା । ସେ ସହରରେ ଗୋଟିଏ ଡ୍ରାମା କରିବାକୁ ପ୍ରସ୍ତାବ ବାଢ଼ିଲା । ସେ ଦିଗରେ ମାଳିନୀ କେତେଦୂର ସହଯୋଗ କରିପାରିବ ସେ ଥିଲା ପ୍ରଶ୍ନ । ମାଳିନୀ ଅନେକ କିଛି ଭାବୁଥିଲା । ଦୋଦୁଲ୍ୟମାନ ଅବସ୍ଥାରେ କଛି ଉତ୍ତରେଦେଇ ପାରିଲା ନାହିଁ ।

 

ଜୟନ୍ତୀ ପ୍ରକାଶ କଲା ଯେ ଡ୍ରାମାର ବ୍ୟୟଭାର ‘‘ଗଣ ଚେତନା ପରିଷଦ’’ ବହନ କରିବ । ଆଉ ମଧ୍ୟ ଏହି ପରିଷଦର ଅଭିନେତା ଅଭିନେତ୍ରୀମାନେ ନାଟକ ପରିବେଷଣ କରିବେ । କିନ୍ତୁ ଅନ୍ୟାନ୍ୟ ସହଯୋଗ ଦରକାର ପଡ଼ୁଛି । ସେ ଦିଗରେ ମାଳିନୀ କେତେଦୂର ତାଙ୍କୁ ସାହାଯ୍ୟ କରି ପାରିବ ସେହି ଥିଲା ପ୍ରଶ୍ନ ।

 

ମାଳିନୀ କହିଲା—ଏଇତ ? ହଁ ହବ । ବାପା ଆମର ଭାରି ଡ୍ରାମା ପ୍ରିୟ । ଏ ସହରରେ ପ୍ରତିବର୍ଷ ଡ୍ରାମା ହୁଏ । ବାପା ତା’ର ଉଦ୍ୟୋକ୍ତା । ଖାଲି କହିଦେଲେ ହେଲା । ଦରକାର ପଡ଼ିଲେ ସେ ନିଜେ ବି ପାର୍ଟ ନେବାକୁ ବାହାରି ପଡ଼ିବେ ।

 

—କି ସୌଭାଗ୍ୟ ଆମର ! ତେବେ ତ...., ହଁ, ମାଳିନୀ’ କି ଶୁଭ ବେଳାରେ ନିଳୀମାଙ୍କୁ ଆମେ ପାଇଲୁ । ତାଙ୍କର ଯୋଗୁ ଆମର ନାଟକ ଅତି ଲୋକପ୍ରିୟ ହୋଇ ଉଠୁଚି ।

 

—ସତେ ? ତା’ହେଲେ ତ ମୁଁ ସବୁଠୁଁ ବେଶି ଖୁସି ହବାକଥା ।

 

ମାଳିନୀ ନିଳୀମା ଆଡ଼କୁ ଚାହିଁଲା, ଯେମିତି ସେ ତାକୁ ନୂଆକରି ଦେଖୁଛି । ନିଳୀମାର ମୁହଁ ଆଜି କେଡ଼େ ପ୍ରସନ୍ନ ! ମାଳିନୀ ମନରେ ଆନନ୍ଦର ଲହରୀ । ବିପଥରୁ ଟାଣିଆଣି ସେ ତାକୁ ପ୍ରତିଷ୍ଠିତ କରାଇବାରେ ସାହାଯ୍ୟ କରି ପାରିଛି, ସେଥିପାଇଁ ନିଜ ଭିତରେ ଅନୁଭବ କରୁଛି ଗୌରବ । ତା’ ଆଖି ଆଗରେ ସେଦିନର ଚିତ୍ର ଭାସିଉଠେ । ଟ୍ରେନରେ ଅପରାଧିନୀ ନିଳୀମା ପ୍ରତି କାହିଁକି ତା’ ହୃଦୟ କରୁଣାରେ ଭରି ଉଠିଥିଲା ଏବେ ମଧ୍ୟ ସେ ବୁଝିପାରେନା । ସେ ଚାହିଁଥିଲେ ତାକୁ ପୁଣି ସେହି ବିପଥକୁ ଠେଲିଦେଇ ପାରିଥାନ୍ତା । କିନ୍ତୁ ନିଳୀମାର ବୈଧବ୍ୟକୁ ଦେଖି ତା’ ହୃଦୟ ଶିହରି ଉଠିଥିଲା । ସେ ସ୍ପଷ୍ଟ ବୁଝିପାରିଥିଲା ଯେ ବଞ୍ଚି ରହିବା ପାଇଁ ତା’ ଆଗରେ ହୁଏତ ଚୋରୀ କରିବା ଛଡ଼ା ଅନ୍ୟ ଉପାୟ ନଥିଲା ।

 

ଆଜି ନିଳୀମାର ଏଇ ପରିବର୍ତ୍ତିତ ଅବସ୍ଥା ତାକୁ ଦେଇଛି ଗଭୀର ଆନନ୍ଦ । ଅସାମଜିକ ରାସ୍ତା ଛାଡ଼ି ସେ ହୋଇଛି ସାମାଜିକ । —ସତେ ନିଳୀମା, ମୁଁ ଭାରି ଖୁସି । ଆମେ ଏଇ ପୁଲିସ୍‍ଗୁଡ଼ାକ ତୋତେ ବାନ୍ଧି ଦେଇଛୁ ନୁହେଁ ନା ? ଏ ଜେଲ୍‍ଖାନା ଛାଡ଼ି ପୁଣି କୁଆଡ଼େ ଯିବୁକି ?

 

ସମସ୍ତେ ହସୁଥିଲେ । ଏତିକି ବେଳେ ଦୁଆର ମୁହଁରେ ଆସି ପହଞ୍ଚିଲେ ମାଳିନୀର ବାପା । ତାଙ୍କୁ ଦେଖି ସମସ୍ତେ ଗମ୍ଭୀର ହୋଇଗଲେ ।

 

ମାଳିନୀର ବାପାଙ୍କର ଗୋଟିଏ ଦୁଃଖ ଯେ ସେ ଅବାଧ୍ୟ ହୋଇଛି । ବିବାହ କରାଇବା କଥା ପଡ଼ିଲେ ଫଁ କରି ଗର୍ଜି ଉଠୁଛି । ତାଆରି ସାଙ୍ଗ ସେମାନେ । ହୁଏତ ସେ ଦିଗରେ ତାକୁ ପ୍ରବର୍ତ୍ତାଇ ପାରିବେ । ସେଇକଥା କହିବା ପାଇଁ ସେ ଆସିଛନ୍ତି । ତାଙ୍କୁ ଦେଖି ସମସ୍ତେ ଠିଆହୋଇ ପଡ଼ିଲେ । ଘର ଭିତରକୁ ପଶିବା ସଙ୍ଗେ ନିଳୀମା ଓ ଜୟନ୍ତୀ ନମସ୍କାର କଲେ । ପ୍ରତି ନମସ୍କାର ଜଣାଇ କହିଲେ—ବସ ପିଲାମାନେ । ଚଉକିଟି ଉପରେ ବସିପଡ଼ି ପଚାରି ବସିଲେ ସେମାନଙ୍କ ପରିଚୟ । ସେମାନଙ୍କ ପରିଚୟ ଦେଲା ମାଳିନୀ । ଶେଷରେ କହିଲା—ବାପା, ଜୟନ୍ତୀ ଚାହୁଁଛି ଏଠି ଗୋଟାଏ ଡ୍ରାମା କରାଇବାକୁ । ତୁମେ ଟିକେ.... ।

 

—ବାଃ, ଭଲ କଥା । ବ୍ୟବସ୍ଥା କରିବା ।

ଶେଷ ସନ୍ଧ୍ୟା

 

—ଡ୍ରାମା ପାର୍ଟି ତାଙ୍କର ଅଛି । ଖାଲି ଆରେଞ୍ଜମେଣ୍ଟ ।

 

—କ’ଣ ପ୍ରଫେସନାଲ ପାର୍ଟି ?

 

ଜୟନ୍ତୀ କହିଲା—ନା । ବିଭିନ୍ନ କ୍ଷେତ୍ରରେ ଚାକିରି କରୁଥିବା ଲୋକ ଅଂଶଗ୍ରହଣ କରନ୍ତି-। ଡ୍ରାମା ହେବାର ମାସକ ଆଗରୁ ତାଙ୍କୁ ଜଣାଇଦେଲେ ସମସ୍ତେ ଛୁଟି ନେଇ ଆସିବାକୁ ପଡ଼େ । କେତେକ ବ୍ୟବସାୟୀ ମଧ୍ୟ ଏଥିରେ ଅଛନ୍ତି ।

 

—ଆଚ୍ଛା ହେଲା । ମୁଁ ସେ ଦାୟିତ୍ୱ ନେଲି । ଜୟନ୍ତୀ ମୁହଁରେ ହାସ୍ୟରେଖା ଫୁଟି ଉଠିଲା କୃତଜ୍ଞତାର ଚିହ୍ନ ସ୍ୱରୂପ ।

 

କଥା ପ୍ରସଙ୍ଗରେ ମାଳିନୀର ବାପା କହିଲେ—ତୁମେ ସବୁ ମାଳିନୀର ସାଙ୍ଗ । ମାଳିନୀ କ’ଣ ଚିରଦିନ ଏମିତି ଏଘରେ ରହିଥିବ ? ଏକଥା ଶୁଣି ସମସ୍ତେ ତଳକୁ ମୁହଁମାଡ଼ି ବସି ରହିଲେ । କିଛି ସମୟ ପରେ ଜୟନ୍ତୀ କହିଲା—ଝିଅ ଜନମରେ କ’ଣ ସେକଥା ହୋଇପାରେ ? ଆମେ ତ ପୁଣି...... । ସେ କଥା ସେ ନିଜେ ବୁଝିବା କରକାର !

 

—ହଁ ମା’ ସେଇ କଥା ତାକୁ ବୁଝେଇଦବ ଟିକେ । ମୋର ଆଉ କିଛି କହିବାର ନାହିଁ । ଯିବାପାଇଁ ଉଠିଲେ । ଜୟନ୍ତୀ କହିଲା—ମଉସା ! ମୋର ଆଉ ଗୋଟିଏ ଅଳି ଅଛି ।

 

—ଆଚ୍ଛା, ଭଲ କଥା । ପିଲାଙ୍କ ଅଳି ଆମେ ଶୁଣିବାନି ତ ଶୁଣିବ କିଏ ? କହ ।

 

—ଆମ ଗାଆଁ ଆଡ଼େ ଟିକେ ଦି’ଦିନ ପାଇଁ ବୁଲିଯିବୁ । ଅନୁମତି ଦେଲେ ମାଳିନୀ ଟିକେ ଆମ ସାଙ୍ଗରେ..... ।

 

—ଏଇ କଥା ? ହଉ ହେଲା । ସେ ଯାହା ଚାହିଁଛି କେବେ କ’ଣ ମୁଁ ଆପତ୍ତି କରିଛି । ମୁଁ ଯାଉଚି । ତୁମେ ଟିକେ ମାଳିନୀକୁ ବୁଝେଇ ଦବ । ଚାଲି ଗଲେ ସେ । ତାଙ୍କ ଯିବା ବାଟକୁ ଚାହିଁ ରହିଲେ ତିନିଜଣ । ପୁଣି ଆରମ୍ଭ ହେଲା ଏଣୁ ତେଣୁ ଗପ ।

 

—ତମ ମିଷ୍ଟର୍‍ଟି କେମିତି ଜୟନ୍ତୀ ? ମାଳିନୀ କହିଲା । ଜୟନ୍ତୀ ଉତ୍ତର ଦେଲା—ଭଲ ଓ ମନ୍ଦର ମିଶାମିଶି ମଣିଷଟିଏ ।

 

—ମଣିଷ ନ ହୋଇ ଆଉ କ’ଣ ବଳଦଟିଏ ହୋଇଥାନ୍ତେ ?

 

—ତୁମ ମିଷ୍ଟର୍‍ ଏକବାର ଭଲ ହେବେ ଖାସା ବଳଦଟିଏ ପରି ।

 

—ଧେତତେରୀ । ପୁଣି ହସ ।

 

ହସର ଲହରୀ ସରି ଆସିଲା ବେଳକୁ ବିଜୟ ଆସିଲା ନିଳୀମାର ପୁଅକୁ ସାଙ୍ଗରେ ଧରି । ଆସିଲା ବେଳଠୁଁ କାହିଁକି କେଜାଣି ପିଲାଟିକୁ ପାଖରୁ ଛାଡ଼ିବାକୁ ମାଳିନୀର ମନ ହୁଏନା । କୁତୁ କୁତୁ ହୋଇ ତା’ ସାଙ୍ଗରେ ସବୁବେଳେ ଲାଗିଥାଏ । ଜନ୍ମକଲା ମା’ଭଳି ତା’ର ସବୁ ଅଳି ଅର୍ଦ୍ଦଳି ସହେ, କୋଡ଼ରେ ଧରି ଶୁଏ ।

 

ପହଞ୍ଚୁ ପହଞ୍ଚୁ ଧାଇଁଯାଇ ତାକୁ କାଖକରି ବାହାରକୁ ଚାଲିଗଲା । ପୁଣି ଫେରିଆସି ଖୋଲିଲା ରେଡ଼ିଓ । ରେଡ଼ିଓରୁ ଗୀତ ଶୁଭୁଛି, ରାଧା ହୃଦୟରେ ବିରହ ବିଧୁରା ଝଙ୍କାର—କେତେ ବୋଲି ମୁଁ ଦୁଃଖ ସହିବିରେ...., କାଆଗେ ହୃଦ ଫେଡ଼ି କହିବିରେ,..... ।

 

ପୁଣି ଏକ ଦଂଶନ, ପୁଣି ସେହି ଜ୍ୱାଳା । ଆଖି ଆଗରେ ମୂର୍ତ୍ତିମନ୍ତ ହୋଇଉଠେ ସେହି ରୂପ, ବେଦନାରେ ହୃଦୟ ଭରି ଉଠେ । ରେଡ଼ିଓ ବନ୍ଦ କରି ଚାଲିଲା ବଗିଚାକୁ । ପବନ ହିଲ୍ଲୋଳରେ ନାଚି ଉଠୁଥିଲେ ନାନା ଜାତିର ଫୁଲ । ଫୁଲେ ଫୁଲେ ଉଡ଼ି ବୁଲୁଥିଲେ ମହୁମାଛି, ଗୁଣୁ ଗୁଞ୍ଜନ ସୃଷ୍ଟିକରି । ସେମାନଙ୍କର ସେହି ଗୁଣୁ ଗୁଞ୍ଜନ ମାଳିନୀ କାନରେ ସୃଷ୍ଟି କରୁଥିଲା ବଂଶୀ ନିନାଦର ଭ୍ରମ । ଯମୁନା ତଟ, ବୃନ୍ଦାବନ ବଂଶୀବଟ ମୂଳୁ ଅମାନିଆ ନଟନାଗର କାଳିଆ କାହ୍ନୁ ବଇଁଶୀର ସୁରେ ସୁରେ ଡାକୁଛି । ରାଇମନ ଛନ ଛନ, ପୁଲକିତ ତନୁ, କୁଳମାନ ବରଜି ପ୍ରେମ ପାଗଳିନୀ କାଖରେ କଳସୀ ଧରି ଧାଇଁଛି ଯମୁନା କୂଳକୁ ।

 

ଅନ୍ୟମନସ୍କା ହୋଇପଡ଼ିଲା ମାଳିନୀ । କାଖର କଳସୀ ଯମୁନା ଜଳରେ ଖସି ପଡ଼ୁଛି । ଆଖି ତା’ର କଦମ୍ୱ ମୂଳରେ ।

 

କାଖରେ ଥିବା ପିଲାଟି ଚିତ୍କାର କରି ଉଠଲା—ମାଉସୀ ମତେ ଛାଡ଼ି ଦଉଚ ?

 

ଚମକି ପଡ଼ି ତାକୁ ଭିଡ଼ି ଧରିଲା ମାଳିନୀ ।

 

ମାଳିନୀ ଯାଉଛି ଗାଆଁକୁ, ପଲ୍ଲୀକୁ । କବି ଲେଖନୀରୁ ଝରି ପଡ଼ିଥିବା ପଲ୍ଲୀଚିତ୍ରର ବର୍ଣ୍ଣନା ପଢ଼ିଥିଲା । କେବଳ ଦୂରରୁ ଦେଖିବାକୁ ପାଇଥିଲା ତା’ର ସ୍ମିଗ୍ଧ ସୁଲଳିତ ଛାୟା ଛବିଭଳି ରୂପ । ଆଜି ଜୟନ୍ତୀ ଓ ନିଳୀମା ସାଙ୍ଗରେ ଚାଲିଛି ସଡ଼କରେ । ଆଗକୁ ଗାଁ, ପାଖେଇ ଆସୁଛି । ବାଁ ହାତି ନଈଟିଏ, ବଙ୍କେଇ ବଙ୍କେଇ ଚାଲି ଯାଇଛି ଦୂରକୁ ଦୂରକୁ । ପଚାରି ବୁଝିଲା—ବ୍ରାହ୍ମଣୀ ନଦୀ ସେ । ନଦୀ ପାଖକୁ ଧାଇଁ ଯିାକୁ ମନ । ସେ ସୌଭାଗ୍ୟ କେବେ ପାଇ ନାହିଁ । ହେଲେ ଡାହାଣ ହାତି ରାସ୍ତାରେ ବଙ୍କେଇ ଯିବାକୁ ହେଲା । ଦୁଇ ଗାଁ ମଝିରେ ସେ ରାସ୍ତା ଶେଷ ହୋଇଛି । ବାଁ ହାତି କୃଷ୍ଣ ନଗର, ଡାହାଣ ହାତି ହରିପୁର । ଦି’ଗାଁ ମଝିରେ ପୋଖରୀଟିଏ ବର ଓ କୃଷ୍ଣଚୂଡ଼ା ଗଛ । ଆଗରେ ବଡ଼ ପଡ଼ିଆ ଓ ଠାକୁରାଣୀ ଘର । ଗାଆଁରେ ପଶିଲେ ଅଣ ଓସାରିଆ ରାସ୍ତା । ଦୁଇ ଧାଡ଼ି ଘର । ପ୍ରାୟ ପ୍ରତି ଘରକୁ ଲାଗି ଗୋରୁ ଖୁଣ୍ଟ । ଖୁଣ୍ଟରେ ବନ୍ଧାହୋଇଥିବା ଗୋରୁ ପଘାରୁଲମ୍ୱି ଠିଆ ହୋଇଛନ୍ତି ରାସ୍ତା ଅବରୋଧ କରି । ଦାଣ୍ଡ ମଝିରେ ମଝିରେ ଅଳିଆ ଗଦା, ଦୁର୍ଗନ୍ଧ । ସ୍ତ୍ରୀ, ପୁରୁଷ, ପିଲାଏ ଚାହଁ ଦେଖୁଛନ୍ତି ଦୁଇଜଣ ନବାଗତାଙ୍କୁ । ଆଗରେ ଜୟନ୍ତୀ ପଛରେ ମାଳିନୀ, ନିଳୀମା ଓ କାଖରେ ପିଲାଟିଏ । ପହଞ୍ଚଲେ ଜୟନ୍ତୀ ଘରେ । ଘରେ ପହଞ୍ଚୁ ପହଞ୍ଚୁ କେତେଜଣ ସ୍ତ୍ରୀଲୋକ ଘେରିଗଲେ । ପଚାରି ବସିଲେ ସେମାନଙ୍କ ପରିଚୟ । ପରିଚୟ ପାଇ ଫେରିଗଲେ ।

 

ରୀନା ଆର ଖଞ୍ଜାରୁ ଆସିଲା । ଜୟନ୍ତୀ ତାକୁ ପରିଚିତ କରେଇ ଦେଲା—ଯୋଗୀ ଭାଇନ ସାନ ଭଉଣୀ ରୀନା । ଆର ପାଖ ଖଞ୍ଜା ନବୀନ ଦାଦାଙ୍କର । ସେଇଠି ରହିବାକୁ ନିରୋଳିଆ ହେବ । ଏତେ ବଡ଼ ଖଞ୍ଜାଟାରେ କେବଳ ସାଆନ୍ତ ମା’ ଏକୁଟିଆ । ଏବେ ରୀନା ତାଙ୍କରି ପାଖରେ ଅଛି ।

 

ପାଟିଶୁଣି ସାଆନ୍ତ ମା’ ରାଧୀ ଡାକ ପକେଇଲା—ଜୟନ୍ତୀ କିଲୋ, ଆ, ତତେ ମୁଁ ଟିକେ ଦେଖେଁ । ଜୟନ୍ତୀ ସାଙ୍ଗରେ ନିଳୀମା ଓ ମାଳିନୀଙ୍କୁ ନେଇ ଗଲା । ରୀନା ଆଗରୁ ଯାଇ କେତେଖଣ୍ଡ ଚେୟାର ଝାଡ଼ି ଘର ଭିତରେ ପକାଇ ଦେଲା । ଜୟନ୍ତୀ ବୁଢ଼ୀଙ୍କୁ ପ୍ରଣାମ କଲା । ମାଳିନୀ ଓ ନିଳୀମା ମଧ୍ୟ ପ୍ରଣାମ କଲେ । ଜୟନ୍ତୀ ପରିଚିତ କରାଇ ଦେଲା ସେ ଦୁହିଁଙ୍କୁ ବୁଢ଼ୀଙ୍କ ସହିତ । ବୁଢ଼ୀ ଜାଣିଲେ ଯେ ସେମାନଙ୍କ ଭିତରୁ ଜଣେ ବିଧବା ଓ ଆର ଜଣକ ଅବିବାହିତା ।

 

ନିଳୀମାର ବୈଧବ୍ୟ ରାଧୀ ବୁଢ଼ୀଙ୍କର ମନକୁ ଦୋହଲାଇ ଦେଲା । ହୃଦୟ ଭିତରେ ଆନ୍ଦୋଳିତ ହୋଇ ଉଠିଲା ହଜିଲା ଅତୀତ, ଆଖିର ଲୁହଧାରକୁ ଅଟକାଇବାର ଶକ୍ତି ନଥିଲା ତାଙ୍କର । ଗପି ଚାଲିଲେ ତାଙ୍କର ଅତୀତ ଇତିହାସ । କଣ୍ଠ ତାଙ୍କର ଥିଲା ଦରଦଭରା ।

 

—ସତର ବର୍ଷ ବଅସ ବେଳେ ମୋ ମୁଣ୍ଡରେ ଚଡ଼କ ପଡ଼ିଲା ମା ! ଶାଶୁଘରୁ ତଡ଼ାଖାଇ ବାପ ଘରେ ଆସି ରହିଲି । ସାନଭାଇ, ବଡ଼ଭାଇ ଭିନ୍ନେ ହେଲେ । ସାନଭାଇ ଛାଡ଼ିଲାନି ପାଖରୁ । ହେଲେ ଦଇବ ସହିଲା ନାହିଁ । ଭାଇ ଭାଉଜ ଆଗ ପଛ ହୋଇ ଚାଲିଗଲେ । ରଖିଗଲେ ହୃଦୟର ଏକମାତ୍ର ସଙ୍ଖାଳୀ ଏଇ ନବୀନକୁ । ସେ ହେଲା ମୋ ଜୀବର ଜୀବନ । ତାକୁ ବଢ଼େଇ କୁଢ଼େଇ ପାଞ୍ଚ ଜଣରେ ଜଣେ କରି ଠିଆ କରିବାକୁ ଏ ଅଲୋଡ଼ା ଜୀବନରେ ଆଣ୍ଟ ବାନ୍ଧିଲି । ସେଇ ଯମ ଅଇଁଠା କୁଆଡ଼େ ବୁଲୁଚି । ତା’ ମନକୁ ଯାହା ଆସୁଚି ତା’ କରୁଚି । ହଁ ମା ! ମୋ ମନରେ କେତେ ଆଶା । ଏ ଘରକୁ ବୋହୂଟିଏ ଆସିବ, ପୁଣି ହସି ଉଠିବ ସୁନାରସଂସାର । ଏ ଅଭାଗୀ ହୃଦର ଜାଳା ଖାଲି ସେତିକି ।

 

ବୁଢ଼ୀଙ୍କର କୋହ ବଢ଼ି ଉଠିଲା । ତାଙ୍କ ଜୀବନର ବେଦନା ଭରା କାହାଣୀ ଶୁଣି ଦ୍ରବି ଯାଉଥିଲା ମାଳିନୀର ଅନ୍ତର । ସମବେଦନାର ଗୋଟିଏ ଅସ୍ପଷ୍ଟ ଗୁଞ୍ଜରଣ ତାକୁ ବିଚଳିତ କରି ପକାଇ ଥିଲା । ମାଳିନୀ ଆଖିରୁ ଝରି ପଡ଼ିଥିଲା ଅମାନିଆଁ ଅଶ୍ରୁର ଝରଣା ।

 

‘‘କେହି ଆସିଲେ ଏମିତି ଗପିବା ଏ ବୁଢ଼ୀର ଗୋଟାଏ ଅଭ୍ୟାସ ।’’ ଜୟନ୍ତୀ କହିଲା । ବୁଢ଼ୀ ଯେମିତି କିଛି ଶୁଣି ପାରିଲେ ନାହିଁ । ଗପି ଚାଲିଲା—ୟେ ମୋ ବଡ଼ଭାଇର ନାତୁଣୀ । ୟା ପାଇଁ କେତେ ହାଟ ନାଟ ନ ବସିଚି ? ଲୋକଙ୍କ କଥାକୁ କାନ ବଧିରା କରି ଏ ଯୁଆନ ବଅସଟାକୁ ସହିଯିବା କ’ଣ ସହଜ କଥା ? ଆଖିରେ ଆଙ୍ଗୁଠି ଗେଞ୍ଜିଦେବେ ଏ ମଣିଷଗୁଡ଼ାକ । ସବୁ ସହି ତାକୁ କୁଳରେ ନଗେଇଲି । ମୋ ନାତୁଣୀଜ୍ୱାଇଁ ଭାରି ଅଭିମାନୀ, ଭାରି ଜିଦିଖୋର । ରମେଶ ଭଳି ଜିଦିଖୋର ପିଲା ଆଉ ମୁଁ ଦେଖିନାଇଁ ପରା !

 

ଆଉ କିଛି ନକହି ବୁଢ଼ୀ ଉଠି ଚାଲିଗଲେ ବାହାରକୁ । ମାଳିନୀର ହୃଦୟତନ୍ତ୍ରୀ ଥରାଇ ବାହାରି ଆସଲା ଦୀର୍ଘଶ୍ୱାସ । ତେବେ କ’ଣ ଜୟନ୍ତୀର ସ୍ୱାମୀ ରମେଶବାବୁ ? ମନରେ ଜାଗିଉଠିଲା ପ୍ରଶ୍ନ । ଅନ୍ଧାର ହୋଇ ଯାଇଥିଲା । ଜୟନ୍ତୀ ଲଣ୍ଠନଟି ଲଗାଇ ଥୋଇ ଦେଲା । କାନ୍ଥରେ ଝୁଲୁଥିବା ଫଟୋ ଆଡ଼କୁ ଦୃଷ୍ଟି ପକାଇଲା ମାଳିନୀ । ଆଖି ଯେମିତି ତା’ର ଅନ୍ଧ ହୋଇ ଯାଉଥିଲା, ମୁଣ୍ଡ ବାତ ଚକ୍ର ପରି ଘୂରି ବୁଲିବାକୁ ଲାଗିଲା । ସାମ୍ନାରେ ଝୁଲୁଥିବା ଫଟୋଗୁଡ଼ିକ ଭିତରୁ ଗୋଟିକରେ ରମେଶ ବାବୁଙ୍କ ସହିତ ଜୟନ୍ତୀର ଫଟୋ ।

 

ଜୟନ୍ତୀ ଉଠିଯାଇ ନିଳୀମାର ପୁଅକୁ କାଖକରି ଆଣିଲା । ତା’ ହାତରେ ବିସ୍କୁଟ ଦେଇ ଠିଆ କରିଦେଲା । ରୀନା ଚା’ ଆଣି ପହଞ୍ଚଲା, ପିଲାଟି ମାଉସୀ, ମାଉସୀ ବୋଲି ଡାକି ମାଳିନୀ ପାଖକୁ ଯାଉଥିଲା । ମାଳିନୀ କିଛି ନ କହିବାରୁ ଫେରିଆସି ତା’ ମା କୋଳରେ ମୁହଁ ଗୁଞ୍ଜିଲା ।

 

ବାହାରେ ରେଡ଼ିଓରୁ ସିନେମା ସଙ୍ଗୀତ ଶୁଭୁଥିଲା—ଆଉ ଚାନ୍ଦ ଲାଗି କୁମୁଦ ଝୁରନା, ଝୁରିଲେକି ଊଣା ହେବ ବେଦନା..... ।

 

ଚଉଦ

 

ଠାକୁରାଣୀ ଘର ଆଗ ପଡ଼ିଆରେ ପାଲ ପଡ଼ୁଛି. ଚାନ୍ଦୁଆ ଟଣା ଯାଉଛି, ସଭାହବ । ଯୁବକ କେତେଜଣ ଲାଗିପଡ଼ିଛନ୍ତି କାମରେ । ସୂର୍ଯ୍ୟ ପଶ୍ଚିମ ଦିଗରେ ଦିଗ୍‍ବଳୟ ଆଡ଼କୁ ଢଳି ପଡ଼ିଲେଣି । ଲାଲ ରଙ୍ଗରେ ରଞ୍ଜିତ ପ୍ରକୃତି । ଫାଲ୍‌ଗୁନର ମନ୍ଦ ମଳୟ ଦହ ମନ ଉଲ୍ଲସିତ କରୁଛି ।

ଉଲ୍ଲସିତ ହୋଇଛି ବ୍ରହ୍ମାନନ୍ଦ । ଯୁବନେତା ଶଶାଙ୍କ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତାଙ୍କର ସାହାଯ୍ୟ ସହଯୋଗରେ ତାଙ୍କର ଆକାଙ୍‌କ୍ଷିତ ଶିଳ୍ପାନୁଷ୍ଠାନ ଗଢ଼ିଉଠୁଛି । ତାଙ୍କ ପାଇଁ ଲାଗି ପଡ଼ିଛି ବ୍ରହ୍ମାନନ୍ଦ । ତାଙ୍କର ଜୟହିଁ ବ୍ରହ୍ମାନନ୍ଦର ଜୟ । ଗ୍ରାମକୁ ଗ୍ରାମ ଜିପ୍‌ ବୁଲୁଛି । ବେକାର ଯୁବକ କେତେକ ଉତ୍ସାହ ଉଦ୍ଦିପନାରେ ଲାଗିପଡ଼ିଛନ୍ତି, ଗଳା ଫଟେଇ ଚିତ୍କାର କରୁଛନ୍ତି; ଯୁବ ନେତାଙ୍କୁ ଜିତାଇ ଦିଅ, ତାଙ୍କ ସଭାରେ ଯୋଗଦିଅ । ବ୍ରହ୍ମାନନ୍ଦ ବାବୁ ପ୍ରତିଶ୍ରୁତି ଦେଇଛନ୍ତି, ନେତାଙ୍କ ସାଙ୍ଗରେ ପରିଚୟ କରାଇ ଦେବେ, ଭୋଟ ପାରିଲେ ଚାକିରି ଦେବେ । ଧୂଳି ଉଡ଼େଇ, ଆଗରେ ଫର ଫର ପତାକା ଉଡ଼େଇ ଜିପ୍‌ ଚାଲିଛି ଗାଁକୁ ଗାଁ ।

ବ୍ରହ୍ମାନନ୍ଦ ତଦାରଖ କରୁଛି—ଏଠି ପାଲପକା, ପଛକୁ ଚାନ୍ଦୁଆ ଘୁଞ୍ଚେଇ ବାନ୍ଧ । ଚାନ୍ଦୁଆ ତଳେ ଟେବୁଲ, ଚେୟାର ପଡ଼ିଲା । ଖୁଣ୍ଟରେ ବାର୍‌ଲାଇଟ୍‌ ବନ୍ଧାହେଲା । ସଞ୍ଜବେଳକୁ ଜଳି ଉଠିଲା ଆଲୁଅ, ଲାଉଡ୍‌ସ୍ପିକରରୁ ଶୁଭିଲା ରେକର୍ଡ଼ ସଙ୍ଗୀତ । ଲୋକ ଆସିବାକୁ ଆରମ୍ଭ କଲେ । ସଜା ଯାଇଥିବା ଚେୟାରମାନଙ୍କରେ ବିଶିଷ୍ଟ ଲୋକମାନେ ବସିଲେ । ଗାଁ ଭିତର ଦେଇ ପଟୁଆର ଆସିବାକୁ ଲାଗିଲା । ହାତରେ ପତାକା, ମୁହଁରେ ସ୍ଳୋଗାନ—ଭୋଟଦେବା କାହାକୁ–ଆମ ଯୁବ ନେତାଙ୍କୁ ।

ଲୋକମାନେ ବସିଗଲେ ପାଲରେ । ବ୍ରହ୍ମାନନ୍ଦ ମାଇକ୍ରୋଫୋନ୍‌ ଆଗରେ ଠିଆହୋଇ ଘୋଷଣାକଲା—ଭାଇମାନେ ବସି ଯାଆନ୍ତୁ । ଯୁବନେତା ଭାଷଣ ଦେବେ ।

ଯୁବନେତା ଗର୍ଜି ଉଠିଲେ—ଏ ଦେଶ ଦରିଦ୍ର ହୋଇ ପଡ଼ିରହିଛି । ଆମର ବହୁତ ସମ୍ପଦ ଅଛି । ତାକୁ କାମରେ ଲଗାଇବା, ଦାରିଦ୍ର୍ୟ ଘୁଞ୍ଚିବା । ଅଭାବ କଷଣରୁ ଲୋକଙ୍କୁ ଉଦ୍ଧାର କରିବା, ବେକାରମାନଙ୍କୁ କାମଦେବା ଶିଳ୍ପ କାରଖାନା ଗଢ଼ି ଉଠିବ. ରୋଗ ବ୍ୟାଧି ନିମନ୍ତେ ଡାକ୍ତରଖାନା, ଶିକ୍ଷା ପାଇଁ ସ୍କୁଲ କଲେଜ ହବ । ଦେଶର ରୂପ ବଦଳି ଯିବ । ଆମ ଦଳର ହାତମୁଠା ଟାଣକର । ଆମକୁ ଭୋଟରେ ଜିତାଇ ଦିଅ......ଇତ୍ୟାଦି ।

ରମେଶଙ୍କ ଦାଣ୍ଡମେଲାରେ ନବୀନ, ରମେଶ; ଯୋଗିଆ ଓ ଶ୍ରୀକାନ୍ତ ବସିଥିଲେ । ରମେଶ ଶୁଣିଲା ଜୟନ୍ତୀ ସାଙ୍ଗରେ ମାଳିନୀ ଆସିଛି । ତାଙ୍କଘରେ ଅଛି । ମନରେ ନାନା ପ୍ରଶ୍ନ ଉଙ୍କିମାରିଉଠିଲା । ମାଳିନୀ ତେବେ ବର୍ତ୍ତମାନ କରୁଛି କ’ଣ ? ତାର କ’ଣ ବିବାହ ସରିଗଲାଣି ? ସେ କ’ଣ ‘ଗଣଚେତନା ପରିଷଦ’ରେ ନିଜକୁ ସାମିଲ କରିଛି ? ତୁଳୀତଳ୍ପ ରାଜମହଲର ସୁଖଛାଡ଼ି ଏ ଧୂଳିର ଧରଣୀରେ ତା’ ପାଦ ପଡ଼ିଲା କେମିତି ?

ତେଣେ ନିର୍ବାଚନ ପ୍ରଚାର ସଭା ସରିଲା । ଲୋକେ ଗାଁ ଭିତର ଦେଇ ଫେରି ଯାଉଥିଲେ । ସେମାନଙ୍କ ଟିପ୍ପଣି ଦାଣ୍ଡ ମେଲାକୁ ସ୍ପଷ୍ଟ ଶୁଭୁଥିଲା ।

—ଯାହା କୁହପଛେ ବ୍ରହ୍ମାନନ୍ଦ ବାସ୍ତବିକ ଜଣେ ସେବକ । ତା’ ନହେଲେ ଯୁବନେତାଙ୍କ ମୁହଁରୁ ତା’ ପ୍ରଶଂସା ବାହାରି ଥାଆନ୍ତା ? ଆରେ, ଗୁଣ ଚିହ୍ନେ ଗୁଣିଆ । ଆମେ କ’ଣ ଚିହ୍ନିପାରିବା-? କେତେ ମାଲିମକଦ୍ଦମା, କେତେ କଥା ତା’ ପଛରେ; ହେଲେ ସେ କିଛି ଖାତିର ନ କରି ତା’ କାମରେ ଲାଗିଛି । ଏ ଅଞ୍ଚଳକୁ ଶିଳ୍ପ ଆଣୁଚି ସେ ପ୍ରଥମ କରି । କେତେ ଲୋକ କାମ ପାଇବେ-। ସମବାୟ ସମିତି ଜରିଆରେ କୃଷିର ଉନ୍ନତି ହବ । ଏ ବାବୁ ଯଦି ଭୋଅଟ ପାଆନ୍ତିନା, ଦେଖିବ ଆଉରି କେତେ ଯୋଜନା ହବ । ଯାହାକହ ଏ ଅଞ୍ଚଳ ପାଇଁ ବ୍ରହ୍ମାନନ୍ଦ ଜଣେ ଯୋଗ୍ୟ ଲୋକ-

—ଏଗୁଡ଼ାକ ଧପ୍‌ପାବାଜ ଦଲାଲ ଦଳ । ଯେଉଁ ବ୍ରହ୍ମାନନ୍ଦ ଆମ ଆଖିରେ ଆଙ୍ଗୁଠି ଗେଞ୍ଜି ଗରିବ ଗୁରୁବାଙ୍କ ଜାଲ୍‌ଦସ୍ତଖତ୍‍ କରି ତାଙ୍କ ନାଆଁରେ ହଜାର ହଜାର ଟଙ୍କର ଋଣ ଗଡ଼େଇ ତାଙ୍କୁ ତଳି ତଳାନ୍ତ କଲା, ତାଙ୍କ ଟଙ୍କାରେ କୋଠାଘର କରି ଗାଁ ଲୋକଙ୍କୁ ଉପହାସ କଲା, ଜାଲ୍‌ କବଲାକରି ପରର ଜମିଡିହ ନେଲା, କେତେ ରାଣ୍ଡୀ ଖଣ୍ଡି ନ ପାରିଲା ଲୋକଙ୍କ ସର୍ବସ୍ୱ ନେଇ ତାଙ୍କୁ ଦାଣ୍ଡର ଭିକାରି କରି ଛାଡ଼ିଲା, କେତେ ଝିଅ ବୋହୂଙ୍କ ଇଜ୍ଜତ ଲୁଟିଲା, ସେଇଟା କୁଆଡ଼େ ସେବକ-? ଏ ଯୁବନେତା ବି ସେଇଆ । ଏ ଦଳକୁ ମୋଟେ ଭୋଅଟ ଦବାନାହିଁ ।

ଏ ସବୁ କଥାକୁ ରମେଶ ଘର ମେଲାରେ ବସି ନବୀନ ଓ ଶ୍ରୀକାନ୍ତ ପ୍ରଭୃତି ଶୁଣୁଥିଲେ । ସମସ୍ତେ ନୀରବ । ସେମାନେ ଜାଣନ୍ତି ଭୋଟ ପ୍ରଚାରର ପ୍ରତିଶ୍ରୁତି ଓ କାମ ଭିତରେ ବ୍ୟବଧାନ ବହୁତ ବେଶି । ଯେ କୌଣସି ଦଳର ପ୍ରାର୍ଥୀ ଜିତିଲେ ବି ଫଳ ସେଇ ଏକା । କେବଳ ଲୋକ ଭିନ୍ନ, କାମ ଯାହା ସେଇଆ ।

କିଛି ସମୟ ପରେ ନବୀନ ମନେ ପକାଇଦେଲା ଯେ ରାତି ଖାଇବା ବ୍ୟବସ୍ଥା ତାଙ୍କ ଘରେ ହୋଇଛି । ଯିବାପାଇଁ ହେବ । ଅନ୍ୟମାନେ ଉଠି ଠିଆ ହେଲେ । ହେଲେ ରମେଣ ସେମିତି ବସିରହି ଭାବୁଛି ମାଳିନୀ କଥା ।

 

ମାଳିନୀକୁ ସେ କ’ଣ ସତରେ ଭଲ ପାଇଥିଲା । ? ମାଳିନୀ କିନ୍ତୁ......, ଠିକ୍‌ ଭାବରେ କିଛି ଯେମିତି ଭାବି ପାରୁନାହିଁ । ମାଳିନୀ ଥିଲା ମାଲିକଙ୍କ ଝିଅ । ତା’ ଭିତରେ ଥିଲା ଅନେକ ସୁଗୁଣ କିନ୍ତୁ ବୃଥା ଅହମିକାର ଆବରଣ ତଳେ ଢାଙ୍କିହୋଇ ରହିଥିଲା ସେଗୁଡ଼ିକ । ରମେଶ ତା’ ନିଜର ସହଜାତ ଗୁଣ ଓ ବ୍ୟବହାର ଦ୍ୱାରା ସେଗୁଡ଼ିକର ବିକାଶ ପାଇଁ ପ୍ରେରଣା ଯୋଗାଇଥିଲା ମାତ୍ର ।

 

ତା’ପରେ ? ମାଳିନୀ କିନ୍ତୁ ଭୁଲ୍‌ ବୁଝିଲା ତାକୁ, ହେଲେ ତାକୁ ସ୍ପଷ୍ଟ ଜଣାଇ ଦେବା ଉଚିତ ଥିଲା । କ’ଣ ବା ଜଣାଇଥାନ୍ତା ? ସେ କ’ଣ ସତେ ମାଳିନୀକୁ ପତ୍ୟାଖ୍ୟାନ କରିପାରିଥାନ୍ତା ? ବୋଧହୁଏ ନୁହେଁ । କିନ୍ତୁ ଏ ପାଖରେ ଜୟନ୍ତୀ, ଯାହାସହିତ ଆଦ୍ୟ ଯୌବନରୁ ତା’ର ସମ୍ପର୍କ ବଢ଼ି ଉଠିଥିଲା, ସମାଜର କର୍ଣ୍ଣଧାରମାନଙ୍କର ନିର୍ଦ୍ଦେଶକୁ ଫାଙ୍କି ଦେବାର ଶକ୍ତି ସେ ପର୍ଯ୍ୟନ୍ତ ସଞ୍ଚୟକରି ପାରି ନଥିଲା, ଏବଂ ଦୁହେଁ ଦୁହିଁଙ୍କୁ ଜୀବନ ସାଥୀରୂପେ ପାଇବାର ଶପଥକୁ ସ୍ମରଣ କରି ସେ ଛାଡ଼ିଥିଲା ଚାକିରି, ଦୂରେଇ ଗଲା ମାଳନୀଠୁଁ । ରମେଶ ଭାବୁଛି ସେ ଅପରାଧ କରିଛି । ତାଙ୍କ ଘରୁ ଚାକିରି ଛାଡ଼ି ଆସିଲା ପରେ ବି ମାଳିନୀକୁ କିଛି ଜଣେଇ ନାହିଁ । କ’ଣ ଏବେ ମଧ୍ୟ ମାଳିନୀ ତାକୁ ଭୁଲିନାହିଁ ? କାହିଁକି ଆସିଛି ସେ ? କି ଆକର୍ଷଣ ଅଛି ଏ ପଲ୍ଲୀରେ ?

 

ନବୀନ କହିଲା । –କ’ଣ ଭାବୁଚ ? ଆସ । ରମେଶ ଉଠିପଡ଼ିଲା । ଗଲେ ।

 

ଖଞ୍ଜା ଭିତରକୁ ପଶୁ ପଶୁ ଜୟନ୍ତୀ ଆସି ନମସ୍କାର କଲା ନବୀନକୁ । ନିଳୀମା ମଧ୍ୟ ଆଗେଇ ଆସି ସମସ୍ତଙ୍କ ପ୍ରତି ନମସ୍କାର ଜଣାଇ ଫେରିଗଲା ଟିକେ ପଛକୁ । କିନ୍ତୁ ମାଳିନୀ ସେମିତି ଠିଆହୋଇ ରହିଛି । ଜାଣିପାରୁ ନାହିଁ ସେ କିଛି । ରମେଶକୁ ଆଗରେ ଦେଖି ସେ କିଂ କର୍ତ୍ତବ୍ୟ ବିମୂଢ଼ ହୋଇ ଯାଇଛି ।

 

ଖାଇବା ପିଇବାର ବନ୍ଦୋବସ୍ତ ହେଲା । ଜୟନ୍ତୀ, ନିଳୀମା ପରିବେଷଣ କଲେ । କିନ୍ତୁ ମାଳିନୀ ?

 

କେଉଁ ଦେବତାର ଅଭିଶାପରେ ଅହଲ୍ୟା ପାଷଣୀ ହୋଇ ପଡ଼ି ଯାଇଛି ବନାନୀର ଘନ ଅନ୍ଧକାର ଗୁହା ଦ୍ୱାର ଦେଶରେ । ଯେମିତି ସବୁ ଚିନ୍ତାଶକ୍ତି ତା’ର ଲୋପ ପାଇ ଯାଇଛି । ସତେକି ପିଣ୍ତରୁ ଛାଡ଼ି ଯାଉଛି ପ୍ରାଣ । କେତେବେଳେ ସେ ଯାଇ ଖଟ ଉପରେ ପଡ଼ିଯାଇଛି ଜାଣେନା ।

 

ଖାଇବା ଭିତରେ ବେଳେ ବେଳେ ରମେଶ ମୁହଁ ଟେକି ସେହି ଘର ଆଡ଼କୁ ଚାହିଁଛି ।

 

ପନ୍ଦର

 

ଯୋଗିଆ ରହୁଛି ଗାଁରେ । ବେଳେ ବେଳେ ମୂଲ ଲାଗିବାକୁ ଯାଏ । କେତେବେଳେ ନିଜ ଜମିରେ କାମକରେ । ନିଜର ବୋଲି କହିବାକୁ ସାହାସ କରେନାହିଁ । ସେ କହେ ସେଇଟା ଗାଁ ବାଲାଙ୍କ ଜମି, ସେମାନେ ତାକୁ ଦେଇଛନ୍ତି । ଘର ଭାଙ୍ଗି ଯାଇଛି । ସେଇ ପୁରୁଣା କାଠ ବାଉଁଶରେ ପଲାଭଳି ଛୋଟ ଘରଟି କରିଛି ନିଜେନିଜେ । ରୀନାତ ସେ ଆଡ଼େ, ତା’ ପାଇଁ ଚିନ୍ତାନାହିଁ ।

 

ଯୋଗିଆ ଚାଷୀ ମୂଲିଆଙ୍କ ସାଙ୍ଗରେ ମିଶେ । ବେଳକାଳ ଦେଖି ସେ ବୁଝିଥିବା କଥା ତାଙ୍କୁ ବୁଝାଏ । କେହି ବୁଝନ୍ତି, କେହିବା କହନ୍ତି ‘ଯାହା ନଦେଖିବ ଦୁଇନୟନେ, ପରତେ ନଯିବ ଗୁରୁବଚନେ ।’

 

ଯୋଗିଆ ଆକି କାମକୁ ଯାଇନାହିଁ । ମନେପଡ଼ିଲା ସେଇ ଆଝଡ଼ା ତୋଟାପାଖ ଶିମିଳିଗଛ । ସେଇ ପଥର ଉପରେ ବସିଚି ଯୋଗିଆ, ମନରେ ଅନେକ ଅଡ଼ୁଆ ତଡ଼ୁଆ ପ୍ରଶ୍ନ । ସେ ବସିଥିବାର ଦେଖି ଆଉ ଦି’ ଚାରିଜଣ ଆସି ପହଞ୍ଚିଲେ । ଏମାନେ ଯୋଗିଆ କଥାରୁ କିଛି ପ୍ରେରଣା ପାଆନ୍ତି । ତା’ ସାଙ୍ଗ ହେବାକୁ ସୁଖ ପାଆନ୍ତି ।

 

କେତେଆଡ଼ୁ କେତେ କଥା ପଡ଼ିଲା । ପନ୍ଦରଦିନ ତଳେ ଭୋଟ ଦେଇଥିଲେ ସେମାନେ, ଯୁବନେତା ଶଶାଙ୍କ ବାବୁ ଜିଣିଛନ୍ତି । ତାଙ୍କ ଜିଣିବା କି ହାରିବାରେ ଏମାନଙ୍କର କିଛି ଯାଏଆସେ ନାହିଁ । ଏମାନେ ଜାଣନ୍ତି, ଯେକେହି ସରକାରକୁ ଗଲେ କେହି ଦରଦାମ୍‍ କମାଇ ପାରନ୍ତି ନାହିଁ ।

 

ଯୋଗିଆ କହେ–ଗଣତନ୍ତ୍ର ଦେଶରେ ସରକାର ସମସ୍ତଙ୍କର । ନିଜର ଦୁଃଖ ଦୁର୍ଦ୍ଦଶା ବିଷୟରେ ସରକାରଙ୍କୁ ଜଣାଇବା, ପ୍ରତିକାର ପାଇଁ ଦାବିକରିବା ଅଧିକାର ସମସ୍ତଙ୍କର ଅଛି । ଦରଦାମ କମାଇବାକୁ ଲୋକ ମିଳିମିଶି ଦାବିକରିବା ଦରକାର । ନକାନ୍ଦିଲେ ଛୁଆକୁ ମା’ କ୍ଷୀର ବି ଦିଏନାହିଁ । ତା’ର ଏଇ କଥାରୁ କ’ଣ ବୁଝନ୍ତି କେଜାଣି, ପାଖ ଆଖ ଗାଁରୁ ବି ଲୋକେ ତା’ ସାଙ୍ଗରେ କଥାବାର୍ତ୍ତା କରନ୍ତି । ସେମାନେ ଏତିକି ବୁଝନ୍ତି ଯେ ଯୋଗିଆ ତାଙ୍କୁ ଭଲକଥା କହୁଛି ।

 

ଏତିକି ବେଳେ ଗାଁ ଭିତରୁ ଘୋ’ ଘୋ’ ଶୁଭିଲା । କାନ ପାରିଲେ, ପିଲାଙ୍କ ପାଟି ଶୁଭୁଛି, କାରଣ କିଛି ଜାଣିହେଉନାହିଁ । ସେଇଠି ସେମିତି ବସି କଥାବାର୍ତ୍ତା ହେଲେ ।

 

ଏଣେ ଗାଁର ପିଲାଏ ଧାଇଁଛନ୍ତି ଠାକୁରାଣୀ ପଡ଼ିଆକୁ, ଟ୍ରକ୍‍ ଆସିଚି, ଟ୍ରକ୍‌ଗାଡ଼ି, ବ୍ରହ୍ମାନନ୍ଦ ଟ୍ରକରେ ବସି ଆସିଚି । ଟ୍ରକ୍‍ ରହିଲା, ପିଲାଏ ଘେରି ଦେଖୁଥାନ୍ତି । ନୂଆ ନୂଆ ଲାଗୁଛି, ମନ ଖୁସିରେ କୁଦା ମାରି ଖେଳୁଥାନ୍ତି ସେମାନେ ।

 

ବ୍ରହ୍ମାନନ୍ଦ ଟ୍ରକ୍‍ରୁ ଓହ୍ଲାଇଲା । ମଦନ ଓ ଜୟୀ ଓହ୍ଲାଇପଡ଼ିଲେ, ଠାକୁରାଣୀ ଘର ଆଗ ସଫା ହେଲା । ପୂଜକଙ୍କୁ ଡକାହେଲା । ଟ୍ରକ୍‍ରୁ ଭୋଗ ସରଞ୍ଜାମ, ନଡ଼ିଆ, କଦଳୀ ଆଉ ଅନ୍ୟ ଫଳ କଢ଼ାଗଲା । ଆଗ ଠାକୁରାଣୀଙ୍କ ପାଖରେ ଓ ପରେ ଟ୍ରକ୍‍ ପାଖରେ ଭୋଗ ଲାଗିଲା । ଜୟୀ ଭୋଗ ବାଣ୍ଟିବାକୁ ଗଲା । ସେତବେଳକୁ ଗ୍ରାମରୁ ଅଧକରୁ ବେଶିଲୋକ ଓ କେତେକ ସ୍ତ୍ରୀଲୋକ ଆସି ପହଞ୍ଚି ଯାଇଥିଲେ । ଠାକୁରାଣୀଙ୍କ ଭୋଗ, ହାତ ବଢ଼େଇ ନେଲେ । ବ୍ରହ୍ମାନନ୍ଦକୁ ମଉକା ମିଳିଲା । ଏ ସୁଯୋଗ ଦେଖି କହିଲା–ଭାଇମାନେ, ଆପଣ ଗ୍ରାମବାସୀ ଏଠି ଏକାଠି ଅଛନ୍ତି ମୋର ଏତିକି ଅନୁରୋଧ ଆଜି ସଞ୍ଜବେଳକୁ ଗରିବ ଦୁଆରେ ଟିକେ ପାଦ ପଡ଼ିବ ।

 

କାହାରି ମୁହଁରେ ଭାଷାନାହିଁ । ଏ ତା’ ମୁହଁକୁ ସେ ୟା ମୁହଁକୁ ଚାହିଁ ଚୁପ୍‍ ଚୁପ୍‌ ଚାଲିଗଲେ । ପୁଣି ଗାଡ଼ିରେ ବସିଲା ବ୍ରହ୍ମାନନ୍ଦ, ଜୟୀ ଓ ମଦନ । ଡ୍ରାଇଭର ଗାଡ଼ିବୁଲାଉଥିଲା । ଏତିକିବେଳେ ସେ ବାଟଦେଇ ଯୋଗିଆ ଓ ତା’ ସାଥୀମାନେ ଚାଲିଗଲେ । ବ୍ରହ୍ମାନନ୍ଦ ଆଖି ପଡ଼ିଲା ଯୋଗିଆ ଉପରେ । କାହିଁକି କେଜାଣି ତାକୁ ଦେଖିଲେ ହାଡ଼ ଭିତର କଟ କଟ ଡାକେ । ପରବୁଦ୍ଧିରେ ପଡ଼ି କେସ୍‌ କରିଛି । ହେଲେ ଜିତିବା କ’ଣ ଏତେ ସହଜ ? ତଥାପି ବ୍ରହ୍ମାନନ୍ଦର ମନରେ ଦକାପଶେ, ହୁଏତ ଯୋଗିଆ ଜିତିଯିବ । ଜମିବାଡ଼ି ପ୍ରତି ଆଉ ସେତେ ମୋହନାହିଁ ବୋଲି ସେ ବାବଦେ ଟଙ୍କା ଖର୍ଚ୍ଚ କରି ଜମିକେଇମାଣ ରଖିପାରିଥାନ୍ତା, ସେଇ କେତେ ହଜାର ଟଙ୍କା ଖଟାଇ ସେ ଆଣିଛି ଟ୍ରକ୍‍ । ଜମିରେ ଧୋଇ ମରୁଡ଼ି ଅଛି । ଧାନ, ବିରି, ମୁଗ ଠିକ୍‍ ଅମଳବେଳେ ଦର କମିଯାଏ । ଲାଭନାହିଁ । ସେଗୁଡ଼ାକ ଜମେଇ ରଖି ଜଗାରଖା କରିବାରେ ଖର୍ଚ୍ଚ ବେଶି, ତେଣୁ ଜମିର ମୋହ କମିଆସିଛି । ଏ ଯେଉଁ ଟ୍ରକ୍‍ ଆସିଛି ଏ ରୋଜଗାର ଦବ ବହୁତ ବେଶୀ । ଏଟା ବାଣିଜ୍ୟ, ବାଣିଜ୍ୟେ ବସତେ ଲକ୍ଷ୍ମୀ ।

 

ଟ୍ରକ୍‍ ଚାଲିଗଲା । ପ୍ରାୟ ଘଣ୍ଟାକ ପରେ ଫେରିଆସି ସେଇଠି ରହିଲା । ଗାଁ ଭିତରକୁ ଏଡ଼େ ବଡ଼ ଗାଡ଼ି ଯାଇପାରିବ ନାହିଁ । ସେଇଠୁ ବୁହାଗଲା ଯାବତୀୟ ଜିନିଷ ବ୍ରହ୍ମାନନ୍ଦର ଘରକୁ । ବାରିପଟରେ ଖନ୍ଦା ଖୋଳାହେଲା । ଟ୍ରକରେ ଆସିଥିବା ଚାରିଜଣ ରୋଷେଇଆ, ଦି’ଜଣ ଟହଲିଆ କାମରେ ଲାଗିଲେ । ରୋଷେଇ ଆରମ୍ଭ ହେଲା । ବାରିପଟରେ ଖାସି ଚାରିଟା କଟାଗଲା । ଜୟୀ ବୁଲି ବୁଲି ଦୁଇ ଗ୍ରାମର ଘରେ ଘରେ କହିଆସିଲା–ବ୍ରହ୍ମାନନ୍ଦ ବାବୁଙ୍କର ଟ୍ରକ୍‌ ଆସିଚି, ସନ୍ଧ୍ୟାବେଳକୁ ନିମନ୍ତ୍ରଣ ରହିଲା । ନିଶ୍ଚୟ ଯିବେ ।

 

ସନ୍ଧ୍ୟା ଆଗରୁ ବ୍ରହ୍ମାନନ୍ଦର ଘର ଆଗରେ ଚାନ୍ଦୁଆ ଟଣାଗଲା । ତଳେ ଦରି ପରା ଗଲା-। ପିଣ୍ତା କଡ଼େ କଡ଼େ ଧାଡ଼ି ଧାଡ଼ି ହୋଇ ଚେୟାର ପଡ଼ିଲା । ସନ୍ଧ୍ୟାବେଳକୁ ନେଳି ନାଲି ଆଲୁଅ ଝଟକି ଉଠିଲା । ଲାଉଡ୍‌ସ୍ପିକରରୁ ଗର୍ଜି ଉଠିଲା ମନ ମତାଣିଆ ସିନେମା ସଙ୍ଗୀତ ।

 

ଦେଖାଗଲା ପିଲାମାନେ ଯାଇ ଦରିରେ ବସି ଗପ ଜମେଇ ଦେଇଛନ୍ତି । ଅନ୍ୟ ଗ୍ରାମରୁ ଆସିଥିବା ବାବୁମାନେ ସରପଞ୍ଚ ବାବୁ ଓ ଲକ୍ଷ୍ମୀଧର ବାବୁ ପ୍ରଭୃତିଙ୍କ ସାଙ୍ଗରେ ଚେୟାରରେ ବସିଛନ୍ତି-। ଲୋକେ ଦାଣ୍ତ ଦୁଆରୁ ଥାଇ ଚାହିଁ ଚାହିଁ ଦେଖୁଥାନ୍ତି । ମାଂସ ତରକାରୀର ବାସ୍ନା ଯେମିତି ନାକରେ ବାଜିଯାଉଛି । ସ୍ନାୟୁ ଭିତରେ ଖେଳି ବୁଲୁଛି ଗୋଟାଏ ଉତ୍ତେଜନା, ଜିଭ ଆଗରେ ମାଂସ ଝୋଳର ସୁଆଦ । ଧୀରେ ଧୀରେ ଜଣେ ଜଣେ ଯାଇ ଚାନ୍ଦୁଆ ତଳେ ପହଞ୍ଚି ଗଲେଣି ।

 

ତେଣେ ଠାକୁରାଣୀ ଘର ଆଗରେ ସାତଜଣ ଠିଆ ହୋଇଛନ୍ତି । ଆଲୋଚନା କରୁଛନ୍ତି ଗ୍ରାମବାସୀଙ୍କ କଥା, ଏ ସାମାନ୍ୟ ମାଂସ ଝୋଳର ପ୍ରଲୋଭନକୁ ଏଡ଼ି ପାରିଲେ ନାହିଁ କାହିଁକି ? ପ୍ରଶ୍ନବାଚୀ ହୋଇ ରହିଗଲା ସେ ।

 

ତା’ପରେ ଆଲୋଚନା ପଡ଼ିଲା ଦରଦାମ ବଢ଼ିବା କଥା । ଲଗାମ ଛଡ଼ା ହୋଇ ବଢ଼ି ଚାଲିଛି ସେ । ଏତିକି ବେଳେ ଲାଉଡ୍‍ସ୍ପିକରରୁ ଶୁଭୁଥିଲା–ବହି ଯାଏରେ ଗଙ୍ଗା... ଭାତ ମହଙ୍ଗା...ପ୍ରେମ ମହଙ୍ଗା...ବଞ୍ଚିବା ଆମର ଆଜି ମହଙ୍ଗା...ମହଙ୍ଗା...ଗରିବର ରକ୍ତ ବଡ଼ ମହଙ୍ଗା...ମହଙ୍ଗା...ଉଡ଼ରେ...ତ୍ରିରଙ୍ଗା ।

 

ଷୋହଳ

 

ସେଇ ସୁଦୂର ପଲ୍ଲୀରୁ ଫେରି ମାଳିନୀ କାହିଁକି କେଜାଣି ମୂକ ପାଲଟି ଯାଇଛି । ବେଶିକଥା କହେନାହିଁ । କୌଣସିଥିରେ ଆଗ୍ରହ ନାହିଁ । ସବୁ ଯେମିତି ବିଷମୟ । ବିଷଣ୍ଣ ମନରେ ସୋଫାଉପରେ ଆଉଜି ପଡ଼ିଛି ।

 

ନିଳୀମା ତା’ ପାଖ ଛାଡ଼ି ଯାଇନାହିଁ । କାୟା ସାଙ୍ଗରେ ଛାୟା ଭଳି ସବୁବେଳେ ରହିଛି ।

 

ସେଦିନ ମାଳିନୀ ମନରେ ଯେଉଁ ପ୍ରତିକ୍ରିୟା ଦେଖାଦେଲା ତାକୁ ଠିକ୍‍ ଠିକ୍‍ ବୁଝିନେଇଥିଲା ସେ ସେଦିନ ସେ ପରିସ୍ଥିତିରେ ଘଟଣାଟାକୁ ଅନ୍ୟରୂପେଦେଇ ଚଳେଇ ନେଇଥିଲା-। ଅସୁସ୍ଥ ଥିବାର ବାହାନା କରି ମାତ୍ର ଦିନ ଦୁଇଟାପରେ ମାଳିନୀକୁ ସାଙ୍ଗରେ ଧରି ବାହାରି ଆସିଛି-। ଅନ୍ୟମାନେ ହୁଏତ ଘଟଣାଟାକୁ ଠିକ୍‍ ବୁଝିପାରି ନଥିବେ କେବଳ ରମେଶ ବାବୁଙ୍କୁ ଛାଡ଼ି-

 

ନିଳୀମା ଜାଣେ, ମାଳିନୀ ମନର ଏ ପ୍ରତିକ୍ରିୟାର ପ୍ରଭାବ ଅତି ଗଭୀର । ତଥାପି ମୁହଁ ଫଟାଇ ଆଜିଯାକେ କିଛି କହିନାହିଁ ତାକୁ । ମନହେଲା କଥାଟାକୁ ଖୋଲି ଦିଅନ୍ତା । କହିଲା–ମାଳିନୀ ! ତୁ କ’ଣ ଭାବିଛୁ ମୁଁ ବୋକା ବୋଲି ?

 

ମାଳିନୀ ଖାଲି ତାକୁ ଡବ ଡବ କରି ଚାହିଁଲା, ସତେ ଯେମିତି ଏ କଥାରୁ ସେ କିଛି ବୁଝିପାରୁନାହିଁ ।

 

–ମନ ଥରେ ଯିଏ ଚୋରୀକରି ନିଏ ସେ ଆଉ ଫେରାଏ ନାହିଁ, ଏକଥା ଯେମିତି ସତ, ସେ ମନଚୋରଟାକୁ ଯଦି କେହି ବନ୍ଦୀକରି ନେଇଯାଏ ତା’ ଉପରେ ଯେତେ ରାଗିଲେ ବି ସେ ତାକୁ ଫେରେଇବ ନାହିଁ ଏକଥା ବି ସେମିତି ସତ ।

 

ମାଳିନୀ ଖାଲି ଶୁଣି ଯାଉଥିଲା, କିଛି କହିଲା ନାହିଁ । –ପ୍ରେମ କରିବା ଯେମିତି ବୋକାମି..... । ନିଳୀମାର ଏ କଥା ସାରିବାକୁ ଦେଲାନାହିଁ ମାଳିନୀ । କହିଲା–ଚୁପ୍‌ ବେ !! ଆଖିରୁ ତା’ର ଅମାନିଆ ଅଶ୍ରୁ ଝରିପଡ଼ିଲା । ରାଗ ଅଭିମାନର ସେ ଯେମିତି ଗୋଟାଏ ଜ୍ୱଳନ୍ତ ପ୍ରତିମୂର୍ତ୍ତି । ନିଳୀମାର ହୃଦୟ କମ୍ପି ଉଠିଲା । ଡରିଗଲା ସେ । କାହିଁ କି ଯେ ତାକୁ ଏମିତି ଆଘାତ କଲା ନିଜେ ବି ଜାଣିପାରି ନ ଥିଲା । ସହାନୁଭୂତିରେ ଭରିଉଠିଲା ଅନ୍ତର । ତା’ ଆଖି ବି ହୋଇ ଉଠିଲା ସଜଳ-। ନୀର ଭିଜା ନୟନରେ ଚାହିଁ ରହିଥିଲା ମାଳିନୀ ଆଡ଼େ । ତା’ ପାଖକୁ ଉଠିଯାଇ ତା’ ମୁଣ୍ତ ଉଠେଇ ନିଜ କୋଳରେ ରଖିଲା । କାହିଁକି କେଜାଣି କାହାରି ମୁହଁରେ ଭାଷା ନାହିଁ-। କେବଳ ଅନ୍ତରର ଗଭୀର ଅନୁଭୂତି ଦୁହିଁଙ୍କୁ ଅହୁରି ପାଖକୁ ପାଖକୁ ଘେନି ଯାଉଥିଲା ।

 

–ପ୍ରେମର ଗଭୀରତା କେହି ମାପି ପାରେନା ମାଳିନୀ । ହୃଦୟର ମମତାଡୋରି ଯେ କେତେ ଦୃଢ଼, ତାକୁ ଛିଣ୍ତାଇବା ଯେ କେତେ କଷ୍ଟ... ଓଃ.... ।

 

ଯେମିତି ଯନ୍ତ୍ରଣାରେ ଛଟପଟ ହେଉଥିଲା ନିଳୀମା । ମାଳିନୀ ଅନୁଭବ କରୁଥିଲା ପ୍ରକୃତରେ ନିଳୀମାହଁ ତା’ ଅନ୍ତର ବେଦନାକୁ ଠିକ୍‍ ଉପଲବ୍ଧି କରିଛି । ତଥାପି ତା’ ମୁହଁରେ ଭାଷା ନାହିଁ । ମୁହଁରେ ସାମାନ୍ୟ ଭାବ ପରିବର୍ତ୍ତନର ଲକ୍ଷଣ ଫୁଟି ଉଠିଲା । ପ୍ରଶ୍ନବାଚୀ ଭଙ୍ଗିରେ ଚାହିଁ ରହିଲା ।

 

‘‘ବହୁ ଉତ୍‌ଥାନ ପତନ ଦେଇ ମୋର ଏ ଜୀବନ ।’’

 

ମାଳିନୀ ଉଠି ବସିଲା ।

 

‘‘ତୁ’ଜାଣୁ, ଦଶମ ଣ୍ରେଣୀରେ ପଢ଼ୁଥିବା ବେଳେ ବାହାହେଲି । ସେତେବେଳେ ପ୍ରେମ କ’ଣ, ପ୍ରଣୟର ମୂଲ୍ୟ କ’ଣ କିଛି ଠିକ୍‌ଭାବରେ ବୁଝିନଥିଲି । ଆର୍ଥିକ ଦୁରବସ୍ଥା ଯୋଗୁଁ ବାପା ଚାହିଁଲେ ମୋତେ ବାହା କରିଦେଲେ ବୋଝ ଯିବ । ମୁଁ ଖାଲି ଏତିକି ଜାଣିଥଲି, ଝିଅ ହୋଇ ଜନ୍ମ ହୋଇଛି, ବାହାହୋଇ ଯିବି, ସ୍ୱାମୀ, ଶାଶୁ ଶ୍ୱଶୁର, ଦିଅର, ନଣନ୍ଦଙ୍କ ମେଳରେ ରହିବି । ବାପା ମା’ ଭାଇ ଭାଉଣୀ, ତାଙ୍କ ସ୍ନେହ ମମତାର ଡୋରି ମୋତେ ଛିଣ୍ତେଇ ଯିବାକୁ ହବ ।

 

ଯାହାକୁ ବିବାହ କଲି ତାଙ୍କର ସ୍କୁଲ ପଢ଼ା କମ୍‌ । କିନ୍ତୁ ସେ ବହୁତ ପଢ଼ନ୍ତି । ବହୁତ କଥା ଜାଣନ୍ତି । ରୂପ ଯେମିତି, ବ୍ୟବହାର ବି ସେମିତି । ସତେ ମାଳିନୀ, ମୋର ହୃଦୟରେ ଆଉ କାହାରିକୁ ସ୍ଥାନ ଦେବାକୁ କେବେ ଚାହିଁ ନ ଥିଲି । କେଉଁ ଗୁଣରେ ସେ କମ୍‌ ନଥିଲେ । ଗୀତ ଗାଆନ୍ତି, ସୁନ୍ଦର ଗପ କହନ୍ତି, ସଭା ସମିତିରେ ବତ୍କୃତା ଦିଅନ୍ତି । ସବୁ କାମରେ ନିପୁଣ । ସମସ୍ତଙ୍କର ଶ୍ରଦ୍ଧାଭାଜନ । ମୋର କେମିତି ଡରହୁଏ, ଆଉ କୋଉ ଡାହାଣୀ ତାଙ୍କୁ ମୋ ପାଖରୁ ଛଡ଼େଇ ନେବାକୁ ଚେଷ୍ଟା ନକରୁ ।

 

କିନ୍ତୁ ମୁଁ କ’ଣ ପାରିଲି ? ଏ ପୃଥିବୀରୁ ତାଙ୍କୁ ବିଦାୟ ନବାକୁ ପଡ଼ିଲା । ସେହି ସେ ଅଶୁଭ ସନ୍ଧ୍ୟାରେ ମୋ ଜୀବନର ମାୟା ମମତାର ଡୋରି କାଟି ସେ ଚାଲିଗଲେ ।

 

–ନିଳୀମା ?

 

–ମୋ ଜୀବନର ସେହି ଦାରୁଣ ଧକ୍‌କାଠୁଁ ତୋ’ଜୀବନର ଏ ଧକ୍‍କା କିଛି କମ୍‍ ନୁହେଁ । କେବଳ ଏତିକି ତଫାତ୍‍ ତୁ ତାଙ୍କ ସାଙ୍ଗରେ ସାସାଂରିକ ବନ୍ଧନରେ ବାନ୍ଧି ହୋଇନୁ । ଆଉ ଗୋଟିଏ ପ୍ରଶ୍ନ ପଚାରିବି କହିବୁ ? ମାଳିନୀ ଏ ପ୍ରଶ୍ନରେ ଯେମିତି ଡରିଗଲା । କାହିଁକି ନିଳୀମା ଏକଥା କହିଲା ବୁଝିପାରିଲାନି ସେ । ତା’ର ଏ ପ୍ରସ୍ତାବକୁ ଗ୍ରହଣ କରିବା କେତେଦୂର ସମ୍ଭବ ସେଇଆହିଁ ଚିନ୍ତାକରି ବାହାରକୁ ଚାହିଁଲା । ପୁଣି ତା’ ଅଜାଣତରେ ବନ୍ଦହୋଇ ଯାଇଥିବା ଲୁହର ଝରଣା ଫିଟିଗଲା ।

 

ନିଳୀମା କହିଲା–ଏଜୀବନ ବଞ୍ଚାଇ ରଖିଛି କାହିଁକି ଜାଣୁ ? ଯାବତୀୟ ଦୁଷ୍କର୍ମ ପଙ୍କରେ ଘାଣ୍ଟିହୋଇ କେଉଁ ଆଶାରେ ତଥାପି ମୁଁ ବଞ୍ଚିଛି ତା’ର ଉତ୍ତର କ’ଣ ? ଜୀବନ ଉପରୁ ମୋହ ତୁଟାଇ ଦେଲେତ ସବୁ ଚାଲିଗଲା । ଘାତ ପ୍ରତିଘାତ ଭିତରେ ଆଗକୁ ଚାଲିବାରେ ଗୋଟାଏ ଅବୁଝା ଗୌରବବୋଧ, ଗୋଟାଏ ଆକର୍ଷଣ ଅଛି । ମାନେ...... ।

 

ନିଳୀମା ଭାବୁଥିଲା ଯେମିତି ତା’ର ଅର୍ଥ ସେ କହିପାରିବ ନାହିଁ । ତଥାପି ଚେଷ୍ଟାକରି କହିଲା–ଏ ସୁନ୍ଦର ପୃଥିବୀ, ତା’ର ପ୍ରକୃତି, ମଣିଷ ସମାଜ, ଏ ସବୁକୁ ଛାଡ଼ି ଚାଲି ଯିବାକୁ ଛାତି ଥରିଉଠେ । କେତେଥର ମୁଁ ମରିବାପାଇଁ ଚେଷ୍ଟା କରିଛି । କିନ୍ତୁ ହାରିଯାଇଛି ଜୀବନର ଆକର୍ଷଣ ପାଖରେ । ତା’ ଛଡ଼ା ଟୁକୁନା,ଏଇ ମୋର ପୁଅ, ପ୍ରତିବନ୍ଧକ ହୋଇ ଠିଆ ହୋଇଛି । ମୁଁ ଦେହ ବିକିଛି, ବେଶ୍ୟା ସାଜିଛି, ଧର୍ମ ଅଧର୍ମ ମାନି ନାହିଁ, ରହେମତ ଖାଁର ବିବି ସାଜିଛି । ଡକାଇତି କରିବାକୁବି ମୁଁ ପଛେଇ ନାହିଁ ଖାଲି ଏ ଜୀବନଟାକୁ ବଞ୍ଚେଇବାକୁ । ଅନେକ କଥାସେ । ମାଳିନୀ, ତୁ ଭୁଲିଯା । ଥରେ ଯଦି ଠକି ଗଲୁ ତାକୁ ସଜାଡ଼ି ନବାକୁ ନିଜେ ଚେଷ୍ଟା କର । ଜୀବନ ଏକ ଜୁଆଖେଳ । ହାରିବା ବା ଜିତିବାରେ ନିରାଶ ହେବା କି ଗୌରବାନ୍ୱିତ ହେବାରେ କିଛି ନାହିଁ ।

 

ମାଳିନୀ ମନରେ ଯେମିତି ନୂଆ ସାହସ ସଞ୍ଚାର କରାଇବାକୁ ଚେଷ୍ଟା କରୁଥିଲା ସେ । ଏତିକିବେଳେ ନିଳୀମାର ପୁଅ ଟୁକୁନା ବୋଉ ବୋଉ ଡାକି ପଶିଆସିଲା ।

 

ଖଟରୁ ଓହ୍ଲେଇ ଆସି ମାଳିନୀ ତାକୁ କାଖକରି ଆଖିରୁ ଲୁହ ପୋଛି ସକରୁଣ କଣ୍ଠରେ କହିଲା–ଟୁକୁନା ତୁ କାହାପୁଅ? ମାଳିନୀ ଗାଲରେ ଚାପୁଡ଼ାଏ ମାରି ଟୁକୁନା କହିଲା–ମୁଁ ତୋ’ରି ପୁଅ । ତାକୁ ବୁକୁରେ ଚାପିରଖି ଚୁମ୍ୱନ ପରେ ଚୁମ୍ୱନ ଦେଇ ଚାଲିଲା ମାଳିନୀ । ନିଳୀମା ଆଖି ଉଜ୍ଜ୍ୱଳ ହୋଇ ଉଠିଲା । କାହିଁକି କେଜାଣି ବୁକୁତଳେ ତା’ର ଅଜଣା ପୁଲକ ଜାଗିଉଠିଲା ।

 

ସେତିକିବେଳେ ବିଜୟ ଗୋଟାଏ ଚିଠି ଆଣି ନିଳୀମା ହାତକୁ ବଢ଼ାଇ ଦେଲା ।

 

ଜୟନ୍ତୀ ଲେଖିଛି, ସେ ବହୁତ କାର୍ଯ୍ୟବ୍ୟସ୍ତ ଅଛି । ତା’ ନଣନ୍ଦ ପ୍ରିୟମ୍ୱଦାର ବିବାହ ଠିକ୍‌ ହୋଇଛି ସେହି ଗ୍ରାମର ଶ୍ରୀକାନ୍ତ ସାଙ୍ଗରେ । ନିରାଡ଼ମ୍ୱର ପରିବେଶରେ ବିବାହ କାର୍ଯ୍ୟ ଆଗାମୀ ମାସରେ ହେବ । ସେଥିପାଇଁ ମାଳିନୀକୁ ନିମନ୍ତ୍ରଣ ଜଣାଇଛି ଯୋଗଦେବାକୁ ।

 

ସେ ଜଣାଇଛି ଯେ ତା’ ସହିତ ରୀନା ଯାଇଛି । ରୀନା ଗାଁରେ ରହିବାକୁ ଚାହିଁଲା ନାହିଁ-। ଗଣ ଚେତନା ପରିଷଦରେ କାମକରିବାକୁ ତା’ର ଆଗ୍ରହ ଯୋଗୁଁ ତାକୁ ସାଙ୍ଗରେ ନେଇଛି ଜୟନ୍ତୀ । ଆଗାମୀ ଡ୍ରାମା ବେଳକୁ ରୀନା କିଛିଗୋଟାଏ ଭୂମିକାରେ ଅଂଶଗ୍ରହଣ କରିବ ।

 

ଆଉମଧ୍ୟ କିଛି ବିଶେଷ କାମରେ ନବୀନ ବାବୁ ଦୁଇଦିନ ପରେ ଦିଲ୍ଲୀ ଯାଉଛନ୍ତି । ସେ ଦିଲ୍ଲୀରୁ ଫେରିଲେ ଡ୍ରାମା ପାଇଁ ତାରିଖ ଧାର୍ଯ୍ୟ କରାଯିବ ।

 

ସବୁ ଖବର ନିଳୀମା ଶୁଣାଇଦେଲା ମାଳିନୀକୁ, କେମିତି କେଜାଣି ମାଳିନୀ ଆଗ୍ରହରେ ସବୁ ଶୁଣିଗଲା, ଆଉ କହିଲା–ମୁଁ ଚେଷ୍ଟା କରିବି ସେଇ ପଲ୍ଲୀ ଗାଁକୁ ଆଉଥରେ ଭଲକରି ଦେଖିବାକୁ ।

 

ନିଳୀମା ହୁଏତ ବିଶ୍ୱାସ କରୁନଥିଲା ତା’ର ଏ ପ୍ରତିଶ୍ରୁତିକୁ

 

ସତର

 

ଟ୍ରେନ୍‌ ଚାଲିଛି, ଏକ୍‌ସ୍‌ପ୍ରେସ୍‌ ଟ୍ରେନ୍‌ । ଡେଇଁଯାଇଛି କେତେ ଗାଁ, ସହର, ବଣ, ପାହାଡ଼, ନଇ, ନାଳ; ଆଖି ଆଗରେ ଛବି ଭଳି ଭାସିଉଠି ପୁଣି କ୍ଷଣକେ କୁଆଡ଼େ ଅଦୃଶ୍ୟ ହୋଇଯାଏ । ମନରେ ରହିଯାଏ ତା’ର ଦାଗ, ଯେମିତି ସମୟ ସୁଅ ମାଡ଼ିଚାଲେ ଆଗକୁ ଆଗକୁ, ପଛରେ ପଡ଼ିରହେ ଦୁନିଆର ଉତ୍‍ଥାନ, ପତନ, କାହାଣୀ ହୋଇ ରହିଯାଏ ତା’ର ଅବଶେଷ ।

 

ନବୀନ ଝରକାବାଟେ ଚାହିଁଦେଖୁଛି, ଏଇ ଓଡ଼ିଶାର ସୀମାରେଖା ପାରହୋଇଗଲା । କାହାଣୀ ରହିଛି ––ଓଡ଼ିଆ ଥିଲା ବୀର, ସ୍ୱାଧୀନତା ରକ୍ଷାପାଇଁ ପାଇକପୁଅ ଆତ୍ମବଳୀ ଦେଇ ଅମରାକ୍ଷରରେ ନାଁ ରଖିଥଲା ସେ ଦିନ ନାହିଁ । ଆଜି ଓଡ଼ିଆ ଅବହେଳିତ, ଦରିଦ୍ର ଏଇ ପଡ଼ିଲା ବଙ୍ଗ । ଏଇ ବଙ୍ଗ ଦେଶରେ ବିଦେଶୀ ଇଂରେଜ ଶାସକ ତାଙ୍କ ଶକ୍ତି ବଢ଼େଇ ପଦାନତ କରି ରଖିଲେ ଏତେବଡ଼ ଦେଶଟାକୁ, ପୁଣି ଦେଶକୁ ମୁକ୍ତ କରିବାରେ ଏ ବଙ୍ଗ ବାସୀଙ୍କ ଅବଦାନ କିଛି କମ୍‌ ନୁହେଁ ।

 

ଆଗରେ ପଡ଼ିବ ବିହାର, ମଗଧଥିଲା ରାଜଧାନୀ, ଯାଇଛି ସେ ଦିନ । ସେ ଦିନର ଅଶୋକ ଆଉ ନାହାନ୍ତି । ମଗଧ ସିଂହାସନର ଅଧିଷ୍ଠାତା ଧର୍ମାଶୋକଙ୍କ କୀର୍ତ୍ତିସ୍ତମ୍ଭ ରହିଛି ଅତୀତ ଇତିହାସର ମୂକସାକ୍ଷୀ, ଶାନ୍ତି ମୈତ୍ରୀ ବନ୍ଧନର ସ୍ମାରକୀ ହୋଇ ।

 

କେଉଁ ଏକ ଷ୍ଟେସନରେ ଗାଡ଼ି ଅଟକିଲା । ଅନ୍ଧାର ହୋଇ ଆସିଲାଣି । ନବୀନ ଚାହିଁଛି ଜଣେ ଯୁବତୀ ଉଠି ଆସିଲେ କମ୍ପାଟମେଣ୍ଟ ଭିତରକୁ । ନବୀନ ଆଖି ଆଗରେ ଦିଶିଗଲା ଗୋଟାଏ ଚାଲି, ଗୋଟାଏ ଭଙ୍ଗୀ, ସେ ଭଙ୍ଗୀ ସାଗରିକାଙ୍କର । ଅନେକ ଦିନ ତଳର କଥାସେ ଯେତେଥର ତାଙ୍କୁ ସ୍ମତିପଟରେ ଆଙ୍କିଛି ସେତେଥର ଖାଲି ବେଦନାର ଗୋଟାଏ ଦୀର୍ଘଶ୍ୱାସ । ବେଶ୍‍, ସେତିକିହଁ ତା’ର ପ୍ରାପ୍ୟ ।

 

ନବୀନ ଭାବୁଥିଲା—ହୁଏତ ତାଙ୍କ ସହିତ ସମ୍ପର୍କ ଛିନ୍ନ ହୋଇଯିବାପରେ କିଛିଦିନ ଖୁବ୍‌ ମନଦୁଃଖ କରିଥିବେ । ତା’ପରେ ?

 

ଜୀବନର ଗତିତ ଆଗକୁ । ପ୍ରବହମାନ ନଦୀସ୍ରୋତ ଯେମିତି ଗଣ୍ତମଧ୍ୟରେ ବିଲୀନ ନ ହୋଇ ବହିଚାଲେ, ସେମିତି ମଣିଷର ଏ ଜୀବନ । ପାହାଡ଼ ଭଳି ବାଧା ସାମ୍ନାରେ ପଡ଼ିଲେ ବାଟକାଟି ନଦୀ ଆଗକୁ ବହିଗଲା ଭଳି ମଣିଷର ଜୀବନ ମାଡ଼ି ଚାଲେ ଆଗକୁ ଆଗକୁ ।

 

ନବୀନ ପୁଣି ଯେତେବେଳେ ସାଗରିକାଙ୍କୁ ଖୋଜେ, ସେତେବେଳେ ବର୍ଷ କେତୋଟି ବିତିଯାଇଥିଲା । ସେ ତାଙ୍କ ଜୀବନର ଗତିପଥ ବଦଳାଇ ସାରିଥିଲେ । ଏଇ ବିହାରରେ କେଉଁ ଖାଦାନ ଅଞ୍ଚଳରେ ସେ ରହୁଛନ୍ତି ତାଙ୍କ ସ୍ୱାମୀଙ୍କ ସାଙ୍ଗରେ । ସ୍ୱାମୀ ତାଙ୍କର ଜଣେ ଇଞ୍ଜିନିୟର । ଏ ସମ୍ବାଦ ପାଇଲାପରେ ବେଶି ତାଙ୍କ ବିଷୟରେ ଭାବିବାକୁ ଇଚ୍ଛା ହୁଏନାହିଁ । ତଥାପି ବେଳେ ବେଳେ ସେ ସ୍ମୃତି ଜାଗିଉଠେ, ବାରଣ କରି ହୁଏନି ।

 

କିନ୍ତୁ କାହଁକି ? କାହିଁକି ଦୀର୍ଘ ଦିନ ଧରି ସେ ତାଙ୍କଠୁଁ ଦୂରେଇ ଗଲା ?

 

ସେହି କାହଁକିର ଉତ୍ତର ଦେବାକୁ ଆଗରେ ଆସି ଠିଆହୁଏ ଏକ ନରକଙ୍କାଳ । କାନରେ ଶୁଭିଯାଏ –ମିଛ କଥା ବାବୁ, ତିନିଦିନ ଉପାସ ରହିଲୁ ବଅଁଶଟା ଯାକ, କିଛି ଉପାୟ ପାଇଲିନି, ଜଣକ ପିଢ଼ାରୁ କଖାରୁଟିଏ ଆଣି ସିଝେଇ ଖାଇଲୁଁ । ଗାଁବାଲା ପଚରା ଉଚରା କଲେ । ମାନିଗଲି । ସେଇଦିନୁ ଯୋଉଠି ଯାହା ଚୋରୀ ହେଲା, ମୋ’ରି ଉପରେ ମାଡ଼ । ମୁଁ ଗରିବ ବୋଲି ସିନା ।

 

ଛାତ୍ର ଜୀବନରେ ଜଣେ ବନ୍ଧୁଙ୍କ ସହିତ ନବୀନ ଯାଇଥିଲେ ତାଙ୍କ ଗାଁକୁ । ସେହିଦିନ ରାତିରେ ସେ ଗାଁରେ ଜଣକ ଘରୁ ଚୋରୀହେଲା । ପରଦିନ ସକାଳେ ଗାଁ ମଝିରୁ ଏ ହାଲ୍ଲାଶୁଣି ନବୀନ ତା’ ବନ୍ଧୁଙ୍କ ସହିତ ଘଟଣାସ୍ଥଳକୁ ଯାଇଥିଲା । ସେଇ ଲୋକାଟାକୁ ଧରି ଗାଁଲୋକେ ମାରୁଥିଲେ ଏବଂ ଅକଥ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ । ଭିତରକୁ ନବୀନ ପଶିଯାଇ ଗ୍ରାମଲୋକଙ୍କୁ ବୁଝେଇଥିଲା । ତା’ପରେ ସେ ଲୋକଟିକୁ ପଚାରିଥିଲା । ଲୋକଟି ଉତ୍ତରେ ଯାହା କହିଥିଲା ସେହି ମର୍ମସ୍ପର୍ଶୀ କଥା କେଇପଦରେ ପ୍ରଥମଥର ପାଇଁ ଗରିବ ପ୍ରତି ତା’ ହୃଦୟରେ ଜାଗିଉଠିଥିଲା ସମବେଦନା ।

 

ସେଇଦିନଠୁଁ ସେ ଅନୁସନ୍ଧାନ କରିଚାଲିଲା ଏ ଧନୀ ନିର୍ଦ୍ଧନର ପାର୍ଥକ୍ୟ କାହିଁକି ? କେମିତି ? କେବେଠୁଁ ?

 

ସେଥିପାଇଁ ସେ ପଢ଼ା ଛାଡ଼ିଲା । ନାନାଶ୍ରେଣୀର ଲୋକଙ୍କ ସାଙ୍ଗରେ ମିଶିଲା । ବହୁ ଘଟଣା ସହିତ ନିଜକୁ ସାମିଲ କରି ମନରେ ଜାଗିଥିବା ଏଇ ପ୍ରଶ୍ନର ଉତ୍ତର ପାଇବାକୁ ଚେଷ୍ଟା କରିଥିଲା । ତା’ର ଏପରି ମତିଗତିକୁ ଲକ୍ଷ୍ୟକରି କେତେକ ବନ୍ଧୁ ମନ୍ତବ୍ୟ ଦେଇଥିଲେ ଯେ, ସେ ପାଗଳ ।

 

କାହିଁକି କେଜାଣି ନିଜ ବିଷୟରେ ସେ ସମୟରେ ଘରକୁ, କୌଣସି ବନ୍ଧୁ କିମ୍ବା ସାଗରିକାଙ୍କୁ ଜଣେଇବାକୁ ଇଛା କରି ନଥିଲା ନବୀନ ।

 

ଅଧିକ କିଛି ଭାବିପାରୁନଥିଲା । ଅବଶ ଲାଗୁଥିଲା ତାକୁ । ଆଖିପତା ମୁଦି ମୁଦି ଆସୁଥିଲା । ସ୍ଲିପିଂ କୋଚରେ ନିଜ ବିଛଣା ଉପରେ ଢଳି ପଡ଼ିଥିଲା ସେ । ରାତି ବଢ଼ି ବଢ଼ି ଚାଲିଥିଲା ।

 

ଅବିଶ୍ରାନ୍ତ ରାତିରେ ଚାଲିଛି ଟ୍ରେନ୍‍ । ରାତି ପାହି ଯାଇଛି । ସକାଳର ସୂର୍ଯ୍ୟ ସୁନେଲି କିରଣ ରେଣୁ ବୁଣି ଦେଇଛନ୍ତି । ଝରକାବାଟେ ସେଇ ରେଣୁ କମ୍ପାଟମେଣ୍ଟ ଭିତରେ ବିଞ୍ଚିହୋଇ ପଡ଼ିଛି । ନିଦ ପାତଳ ହୋଇ ଆସିଲା ନବୀନର । ବୋଧହୁଏ କୌଣସି ପୋଲ ଉପର ଦେଇ ଗାଡ଼ି ଚାଲିଛି, ଶବ୍ଦରୁ ଅନୁମାନ କଲା ସେ । ପଚାରିଲା–କେଉଁ ନଦୀ ଏ ? ଉତ୍ତର ମିଳିଲା–ୟେ ଚମ୍ବଲ ହେ ବାବୁ ।

 

ସେ ନାଁ ଶୁଣି ହୃଦୟ ତା’ର ନାଚି ଉଠିଲା ଆଉ ଆଖିଆଗରେ ମୂର୍ତ୍ତିମନ୍ତ ହୋଇ ଉଠିଲା ଜଣେ ବୃଦ୍ଧାଙ୍କର ପ୍ରତିଚ୍ଛବି ।

 

ନବୀନର ନିରୁଦ୍ଦିଷ୍ଟ ଜୀବନରେ ତାଙ୍କ ସାନିଧ୍ୟ ତାକୁ ନୂଆ ପ୍ରେରଣା ଯୋଗାଇ ଥିଲା, ନୂଆବାଟ ଦେଖାଇ ଥିଲା । ନବୀନ ଶୁଣିଥିଲା ଯେ ଚମ୍ବଲ ଅଞ୍ଚଳର ଡକାୟତମାନେ ଅତି ଭୟଙ୍କର-। ବାଘଠୁଁ ବଳି ସେମାନେ ହିଂସ୍ର । ମନରେ ଜାଗିଥିଲା, ସେମାନେ କାହିଁକି ଏମିତି ହିଂସ୍ର ପାଲଟି ଯାଇଛନ୍ତି ?

 

ପୁଣିବି ଶୁଣିଥିଲା କେତେକ ମହତ ଲୋକ କେତେକ ଡାକୁଙ୍କ ହୃଦୟ ପରିବର୍ତ୍ତନ କରିପାରିଥିବାରୁ ସେମାନେ ଆତ୍ମସମର୍ପଣ କରି ସାଧାରଣଲୋକଙ୍କ ସହିତ ମିଶିଗଲେ । ଏମିତି ଏକ ଆପାତଃ କୌତୂହଳ ବିଷୟରେ ଅଧିକ କିଛି ଜାଣିବା ପାଇଁ ସେ ଯାଇଥିଲା ଚମ୍ୱଲ ପାର୍ବତ୍ୟ ଭୂମିକୁ ।

 

ସେଠାକାର ଜଣେ ବୃଦ୍ଧାଙ୍କ ଆତିଥ୍ୟ ତାକୁ ମୁଗ୍ଧ କରିଥିଲା । ବୃଦ୍ଧା ତାଙ୍କ ସ୍ୱାମୀଙ୍କ ସହ ସ୍ୱରାଜ ଲଢ଼େଇରେ ଝାସ ଦେଇଥିଲେ । ସ୍ୱାମୀ ତାଙ୍କର ଇହଲୋକରେ ନାହାନ୍ତି । ତାଙ୍କର ଆବକ୍ଷ ଫଟୋଟିକୁ ଚାହିଁ ବୃଦ୍ଧା ବେଳେ ବେଳେ କଣ ଗୁଣୁ ଗୁଣୁ ହୁଅନ୍ତି । କହନ୍ତି—ଏବେ ମଧ୍ୟ ସେଇ ଲଢ଼େଇ ସେମିତି ଚାଲିଛି, ଅବସାନ ହୋଇନି ।

 

ନବୀନ ବୃଦ୍ଧାଙ୍କର ଏ ମନ୍ତବ୍ୟ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ବୁଝିପାରିନଥିଲା ବୃଦ୍ଧାଙ୍କର ସେ ଭାଷାକୁ ପଚାରିଥିଲା । ବୃଦ୍ଧା କହିଥିଲେ—ଏ ଦେଶରେ ଏବେ ମଧ୍ୟ ବହୁ ବିଭେଦ ରହିଛି । ମଣିଷ ମଣିଷକୁ ପଦାନତ କରି ରଖିଛି । ଧନର ତାରତମ୍ୟ ହେତୁ ଅଗଣିତ ଲୋକ ଦୁଃଖ କଷ୍ଟରେ ସଢ଼ୁଛନ୍ତି । ଯେଉଁ ଡାକୁମାନଙ୍କ ବିଷୟ ତୁ ଜାଣିବାକୁ ଚାହୁଁଛୁ, ସେମାନେ ଏ ତାରତମ୍ୟ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରୁଛନ୍ତି । ନିଜ ଜୀବନକୁ ପାଣିଛଡ଼େଇ ଦେଇଛନ୍ତି । ଅନୁସନ୍ଧାନ କଲେ ଜାଣିପାରିବୁ ପ୍ରତ୍ୟେକ ଡାକୁ ତା’ ଜୀବନରେ କୌଣସିନା କୌଣସି ଅତ୍ୟାଚାରର ଶିକାର ହୋଇଥିବ ।

 

ଖଇବାକୁ ନ ପାଇ ଚୋରୀ, ଡକାୟତୀ କଲେ ସେଥିପାଇଁ ଆଇନ୍‌ ଅତି ନିର୍ଦ୍ଦୟ । ସେଭଳି ଅପରାଧୀଙ୍କୁ କଠୋର ଦଣ୍ତ ଭୋଗ କରିବାକୁ ପଡ଼େ । କିନ୍ତୁ ଯେଉଁମାନେ ଲୋକଙ୍କୁ ଠକନ୍ତି, ଲୁଟନ୍ତି, ଧପ୍ପାବାଜି କରି, ଆଇନ୍‌ର ବାହୁଛାୟା ତଳେରହି ସ୍ପଷ୍ଟ ଦିବାଲୋକରେ ଲୋକଙ୍କୁ ଖଟେଇ ତାଙ୍କ ପରିଶ୍ରମକୁ ଲୁଟି ମୁନାଫା ନେଇ ଧନ ଠୁଳ କରନ୍ତି, ତାଙ୍କ ପାଇଁ ଗଢ଼ାଯାଇଥିବା ଆଇନ୍‌ ଅଥର୍ବ ହୋଇଯାଏ, ପଙ୍ଗୁ ହୋଇଯାଏ ।

 

ତୁମେ ସବୁ ପାଠୁଆ ପିଲା । ବୁଝ, ବାହାରିପଡ଼, କାମକର । ଯେଉଁମାନଙ୍କର ଦରଦ ଅଛି ସେମାନଙ୍କୁ ବୁଝାଅ । ନହେଲେ ଏ ବିଭେଦ ଉଠିବ ନାହିଁ, ଲୋକଙ୍କୁ ସ୍ୱରାଜ ମିଳିବ ନାହିଁ । ଆମେ ଆଉ ଲଢ଼ିପାରୁ ନାହୁଁ । ଥକି ଗଲୁଣି, ରଥ ରହିଗଲାଣି ।

 

ବୃଦ୍ଧାଙ୍କର କେଇପଦ କଥା ନବୀନକୁ ପ୍ରେରଣା ଯୋଗାଇଛି ସେହି ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାକୁ । ସେହି ମୁହୂର୍ତ୍ତରୁ ଯେମିତି ଶପଥ ନେଇ ବାହାରି ପଡ଼ିଛି ସେ ।

 

ବୃଦ୍ଧାଙ୍କ ଆଦର୍ଶ ଜୀବନ, ଆଖି ଆଗରେ ନାଚିଯାଏ । ବ୍ରାହ୍ମଣୀ ସେ । ଦୁଇ ପୁଅ ତାଙ୍କର-। ଦୁହେଁ ଚାକିରିବାକିରି କରି ବାହାରେ ବେଶ୍‌ ଭଲରେ ଅଛନ୍ତି । କିନ୍ତୁ ବୃଦ୍ଧାଙ୍କ ସରକାରୀ ପେନ୍‌ସନ୍‌ ଗଣ୍ତାକରେ ଚଳିଯାନ୍ତି । ହରିଜନ ସାହିରୁ ଝିଅଟିଏ ଆସି ରାନ୍ଧି ଦିଏ, ତାଙ୍କା ସେବା କରେ-। ସ୍ୱରାଜ ଆନ୍ଦୋଳନ ସମୟରୁ ଗ୍ରହଣକରି ନେଇଥିବା ଆଦର୍ଶ ତାଙ୍କର ଅସ୍ଥିମଜ୍ଜାଗତ ଥରିଲା ହାତରେ ବାଡ଼ିରୁ କପାତୋଳି ସୂତା କାଟନ୍ତି । କହନ୍ତି–ସୁଦର୍ଶନ ଚକ୍ର ଏ ଚରଖା, ଏହା ପଛରେ ଅଛି ଏକ ବିରାଟ ଦର୍ଶନ ।

 

ନବୀନ ବିଛଣା ଉପରେ ବସି ବୃଦ୍ଧାଙ୍କ ପ୍ରତି ପ୍ରଣାମ ଜଣାଇ ଉଠିପଡ଼ିଲା ।

 

ଏକ୍‌ସପ୍ରେସ୍‌ ଟ୍ରେନ୍‌ ବୋହିନେଉଛି ତାକୁ ଦିଲ୍ଲୀ ଅଭିମୁଖେ । ସାରା ଭାରତର ବିଭିନ୍ନ ଜନସେବା ଅନୁଷ୍ଠାନମାନଙ୍କର ସଭାପତିମାନେ ଏକ ସମ୍ମିଳନୀରେ ଦିଲ୍ଲୀଠାରେ ମିଳିତ ହେବେ । ଓଡ଼ିଶାର ଏକ ଜନସେବା ଅନୁଷ୍ଠାନ ‘‘ଜନ ସେବା ଟ୍ରଷ୍ଟ’’ର ସଭାପତି ନବୀନ, ଚାଲିଛି ସେହି ସମ୍ମିଳନୀକୁ ।

 

ଅଠର

 

ଆଜି ତେଲକଳର ଶୁଭ ଉଦ୍‌ଘାଟନ ଉତ୍ସବ । ବଜାର ପାଖରେ କାରଖାନା ଘର, ମେସିନ୍‌ ବସି ସାରିଛି । ବ୍ରହ୍ମାନନ୍ଦ ଚେୟାର୍‌ ଖଣ୍ତିକରେ ବସିଛି । ଆଗରେ ଟେବୁଲ୍‍, ସାଜସଜା ଚାଲିଛି । ମଦନ ଓ ଜୟୀଙ୍କର ଗୋଡ଼ ତଳେ ଲାଗୁନାହିଁ । କାମର ତଦାରଖ କରିଚାଲିଛନ୍ତି ।

 

ଷ୍ଟେଜ୍‌ ବନ୍ଧାଗଲା, ସଞ୍ଜବେଳକୁ ନାନା ବର୍ଣ୍ଣଛଟା ବିକିରଣକରି ବିଜୁଳି ଆଲୁଅ ଝଲମଲ ହୋଇ ଉଠିଲା । ଲାଉଡ୍‌ସ୍ପିକର୍‌ରୁ ଶୁଭିଲା ବଛା ବଛା ମନ ମତାଣିଆ ସିନେମା ସଙ୍ଗୀତ ।

 

ଚାରିଆଡ଼ୁ ଲୋକ ଜମା ହେବାକୁ ଲାଗିଲେ । ମନ୍ତ୍ରୀ ଆସିବେ, ବେତାର ଶିଳ୍ପୀ, ଗାୟକ ଗାୟିକା ଆସିବେ, କିଛି ସମୟ ପରେ ଘର୍‍ ଘର୍‍ ଶବ୍ଦ କରି ଦୁଇ ତିନିଟା ଗାଡ଼ି ଆସିଲା । ଆଗରେ ପୁଲିସ୍‍ ଜିପ୍‌, ମଝିରେ ମନ୍ତ୍ରୀଙ୍କ କାର୍‌, ତା’ ପଛରେ ଅଫିସରମାନଙ୍କ ଜିପ୍‌ ।

 

ବ୍ରହ୍ମାନନ୍ଦ ଆଗେଇ ଗଲା, ପାଛୋଟି ଆଣିଲା । କାରଖାନା ସାମ୍ନାକୁ ମନ୍ତ୍ରୀ ଗଲେ । ଦୁଆର ମୁହଁ ସିଧା ଗୋଟାଏ ଲାଲ୍ ରିବନ୍‌କୁ ମନ୍ତ୍ରୀ ମହୋଦୟ ନୂଆ କତୁରୀରେ କାଟିଦେଲେ । ଲାଉଡ୍‌ସ୍ପିକରରେ ଘୋଷଣା କରାଗଲା ।

 

ଘର ଭିତରେ ସେମାନେ କିଛି ସମୟ ବସିଲେ । ସମବେତ ଜନତା ଚାହିଁ ରହିଛନ୍ତି । ଘର ଆଗରେ ବଡ଼ ଲାଲ କନା ଉପରେ ତୁଳାରେ ଲେଖାଯାଇଛି –ପଲ୍ଲୀ ସମବାୟ ତୈଳଶିଳ୍ପ ।

 

କିଛି ସମୟ ପରେ ମନ୍ତ୍ରୀ ଆସିଲେ ଷ୍ଟେଜ୍‌ ଉପରକୁ । ଦୁଇଜଣ ଝିଅକୁ ଆଗରୁ ଶିଖା ଯାଇଥିବା ଆଗମନୀ ସଙ୍ଗୀତ ସେମାନେ ଗାଇଲେ । ମନ୍ତ୍ରୀଙ୍କ ବେକରେ ଫୁଲମାଳ ପଡ଼ିଲା ।

 

ବ୍ରହ୍ମାନନ୍ଦ ପ୍ରାରମ୍ଭିକ ଭାଷଣଟିଏ ଦେଲେ ।

 

ଆରମ୍ଭ ହେଲା ମନ୍ତ୍ରୀଙ୍କ ଭାଷଣ ।

 

ଲୋକେ ତାଙ୍କୁ ଆଗରୁ ଦେଖିଥିଲେ । ଦୁଇମାସ ତଳେ ଏଇ ଯୁବନେତା ଶଶାଙ୍କ ବାବୁ ଭୋଟ ସଭା କରିଥିଲେ ଏ ଅଞ୍ଚଳରେ । ଏବେ ମନ୍ତ୍ରୀ ଆସନ ପାଇଛନ୍ତି ।

 

ମନ୍ତ୍ରୀ କହି ଚାଲିଛନ୍ତି ଗ୍ରାମାଞ୍ଚଳରେ ଶିଳ୍ପ ବିକାଶ କଥା । ଅନୁଭବରୁ ଲୋକେ ଅନେକ ଶିଖିଛନ୍ତି । ସେମାନଙ୍କର ଆକର୍ଷଣ କିନ୍ତୁ ଅନ୍ୟ ଆଡ଼େ ।

 

ଟୁପ୍‌ଟାପ୍‌ ହେଉଛନ୍ତି—ବେତାର ଶିଳ୍ପୀମାନେ କାହାନ୍ତି ?

 

ଷ୍ଟେଜ୍‍ ପଛପଟରେ କ’ଣ ସବୁ ଟୁଂ-ଟାଂ ଶୁଭୁଛି । କିଏ କହୁଛି–ଆସି ଗଲେଣିରେ, ଯନ୍ତ୍ରପାତି ସଜ କରୁଛନ୍ତି ।

 

ମନ୍ତ୍ରୀଙ୍କର ଭାଷଣ ଲମ୍ୱି ଲମ୍ୱି ଚାଲିଛି । ଲୋକେ ଚାହିଁଛନ୍ତି ତାଙ୍କ ଆଡ଼େ । କ୍ରମେ ସୃଷ୍ଟି ହେଉଛି ଗୁଞ୍ଜରଣ । ତା’ପରେ ଆରମ୍ଭ ହେଲା ତାଳି ।

 

ତାଳି ଶୁଣି ମନ୍ତ୍ରୀ ମହୋଦୟ ଆହୁରି ତାଙ୍କ ଭାଷଣକୁ ଲମ୍ୱାଇ ଚାଲିଛନ୍ତି । ଲୋକଙ୍କ ଭିତରେ ପାଟି ତୁଣ୍ତ ବଢ଼ି ଚାଲିଛି ।

 

ସଭାକାର୍ଯ୍ୟ ସରିଲା । ଷ୍ଟେଜ୍‌ ଉପରକୁ ଉଠି ଆସିଲେ ପ୍ରଥମେ ବାଦ୍ୟଯନ୍ତ୍ର ଧରି ବାଦ୍ୟକାର ବୃନ୍ଦ । କେତେପ୍ରକାର ବାଦ୍ୟଯନ୍ତ୍ର, ମଫସଲ ଅଞ୍ଚଳର ଲୋକେ ଆଗ୍ରହରେ ଚାହିଁ ରହିଛନ୍ତି । ଉଠି ଆସିଲେ ବେତାର ଶିଳ୍ପୀମାନେ ଷ୍ଟେଜ୍‌ ଉପରକୁ, ଆନନ୍ଦ କୋଳାହଳ ସହିତ କରତାଳିରେ କମ୍ପି ଉଠିଲା ସେ ସ୍ଥାନଟି ।

 

ଶିଳ୍ପୀମାନେ ସଙ୍ଗୀତ ପରିବେଷଣ କଲେ । ଆନନ୍ଦ ମୁଖରିତ ଜନଗହଳି ଭିତରୁ ବରାଦ ଉପରେ ବରାଦ, ଲୋକଙ୍କର ବରାଦ ମୁତାବକ ଗୀତ ଗାଇ ଶୁଣାଇଲେ ବେତାର ଶିଳ୍ପୀ ଶ୍ରୀଯୁକ୍ତ ଜୟନ୍ତ, ଶ୍ରୀମତୀ ଚାରୁଲତା ଓ କୁମାରୀ କାବେରୀ ।

 

‘‘ପଲ୍ଲୀ ସମବାୟ ତୈଳ ଶିଳ୍ପ’’ର ଉଦ୍‌ଘାଟନ ଉତ୍ସବ ସମାରୋହରେ ଶେଷ ହେଲା ।

 

ସେହିଦିନ ଅପରାହ୍ନ, ମାଳିନୀ ଉପର ତାଲାରେ ବସି ଚାହିଁଛି ଟାଉନ୍‌କ୍ଲବ୍‍ ସାମ୍ନାରେ ସଜାଯାଉଥିବା ସ୍ଥାୟୀ ରଙ୍ଗମଞ୍ଚ ଆଡ଼େ । ବାପା ତା’ର ତତ୍ପର ହୋଇ ଉଠିଛନ୍ତି । ମଞ୍ଚ ସଜାପାଇଁ ନିର୍ଦ୍ଦେଶ ଦେଉଛନ୍ତି । ସେଟା ତାଙ୍କର ହବି ।

 

ମିନୀ ବସ୍‌ଟି ଆସି ଅଟକିଲା ଟାଉନ୍‌କ୍ଲବ୍‌ ଆଗରେ, ବସ୍‍ରୁ ଓହ୍ଲାଇ ଆସିଲେ କେତେଜଣ ଯୁବକ ଯୁବତୀ । ନବୀନ ବାବୁ ଆଗରେ ଓହ୍ଲାଇ ତା’ ବାପାଙ୍କୁ ନମସ୍କାର କରିବାରୁ ଅନ୍ୟମାନେ ତାଙ୍କୁ ନମସ୍କାର କଲେ । ଅନ୍ୟମାନଙ୍କୁ କ୍ଲବ୍‍ ଘର ଭିତରକୁ ଯିବା ପାଇଁ ଠାରିଦେଇ ନବୀନବାବୁ ସେଇଠି ଠିଆ ହୋଇ ଗପ କରୁଥିଲେ ।

 

ପଛରେ ଦୁଇଜଣ ଯୁବକ ଯୁବତୀ ଓହ୍ଲାଇଲେ, ସେହି ଦମ୍ପତ୍ତି ଯୁଗଳଙ୍କ ଠାଣି ମାଳିନୀ ମନରେ ବିଷାଦ ସ୍ୱରର ଝଙ୍କାର ତୋଳୁଥିଲା ।

 

ସେ ଦୁହେଁ ଆଗେଇ ଆସି ମାଳିନୀର ବାପାଙ୍କ ନମସ୍କାର କଲେ । ସେ ଦେଖୁଥିଲା ରମେଶ ବାବୁ ଓ ଜୟନ୍ତୀ ତା’ ବାପାଙ୍କ ସାଙ୍ଗରେ କଥାବାର୍ତ୍ତା ହେବାର । ମାତ୍ର ଦୁଇଶହ ମିଟର ବ୍ୟବଧାନରେ ଥାଇ ସେ ଦୃଶ୍ୟ ପଟରୁ ଆଖି ଫେରାଇ ଆଣିବାକୁ ଚେଷ୍ଟାକରି ମଧ୍ୟ ପାରୁ ନ ଥଲା ମାଳିନୀ ।

 

କିଛି ସମୟ ପରେ ମଞ୍ଚ ଝଲସି ଉଠିଲା ଆଲୋକ ମାଳାରେ । ରଙ୍ଗମଞ୍ଚର ପରଦା ଉପରେ ଅଙ୍କିତ ଟିକେ ତାଣ୍ତବ ନୃତ୍ୟର ଦୃଶ୍ୟ ଆଡ଼କୁ ଚାହିଁରହି କେମିତି ଅନ୍ୟମନସ୍କା ହୋଇପଡ଼ିଲା ମାଳିନୀ । ଏଇ ଶିବ, ଶ୍ମଶାନ ବୁଲା, ଗରଳ ପିଆ ସବୁ କିଛି ଅମଙ୍ଗଳକୁ ଆତ୍ମସାତ କରି ଜଗତର ମଙ୍ଗଳ କାମନାରେ ବ୍ରତୀ ଏ ସୁପୁରୁଷ, ଯାହାଙ୍କର ତ୍ୟାଗ, କର୍ମ ନିଷ୍ଠା ବିମୋହିତ କରେ ଭୁବନ ମୋହିନୀ ପର୍ବତ କନ୍ୟା ପାର୍ବତୀଙ୍କୁ ।

 

ତା’ ଭାବନାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ବିଜୟର ଡାକରାରେ, ବାପା ଡକେଇ ପଠେଇଛନ୍ତି-। କ’ଣ କରିବ ? ଯିବ ନା ନାହିଁ? ବାପାଙ୍କୁ କ’ଣ ଫାଙ୍କିଦେଇ ହବ ? ନା ବାଧ୍ୟ ପିଲାଟି ପରି ଓହ୍ଲାଇ ଗଲା ।

 

ଟାଉନ୍‌କ୍ଲବ୍‌ ଘର ସାମ୍ନାରେ ବସିଥିଲେ ତା’ ବାପାଙ୍କ ସହିତ ଜଣେ ବୟସ୍କା ମହିଳା, ଜୟନ୍ତୀ, ନବୀନ ଓ ରମେଶ । ପହଞ୍ଚୁ ପହଞ୍ଚୁ ତା’ ବାପା ପରିଚିତ କରାଇ ଦେଲେ । ସମସ୍ତଙ୍କ ଉଦ୍ଦେଶ୍ୟରେ ଗୋଟିଏ ନମସ୍କାର ଜଣାଇ ପଛକୁ ହଟି ଆସୁଥିଲା । ବୟସ୍କା ମହିଳା ଜଣକ ତାକୁ ଆଦରକରି ପାଖରେ ବସାଇଲେ ।

 

ଜୟନ୍ତୀ ମାଳିନୀକୁ ଚିହ୍ନେଇ ଦେଲା, ଯାହାର ଦାନରେ ଗଢ଼ି ଉଠିଛ ‘‘ଜନସେବା ଟ୍ରଷ୍ଟ’’ ଓ ‘‘ଗଣ ଚେତନା ପରିଷଦ’’ । ସେ ହେଉଛନ୍ତି ସେହି ମହୀୟସୀ ମହିଳା, ତାଙ୍କୁ ସମସ୍ତେ ଅପା ବୋଲି ଡାକନ୍ତି ।

 

ମାଳିନୀ ସେମାନଙ୍କ ମେଳରେ ବସିବା ଭିତରେ ତା’ ମନ କେମିତି ନୂଆ ସାହସରେ ଭରି ଉଠିଛି । କଥା ପ୍ରସଙ୍ଗରେ ସେ ରମେଶକୁ କହିଲା—ରମେଶ ବାବୁ, ଆପଣ ଆମ ଘରୁ ଗଲା ପରେ ଆମେ କ’ଣ ଥରଟିଏ ପାଇଁ ଆପଣଙ୍କ ମନେପଡ଼ିଲୁ ନାହିଁ ?

 

.........

 

–ଏତେ ଅଭିମାନୀ ଆପଣ ?

 

––ମୁଁ ଅଭିମାନ କରିଥାନ୍ତି କାହିଁକି ?

 

ଯୋଉ ସବୁ ଅସୁବିଧା ଭିତରେ ମୁଁ ପଡ଼ିଲି—ଛାଡ଼ ସେ କଥା ।

 

––ହଉ ହେଲାରେ ବାବୁ, ଆମ କଥା ଆମେ ଫେରାଇ ନଉଚୁ ।

 

––ନା, ନା, ସେମିତି କାହିଁକି ତୁମେ ଭାବୁଚ ମାଳିନୀ ?

 

ତା’ପରେ ସବୁ ଚୁପ୍‌ଚାପ୍‌ ।

 

ସମୟ ହୋଇ ଆସିଲାଣି, ରମେଶ କହିଲା—ମୋତେ ପେଣ୍ଟିଂ ହବାକୁ ପଡ଼ିବ । ଯାଉଛି, ଚାଲିଗଲା ସେ, ମାଳିନୀ ଗପ ଜମେଇଲା ଅପାଙ୍କ ସାଙ୍ଗରେ । ଅପାଙ୍କ କଥାବାର୍ତ୍ତା ତାକୁ ଭାରି ଆକୃଷ୍ଟ କରିଛି । ଅନେକ କଥା ତାଙ୍କୁ ପଚାରୁଥିଲା ସେ । ଗୋଟି ଗୋଟି ହୋଇ ଅନ୍ୟମାନେ ଉଠି ଯାଇଥିଲେ ।

 

ପ୍ରଥମ ଘଣ୍ଟି ବାଜିଲା, ଅପାଙ୍କ ସାଙ୍ଗରେ ସେ ଗଲା, ଆଗ ଧାଡ଼ିରେ ଚଉକି ଦିଓଟିରେ ପାଖାପାଖି ବସିଲେ । ସ୍କ୍ରିନ୍‌ ଉପରେ ସେହି ‘‘ଶିବ ତାଣ୍ତବ’’ ଚିତ୍ର, ମାଳିନୀ ମନରେ କେଉଁ ଗୋପନ କୋଣରେ ଉଙ୍କି ମାରି ଉଠୁଥିଲା—ଶ୍ମଶାନ ବୁଲା ପାଇଁ ଜଗତ ମୋହିନୀ ପାର୍ବତୀ ପାଗଳିନୀ ।

 

ସ୍କିନ୍‌ ଆଡ଼େଇ ପଶି ଆସିଲା ନବୀନ, ସେହି ଶିବ ମୂର୍ତ୍ତିର ସାମ୍ନାରେ ଠିଆହୋଇ ସମବେତ ଦର୍ଶକମାନଙ୍କ ପ୍ରତି ଚିତ୍ତାକର୍ଷକ ବକ୍ତୃତାଟିଏ ଦେଇ ଗଣ ଚେତନା ପରିଷଦକୁ ସାହାଯ୍ୟ ସହଯୋଗ କାମନାକରି ବିଦାୟ ନେଲା । ପଛରୁ ଆବହ ସଙ୍ଗୀତର ମୂର୍ଚ୍ଛନା ଭାସି ଆସୁଥିଲା । ସେହି ମୂର୍ଚ୍ଛନାର ଅନ୍ତରାଳରେ ଯେମିତି ଝଙ୍କାର ତୋଳୁଥିଲା ସେହି ପଲ୍ଲୀ ନିବାସିନୀ ନବୀନ ମାଆଙ୍କର ଦରଦୀ ଅନ୍ତରର ଆହ୍ୱାନ–ମୋ ମନରେ କେତେ ଆଶା...... ।

 

ଡ୍ରାମା ଆରମ୍ଭ ହେଲା । ନାୟିକା ଭୂମିକାରେ ନିଳୀମା ଓ ରମେଶ ନାୟକ ଭୂମିକାରେ ଅଭିନୟ କରୁଥିଲେ । ଗୋଟିଏ ସିନରେ ରୀନାର ଅଭିନୟ ଆଡ଼କୁ ବିମୁଗ୍ଧ ଦୃଷ୍ଟିରେ ଚାହିଁ ରହିଥିଲା ମାଳିନୀ । ଏଇ ରୀନା, ମଫସଲରୁ ଆସି ଦିନ କେଇଟାରେ କେତେ ବଦଳି ଯାଇଛି ?

 

ନିଜେ ବି କେତେ ବଦଳି ଯାଇଛି ସେ କଥାକୁ ହଠାତ୍‌ ଭାବି ନିଜେ ବିସ୍ମିତା ହେଉଥିଲା । ରମେଶ ବାବୁ, ଯାହା କଥା ଏତେ ଦିନ ଧରି ଭାବି ଚାଲିଥିଲା । ଦୀର୍ଘ ଦିନ ବ୍ୟବଧାନ ପରେ ସେହି ପଲ୍ଲୀରେ ତାଙ୍କୁ ଦେଖି ନିଜ ମନର ଭାରସାମ୍ୟ ରଖିପାରି ନ ଥିଲା । ଆଜି ଏତେ ସହଜରେ ତାଙ୍କ ସାଙ୍ଗରେ କଥାବାର୍ତ୍ତା କରିପାରିଲା ?

 

ତା’ର ଏ ଭାବନାରେ ବାଧା ଦେଇ ଅପା କହିଲେ ରୀନା ପ୍ରଥମଥର ପାଇଁ ଅଭିନୟ କରୁଛି, ଦେଖୁଛତ ? କେମିତି ଲାଗୁଛି ?

 

ମନେ ମନେ ଯେମିତି ରୀନାକୁ ଈର୍ଷା କରୁଥିଲା ମାଳିନୀ । କହିଲା–ଚମତ୍କାର ।

 

ଊଣେଇଶ

 

ପ୍ରକୃତିକୁ ଜିଣିବା ପାଇଁ ତତ୍ପର ଏ ମଣିଷ । ଆକାଶରେ ଉଡ଼ି ଗ୍ରହ ଗ୍ରହାନ୍ତରକୁ ଯିବାପାଇଁ ପ୍ରବଳ ତା’ର ଉଦ୍ୟମ । କିନ୍ତୁ ପ୍ରକୃତିର ଅଟ୍ଟହାସ୍ୟ ତାକୁ କରେ ବିବ୍ରତ, ବୁକୁ ତା’ର ଥରି ଉଠେ, କଳ୍ପନା ଅଟକେ, ବୁଦ୍ଧି ହୁଏ ଅଚଳ, ସେ ନିଜକୁ ମଣେ ଏକାନ୍ତ ଭାବେ ଅସହାୟ, ନିତାନ୍ତ ଦୁର୍ବଳ ।

 

କିଛି କୁଆଡ଼ୁ ନ ଥିଲା । ଶେଷ ଅଶିଣ ଆକାଶରେ ଭାସି ବୁଲୁଥିବା ଖଣ୍ତି ଖଣ୍ତି ବଉଦ ଏକାଠି ମେଣ୍ଟ ବାନ୍ଧିଲେ । ଘୋର ଗର୍ଜନ କରି ପ୍ରବଳ ବେଗର ଧାଇଁଲେ । ପ୍ରଖରରୁ ପ୍ରଖରତର ହେଲା ପବନର ବେଗ । ମୂଷଳ ଧାରାରେ ବର୍ଷିଲା ପାଣି । ବର୍ଷା ପବନର ଗର୍ଜନରେ ବୁଦ୍ଧିବଣା ହେଲା । ଭୀଷଣରୁ ଭୀଷଣତର ହେଲା ତା’ର ଆକ୍ରମଣ । ପ୍ରଳୟ ଯେମିତି ମାଡ଼ି ଆସୁଛି ।

 

ଲୋକେ ଜୀବନ ବଞ୍ଚାଇବା ପାଇଁ ପାରୁପର୍ଯ୍ୟନ୍ତ ସାବଧାନ ହେଲେ । କେହିବା ନିଜକୁ ଅସହାୟ ମଣି କୌଣସି ଏକ ଅଜଣା ମହାନ ଶକ୍ତି ନିକଟରେ ସମର୍ପଣ କରି ଦେଇ ଉଦାସୀନ ହୋଇ ପଡ଼ିଲେ । ମଣିଷର ହା’ ହା’କାର ବର୍ଷା ତୋଫାନର ଘୋର ଗର୍ଜନ ଲୀନ ହୋଇଗଲା ।

 

କେତେ ଘର ଭାଙ୍ଗିଲା, କେତେ ଗଛ ଉପୁଡ଼ି ପଡ଼ିଲା, କେତେ ମଣିଷ, ପଶୁପକ୍ଷୀଙ୍କର ଜୀବନଟି ମୁହୂର୍ତ୍ତକେ ଚାଲିଗଲା ତା’ର ହିସାବ ନାହିଁ ।

 

ପ୍ରକୃତିର ତାଣ୍ତବ ବଳ ହେଲା ।

 

ବଞ୍ଚି ଯାଇଥିବା ମଣିଷଙ୍କର ହା’ ହା’କାର ହେଲା ପ୍ରବଳରୁ ପ୍ରବଳତର । ମୁଣ୍ତ ଗୁଞ୍ଜିବାକୁ ଘର ନାହିଁ, ଖଇବାକୁ ଦାନା ନାହିଁ, ଚାରିଆଡ଼େ ମଣିଷ, ଗାଈ ଗୋରୁଙ୍କ ପଚା ଶବର ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଚି । ଜୀବନ ନୁହେଁ, ଜୀବନ୍ତ ମରଣ ସେ ।

 

ସେଇ ମରଣର କରାଳ ଗ୍ରାସ ଭିତରୁ ନିଜକୁ ବଞ୍ଚାଇ ରଖିବାକୁ ତତ୍ପର ମଣିଷ ରାହା ଖୋଜୁଛି, ଆଶ୍ରୟ ଲୋଡ଼ୁଛି, ଚାହୁଁଛି ଟିକେ ସହାନୁଭୂତି, ଆଶ୍ୱାସନା ।

 

ଦିନ ରାତିର ଲୁଚକାଳି ଖେଳି ଅଟକି ଯାଇନି ସେହି ଦୁର୍ଗତ ମଣିଷମାନଙ୍କ ପତି ସହାନୁଭୂତି ଦେଖାଇ ।

 

ବ୍ୟାପକ ଅଞ୍ଚଳରେ ଏହି ଦାରୁଣ ବାତ୍ୟା ସମ୍ୱାଦ ରେଡ଼ିଓ, ଖବରକାଗଜରେ ପ୍ରଚାରିତ ହୋଇଗଲା । ଏଇ ବାତ୍ୟା ବିଧ୍ୱସ୍ତ ଅଞ୍ଚଳର ମଣିଷ ସହିତ ଯୋଗସୂତ୍ର ସ୍ଥାପନ କଲା ବାହାରର ମଣିଷ ।

 

ଗାଁ ଗାଁକୁ ଯିବାକୁ ରାସ୍ତା ସଫାହେଲା, ଗଛ କଟାଗଲା । ବାହାରୁ କେତେ ମଣିଷ ଖେଦି ଗଲେ ଗାଁକୁ ଗାଁ । ସେହି ଦୁର୍ଗତ ମଣିଷମାନଙ୍କୁ ବଞ୍ଚାଇବା ପାଇଁ ତାଙ୍କ ପାଖରେ ଖାଦ୍ୟ, ବସ୍ତ୍ର, ପହଞ୍ଚାଇଲେ । ପଚି ଗନ୍ଧାଉଥିବା କୁଢ଼କୁଢ଼ ମଢ଼କୁ ଏକାଠି କରି ପେଟ୍ରୋଲ ଢାଳି ନିଆଁ ଲଗାଇଲେ-। ଲୋକମାନଙ୍କୁ ଔଷଧ, ଇଞ୍ଜେକ୍‌ସନ ଦେଲେ ।

 

ସରକାରୀ, ବେସରକାରୀ ଲୋକ, ସମାଜସେବୀ ସଂସ୍ଥାମାନ ଲାଗିଗଲେ ସେବା କାମରେ । ଦୁର୍ଗତ ମଣିଷର ଉଦ୍ଧାର କାମରେ ହୃଦୟର ଗଭୀରତମ ପ୍ରଦେଶରୁ ସମବେଦନା ଜଣାଇ କାମରେ ଲାଗିଥିଲେ କେତେକ ସମାଜସେବୀ ଅନୁଷ୍ଠାନର ଯୁବକ ଯୁବତୀ ତଥା ସ୍କୁଲ କଲେଜର ଛାତ୍ର ଛାତ୍ରୀ ଗଣ ।

 

ବିଭିନ୍ନ ସମାଜସେବୀ ଅନୁଷ୍ଠାନ ବିପନ୍ନ ଅଞ୍ଚଳରେ ବୁଲି ବୁଲି କାମ କରୁଥାଆନ୍ତି । ‘‘ଜନସେବା ଟ୍ରଷ୍ଟ’’ର ଯୁବକ ଯୁବତୀ ଦଳ ବିଭିନ୍ନ ଗ୍ରାମରେ ପହଞ୍ଚି ତୁରନ୍ତ ଖାଦ୍ୟ ବସ୍ତ୍ର ସାହାଯ୍ୟ କରିବା ପରେ ଘର ଭାଙ୍ଗି ଯାଇଥିବା ଲୋକଙ୍କୁ କିଛି ଟଙ୍କା ପଇସା ଦେଇ ନିଜେ ରହି ନିହାତି ସେମାନଙ୍କ ମୁଣ୍ତଗୁଞ୍ଜି ରହିବା ଭଳି ବ୍ୟବସ୍ଥାମାନ କରିବାରେ ଲାଗିଥାଆନ୍ତି ।

 

କୃଷ୍ଣ ନଗର ଓ ହରିପୁର ଗ୍ରାମରେ ଦୁଇଜଣ ଯୁବତୀ ରହି ଏ କାମ କରିବାରେ ବ୍ୟସ୍ତ । ସମାନେ ମାଳିନୀ ଓ ନିଳୀମା । ଗ୍ରାମରେ ପହଞ୍ଚିବା ପରେ ଯୋଗିଆ ତାଙ୍କୁ ସହଯୋଗ କରୁଛି । ସେମାନେ ରହୁଛନ୍ତି ନବୀନ ଘର ଖଞ୍ଜାରେ । ସେ ଖଞ୍ଜାର ଚାଳ ଉଡ଼ିଯାଇଥିଲା । ଛପର ହୋଇ ସାରିଛି ।

 

କାହିଁକି କେଜାଣି ମାଳିନୀ କିଛି ବୁଝି ନ ପାରିଲା ଭଳି ଅନୁଭବ କରୁଛି । ଏ ଘରର ଗୋଟାଏ ପ୍ରଚ୍ଛନ୍ନ ମାୟା ସତେ ଯେମିତି ତାକୁ ଘେରି ଯାଇଛି ।

 

କେମିତି ସେ ଏ ଟ୍ରଷ୍ଟରେ ନିଜକୁ ସାମିଲ୍‌ କଲା ସେ କଥା ଭାବି ବସେ । ସେ ଡ୍ରାମାଦିନ ଅପାଙ୍କ ସାଙ୍ଗରେ କେଇଘଣ୍ଟା କଥାବାର୍ତ୍ତା । ଏଡ଼େ ବଡ଼ ଟ୍ରଷ୍ଟ ତାଙ୍କର ଦାନାରେ ଗଢ଼ା ଯାଇଛି । ସେହି ମହୀୟସୀ ମହିଳାଙ୍କ ଅନୁଭୂତି ତାକୁ କେମିତି ଅତିମାତ୍ରାରେ ଆକୃଷ୍ଟ କରିଥିଲା । ସେ ଚାହିଁ ନ ଥିଲା ତାଙ୍କ ସାଙ୍ଗରେ ଚାଲି ଯାଇ ନିଜକୁ ସେହି ଜନସେବା ଟ୍ରଷ୍ଟର ଜଣେ କର୍ମୀ ରୂପେ ମିଶାଇ ଦେବାକୁ । କିନ୍ତୁ ଏ ଦାରୁଣ ବାତ୍ୟା ବିଧ୍ୱସ୍ତ ଅଞ୍ଚଳରେ ସେବା କାମ କରିବାର ଆଗ୍ରହ ତା’ ମନରେ ଜାଗ୍ରତ ହେଲା । ସେଥିରେ ଯୋଗଦେଇ କେମିତି ଏକ ଅଜଣା ଗୌରବରେ ସେ ପୁଲକିତ ହେଉଥିଲା ମାଳିନୀ ।

 

ସାମୟିକ ଭାବେ ହେଲେ ମଧ୍ୟ ନିଳୀମାର ସେ ସହକର୍ମିଣୀ । ରୀନା ସେମାନଙ୍କ ସାଙ୍ଗରେ ଅଛି । ବୁଢ଼ୀଙ୍କର କୋଟି ଆଦର, ସେ ନବୀନ ବାବୁଙ୍କ ମା’ !

 

ସାତଦିନ ରହିଲେ । ସନ୍ଧ୍ୟାବେଳେ ଗାଁର ବୋହୂମାନେ ଆସି ବସନ୍ତି, କେତେ କଥା ପଚାରନ୍ତି, କେତେକଥା କୁହନ୍ତି । ଭାରି ଭଲ ଲାଗୁଥିଲା ମାଳିନୀକୁ । ଗ୍ରାମରୁ ବିଦାହୋଇ ଗଲା ଦିନ ଅମାନିଆ ଅଶ୍ରୁଧାର ବହି ଆସିଥିଲା ଦୁଇ ଆଖିରୁ ।

 

ସେହି ଦୁର୍ଦ୍ଦିନ ପରେ ସେ ଅଞ୍ଚଳରେ ଅଚାନକ ସବୁ କିଛି ମହଙ୍ଗା ହୋଇ ଯାଇଛି । ଚାଷୀର ଘରୁ ଧାନ ସରିଛି, କ୍ଷେତର ଧାନ ଉଜୁଡ଼ିଛି, ହାତରେ କାମ ନାହିଁ, ଟଙ୍କା ନାହିଁ ।

 

ସେଠି ନୂଆ ରାସ୍ତା ତିଆରି ହେଉଛି । ଟେଷ୍ଟ ରିଲିଫ୍‌ କାମ । କିଛି ଲୋକ କାମ କରୁଛନ୍ତି । ଅନ୍ୟମାନଙ୍କ ପାଇଁ କାମ ନାହିଁ । ଠିକାଦାରଙ୍କୁ କାମ ଦେବାପାଇଁ କହିଲେ ଉତ୍ତର ମିଳୁଛି–ସରକାରଙ୍କୁ ଜଣାଅ । କାମ ନାହିଁ, ଟଙ୍କା ନାହିଁ, ବଞ୍ଚିବାକୁ ପଡ଼ିବ । କଂସାବାସନ, ସୁନା ରୂପା, ଗାଈ ଗୋରୁ ବିକି କୌଣସି ମତେ ବଞ୍ଚିଯିବା ପାଇଁ ଯେ ଯାହା ବାଟରେ ଲାଗିଛନ୍ତି ।

 

ବଜାର ମଝିରେ ଶସ୍ତା ଦୋକାନ ଖୋଲିଛି, ସରକାରୀ କଣ୍ଟ୍ରୋଲ ଦୋକାନ । ସେଠି ଦିନେ ଦି’ ଦିନ ଜିନିଷ ମିଳୁଛି, ତା’ ପରେ ଆଉ ମିଳୁନାହିଁ । କାହିଁକି ଜିନିଷ ନାହିଁ ବୋଲି କେହି ପଚାରିଲେ ଉତ୍ତର ପାଏ—ସରକାରଙ୍କୁ ଜଣାଅ ।

 

ଶୁଣାଗଲା ଦଳେ ଲୋକ ସରକାରୀ ଅଫିସ ଆଗରେ ଠୁଳ ହେଉଛନ୍ତି, ଯୋଗିଆ ସେମାନଙ୍କୁ ଏକାଠି କରିଛି, ସରକାରୀ ଅଫିସରଙ୍କ ଜରିଆରେ ସରକାରଙ୍କୁ ଗୁହାରି ଜଣାଇବା ପାଇଁ । ସେ କୁଆଡ଼େ କହୁଛି—ସରକାର ଲୋକଙ୍କର ମାଲିକ । ସବୁ ଲୋକଙ୍କୁ କାମ ଯୋଗାଇବାକୁ, ସବୁ ଲୋକଙ୍କୁ ଖାଇବାକୁ ଦେବାକୁ ସରକାର ବାଧ୍ୟ ।

 

ଏ କଥା ଶୁଣି କେତେକ ଆଗ୍ରହ ପ୍ରକାଶ କଲେ, କେତେକ କହିଲେ ସେଇଟା ପାଗଳଟାଏ । ବଜାରର ଦକ୍ଷିଣ ମୁଣ୍ତରେ ମଦନ ଗୋଟାଏ ନୂଆ ଦୋକାନ ଖୋଲିଛି, ସେଠି ଅଟା, ଚାଉଳ କୁଆଡ଼େ ମିଳୁଛି । ଆଗରେ ଅଧବସ୍ତା ଅଟା ଅଳ୍ପ ଚାଉଳ, ବିରି, ମୁଗ, କୋଳଥରୁ କିଛି କିଛି ଅଛି । ପଛ ପଟରେ ତିନିଟା ବଡ଼ ଘରେ ବୋଝେଇ ହୋଇ ରହିଛି ସବୁ । ମଦନକୁ ପଚାରିଲେ କହେ—କିଲେ ଅଧକିଲୋ ଯଦି ନବ ନିଅ । ଦାମ ପୁଣି, କଣ୍ଟ୍ରୋଲ ଦୋକାନ ଠୁଁ ଦେଢ଼ଗୁଣ ।

 

ବେଶି ଜିନିଷ ଦରକାର ହେଲେ ତା’ ସାଙ୍ଗରେ ନିରୋଳାରେ ଚୁପ୍‌ଚାପ୍‍ କଥାବାର୍ତ୍ତା । ଦରକାର ପଡ଼ିଲେ ବସ୍ତା ବସ୍ତା ମାଲ୍‌ ବାଡ଼ିପଟେ ଖଲାସ ହୋଇ ଯାଉଛି । ବହୁ ମନରେ ବହୁ ପ୍ରଶ୍ନ, ବହୁ ସନ୍ଦେହ ସୃଷ୍ଟି କରି ମଦନର ଏ ଦୋକାନ ଚାଲିଛି ।

 

କେହି କହୁଛି–ବ୍ରହ୍ମାନନ୍ଦର ଏ ଦୋକାନ ମଦନ ଗୁମାସ୍ତାଗିରି କରୁଛି । ବ୍ରହ୍ମାନନ୍ଦ ସେଆଡେ଼ ବଡ଼ ସହରରେ ରହି ସବୁ ସୂତ୍ର ଧରିଛି । ବାହାରକୁ ଜଣାପଡ଼ୁନାହିଁ ।

 

କୋଡ଼ିଏ

 

ବ୍ରହ୍ମାନନ୍ଦ ବଡ଼ ସହରରେ ରହୁଛି ।

 

ବଡ଼ କୋଠା, ଲଜିଂ ହାଉସ୍‌ । ଲୁହାର ଫାଟକ, ହାତରେ ବନ୍ଧୁକ ଧରି ଦରୱାନ ଠିଆ । ଭିତରେ ଲୋକଙ୍କ ରହିବା ପାଇଁ କେତେ ରକମର ବ୍ୟବସ୍ଥା । ସେହି ଘରର ଚାରିତାଲା ଉପରେ ଦୁଇଶହ ଏକତିରିଶ ନମ୍ୱର କୋଠରୀ, ପନ୍ଦର ଦିନ ହେଲା ବ୍ରହ୍ମାନନ୍ଦର ଦଖଲରେ ।

 

ବାତ୍ୟାରେ ବ୍ରହ୍ମାନନ୍ଦର ସେମିତି କିଛି କ୍ଷତି ହୋଇ ନାହିଁ ! ବାଡ଼ିରେ ଯାହା କେତେଟା ଗଛ ଭାଙ୍ଗି ଯାଇଛି ଆଉ ସେ କାରଖାନା ଘରର ଛାତଟା ଉଡ଼ି ଯାଇଛି ।

 

ବ୍ରହ୍ମାନନ୍ଦ ଭାବେ, ତା’ର ସବୁମନ୍ତେ କ୍ଷତି କରିବାକୁ ଲୋକଗୁଡ଼ାକ ଲାଗି ପଡ଼ିଛନ୍ତି । ସେଗୁଡ଼ାକ ନିହାତି ନିମକ୍‌ ହାରାମ । ଏତେ ଲାଗି ସେ ଅଞ୍ଚଳରେ ଗୋଟାଏ କାରଖାନା କଲା, ଅଞ୍ଚଳର ଗୌରବ ବଢ଼ିଲା, ହେଲେ ଲୋକେ କ’ଣ ବୁଝିଲେ ? କାରଖାନା ଯେମିତି ଚାଲି ନ ପାରିବ ସେଥିପାଇଁ ବାହାରି ପଡ଼ିଲେ । ସରକାର ଟଙ୍କା ଦେବେ, ଗାଆଁର ଲୋକେ ସୁବିଧା ପାଇବେ, କାମ ପାଇବେ, କ’ଣ ସେମାନେ ବୁଝିଲେ କିଛି ?

 

ସବୁ ମୂଳରେ ସେଇ ବଦମାସ ଯୋଗିଆ ନିଶ୍ଚୟ ଥିବ । ଏବେ ତା’ ଦିମାକ ବହୁତ ବଢ଼ି ଯାଇଛି । ଲୋକଙ୍କୁ ଏକାଠି କରି ସରକାରୀ ଅଫିସର ଆଗରେ ଧାରଣା ଦେଉଛି ? ଆନ୍ଦୋଳନ କରୁଛି ? ତାକୁ ଏତେ ସବୁ ବାଟ ଦେଖେଉଛି ସେ ଶଇତାନ୍‌ ନବୀନ, ସେଇଟା ପାଠଶାଠ ପଢ଼ିଛି, ଦେଶର ମଙ୍ଗଳ କରିବେ କ’ଣ ଖାଲି ନଷ୍ଟ, ଖାଲି ଉତ୍ତେଜନା । ନଷ୍ଟ କରିଦେବେ ଏଗୁଡ଼ାକ, ଦେଶକୁ ଧ୍ୱଂସ କରିଦେବେ ।

 

ଯେଉଁମାନେ ଗୋଟାପଣ ଆପଣାର ହୋଇଥିଲେ ସେମାନେ ପୁଣି ଅଭିଯୋଗ କରିଛନ୍ତି ଯେ ‘‘ସମବାୟ ଶିଳ୍ପ ସମିତି’’ ବେନିୟମ ଭାବେ ଗଢ଼ା ଯାଇଛି । ନିୟମ ହେଉ କି ବେନିୟମ ହେଉ, ତା’ର ପୁଅ କି ସ୍ତ୍ରୀ ବା ଝିଅ, ସେ ସାବାଳକ ହୁଅନ୍ତି କି ନାଁ ବାଳକ ଥାଇ ମେମ୍ୱର ହୁଅନ୍ତି ସେଥିରେ ଲୋକଙ୍କର କି ଯାଏ ? ସେଥିକି ତାଙ୍କର ମୁଣ୍ତ କାହିଁକି ଏତେ ବଥାଉଚି । ନିଜେ ତ କିଛି କରି ପାରିବେନି, ଯିଏ କିଛି କରିବାକୁ ବସିଲା ତା’ ମୁଣ୍ତରେ ଠେଙ୍ଗା ପାହାର ଦେବା ଲୋକଙ୍କର ଗୋଟାଏ ବଦଭ୍ୟାସ ।

 

ଏ ଲଜିଂରେ ରହିବା ଦିନରୁ ବହୁଲୋକ ସେ ଘରକୁ ଆସିଛନ୍ତି, ଅଫିସର, ନେତା, ବ୍ୟବସାୟୀ, ଏମିତି ବହୁ ଲୋକଙ୍କୁ ସେ ନିମନ୍ତ୍ରଣ କରିଛି ଏଠିକି । ନାନା ପ୍ରକାର ଖାଦ୍ୟ, ବିଦେଶୀ ମଦ, କଲ୍‌ଗାର୍ଲ, ଯାହାର ଯେମିତି ରୁଚି ତାକୁ ସେମିତି ଯୋଗାଇ ଦିଆ ଯାଇଛି । ହେଲେ ସମବାୟ ବିଭାଗ ଅଫସରଟା ନିହାତି ଅନ୍‌ସୋସିଆଲ୍‌, ଯାହାକୁ କହନ୍ତି ମିନ୍‌ ମାଇଣ୍ତେଡ୍‌ ।

 

ଟଙ୍କା ନବ, ସରକାରୀ ଟଙ୍କା ମଞ୍ଜୁରୀ ପାଇଁ ଦି’ ଧାଡ଼ି ସୁପାରିସ୍‍ ଲେଖିଦବ, କ’ଣ ହାତରୁ ପଡ଼ୁଛି ? ଖାଲି ସେତିକି କରିଦେଲେ ଷ୍ଟେଟ୍‌ ଫାଇନାନ୍‌ସିଆଲ୍‌ କର୍‌ପୋରେସନ୍‌ ଓ୍ୱାର୍ଙ୍କି କ୍ୟାପିଟାଲ ମଞ୍ଜୁର କରିଦବ । ସେଥିରେ ନିଜର ଲାଭ, ଦେଶର ବି କାମ, ଏ କଥାକୁ ଯୋଉ ଅଫିସର ନ ବୁଝିଲା ନ ବୁଝୁ । ଯୋଉଗୁଡ଼ାକ ନୀତିବାନ ବୋଲି ଦେଖାଇ ହୁଅନ୍ତି ସେମାନେ ପହିଲା ନମ୍ୱର ବୋକା ନୁହନ୍ତି ତ ଆଉ କ’ଣ ? ଦିନ ଆସିବ, ଚାକରି କରିଚ, ବଦଳି ହବ, ତା’ପରେ ? ତା’ପରେ ଆମ କାମ ଆମେ କରି ଚାଲିବୁ । ରଖ ହୋ ତୁମ ନୀତି । ତା’ ଭାବନାର ପୂର୍ଣ୍ଣଚ୍ଛେଦ ପଡ଼ିଲା ଡ୍ରାଇଭର ସଙ୍ଗରେ ଆଉ ଜଣେ ଯୁବକର ହଠାତ୍‌ ଉପସ୍ଥିତିରେ । ଯୁବକ ଜଣକ ଭାରି ବ୍ୟସ୍ତ ହୋଇ ଆସିଥିବା ଭଳି ଜଣା ପଡ଼ୁଥିଲା । ପହଞ୍ଚି ବ୍ରହ୍ମାନନ୍ଦ ହାତକୁ ଚିଠି ଖଣ୍ତେ ବଢ଼େଇ ଦେଇ କହିଲା—ବାବୁ, ମଦନ ବାବୁଙ୍କ ଦୋକାନ ଆଗରେ ଶହ ଶହ ଲୋକ ଘେରି ରହିଛନ୍ତି, ପୁଲିସ, ଆଉ କେତେଜଣ ବାବୁ ଅଛନ୍ତି ସେଠି । ଲୋକେ ଜମା ଛାଡ଼ି ଯାଉ ନାହାଁନ୍ତି ।

 

ବ୍ରହ୍ମାନନ୍ଦର ରାଗ ଆହୁରି ବଢ଼ିଗଲା ଯେମିତି, ବଦମାସ ସେ ନବୀନର ଅଦୃଶ୍ୟ ହାତର ଏ କରାମତି । ନହେଲେ ଯୋଗିଆ ଭଳିଆ ଲୋକ ଏ କାମ କରାନ୍ତା ? ଚିଠିଟା ଉପରେ ଆଖି ବୁଲେଇ ନେଇ ଚାହିଲା ଡ୍ରାଇଭର ଆଡ଼କୁ ଏକ ହତାଶ ଚାହାଣି ।

 

ଡ୍ରାଇଭର ବୁଝି ପାରିଲା । ‘‘ବାବୁ, ଗାଡ଼ି ବୋଝେଇ ସରିଛି, ଚାଲନ୍ତୁ ବାହାର ଯିବା ।’’ କହି ଡ୍ରାଇଭର ଉତ୍ତର ପାଇଁ ଚାହିଁ ରହିଲା ।

 

ବ୍ରହ୍ମାନନ୍ଦ ମୁଣ୍ତରେ ଯେମିତି ତେନ୍ତୁଳିଆ ବିଛା ଗୁଡ଼ାକ ସାଲୁବାଲୁ ହୋଇ କାମୁଡ଼ି ପକାଉଛନ୍ତି । ବ୍ୟସ୍ତ ଭାବେ କହିଲା—ଚାଲ ।

 

ଡ୍ରାଇଭର ବ୍ୟାଗ୍‍ଟା ଉଠାଇ ଆଣି ଆଗେ ବାହାରି ଆସିଲା । ବ୍ରହ୍ମାନନ୍ଦ ତଳ ମହଲାରେ ମ୍ୟାନେଜରଙ୍କ ହାତକୁ ଦୁଇଟି ଶହେ ଟଙ୍କିଆ ନୋଟ ବଢ଼େଇ ଦେଉ ଦେଉ କହିଲା—ରଖିଥାନ୍ତୁ, ମୁଁ ଆସିଲେ ହିସାବ କିତାବ । ମ୍ୟାନେଜର ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା ତା’ ମୁହଁକୁ । କହିଲା –ଏମିତି ହଠାତ୍‌ କ’ଣ ବାହାରି ପଡ଼ିଲେ ?

 

ସେତେବେଳକୁ ବ୍ରହ୍ମାନନ୍ଦ ଆଗକୁ ଚାଲିଗଲାଣି । ଡ୍ରାଇଭର କହିଲା—ଅର୍‌ଜେଣ୍ଟ ।

ଟ୍ରକ ବୋଝେଇ ଥିଲେ ବି ଜୀବନ ଉପରେ ପକେଇ ଡ୍ରାଇଭର ତା’ ଗତିକୁ ଯଥାସମ୍ଭବ ବଢ଼େଇ ଦେଇଛି ।

ଆଗରେ ବାଙ୍କ । ବାଙ୍କର ଡାହାଣ ହାତି ଗୋଟିଏ ଗାଁ । ଗାଁର ଗୋଟିଏ ମୁଣ୍ତ ରାସ୍ତାକୁ ଲାଗିଛି । ଗାଁ ମୁଣ୍ଡରେ ଚା’ ଦୋକାନ, ପାନ ଦୋକାନ । ଗାଡ଼ି ଚାଲିଛି ଖୁବ୍‌ ଜୋରରେ, କୁଆଡ଼ୁ ଥିଲା ଷଣ୍ଢଟାଏ । ହଠାତ୍‌ ଗାଡ଼ି ସାମ୍‍ନାକୁ ମାଡ଼ି ଆସିଲା । ଡ୍ରାଇଭର ଷ୍ଟିଅରିଂ ମୋଡ଼ି ଦେଲା । ବ୍ରେକ୍‌ ଦେବାକୁ ଚେଷ୍ଟା କଲା । କିନ୍ତୁ ବିଫଳ ।

‘‘ଢୋ’’ କରି ଶଦ୍ଦ ଶୁଭିଲା, ଦୋକାନ ପାଖରୁ ଲୋକ ଦୌଡ଼ି ଆସିଲେ । ଗାଁରୁ ବି କେତେକ ଲୋକ ଦୌଡ଼ିଲେ ଘଟଣା ସ୍ଥଳକୁ । ଗାଡ଼ି ଧକ୍‌କା ହୋଇଛି ଚାକୁଣ୍ତା ଗଛ ସହିତ ।

ଆଗରୁ ଗୋଟାଏ ଗାଡ଼ିର ଆଲୋକ ପଡ଼ିଲା, ସେହି କାର୍‌ରେ ଆସୁଥିଲେ ନବୀନ, ଯୋଗିଆ ଅପା ଓ ରୀନା । ସେମାନେ ବିଭିନ୍ନ ଗାଁ ବୁଲି ଜନସେବାଟ୍ରଷ୍ଟର କାମ ଦେଖି ଫେରି ଆସୁଛନ୍ତି । ଯୋଗିଆ କେତେଦିନ ହେଲା ସେମାନଙ୍କ ସାଙ୍ଗରେ ବୁଲୁଛି । ଅପା କହନ୍ତି, ଯୋଗିଆର କାର୍ଯ୍ୟ ଦକ୍ଷତା ତାଙ୍କୁ ମୁଗ୍‌ଧ କରିଛି ।

ଗାଡ଼ି ପାଖେଇ ଆସୁଛି, ଗାଡ଼ି ଭିତରୁ ସେମାନେ ସ୍ପଷ୍ଟ ଦେଖି ପାରୁଛନ୍ତି ଏ ଜନଗହଳିକୁ ଏବଂ ଗଛ ସହିତ ଧକ୍‌କା ଲଗାଇଥିବା ଗାଡ଼ିକୁ । ପାଖରେ ଆସି ଅଟକିଲେ । ସମସ୍ତେ ଓହ୍ଲେଇ ପଡ଼ିଲେ । ଯୋଗିଆ ଧାଇଁଗଲା ଆଗ, ତା’ ପାଟିରୁ ବାହାର ପଡ଼ିଲା—ଭାଇ !!!

ସେହି ଡାକରେ ଥିଲା ଭାଇ ପ୍ରତି ସମବେଦନାର ଗୋଟାଏ ଗଭୀର ସ୍ପର୍ଶ । ଲୋକ ଆଡ଼େଇ ଗଲେ । ସେତେବେଳକୁ ଦୁଇଜଣ ଗ୍ରାମବାସୀ ବ୍ରହ୍ମାନନ୍ଦର ଜାବ ପଡ଼ିଯାଇଥିବା ଦାନ୍ତକୁ ଖୋଲି ପାଣି ଦେବାକୁ ଚେଷ୍ଟା କରୁଥିଲେ । ଯୋଗିଆ ଯୋଗଦେଲା ସେମାନଙ୍କ ସାଙ୍ଗରେ । ଦାନ୍ତ ଖୋଲିଲା, ପାଣି ଢୋକିଲା । ଧୀରେ ଧୀରେ ଆଖି ଖୋଲିଲା ।

ନବୀନ, ଯୋଗିଆ ଗ୍ରାମବାସୀମାନଙ୍କ ସହଯୋଗରେ ବ୍ରହ୍ମାନନ୍ଦକୁ କାର୍‌ ଭିତରକୁ ଟେକିନେଲେ । ଗାଡ଼ି ଭିତରେ ନବୀନ ଓ ରୀନା ବ୍ରହ୍ମାନନ୍ଦକୁ ଧରି ବସିଲେ । ଯୋଗିଆ କହିଲା—ତୁମେ ମେଡ଼ିକାଲ ଚାଲିଯା, ମୁଁ ଯାଉଛି ନୂଆବୋଉଙ୍କୁ ଘେନି ଆସିବ । ଗାଡ଼ି ଛାଡ଼ି ଦେଲା । ସେଇଠି ଠିଆ ହୋଇ ଯୋଗିଆ ଚାହିଁ ରହିଥିଲା ଦୂରେଇ ଯାଉଥିବା କାର୍‍ ଆଡ଼କୁ ।

କାର୍‌ ଅଦୃଶ୍ୟ ହୋଇଗଲା ପରେ ପାନ ଦୋକାନ ଆଗରେ ଗୋଟାଏ ବେଞ୍ଚରେ ବସିଲା । ଅପେକ୍ଷା କରି ରହିଲା କୌଣସି ଫେରନ୍ତା ଗାଡ଼ିକୁ । ଶୁଣିଲା ସେହି ଗ୍ରାମର ସଞ୍ଜୟ ବାବୁଙ୍କର ଗୋଟାଏ ମଟର ସାଇକେଲ ଅଛି । ଭାରି ଉପକାରୀ ଲୋକ ସେ ।

ଯୋଗିଆ ଧାଇଁଗଲା ତାଙ୍କ ପାଖକୁ । ସେ ମଧ୍ୟ ଘଟଣା ସ୍ଥଳରୁ ଫେରି ସେତେବେଳକୁ ଘରେ ପହଞ୍ଚିଥିଲେ । ଯୋଗିଆର ଅନୁନୟ ଶୁଣି ବାହାରି ପଡ଼ିଲେ । ମଟର ସାଇକେଲ ପଛରେ ଯୋଗିଆ ବସାଇ ଚାଲିଲେ ।

ବ୍ରହ୍ମାନନ୍ଦର କୋଠା ସମ୍ନାରେ ମଟର ସାଇକେଲ ରହିବାର ଶଦ୍ଦ ହେଲା । ସୁଲୋଚନାର ଛାଇ ନିଦ ଭାଙ୍ଗିଗଲା । ଏ ଶଦ୍ଦରେ ତା’ ମନରେ ଅଚାନକ ଚମକ ଲାଗିଲା । ଛାତ ଧଡ଼ପଡ଼ ହେଲା । ମୁଣ୍ତ ଉଠେଇ ବାହାରକୁ କାନ ପାରିଲା ।

 

‘‘ନୂଆବୋଉ !’’ ଯୋଗିଆର କାତର କଣ୍ଠର ଏ ଡାକରେ ଛାତରୁ ଅତଡ଼ା ଖସି ପଡ଼ିଲା-। ମନେପଡ଼ିଲା ସେ ଦିନର ଦୃଶ୍ୟ । ଏମିତି ଅଧୀର କଣ୍ଠରେ ତା’ର ସ୍ୱାମୀଙ୍କୁ ଡାକିଥିଲା ଧନିଆଁ-। ତା’ ହାତରେ ଚିକ୍‌ଚିକ୍‌ କରୁଥିବା ଛୁରୀ ମୁହୂର୍ତ୍ତକେ ତା’ର ସର୍ବନାଶ କରିଥାନ୍ତା । କିନ୍ତୁ ଆଜି-? ଯୋଗିଆ କାହିଁକି ଡାକୁଛି ? କ’ଣ ତା’ର ଉଦ୍ଦେଶ୍ୟ ? ତା’ ପ୍ରତି ତା’ର ସ୍ୱାମୀ ଯେଉଁ ଅନ୍ୟାୟ କରିଛନ୍ତି ତାକୁ କ’ଣ ସେ ଭୁଲି ଯାଇଛି ? ସୁଲୋଚନାର ଯୋଗିଆ ପ୍ରତି ଗଭୀର ଅନୁରାଗ ଥିବା କଥା, ଯୋଗିଆ ଜାଣି ପାରିଥିବ ବା କେମିତି ? ଯୋଗିଆ ପ୍ରତି ଏ ଅନ୍ୟାୟ ବିରୁଦ୍ଧରେ ସେ ଯେ କେତେଥର ପ୍ରତିବାଦ କରିଛି, କିନ୍ତୁ ପ୍ରବଳ ବତାସରେ ଶୁଝିଲା ପତ୍ର ପରି ଉଡ଼ି ଯାଇଛି ସେ-। ତଥାପି ଦୁର୍ଗତ ସେହି ପରିବାର ପ୍ରତି ହୃଦୟରେ କେବଳ ସମବେଦନା ଜାଗିଉଠେ । ବାସ ସେତିକି ଛଡ଼ା ଆଉ ସେ କିଛି କରି ପାରି ନାହିଁ । ଅଜଣାରେ ଆଖି କୋଣରୁ କେତେଥର ଝରି ପଡ଼ିଛି କେତେ ବୁନ୍ଦା ଅଶ୍ରୁ । କିନ୍ତୁ ଆଜି ଏ କ’ଣ ? ଯୋଗିଆ କାହିଁକି ନୂଆବୋଉ ବୋଲି ଏମିତି ଅଧୀର କଣ୍ଠରେ ଡାକୁଛି ? ପୁଣି ମଟର ସାଇକେଲ୍‌ରେ ଆସିଛି । କଥା କ’ଣ ?

 

କବାଟ ନ ଖୋଲି ସୁଲୋଚନା ଯଥା ସମ୍ଭବ ଶକ୍ତି ସଞ୍ଚୟ କରି ପଚାରିଲା–କ’ଣ ହେଲା-? ଯୋଗିଆ ପାଟିରେ ଭାଷା ଅସ୍ପଷ୍ଟ ହୋଇ ଉଠିଲା । ସଞ୍ଜୟବାବୁ କହିଗଲେ ସବୁ ଘଟଣା-। ସୁଲୋଚନାର ଧୈର୍ଯ୍ୟ ବନ୍ଧ ଭାଙ୍ଗିଗଲା । ଆଖିରୁ ଲୁହ ପୋଛି କବାଟ ଖୋଲି ବାହାରି ଆସିଲା ।

 

‘‘କ’ଣ କରିବି ଲୋ ମା.... ।’’

 

ସୁଲୋଚନା କାତର କଣ୍ଠର ଏ ଭାଷାର ପ୍ରତି ଉତ୍ତରରେ ଯୋଗିଆ କହିଲା–ସରପଞ୍ଚ ବାବୁଙ୍କୁ କହି ତାଙ୍କ ଗାଡ଼ି ଆଣିବି ଯାଉଚି, ତମେ ବାହାରିପଡ଼ । ହବ ତ ସରପଞ୍ଚ ବାବୁଙ୍କୁ ସାଙ୍ଗରେ ଆଣିବି ।

 

––ହଁ, ହଁ ସେଇଆ କର ।

 

ଯୋଗିଆ ଚାଲିଗଲା । ସୁଲୋଚନା ସବୁକଥା ତା’ର ନଣନ୍ଦକୁ ଜଣେଇ ଘରର ଦାୟିତ୍ୱ ତା’ ଉପରେ ଛାଡ଼ି କେତେଖଣ୍ତ ଲୁଗା ଓ ଟଙ୍କା ଆଟାଚିରେ ପୁରେଇଲା ।

 

ଗାଡି ଆସିବାର ଶବ୍ଦ ଶୁଭିଲା ।

 

ସୁଲୋଚନା ଓହ୍ଲେଇ ଆସିଲା ପାହାଚରୁ । ସଞ୍ଜୟବାବୁ ମଟର ସାଇକେଲରେ ଓ ସରପଞ୍ଚ ଏବଂ ଯୋଗିଆ ସରପଞ୍ଚଙ୍କ ଅଟୋରିକ୍‌ସାରେ ବସି ଆସିଥିଲେ । ଯୋଗିଆ କହିଲା—ତୁମେ ଆସ ନୂଆବୋଉ । ଯୋଗିଆ ତଳକୁ ଓହ୍ଲେଇ ଆସି ସଞ୍ଜୟ ବାବୁଙ୍କୁ କହିଲା—ଆପଣଙ୍କ ଋଣ ଆମେ ଶୁଝି ପାରୁବୁନି ବାବୁ । କହିବା ସଙ୍ଗେ ସଙ୍ଗେ ପକେଟରୁ କେତେଖଣ୍ତ ନୋଟ ତାଙ୍କ ଆଡ଼କୁ ବଢ଼ାଇ କହିଲା—ୟେ ଆପଣଙ୍କ.... । ସୁଲୋଚନା ଚାହିଁ ରହିଥିଲା । ଆଖି ତା’ର ଉଜ୍ୱଳ ହୋଇ ଉଠିଲା । ଯୋଗିଆ କେତେ ମହାନ ।

 

କିନ୍ତୁ ସଞ୍ଜୟ ବାବୁ କହିଲେ—ଧନ୍ୟବାଦ ଯୋଗିବାବୁ, ରଖନ୍ତୁ । ଏ ବିପଦ କ’ଣ ଖାଲି ଆପଣଙ୍କର, ମୋର ନୁହେଁ ?

 

ମଟର ସାଇକେଲ ଛୁଟାଇ ଆଗେ ଆଗେ ଚାଲିଗଲେ ସେ ।

 

ଯୋଗିଆ ପ୍ରତି ଏଇ ସମବେଦନାର ଅନ୍ତରାଳରେ ଏକ ଅସ୍ୱାଭାବିକ ଉଦ୍‌ବେଗ ସୁଲୋଚନାକୁ ଦୁର୍ବଳ କରି ପକାଉଥିଲା । ଅଟୋରିକ୍‌ସା ଚାଲିଛି, ସୁଲୋଚନା ଚାହିଁଛି ଆଗକୁ । ଆଲୁଅ ପଡ଼ିଲା ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌ ଉପରେ । ଚିହ୍ନି ପାରିଲା ସେ । ପାଖଦେଇ ବାଟ କାଟି ଧୀରେ ଗତିରେ ଅଟୋରିକ୍‌ସା ଅତିକ୍ରମ କରିଗଲା ବେଳେ ଝରି ପଡ଼ିଲା ଅମାନିଆ ଅଶ୍ରୁ କେତେବୁନ୍ଦା ତା’ର ଛାତି ଉପରକୁ ।

 

 

ଏକୋଇଶ

 

ମାସଟିଏ ବିତିଗଲାଣି । ସୁଲୋଚନା ଘରଭଡ଼ା ନେଇ ରହିଛି । ବହୁ ଲୋକ ବ୍ରହ୍ମାନନ୍ଦକୁ ଦେଖିବାକୁ ଆସି ସମବେଦନା ଜଣାଇ ଚାଲି ଯାଇଛନ୍ତି, ହେଲେ ଆପଣାର ହୋଇ ରହି ଯାଇଛି ଯୋଗିଆ । ମାସକ ତଳର ସେହି ଅଭୁଲା ରାତି ସୁଲୋଚନାର ସ୍ମୃତି ପଟରେ ଭାସି ଉଠେ; ବେଳେବେଳେ ଛାତ ଥରାଇ ବାହାରି ଆସେ ଦୀର୍ଘଶ୍ୱାସ, ଶୁଭିଯାଏ ଯୋଗିଆ କଣ୍ଠର ସେହି ଅଧୀର ଡାକ—

 

ନୂଆବୋଉ !!

 

ମନେପଡ଼ନ୍ତି ସେଇ ସ୍ନେହମୟୀ ଅପା, ମନେପଡ଼େ ତାଙ୍କ ଅମାୟୀକ ବ୍ୟବହାର, ଶୁଭଯାଏ ତାଙ୍କ ମୁହଁରୁ ସ୍ନେହବୋଳା, ମଧୁଝରା ଆଶ୍ୱାସନା । କେତେ ଟଙ୍କା ସେ ଖର୍ଚ୍ଚ କଲେ ପଚାରିଲେ କିଛି କହିଲେ ନାହିଁ, ଯାଚିଲେ ବି ନେଲେ ନାହିଁ । ଆଠଦିନ କାଳ ପାଖେ ପାଖେ ରହି ଚିକିତ୍ସାର ସବୁ ବ୍ୟବସ୍ଥା ଠିକ୍‌ ଠିକଣା କରି ଚାଲିଗଲେ, ବାନ୍ଧି ଦେଇଗଲେ ତାଙ୍କ ସ୍ନେହ ବନ୍ଧନରେ ।

 

ପୁଣି ମନେପଡ଼ନ୍ତି ନବୀନ ଓ ରୀନା । କେତେ ଆପଣାର ସେମାନେ ? ରମେଶ ଆଉ ଜୟନ୍ତୀ ଖବର ପାଉ ପାଉ ଧାଇଁ ଆସିଲେ । କେତେ ଆନ୍ତରିକତା ସେମାନଙ୍କର ? କିନ୍ତୁ ସୁଲୋଚନା ବୁଝି ପାରେନାହିଁ ତା’ ସ୍ୱାମୀ କାହିଁକି ସେମାନଙ୍କୁ ଏତେ ଖରାପ ଦୃଷ୍ଟିରେ ଦେଖନ୍ତି । ଅକଥ୍ୟ ଭାଷାରେ ଗାଳି ଦିଅନ୍ତି, ଅସାମାଜିକ ବୋଲି କହି ତାଙ୍କ ନାଆଁରେ ନା ନା କୁତ୍ସାରଟନା କରନ୍ତି, ଘୃଣା କରନ୍ତି ।

 

ବାହାରିଲା ଯିବାକୁ, ସେହି କୋଠାରୀକୁ ଯେଉଁଠି ଖଟ ଉପରେ ଶୋଇ ରହିଛନ୍ତି ତା’ ସ୍ୱାମୀ । ଗୋଡ଼ ତାଙ୍କର ପ୍ଲାଷ୍ଟରିଂ ହୋଇଛି ।

 

କେତେଆଡ଼ୁ କେତେ କଥା ଭାବି ଭାବି ଚାଲିଛି ସୁଲୋଚନା । ଦେଖିଲା ରୀନାକୁ । ଖୁବ୍‌ ଜୋରରେ ପଛଆଡ଼ୁ ଆସି ତାକୁ ଟପି ଚାଲି ଗଲାଣି ଦଶ ପାହୁଣ୍ତ ଆଗକୁ । କିଛି ବୁଝି ପାରିଲା ନାହିଁ । ମନରେ ପ୍ରଶ୍ନ, ରୀନା ପୁଣି କୁଆଡ଼େ ଆସିଲା ? ତାକୁ ଦେଖି ପାରି ନାହି କି ? ପଛଆଡ଼ୁ ଡାକିଲା । ଚମକି ପଡ଼ିଲା ପରି ରୀନା ଅଟକିଗଲା । ପଛକୁ ଫେରି ଚାହିଁଲା । ସୁଲୋଚନା ଦେଖିଲା-। ଉଦ୍‌ବେଗ ଓ ଦୁଃଖର ଦାଗ ଫୁଟି ଉଠିଛି ତା’ ମୁହଁରେ ।

 

––କ’ଣ ହେଲା କି ରୀନା ?

 

ନିଳୀମା ଅପାଙ୍କୁ ଛୁରୀ ମାଡ଼ ହେଇଚି ।

 

କୋଉଠି ? କେତେବେଳେ ? କିଏ ମାରିଲା ? କାହିଁକି ?

 

ସୁଲୋଚନା ଜାଣେ ନାଁ ନିଳୀମା କିଏ । ତଥାପି ପଚାରିଗଲା ସବୁକଥା । ରୀନା କହିଲା–କାଲି ରାତିରେ, ରେଳ ଗାଡ଼ିରେ ।

 

ସୁଲୋଚନା ଆଉ କିଛି ନ ପଚାରି କହିଲା—ଚାଲିଲୁ, ଦେଖିବା କ’ଣ ହେଲା ତାଙ୍କର ? ରୀନା ପଛରେ ତରତର ହୋଇ ଚାଲିଲା । ଘର ଭିତରେ ଡାକ୍ତର । ଦୁଆର ମୁହଁରେ ଠିଆ ହୋଇଛି ଆଉ ଜଣେ ଯୁବତୀ । ପାଖରେ ପିଲାଟିଏ । ସୁଲୋଚନା ଚିହ୍ନିଲା, ତୋଫାନ ପରେ ପରେ ଦୁଇଜଣ ଯୁବତୀ ତାଙ୍କ ଗାଁ ଦାଣ୍ତରେ ଯିବା ଆସିବା କରନ୍ତି । ସେମାନଙ୍କ ଭିତରୁ ଜଣକୁ ଦେଖିଲା ପରେ ଆଉ ଜଣେ ମନେ ପଡ଼ିଗଲା ।

 

ଡାକ୍ତର ବେଣ୍ତେଜ୍‌ କରିସାରି ବାହାରି ଆସୁଥିଲେ । ଦୁଆର ମୁହଁରୁ ରୀନା ତାଙ୍କ ଆଡ଼କୁ ବଢ଼େଇ ଦେଲା ହାତରେ ଧରିଥିବା ଇଞ୍ଜେକ୍‌ସନ୍‌ । ଦୁଆର ମୁହଁରୁ ଡାକ୍ତର ପଛକୁ ଚାହିଁଲେ । ଭିତରୁ ଜଣେ ନର୍ସ ପାଖକୁ ଆସିବାରୁ ତା’ ହାତକୁ ଇଞ୍ଜେକ୍‌ସନ୍‌ଟା ବଢ଼େଇ ଦେଇ କହିଲେ—ପନ୍ଦର ମିନଟ୍‌ ପରେ ଦେଇଦବ । ଘଣ୍ଟାକ ପରେ ଖବର କହିବ । ଚାଲିଗଲେ ଡାକ୍ତର ।

 

ରୀନା ଓ ସୁଲୋଚନା ପଶିଲେ ଭିତରକୁ । ସୁଲୋଚନା ସମବେଦନା ଜଣାଇଲା । ମାଳିନୀ ସହିତ ପରିଚୟ କରେଇଦେଲା ରୀନା । ଆଶ୍ୱାସନା ଦେଇ ସୁଲୋଚନା ବାହାରିଲା । ମାଳିନୀ ଓ ରୀନା ମଧ୍ୟ ବ୍ରହ୍ମାନନ୍ଦକୁ ଦେଖି ଆସିବାକୁ ତା’ ସଙ୍ଗରେ ଗଲେ ।

 

ଚାଲିଗଲେ ସେମାନେ ! ନିରୋଳା ଘର, ପାଖରେ ନର୍ସ ଷ୍ଟୁଲ୍‌ ଉପରେ ବସି ରହିଛି । ନିଳୀମା ଯନ୍ତ୍ରଣା ଅନୁଭବ କରୁଛି । ଦେହର ପୀଡ଼ାଠୁଁ ଜୀବନ–ଯନ୍ତ୍ରଣାର ଧକ୍‌କା ତାକୁ ବହୁଗୁଣରେ ବିବ୍ରତ କରୁଥିଲା । ଆଜି ତା’ର ଏ ଦଶା, ସେହି ବିଗତ ଦିନମାନଙ୍କର କାର୍ଯ୍ୟ ସମୂହର ପ୍ରତିଫଳ ।

 

ଗତ ରାତିରେ ମାଳିନୀ, ରୀନା ଓ ସେ ଫେରୁଥିଲେ ଟ୍ରେନ୍‌ରେ । ସେହି ଷ୍ଟେସନରେ ଜଣେ ଲୋକ ଉପରେ ଦୃଷ୍ଟି ପଡ଼ିଲା । ଶିତେଇ ଉଠିଲା ଦେହ । ବିଗତ ଦିନର ପକେଟମାର ସାଥୀମାନଙ୍କ ଭିତରୁ ସେ ଥିଲା ଜଣେ । ଚମକ ଉଠିଲା ନିଳୀମା, ଦେଖି ନାହିଁ ତ ? ଯଦି ଦେଖିଥାଏ ତ ଜୀବନ ପ୍ରତି ଆଉ ଭରସା ରଖି ହେବ ନାହିଁ ।

 

ଟ୍ରେନ୍‌ ଛାଡ଼ି ଦେଲା । ଗତି ବଢ଼ାଇ ଚାଲିଲା । ଚଳନ୍ତା ଟ୍ରେନ୍‌ ଭିତରେ ନିଳୀମା ରୀନା ହାତରୁ ଟୁକୁନାକୁ ଆଣିବାକୁ ହାତ ବଢ଼େଇଛି । ମନେ ମନେ ନିଜର ହଜିଲା ଅତୀତକୁ ହେଜୁଛି ଏ ଜୀବନରେ ସେ କେତେ ଚାପ ବଦଳାଇଲାଣି ? ହେଲେ ତା’ର ଆତ୍ମବିଶ୍ୱାସ, ଏବକାର ଏବକାର ଏରୂପ ଆଉ ବଦଳିବାର ନୁହେଁ ।

 

ଓଃ..., ଭୀଷଣ ଯନ୍ତ୍ରଣା । ଏ କ’ଣ ? ପିଠିରେ ଛୁରୀର ଆଘାତ କ’ଣ ହେଲା କେହି କିଛି ବୁଝି ପାରିଲେ ନାହିଁ । ଏତେ ଲୋକ ଗହଳ ଭିତରୁ କିଏ ଆସି ଆଖି ପିଛୁଳାକେ ଛୁରୀ ଭୁଷିଦେଇ ଝରକାବାଟେ ଟ୍ରେନ୍‌ରୁ ଡେଇଁପଡ଼ି ଚାଲିଗଲା ? ପିଚ୍‌ପିଚ୍‌ ରକ୍ତ ଛୁଟିଛି ।

 

ଲୋକେ ମୁହୂର୍ତ୍ତକ ପାଇଁ ତାଟକା ହୋଇଗଲେ । କିଏ ଜଣେ ଚେନ୍‌ ଧରି ଓହଳି ପଡ଼ିଲା-। ଯାତ୍ରୀମାନଙ୍କ ଭିତରୁ କେତକ ଓହ୍ଲେଇ ପଡ଼ିଲେ । ପୋଲିସ ଖୋଜା ଖୋଜି କଲେ-। ସବୁ ନିଷ୍ଫଳ-। ଜୀବନଟା ବଞ୍ଚିଯାଇଛି । ହେଲେ କି ଯନ୍ତ୍ରଣା ? ତା’ର ଆଶଙ୍କା ଘନୀଭୂତ ହେବାରେ ଲାଗିଛି ଯେ, ଯେତେବେଳେ ସନ୍ଧାନ ପାଇଲେଣି ଜୀବନରୁ ଶେଷ ନ କରି ଛାଡ଼ିବେନି । ତଥାପି ଅତି ମାତ୍ରାରେ ବିଚଳିତ ହୋଇ ପଡ଼ୁନାହିଁ । ବର୍ତ୍ତମାନ ଜୀବନର କର୍ମ ଜନିତ ଆନନ୍ଦର ପ୍ରଲେପ ଜ୍ୱାଳାକୁ ପ୍ରଶମିତ କରିଥିବାରୁ ସେ ଅନୁଭବ କରୁଥିଲା ।

 

ମାଳିନୀ ଓ ରୀନା ଫେରି ଆସିଲେ । ଅବୋଧ ଶିଶୁଟି ମା’ ପାଖକୁ ଯିବାକୁ ଜିଦ୍‌ ଧରିଥାଏ । ତାକୁ ଭୁଲାଇବାକୁ ରୀନା ବାହାରକୁ ନେଇ ଚାଲିଗଲା । ନର୍ସ ମଧ୍ୟ ତା’ ପଛେ ପଛେ ଚାଲିଗଲା । ଆଣିଥିବା ଫଳ ଛଡ଼େଇ ନିଳୀମା ପାଟିରେ ଦେଉ ଦେଉ ମାଳିନୀ କହିଲା–ସବୁ ଆଡ଼କୁ ଟେଲିଗ୍ରାମ୍‌ କରି ଦେଇଛି । ବାପାଙ୍କ ପାଖକୁ, ନବୀନ ବାବୁ ଓ ଅପାଙ୍କ ପାଖକୁ, ତା’ଛଡ଼ା ଶ୍ରୀକାନ୍ତଙ୍କ ପାଖକୁ ବି ଟେଲିଗ୍ରାମ୍‌ କରିଛି,ଏକ ଆଶାଭରା ଦୃଷ୍ଟି ମାଳିନୀ ଉପରେ ବୁଲେଇ ଆଣି ନିଳୀମା କହିଲା–ଖୁବ୍‌ ଭଲ କରିଛି । ସତ କହିଲୁ ତୁ ମୋ ପାଇଁ ଏତେଟା ବ୍ୟସ୍ତ ହେଇ ପଡ଼ୁଚୁ କାହିଁକି ? ଶୁଣ୍‌, ତତେ ଟୁକୁନା ଲାଗିଲା । ମୁଁ ବଞ୍ଚି ଯାଇଚି କାହିଁକି ଜାଣୁ ? ଟିକେ କାମ ବାକି ଅଛି,ତୋ’ର କାମ, ତୁ କ’ଣ ମୋତେ ଭୁଲ ବୁଝିବୁ ?

 

ନିଳୀମାର କ୍ଷୀଣ କଣ୍ଠସ୍ୱର ଥରି ଉଠୁଥିଲା । ମାଳିନୀ ଆଖିରେ ଲୁହ ଭରିଗଲା । କହିଲା–ତୁ ଏ ସବୁ କ’ଣ ବକୁଚୁ ?

 

–ସତ କହୁଚି ? ମୋର ଗୋଟିଏ ଅନୁରୋଧ ଅଛି ରଖିବୁ ?

 

–କ’ଣ ?

 

ନିଳୀମା ମାଳିନୀକୁ ତା’ ବ୍ୟାଗରୁ ଡାଇରି ଖାତାଟି ଦେବାକୁ କହିଲା । ସେ ଖାତାଟି ହାତକୁ ନେଇ ଯତ୍ନରେ ସାଇତି ଥିବା ଗୋଟିଏ ଡ୍ରଇଂ କାଗଜ କାଢ଼ିଲା । ତାକୁ ଦେଖୁ ଦେଖୁ ମାଳିନୀ ଜାଣିପାରିଲା ସେ କ’ଣ କହିବାକୁ ଚାହେଁ । ଆଶ୍ଚର୍ଯ୍ୟ ହୋଇଗଲା ସେ । ସେ ଦିନେ ନବୀନ ବାବୁଙ୍କ ଚିତ୍ର ଆଙ୍କିଥିଲା । ସେ ନିଳୀମା ହାତକୁ ଗଲା କେମିତି !

 

–ମୁଁ ଜାଣିଲିଣି ! ଥାଉ, କହି ମାଳିନୀ ଉଠି ପଡ଼ିଲା । ନିଳୀମା କହିଲା–ଚୋରଣୀ ପୁଲିସ ହାତରେ ଧରା ପଡ଼ିଚି । ଏଥର ଜେଲ୍‌ଖାନା, ବୁଝିଲୁ ?

 

ମାଳିନୀ ମୁହଁର ସରୁ ହସର ଧାରାଟିକୁ ବେଶ୍‌ ଦେଖି-ନେଇଥିଲା ନିଳୀମା ।

 

ସେପାଖରେ ସୁଲୋଚନା ନୀରବରେ ବସିଛି ବ୍ରହ୍ମାନନ୍ଦ ଆଗରେ । ଆଖି ପଡ଼ିଲା ଯୋଗିଆ ଉପରେ । ବାହାରୁ ଆସୁଥିଲା ସେ, ଦୁଆର ମୁହଁକୁ ଉଠିଆସି କହିଲା–ଯୋଗିଆ, ନିଳୀମା ବୋଲି ଯିଏ ଆଗ ଗାଆଁରେ ତୋଫାନ ପରେ ରହୁ ନଥିଲା?

 

–ହଁ, କ’ଣ ହେଲା ?

 

ସୁଲୋଚନାର ମୁଖଭଙ୍ଗୀରୁ ଯୋଗିଆର ଆଶଙ୍କା ହେଲା ଯେ କିଛି ଗୋଟିଏ ଅସୁବିଧା ହୋଇଛି । ସୁଲୋଚନା କହିଲା–ତାକୁ କିଏ ଛୁରି ଭୁଷି ଦେଇଚି ।

 

–ଏଁ ?

 

–ହଁ ପରା ! ସେଇ ଆର ପାଖରେ, ରୀନା ତା’ ପାଖରେ ଅଛି, ମୁଁ ନିଜେ ଯାଇ ଦେଖି ଆସିଚି ।

 

ଯୋଗିଆ ଯେମିତି ବୀବ୍ରତ ହୋଇ ଉଠୁଥିଲା । ଏତିକିବେଳେ ଭିତରୁ ବ୍ରହ୍ମାନନ୍ଦ ଗର୍ଜି ଉଠିଲା । ସେ ଗର୍ଜନ ଶୁଣି ଭୁଲିଗଲା ନିଳୀମା କଥା, ଆଖି ଆଗରେ ସେହି ପାନ ପତରିଆ ମୁହଁଟି କ୍ଷଣକ ପାଇଁ ନାଚି ଉଠି କୁଆଡ଼େ ଚାଲିଗଲା ।

 

‘‘ବଦମାସ, ଦ୍ୱାଚୋର, ଦଗାବାଜ, ସବୁଗୁଡ଼ାକ ଏକାଠି ହେଇଚ । ଶଇତାନ ନବୀନ ଲଗେଇଚି ଗୋଟାଏ ଆଖଡ଼ା । ତାଆରି ବୁଦ୍ଧିରେ ତମେ ସବୁ ମେଣ୍ଟ ବାନ୍ଧିଚ । ଦେଶଦ୍ରୋହୀ, କାହାରି ଶିରୀ ଦେଖିଲେ ତମ ଛାତି ଫାଟି ଯାଉଚି କାହିଁକି ?’’

 

ବ୍ରହ୍ମାନନ୍ଦ ହୃଦୟରେ ତା’ ପ୍ରତି ଥିବା ଶତ୍ରୁତାର ଏ ଚରମ ପରିପ୍ରକାଶ ବୋଲି ଯୋଗିଆ ବୁଝିଲା ।

 

‘‘ଉଠ୍‌ ଉଠ୍‌ ମୋ ଆଗରୁ । ଯା ଦେଖିବୁ ଯା, କେମିତିକା ଶାସ୍ତି ମିଳିଚି । ତମକୁ ସବୁ ସେମିତି ଶାସ୍ତି ଦରକାର । ଗୋଟି ଗୋଟି ହେଇ ହଣା ହବ, ତେବେଯାଇ ତମ ମେଣ୍ଟ ଭାଙ୍ଗିବ ।’’

 

ଯୋଗିଆ ଘର ଭିତରକୁ ପଶିଯାଇଥିଲା । ନରମ ଗଳାରେ କହିଲା–କି ଅପରାଧ ଆମେ କରିଚୁ ଭାଇ ?

 

–ଅପରାଧ କରିନାହଁ ? ଲୋକଙ୍କୁ ମତେଇ ତୁ ମୋତେ ଘେରାଉ କଲୁ । ମୋ ନାଆଁରେ ମକଦ୍ଦମା କଲୁ । ଶେଷରେ ମୋ ଦୋକାନ ଲୁଟି ନେଲୁ । କ’ଣ ନାଁ ଭାଇ ? ଏ କପଟିରୂପ କେତେ ଦିନ ? ଯା, ବାହାରି ଯା ମୋ ଆଗରୁ । ଆଉ ମନେରଖ ଏଇ ମୋ’ରି ହାତରେ ଯଦି ତୋ ଗଣ୍ଡିରୁ ମୁଣ୍ଡଟାକୁ ଖସେଇ ନ ଦେଇଚି, ମୋ’ନାଁ ବ୍ରହ୍ମାନନ୍ଦ ନୁହେଁ ।

 

ଯୋଗିଆ ହାତ ଦୁଇଟାକୁ ଛାତି ଆଗରେ ଛକି ପକାଇ ତଳକୁ ମୁହଁ ପୋତି ଶୁଣି ଯାଉଥିଲା । ଚିନ୍ତାର ଦାଗ କପାଳରେ ଫୁଟିଉଠି ଲିଭିଗଲା । ପର ମୁହୂର୍ତ୍ତରେ ମୁଖମଣ୍ଡଳରେ ଖେଳିଗଲା ଗୋଟାଏ ଉଲ୍ଲାସର ଭାବ ।

 

ସେମିତି ତଳକୁ ମୁହଁ କରି ଗମ୍ଭୀର ଅଥଚ ନରମ ଗଳାରେ ଆରମ୍ଭ କଲା, ‘‘ଭାଇ, ତୁମ ହାତରେ ଛୁରି ନାହିଁ କି ଖଣ୍ଡା ବି ନାହିଁ । ମୋ ମୁଣ୍ଡଟାକୁ ଅଲଗା କରିବା କ’ଣ ଏତେ କଷ୍ଟ କାମ ? ମୁଁ ବି ଖୁସି ଯେ ମୋ ଭାଇ ହାତରେ ମରିବି, ମୋର ଗୌରବ ବଢ଼ିବ । ଟିକେ ଅପେକ୍ଷା କର ତମ ହାତରେ ମୁଁ ଧରେଇ ଦେବି ଖଣ୍ଡା ଆଉ ତା’ ଆଗରେ ଏ ବେକଟାକୁ ବି ।’’

 

ଏଥର ତା’ କଣ୍ଠସ୍ୱର ଆହୁରି ତେଜି ଉଠିଲା । ଟିକେ ତେରେଛେଇ ଚାହିଁଲା ବ୍ରାହ୍ମାନନ୍ଦ ମୁହଁକୁ । ‘‘କୁହ ଭାଇ, ଉତ୍ତର ଦିଅ, ତୁମମାନଙ୍କ ଖିଆଲ ଉପରେ ଆମ ଜୀବନ ମରଣ ନିର୍ଭର କରେ ନାହିଁ ? ଆମେ ଗରିବ, ଅଭିଶପ୍ତ ଆମେ । ତୁମେ ନାଁ ମୋ ଭାଇବୋହୂକୁ ନିଜ ହାତରେ ମାରିନାଁ ତୁମେ ? ଯିଏ କୋଳରେ କାଖରେ ପୂରେଇ ତୁମକୁ ମଣିଷ କଲା ତୁମେ ତାକୁ ଗାଁ ଦାଣ୍ଡରେ ଘୋଷାରି ନେଇ ପାରିଲ ? ଧନ୍ୟ, ଧନ୍ୟ ତୁମ ଟଙ୍କାର ମୋହକୁ । ତୁମ ଆଖିରେ ମଣିଷର ଜୀବନ, ସ୍ନେହ, ମମତାଠୁଁ ଟଙ୍କା ଏତେ ବଡ଼ ? ଆଉ କୁହ, ହେନାର ମରଣ ପାଇଁ ଦାୟୀ କିଏ ? କିଛି ଜାଣନା ତୁମେ ?

 

ହିସାବ ଦେଇ ପାରିବ ଭାଇ ତମରି ଖିଆଲ ଯୋଗୁଁ କେତେ ସରଳ, ନିରୀହ ଲୋକ ଭିକ୍ଷା ଝୁଲି ଧରି ବଡ଼ଦାଣ୍ଡକୁ ବାହାରି ଯାଇଛନ୍ତି ? କେତେ ଝିଅ ବୋହୂ ଆତ୍ମହତ୍ୟା କରିଛନ୍ତି ? କେତେ ବେରାସ୍ତାକୁ ଚାଲି ଯାଇଛନ୍ତି ? ଆଉ କେତେ ନିରୀହ ଲୋକ କଲବଲ ହୋଇ ମରିଛନ୍ତି ?

 

ଏତେ ଲୋକଙ୍କୁ କଲ ବଲ କରି କୋଟିଏ ଟଙ୍କାର ସମ୍ପତ୍ତିର ମାଲିକ ହୋଇ ପାରିନାହିଁ-। କିନ୍ତୁ ଏ ଦେଶରେ ଶହ ଶହ ହଜାର ହଜାର କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଯେ ଅଛନ୍ତି ସେ କଥା ତୁମେ ଜାଣ ତ ?

 

ତୁମ ଖିଆଲ ଯୋଗୁ ଏତେ ଲୋକ ଏମିତି କଲବଲ ହୋଇ ପାରନ୍ତି । ତେବେ ସେମାନଙ୍କର ଖିଆଲ ଯୋଗୁଁ କେତେ ଲୋକ କିଭଳି କଲବଲ ହେଉଥିବେ ତା’ର କଳନା ତୁମେ କରିପାରିବ ଭାଇ ? ତୁମେ ଆମ ଭଳି ସାଧାରଣ ଲୋକଙ୍କ ଆଖିରେ ଧରା ପଡ଼ିଯାଇ ପାରୁଚ, କିନ୍ତୁ ସେମାନେ ଧରା ପଡ଼ନ୍ତି ନାହିଁ ।

 

ଯାହା ହାତରେ ଧନ ଅଛି, ବଳ ତାର, ଆଇନ ଦ୍ୱାରା ସେ ସୁରକ୍ଷିତ । କହି ପାରିବ ଆମେ ଅତ୍ୟାଚାର ବିରୁଦ୍ଧରେ ଆଇନ୍‌ର ଆଶ୍ରୟ ପାଇପାରିବୁ ? ହୁଏତ ଆଇନ୍‌ ଆଗରେ ସମସ୍ତେ ସମାନ ହୋଇପାରନ୍ତି, କିନ୍ତୁ ଗରିବ ପାଖରେ ତା’ର ମୂଲ୍ୟ କିଛି ହୋଇ ପାରେନା । ମନେ ପକାଅ, ଯେତେବେଳେ ତୁମେ ମୋତେ ଘରୁ ବେଦଖଲ କଲ ସେତେବେଳେ ମୋ ହାତରେ ପଇସାଟିଏ ବି ନଥାଏ । ସେ ଅବସ୍ଥାରେ ଆଇନ୍‌ର ଆଶ୍ରାନେବା କ’ଣ ମୋ ପକ୍ଷେ ସମ୍ଭବ ? ତେଣୁ ଆଇନର ଆଶ୍ରୟ ପାଇବା ପାଇଁ ଯେଉଁମାନେ ତା’ ପାଖ ପର୍ଯ୍ୟନ୍ତ ପହଞ୍ଚି ପାରନ୍ତି ନାହିଁ ସେମାନଙ୍କ ପକ୍ଷେ ଆଇନ୍‌ ଥିବା ନଥିବା ସମାନ ।

 

ଅତ୍ୟାଚାରର ପ୍ରତିରୋଧ କରିବାକୁ, ଅତ୍ୟାଚାରର ପ୍ରତିବାଦ ଜଣେଇବାକୁ ଆଇନର ଆଶ୍ରା ନେବା ଆଗରୁ ମେଣ୍ଟ ବାନ୍ଧିବା ଆମ ଆଗରେ ଏକମାତ୍ର ବାଟ ।

 

ତମେ ଯେତେବେଳେ ମୋ ମା’ ଭଉଣୀଙ୍କୁ ରାଜରାସ୍ତା ଉପରକୁ ଠେଲି ଦେଲ ମୁଁ କ’ଣ ଚୁପ୍‍ ହୋଇ ବସିଥିଲି ? ନାଁ ଜୀବନକୁ ପାଣି ଛଡ଼େଇ ବାହାରି ପଡ଼ିଥିଲି । କ’ଣ କରିବାକୁ ବାହାରିଥିଲି ଜାଣ ? ସେଇ ମୁହୂର୍ତ୍ତରେ ନବୀନ ମୋ ପାଖରେ ପହଞ୍ଚି ନ ଥିଲେ ଆଜି ମୋ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିବା ପାଇଁ ତୁମେ ଏ ମହୀମଣ୍ଡଳରେ ନ ଥାନ୍ତ ।

 

ମୋତେ ଅଟକେଇ ନେଲା ନବୀନ । କହିଲା–ସେମିତି ପ୍ରତିଶୋଧ ନିଆଯାଏନା ଅତ୍ୟାଚାରର ପ୍ରତିରୋଧ କରିବା ପାଇଁ । ଆମେ ଗରିବ ହେଲେ ହେଁ ଆମ ଭିତରେ ଅମାପ ଶକ୍ତି ଅଛି । ସେ ଶକ୍ତିର ପରିଚୟ ଆମେ ପାଇବାକୁ ହେଲେ ମେଣ୍ଟ ବାନ୍ଧିବା । ସେଇ ଶିଖେଇଲା ଏକତାର ମନ୍ତ୍ର । ଏକତାର ଶକ୍ତି କେତେ ମୁଁ ପରେ ବୁଝିଲି । ଡରି ଯାଉଚ ଭାଇ ?

 

ଆମେ ମେଣ୍ଟ ବାନ୍ଧିଛୁଁ । ତମ ବିରୁଦ୍ଧରେ ମକଦ୍ଦମା କଲୁ ।

 

ସେଇ ମେଣ୍ଟ ଯୋଗୁଁ ସରକାରୀ ଧାର୍ଯ୍ୟ ଦରର ଦେଢ଼ଗୁଣ ଦରରେ ତୁମ ଦୋକାନରେ ବିକ୍ରି ହେଉଥିବା ଜିନିଷ ଆମେ ଉଚିତ ଦରରେ ପାଇ ପାରିଲୁ ।

 

ଯୋଗିଆ ଏଥର ମୁହଁ ଉଠେଇ ଚାହିଁଲା ବ୍ରହ୍ମାନନ୍ଦ ଆଡ଼େ । ବ୍ରହ୍ମାନନ୍ଦ ରାଗରେ ଯେମିତି ଜଳୁଛି । କଟମଟ କରି ଚାହିଁଥିଲା କେବଳ, କିଛି କହିଲା ନାହିଁ । ‘ଅପେକ୍ଷା କର ଭାଇ, ମୁଁ ଆସୁଚି’’, କହି ଯୋଗିଆ ବାହାରି ଚାଲିଗଲା ।

 

ପଛରେ ସୁଲୋଚନା ଚାହଁ ରହିଥିଲା । ଏ ସବୁ କଥାରୁ ଯେମିତି ସେ କିଛି ବୁଝି ପାରିଲା ନାହିଁ । ଯୋଗିଆ ଚାଲିଯାଉଛି । ଡାକିବାକୁ ସାହସ ହେଉନାହିଁ । ଡାକିଲେ କ’ଣ ସେ ଶୁଣିବ ? ତା’ କଥା କିଏ ଶୁଣିଚି ଯେ ଯୋଗିଆ ଶୁଣିବ ? ଯାହା ହାତ ଧରି ଦିନ କାଟୁଚି ସେ ତ କେବେ ତା’ କଥା ରଖି ନାହିଁ । ସେ ଯେମିତି ଏକାନ୍ତ ନିରାଶ୍ରୟା ।

 

କିଛି ସମୟ ପରେ ଚାହିଁଲା ବ୍ରହ୍ମାନନ୍ଦ ଆଡ଼େ । ପାଟି ଫିଟେଇବାକୁ ସାହସ ହେଲା ନାହିଁ । ଗାଲରେ ହାତ ଦେଇ ବସି ରହିଲା ।

 

ଝଡ଼ ବେଗରେ ପଶି ଆସିଲା ଯୋଗିଆ । ହାତରେ ତା’ର ଗୋଟାଏ ଭୁଜାଲି । ସିଧା ବ୍ରହ୍ମାନନ୍ଦ ପାଖରେ ଠିଆ ହୋଇଯାଇ କହିଲା–ନିଅ ଭାଇ । ବ୍ରହ୍ମାନନ୍ଦ କିଛି କହିଲା ନାହିଁ, ଫେରି ମଧ୍ୟ ଚାହିଁଲା ନାହିଁ । ମନରେ ଅଜସ୍ର ଭାବନା । କ’ଣ କହିଗଲା ଯୋଗିଆ କାହିଁକି କେଜାଣି । ଯୋଗିଆର ସେ କଥା କେଇପଦ ଶୁଣିଲା ପରେ ନିଜ ଭିତରେ ଠିକ୍‌ ସେମିତି ଦୁର୍ବଳତା ଅନୁଭବ କରୁଥିଲା ଯେମିତି ଅନୁଭବ କରିଥିଲା ବଡ଼ବୋଉକୁ ଘରୁ ବାହାର କରିଦେବା ଦିନ । ତଥାପି ସେ କ’ଣ ତା’ର ଆଚରଣ ବଦଳାଇଲା ? ନାଁ ତ । ବରଂ ଆହୁରି କଠୋର ହୋଇ ତା’ କାମ ସେ କରି ଚାଲିଥିଲା, ଆଜି କେଇପଦ କଥାରେ ଯୋଗିଆ ତା’ ମନଟାକୁ ଚହଲାଇ ଦେଇଛି । ଛାତିଟାକୁ ଦୁର୍ବଳ କରି ପକାଇଛି । ଉପାୟ ? ନିଜେ ଆଣି ହାତରେ ଭୁଜାଲି ଧରେଇ ଦେଉଛି ବେକ ଦେଖେଇ ଦେଉଛି । କ’ଣ କରିବ ?

 

ନାଁ ନାଁ, ଲକ୍ଷ୍ୟ ପଥରେ ଆଗେଇ ଯିବାକୁ ହେବ । କାହାରି ବାଧା ମାନିବ ନାହିଁ । ଯେତେବେଳେ ଦୁର୍ବଳ–ହୃଦୟ ଅର୍ଜ୍ଜୁନର ଛାତି କମ୍ପି ଉଠିଥିଲା, ହାତରୁ ଗାଣ୍ଡିବ ଛାଡ଼ି ବସି ପଡ଼ିଲା ସେତିକିବେଳେ ପରା କୃଷ୍ଣ ତା’ ମନରେ ଦୃଢ଼ତା ଭରିଥିଲେ, ସାହସ ଦେଇଥିଲେ । ମାୟ ମମତାର ଡୋରି ମଣିଷକୁ ଦୁର୍ବଳ କରେ, ଲକ୍ଷ୍ୟପଥରୁ ଦୂରେଇ ଦିଏ । ସେ ମାୟା ମମତାର ଡୋରି ଛିଣ୍ଡେଇ ଆଜି ଏଇ ମୁହୂର୍ତ୍ତରେ ଦି’ ଗଡ଼ କରିଦେବ ଯୋଗିଆକୁ । ତେବେ..... । ମନରେ ଜାଗି ଉଠିଲା ପ୍ରଶ୍ନ, ନ୍ୟାୟପକ୍ଷ କ’ଣ ଦୁର୍ଯ୍ୟୋଧନର ? ତେବେ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନ ରଥର ସାରଥୀ କାହିଁକି ? କିଏ ସେହି ଅର୍ଜ୍ଜୁନ ? ଅର୍ଜ୍ଜୁନ ସେହି, ଯାହାର ନାହିଁ ରାଜ୍ୟ, ନାହିଁ ଧନ, ନାହିଁ କ୍ଷମତା । ସବୁ ହରାଇଥିବା ହତଭାଗ୍ୟ, ଯାହାର ବାହୁବଳ ବହୁବାର ଦୁର୍ଯ୍ୟୋଧନକୁ ବହୁ ବିପଦରୁ ରକ୍ଷା କରିଛି, କିନ୍ତୁ ମାନଗୋବିନ୍ଦ କେବେ କ’ଣ ନିଜର ଅଭିମାନ ଛାଡ଼ିଛି ? ହାର ମାନିଛି ? ନାଁ ! ଦୁର୍ବଳର ସଖା ଭଗବାନ ଶ୍ରୀକୃଷ୍ଣ । କିନ୍ତୁ ଜିତିଲା କିଏ ?

 

ଛି,ଛି ଏ କ’ଣ ଭାବୁଛି ? ଭୁଲ, ସବୁ ଭୁଲ । ନ୍ୟାୟ ଅନ୍ୟାୟର ବିଚାର କେବଳ ଦୁର୍ବଳ ହୃଦୟର ଯୁକ୍ତି । ନ୍ୟାୟ ହେଉ ବା ଅନ୍ୟାୟ ହେଉ, ଜୟ ପରାଜୟ କେବଳ ଶକ୍ତି ଉପରେ ନିର୍ଭର କରେ । ବଳ ଯାହାର ରାଜ୍ୟ ତା’ର ।

 

ପୁଣି ମନକୁମନ ପଚାରୁଥିଲା–ଯୋଗିଆ ଯେଉଁ ଅଭିଯୋଗ କରିଗଲା ସେ କ’ଣ ପ୍ରକୃତରେ ସେଥିରେ ଅଭିଯୁକ୍ତ ? ନିଜ ଭିତରେ ଯେମିତି ଉତ୍ତର ଖୋଜି ପାଉ ନଥିଲା । ମନ କହୁଥିଲା–ନାଁ, ନାଁ, ନାଁ ।

 

ଅନ୍ତର ଥରାଇ ତା’ ଭିତରୁ ଆଉ ଜଣେ କିଏ ପ୍ରତିବାଦ କରି କହୁଥିଲା–ହଁ, ହଁ, ହଁ ।

 

ଛାତି ଥରି ଉଠୁଛି । ଚାରିଆଡ଼ ଅନ୍ଧକାର, ପୃଥିବୀଟା ଚକା ଭଉଁରୀ ଖେଳୁଛି । ମୁହଁ ନ ବୁଲାଇ ବ୍ରହ୍ମାନନ୍ଦ ଗର୍ଜି ଉଠିଲା–ଉଠ୍‌ ବଦମାସ୍‌, ଯା ମୋ ଆଗରୁ ।

 

ଅଟ୍ଟହାସ୍ୟ କରି ଉଠିଲା ଯୋଗିଆ । କହିଲା–ଡରି ଯାଉଛ ଭାଇ ? ଏଡ଼େ ଦୁର୍ବଳ ତୁମେ ? ଚାହିଁ ଦେଖ ଏଣିକି । ତୁମେ ଯାହା ପାରିଲନି ମୁଁ କେଡ଼େ ସହଜରେ କରିପାରେ । ଜୀବନଟା ପାଇଁ କ’ଣ ମୋର ଲୋଭ ଅଛି ? ହାତରେ ଧରିଥିବା ଭୁଜାଲିଟା ନିଜ ଛାତି ଆଡ଼କୁ ଲକ୍ଷ୍ୟକରି ଚାହିଁଥିଲା ବ୍ରହ୍ମାନନ୍ଦ ଆଡ଼େ । ଭୁଲି ଯାଇଥିଲା ସେ ଘରେ ଆଉ କେହି ଅଛନ୍ତି ବୋଲି ।

 

ଯୋଗିଆ ଅନୁଭବ କଲା, କିଏ ତାକୁ କୋଳକୁ ଆଉଜାଇ ନେଇଛି । ପିଠି ଉପରେ ଝରି ପଡ଼ୁଛି କାହା ଆଖିର ତାତିଲା ଲୁହ, ଭୁଜାଲି ଧରିଥିବା ହାତମୁଠାଟା ଆଉ କାହାରି କବଳରେ-

 

ଭାବାନ୍ତର ସୃଷ୍ଟି ହେଲା ଯୋଗିଆର । ଏ କ’ଣ ? କାହା କବଳରେ ସେ ? ଫେରି ଚାହିଁଲା । ସୁଲୋଚନା ପାଟିରୁ ବାହାରି ପଡ଼ିଲା–ଛି, ଯୋଗିଆ,ଏ କ’ଣ କରୁଚ ?

 

–ମୁଁ କିଛି କରୁନାହିଁ ନୂଆବୋଉ, ତୁମେ କାନ୍ଦୁଚ କାହିଁକି ? ରକ୍ତ ସମ୍ପର୍କ ବୋଲି ନାଁ ? ୟା ଆଗରୁ ଆଉ କେବେ କାହାରି ପାଇଁ କାନ୍ଦିଚ ?

 

ନିଜକୁ ସୁଲୋଚନା କବଳରୁ ମୁକ୍ତି କରି ନେବାକୁ ଚେଷ୍ଟା କରୁଥିଲା, କାହିଁକି କେଜାଣି ପାରିଲା ନାହିଁ । ସର୍ବାଙ୍ଗ ଥରି ଉଠିଲା । ଦୁର୍ବଳ ହୋଇ ପଡ଼ିଲା ହାତ ମୁଠା । ସୁଲୋଚନା ଆସ୍ତେ ତା’ ହାତରୁ ଭୁଜାଲିଟି କାଢ଼ିନେଲା ।

 

ନିଜକୁ ମୁକୁଳେଇ ନେଇ ଯୋଗିଆ କହିଲା–ଭାଇ ହାରିଗଲେ ନୂଆବୋଉ । ଆଉ ମୁଁ-? ମୁଁ କ’ଣ ଜିତି ପାରିଲି ? ନାଁ । ମୁଁ ବି ହାରିଲି । ତମେ କାନ୍ଦୁଚ ନୂଆବୋଉ ? ଛି, ହାରିଲେ କେହି କ’ଣ କାନ୍ଦେ ?

 

ଯୋଗିଆ ଆଉ କିଛି ନ କହି ଏକମୁହାଁ ବାହାରି ଗଲା । ସୁଲୋଚନା ଚାହିଁ ରହିଥିଲା ତା’ର ଯିବା ବାଟକୁ ।

 

ରାତ୍ରୀର ନୀରବତାକୁ ଝିଂକାରୀ କଣ୍ଠର ସାହାନାଇ ଭଙ୍ଗ କରୁଥିଲା । ବତୀଖୁଣ୍ଟର ଆଲୋକ ମାଳା ନିଷ୍ପ୍ରଭ ଦିଶୁଥିଲେ । ଆକାଶର ତାରାଗୁଡ଼ିକ ଦର ମଉଳା ଫୁଲ ପାଲଟି ଯାଇଥିଲେ ଅବା । ଶେଷ ପ୍ରହର ।

 

ଆଖି ଆଗରେ କାରଖାନା । ତା’ ଆଗରେ ରୁଣ୍ଡ ହୋଇଛନ୍ତି ହଜାର ହଜାର ଲୋକ । ଆରମ୍ଭ ହୋଇଛି ସଭା । ବଜ୍ର ପଡ଼ିଲା ପରି ଆରମ୍ଭ ହୋଇଗଲା, ଗୁଳିକାଣ୍ଡ, ତା’ କୋଳରେ ରକ୍ତ ଜୁଡ଼ୁବୁଡ଼ୁ ସ୍ୱାମୀ । ବୁଡ଼ି ଯାଉଥିବା ସୂର୍ଯ୍ୟଙ୍କ ଆଡ଼କୁ ଚାହିଁ ରହିଛନ୍ତି । ତା’ପରେ ? ସେ ନିଜକୁ ଦେଖୁଛି ବେଶ୍ୟା ରୂପରେ, ସୁଲୋଚନା ବୀବୀ ରୂପରେ, ପକେଟମାର ରୂପରେ । ପୁଣି ନିଜକୁ ଧନ୍ୟ ମଣୁଚି ସମାଜସେବିକା ରୂପରେ ଦେଖି । ମାଳିନୀ ଅପା, ନବୀନ ବାବୁ, ରୀନା, ଜୟନ୍ତୀ, ରମେଶ ବାବୁ ଏ ସବୁ କେତେ ଆପଣାର ! ମାୟା ମମତା ଭରା ନୂଆ ଦୁନିଆର ସ୍ୱପ୍ନ ବିଭୋରା ନିଳୀମା ମନରେ କେତେ କଳ୍ପନା ? ଦିନ ଆସିବ ଏ ଦେଶରେ ମଣିଷ ମୁକ୍ତି ହବ ଶୋଷଣରୁ; ପେଶଷଣରୁ ।

 

ଓଃ । ପିଠିରେ ଏ କାହାର ଆଘାତ, ପକେଟମାର ? ଅତୀତ ଜୀବନର ସାଥି ? ତାଙ୍କରି ଗହଣ ଛାଡ଼ି ଆସିଛି, ନିସ୍ତାର ନାହିଁ । ତା’ ପିଠିରୁ ପିଚିକି ପଡ଼ୁଛି ରକ୍ତ, ଚାରିଆଡ଼େ ଖାଲି ରକ୍ତର ପ୍ଳାବନ, ରକ୍ତ ଭିତରେ ସେ ବୁଡ଼ି ଯାଉଛି । ରକ୍ତ ଡାକୁଛି । ରକ୍ତ ଡାକୁଛି ରକ୍ତକୁ । ତା ସ୍ୱାମୀର ରକ୍ତ ସହିତ ମିଶିଯାଇଛି ତା’ ଦେହର ରକ୍ତ–ସ୍ରୋତ । କୁଆଡ଼ୁ ମାଡ଼ି ଆସୁଛନ୍ତି ଅସୁମାରୀ ମଣିଷ ଦଳ । ହୁଏତ ସେହି ରକ୍ତର ଧାର ଭିତରୁ ଜନ୍ମ ନେଉଛନ୍ତି, ଯେଉଁମାନେ ଖଟି ଜାଣନ୍ତି, ରକ୍ତ ଦେଇ ଜାଣନ୍ତି ଆଉ ଏ ଧରଣୀକୁ ମଣ୍ଡି ଦିଅନ୍ତି ସୁନାର ଫସଲରେ । ସ୍ୱାମୀ ତାକୁ ହାତ ବଢ଼େଇ ଡାକୁଛନ୍ତି, ଏଡ଼େଇ ପାରିବ ସେ ଆହ୍ୱାନ ? ନାଁ, ନାଁ, ନାଁ, ଅନ୍ତର ତା’ର ଚିତ୍କାର କରି ଉଠୁଛି । ନିଦ ଭାଙ୍ଗିଗଲା ନିଳୀମାର । ତଳେ ଶୋଇଛନ୍ତି ମାଳିନୀ ଓ ରୀନା । ଡାକି ପାରିଲାନି ତାଙ୍କୁ, ସେମିତି ଚାହିଁ ରହିଲା କେବଳ ।

 

ବାହାରେ କୁକୁଡ଼ା ଡାକ ଶୁଭୁଥିଲା ।

 

ପୂର୍ବାହ୍ନ ପ୍ରାୟ ଦଶଟା ଭିତରେ ନିଳୀମା ପାଖରେ ଲାଗିଗଲା ଗହଳି । ଟେଲିଗ୍ରାମ ପାଇ ଆସିଛନ୍ତି ମାଳିନୀ ବାପା, ବୋଉ, ଅପା, ନବୀନ, ଜୟନ୍ତୀ, ରମେଶ, ଶ୍ରୀକାନ୍ତ ଆଉ ନବୀନ ବାବୁଙ୍କ ମା ।

 

ନିଳୀମା ଭୁଲି ଯାଇଛି ଦେହର ବେଦନା । ଏ ସମସ୍ତଙ୍କୁ ଦେଖି ମନ ହରିଣୀ ମହା ଆନନ୍ଦରେ ନାଚି ଉଠୁଛି । କୁଆଡ଼େ କେତେ କଥା ସେ ଗପି ଯାଆନ୍ତି ହେଲେ ଜୋର୍‌ରେ କଥା କହିପାରୁ ନାହିଁ । ମନଖୋଲି ହସିବାକୁ ଚେଷ୍ଟା କରୁଛି କିନ୍ତୁ ପାରୁନାହିଁ ।

 

ତା’ର ଏ ଅବସ୍ଥା କାହିଁକି ? ରୀନା ଓ ମାଳିନୀ ଗପିଗଲେ ଟ୍ରେନ୍‌ରେ ଘଟିଥିବା ଘଟଣା-। ସମସ୍ତଙ୍କ ମନରେ କେବଳ ପ୍ରଶ୍ନବାଚୀ ହୋଇ ରହିଗଲା–କାହିଁକି ତା’ଉପରେ ଏ ଆକ୍ରମଣ-? ସେ’ତ ସେମିତି କିଛି ଅଳଙ୍କାରରେ ମଣ୍ଡି ହୋଇ ନ ଥିଲା ଯେ ସେଇ ଲୋଭରେ କେହି ହୁଏତ ଆକ୍ରମଣ କରିଥିବ । ଟଙ୍କା ପଇସାର ପ୍ରଲୋଭନରେ ଯଦି କେହି..... । ଏତେ ଲୋକ ଗହଳି ଭିତରେ ଏ ଘଟଣା ଯିଏ ଘଟାଇଲା ସେ ନିଶ୍ଚୟ ନିଳୀମାର ଜୀବନ ନେବାକୁ ଚେଷ୍ଟା କରିଥିଲା-। କିନ୍ତୁ କାହିଁକି ?

 

ବିଭିନ୍ନ କଥାବାର୍ତ୍ତା ପଡ଼ିଲା । କିଛି ସମୟ ରହି ପ୍ରାୟ ସମସ୍ତେ ବାହାରକୁ ଚାଲି ଯାଇଥିଲେ । ପାଖରେ ଥିଲା କେବଳ ରୀନା । ନିଳୀମା ରୀନା ଦ୍ୱାରା ମାଳିନୀର ବାପାଙ୍କୁ ଡକାଇଲା । ଆସିଲେ ସେ । ପଚାରିଲେ–କ’ଣ ମା ?

 

–ମଉସା ଆପଣଙ୍କର ମନେଥିବ ଆପଣଙ୍କ ଘରକୁ ଜୟନ୍ତୀଙ୍କ ସାଙ୍ଗରେ ଯୋଉଦିନ ଯାଇଥିଲି ?

 

–ହଁ, ମନେ ଅଛି, କ’ଣ ହେଲା ?

 

–ଆମ ଉପରେ କିଛି ଗୋଟାଏ ଦାୟିତ୍ୱ ଦେଇଥିବା କଥା ମନେ ଅଛି ?

 

–ହଁ, ହଁ ମା ! ମାଳିନୀ କଥା ତ ?

 

–ତାକୁ ବୁଝେଇ ଦେଉଛି । ଆଉ କ’ଣ ଦେଇଚି କହିବି ?

 

–ପଚାରିବାକୁ ଅଛି ? କହ ।

 

ନିଳୀମା କିଛି କହିଲା ନାହିଁ । ମୁଣ୍ଡ ପାଖରେ ଥିବା ଡାଇରୀ ଖାତା ଭିତରୁ କାଗଜ ଖଣ୍ଡେ କାଢ଼ି ବଢ଼େଇ ଦେଲା । ମାଳିନୀର ବାପା ଦେଖିଲେ କାଗଜଟିରେ ଚିତ୍ରଟିଏ ଅଙ୍କା ଯାଇଛି । ତାଙ୍କ ଆଖି ଆଗରେ ଭାସି ଉଠିଲା ସେ ଦିନର ରଙ୍ଗମଞ୍ଚ । ମଞ୍ଚ ଆଗରେ ସ୍କ୍ରିନ୍‌ରେ ଅଙ୍କା ଯାଇଥିବା ଶିବଙ୍କର ତାଣ୍ଡବ ନୃତ୍ୟର ଛବି । ସେଇ ଛବି ସମ୍ମୁଖରେ ଜଣେ ଯୁବକ, ସେ ନବୀନ । ଚିତ୍ରଟିକୁ ଦେଖିଲେ । ହେଲେ ସ୍ପଷ୍ଟ କିଛି ବୁଛି ବୁଝି ପାରିଲେ ନାହିଁ । କହିଲେ–ହଁ ଦେଖିଲି । କିନ୍ତୁ....-

 

–କିନ୍ତୁ ମଉସା କ’ଣ ବୁଝିଲେ ?

 

–ଠିକ୍‌ କିଛି ବୁଝି ହେଲା ନାହିଁ ।

 

–ଏ ଛବି ମାଳିନୀ ଆଙ୍କିଚି, ଯାହା ଛବି ସେ ତାଙ୍କୁ ଆପଣ ଚିହ୍ନି ପାରିଲେ ତ ?

 

–ପାରିବିନି? ସେ ତ ନବୀନ ବାବୁ ।

 

–ସେଇ ପରା ତା’ର ମନର ମଣିଷ ?

 

ମୁହଁ ତାଙ୍କର ପ୍ରସନ୍ନ ଦେଖାଗଲା । ବାଦଲ ଘେରା ଆକାଶ ଯେମିତି ନିର୍ମଳ ହୋଇଯାଇଛି । ନିଳୀମା କହିଲା–ମୋର ଗୋଟିଏ ଅଳି ରଖିବେ ମଉସା ?

 

–ରଖି ବି ନି ? ନିଶ୍ଚୟ ରଖିବି । କହ ।

 

ଯେମିତି ଭାଙ୍ଗିପଡ଼ିଲା ନିଳୀମା । କାହିଁକି କେଜାଣି କଣ୍ଠ ତା’ର ଥରି ଉଠିଲା । କ’ଣ କହିବ ବୋଲି ଚେଷ୍ଟା କରି କହି ପାରୁ ନାହିଁ । ଅନୁମାନ କଲେ, ଅତିଶୟ ଆନନ୍ଦ ଯୋଗୁ ନିଳୀମାର ଏ ଅବସ୍ଥା ହେଲା । କହିଲେ–ଥାଉ ମା । ମୁଁ ବୁଝିଗଲି । ଆଜି କି’ ଆନନ୍ଦର ଦିନ । ତୁ ଭଲ ହୋଇ ଯା’ ନିଜ ହାତରେ ସବୁ କରିବୁ । ଏ ବିଭାଘର କାମ ତୁ ସବୁ ତୁଲେଇବୁ ।

 

ନିଳୀମା ଚାହିଁଥିଲା । ମୁହଁରେ ତା’ର ହସ ଫୁଟି ଉଠିଲା ।

 

ପୁଣି କହିଲେ–ଏଇଠିକି ସମସ୍ତଙ୍କୁ ଡାକି ଆଣିବି । ନବୀନ ବାବୁଙ୍କ ମାଆ ବି ଅଛନ୍ତି । ଅନ୍ୟ ସମସ୍ତେ ଅଛନ୍ତି । ସବୁକଥା ଏଇଠି ଛିଣ୍ଡିଯିବ ।

 

ସେ ବାହାରକୁ ଚାଲିଗଲେ । କିଛି ସମୟ ପରେ ନବୀନ ପଶି ଆସିଲା ।

 

ନିଳୀମା ପାଖରେ ଠିଆ ହେଲା ।

 

ତାକୁ ପାଖରେ ପାଇ ନିଳୀମା କେମିତି ନୂଆ ଜୀବନ ପାଇଲା ଭଳି ଅନୁଭବ କଲା । ଯଥା ସମ୍ଭବ ଶକ୍ତି ସଞ୍ଚୟ କରି କହିଲା–ମୋର ଶେଷ ଅନୁରୋଧ ରଖିବେନି ?

 

ନବୀନ ତା’ ନିଜ କଥା ଭୁଲି ଯାଇଥିଲା । କହିଲା–ନିଶ୍ଚୟ,ନିଶ୍ଚୟ ରଖିବି । କିନ୍ତୁ ଏ କ’ଣ ?

 

ଶେଷ ଅନୁରୋଧ ବୋଲି କାହିଁକି କହୁଚ ?

 

–ନାଁ, ନାଁ, ମୁ ଭୁଲ କହିଲି । ମୋର ଅନୁରୋଧ, ଆପଣ.... ।

 

–କୁହ, ରହିଗଲ କାହିଁକି ?

 

ମାଳିନୀକୁ ଯଦି....ମାନେ....ଆପଣ ତାକୁ ଜୀବନ ସାଥୀ କରି ନେବେ.... ।

 

ନବୀନର ଆଖିର ଆଶାୟୀ ଚାହାଣି ଓ ଆସ୍ତିବାଚକ ଭଙ୍ଗୀ ନିଳୀମା ମନରେ ଦୃଢ଼ ବିଶ୍ୱାସ ଭରିଦେଲା । ହସି ସହି ସେ କହିଲା–ଏଇ ମୋରି ଶେଷ ଅନୁରୋଧ ରାମଶଙ୍କର ବାବୁ ।

 

ନବୀନର ଆଖି ବୁଜି ହୋଇଗଲା । ମନେପଡ଼ିଲା ସେ ଦିନେ ନିଜର ନାଁ ରାମଶଙ୍କର ବୋଲି କହିଥିଲେ, କିନ୍ତୁ ସେ’ତ ଇମୃଦ୍‌ଯାହାଁ ସୁଲତାନ, ଯାହାର କେଇପଦ କଥା ତା’ର ଚଲା ପଥକୁ କରିଛି ବେଗବାନ । ସେଦିନ ମାଳିନୀ ସାଙ୍ଗରେ ତାକୁ ଦେଖି ଠିକ୍‌ ଚିହ୍ନି ପାରିଥିଲା । କିନ୍ତୁ ଏତେ ଦିନ ଧରି ସେ ଦିନେ ହେଲେ କି ସୁନ୍ଦର ଭାବରେ ଜୀବନର ନାଟକ ଅଭିନୟ କରି ଚାଲିଛି ସେ ? ସାହାସ କରି ତାକୁ ପଚାରି ପାରି ନ ଥିଲା । କହିଲା–ମୁଁ ତୁମର ଅନୁରୋଧ ମାନିନେଲି ଇମୃଦ୍‌ଯାହଁ । ସୁଲ୍‌ତାନା, କିନ୍ତୁ ସୁଲତାନ, ତୁମେ କେତେ ମହତ, ତୁମର ଗୁଣ ଗାଇବାକୁ ମୋର ଭାଷା ନାହିଁ । ତୁମର ଅନୁରୋଧ ଏ ନୁହେଁ, ନିର୍ଦ୍ଦେଶକୁ ମୁଁ ମଥା ପୋତି ମାନି ନେଲି ।

 

ଏଥର ନିଳୀମା ହୋ’ ହୋ’ ହୋଇ ହସି ଉଠିଲା । ତା’ର ଏ ହସ କେମିତି ଅସ୍ୱାଭାବିକ ମନେ ହେଉଥିଲା ନବୀନର । ଗମ୍ଭୀର ହୋଇ ସେ ଲକ୍ଷ୍ୟ କରୁଥିଲା । ନିଳୀମାର ହସ ଥମି ଆସିଲା-। ତା’ପରେ ନିଶ୍ଚଳ ହୋଇ ପଡ଼ିରହିଲା । ନବୀନ ବ୍ୟସ୍ତ ଭାବେ ଧାଇଁ ଯାଇ ନିକଟ ବଖରାରେ ଥିବା ନର୍ସକୁ ଡାକି ଆଣିଲା । ସେ ପରୀକ୍ଷା କରି ନେଇ ବୋକାଙ୍କ ଭଳି ଚାହିଁ ରହିଲା-। ନବୀନ ଧାଇଁଲା ଡାକ୍ତରଙ୍କ ପାଖକୁ । ବ୍ୟସ୍ତ ଭାବେ ଡାକ୍ତରଙ୍କୁ ସାଙ୍ଗରେ ଧରି ଫେରୁଥିବା ବେଳେ ରୀନା, ଜୟନ୍ତୀ, ମାଳିନୀର ବାପା ତାକୁ ଦେଖି ପଛେ ପଛେ ଆସିଲେ । ଡାକ୍ତର ପରୀକ୍ଷା କରି ଦେଖିଲେ-। ବ୍ୟସ୍ତ ହେବାର କିଛି ନାହିଁ, ରକ୍ତ ଦରକାର । ନବୀନ ଧାଇଁଗଲା ରକ୍ତ ପାଇଁ । ରୀନା ଅନ୍ୟମାନଙ୍କୁ ଡାକି ଆଣିଲା, ସମସ୍ତେ ଉଦ୍‌ବିଗ୍ନ ହୋଇ ଚାହିଁ ରହିଛନ୍ତି ।

 

ରକ୍ତ ଆସିଲା, ଦିଆଗଲା, ଇଞ୍ଜେକ୍‌ସନ୍‌ ପରେ ଇଞ୍ଜେକ୍‌ସନ୍‌ ଦିଆଗଲା । କିଛି ପରିବର୍ତ୍ତନ ନାହିଁ ।

 

ବେଳ ଗଡ଼ିବାରେ ଲାଗିଛି । ସମସ୍ତଙ୍କ ମନରେ ଉଦ୍‌ବେଗ, ମୁହଁରେ ଭାଷା ନାହିଁ । ବାହାରୁ କେହି ଜଣେ ଘର ଭିତରକୁ ପଶି ଆସିବାରୁ କ୍ଷଣକ ପାଇଁ ସମସ୍ତଙ୍କ ଦୃଷ୍ଟି ସେ ଆଡ଼କୁ ଫେରିଯାଇ ପୁଣି ନିବଦ୍ଧ ହେଲା ନିଳୀମା ଉପରେ ।

 

ସୁଲୋଚନା ଘର ଭିତରକୁ ପଶି ଆସିଛି । ପରିସ୍ଥିତି ଦେଖି ସେ ଚୁପ୍‌ହୋଇ ଠିଆ ହୋଇଯାଇଛି ସମସ୍ତଙ୍କ ପାଖରେ ।

 

ଆଖି ଆଗରେ ଭାସି ଉଠୁଛି ବ୍ରହ୍ମାନନ୍ଦର ବିଷଣ୍ଣ ମୁହଁ । ସେ କେବେହେଲେ ତାଙ୍କୁ ଏମିତି ବିଷଣ୍ଣ ହେବାର ଦେଖି ନ ଥିଲା । ଏଡ଼େବଡ଼ ଦୁର୍ଘଟଣାରେ ପଡ଼ି ବି ନିଜର ଦାମ୍ଭିକତା କେବେ ହରେଇ ନ ଥିଲେ । କିନ୍ତୁ ଏ କ’ଣ ହେଲା ?

 

ସେ ଏଠିକି ଅଧୀର ହୋଇ ଧାଇଁ ଆସିଛି କାହିଁକି ? ବ୍ରହ୍ମାନନ୍ଦ ଅଧୀର କଣ୍ଠର ସ୍ୱର ଶୁଭିଯାଉଛି–‘‘ଯୋଗିଆକୁ କହିବୁ ମୁଁ ହାରି ଯାଇଛି । ନାଁ, ନାଁ, ନାଁ, ମୁଁ ବଡ଼ଭାଇ ହାରିନାହିଁ, କହିବୁ ମୁଁ ତା’ ଭାଇ, ବଡ଼ଭାଇ ସାନ ଭାଇକି ଡାକୁଛି । ଆଉ ଯଦି ସେଠି ନବୀନ ଥାଏ ତାକୁ ବି କହିବୁ, ସେ ବି ମୋ ସାନଭାଇ ମୁଁ ଡାକୁଛି ।

 

କାହିଁକି ଆସିଛି ସେ କଥା ଯେମିତି ସୁଲୋଚନା ଭୁଲି ଯାଇଛି, ପାଟିରୁ କଥା ବାହାରୁ ନାହିଁ । ଏ ତା’ର କ’ଣ ହେଲା କିଛି ବୁଝି ପାରୁନାହିଁ ।

 

ସମସ୍ତଙ୍କ ସାଙ୍ଗରେ ତା’ ଦୃଷ୍ଟି ନିବଦ୍ଧ ହୋଇଛି ନିଳୀମା ଉପରେ ।

 

ଅସ୍ତଗାମୀ ସୂର୍ଯ୍ୟଙ୍କର ଶେଷ ରଶ୍ମି ଝରକା ଦେଇ ବିଛାଡ଼ି ହୋଇ ପଡ଼ିଛି ନିଳୀମାର ମୁଖମଣ୍ଡଳ ଉପରେ । ସୁନେଲୀ କିରଣ ପଡ଼ି ତା’ର ସେ ଗୋରା ମୁହଁଟା ଭାରି ସୁନ୍ଦର ଦିଶୁଛି ।

 

ସେହି ଅସ୍ତରାଗ ରଞ୍ଜିତ ସୂର୍ଯ୍ୟ ଭିତରୁ ଦିଶୁଥିଲା ତା’ ସ୍ୱାମୀଙ୍କ ହସ ହସ ମୁହଁ, ଡାକିଲା ଆଖି ଆଉ ତା’ର କିରଣରେ ଦେଇ ଲମ୍ବି ଆସି ତାଙ୍କ ବଳିଷ୍ଠ ବାହୁ, ନିଳୀମାକୁ ବେଷ୍ଟନ କରୁଥିଲା । ଅନ୍ତର ତଳର ଗଭୀର ଉଦ୍‌ବେଗ, ମୀଳନ କାମ, ଅମାନିଆ ମନ, ସମସ୍ତ ନିଜସ୍ୱ ଯେମତି ଏକାକାର ହୋଇ ଉଡ଼ିଗଲା ଅନନ୍ତ ଆକାଶର ବୁକୁଚିରି, ସେହି ରକ୍ତ ପିଣ୍ଡୁଳା ସୂର୍ଯ୍ୟ ଆଡ଼କୁ ଯେଉଁଠି ଥିଲା ଚିର ଶାନ୍ତି, କାମନାର ପରିସମାପ୍ତି, ମୋହ ମାୟା ଘେରା ଦୁନିଆର ଜଞ୍ଜାଳରୁ ମୁକ୍ତି-

 

ଆଖି ସେମିତି ଖୋଲା ରହିଛି, ମୁକୁଳି ଯାଇଛି ଜ୍ୟୋତି, ହଜି ଯାଇଛି ପଲକ, ଆଉ ଫେରି ନାହିଁ, ଲୀନ ହୋଇ ଯାଇଛି ସେହି ଅସ୍ତଗାମୀ ସୂର୍ଯ୍ୟ ଦେହରେ ।

Image